ଜନତା କର୍ଫ୍ୟୁ: ମୁଁ କାହିଁକି ମାନିବି?

ସମ୍ବିଧାନ ଗ୍ରହଣ କରିଥିବା ମହାମାରୀ ଆଇନ ୧୮୯୭ ଅନୁସାରେ ରାଜ୍ୟ ବା କେନ୍ଦ୍ର ସରକାର ଚାହିଁଲେ ଏମିତି କିଛି ଅସ୍ଥାୟୀ ନିୟମ ଘୋଷଣା କରିପାରିବେ, ଯାହା କାର୍ଯ୍ୟକ୍ଷମ ଥିବା ଆଇନରେ ନଥିବ ଏବଂ ତାହା ସଂକ୍ରମଣ ବା ମହାମାରୀକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଇଥିବ।

haripanda
ହରିହର ପଣ୍ଡା

ବଶ୍ୟ ଦଳ,ସମ୍ପ୍ରଦାୟ ନିର୍ବିଶେଷରେ ଭିନ୍ନମତଧାରୀମାନେ ଏ ବିଷୟରେ ନିଜର ବିକଳ୍ପ ବିଚାରକୁ ସର୍ବସାଧାରଣରେ ଉପସ୍ଥାପନ କରି ନାହାନ୍ତି, କିନ୍ତୁ ଏହା ଏକ ଅଜବ ପ୍ରଶ୍ନ। ମୋ ଭଳି ଅନେକଙ୍କ ମନରେ ଏଭଳି ପ୍ରଶ୍ନ ଉଠୁଥିବ। ଏ ବିଷୟରେ କିଛି ବୈଜ୍ଞାନିକ କାରଣ ରହିଛି କି ?

ପ୍ରଥମେ ଜନତା କର୍ଫ୍ୟୁ କ’ଣ ? ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ସିଆରପିସିର ଧାରା ୧୪୪ ଲାଗୁକୁ ଆମେ କର୍ଫ୍ୟୁ ବୋଲି ଗ୍ରହଣ କରିଥାଉ। କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସେ ଅଞ୍ଚଳର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କୁ ଏହି ଧାରା ଉପଯୋଗ କରି କର୍ଫ୍ୟୁ ଘୋଷଣାର କ୍ଷମତା ପ୍ରଦାନ କରାଯାଇଛି। କିନ୍ତୁ କୌଣସି ରୋଗ ବା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଏହି ଆଇନ ଉପଯୋଗୀ ନୁହେଁ। ଅପରପକ୍ଷେ ସମ୍ବିଧାନ ଗ୍ରହଣ କରିଥିବା ମହାମାରୀ ଆଇନ ୧୮୯୭ ଅନୁସାରେ ରାଜ୍ୟ ବା କେନ୍ଦ୍ର ସରକାର ଚାହିଁଲେ ଏମିତି କିଛି ଅସ୍ଥାୟୀ ନିୟମ ଘୋଷଣା କରିପାରିବେ, ଯାହା କାର୍ଯ୍ୟକ୍ଷମ ଥିବା ଆଇନରେ ନଥିବ ଏବଂ ତାହା ସଂକ୍ରମଣ ବା ମହାମାରୀକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଇଥିବ। ପୁଣି ଏହି ଆଇନ ପଛରେ କିଛି ବୈଜ୍ଞାନିକ କାରଣ ରହିଛି ବା ନାହିଁ, ତାହାକୁ କେହି ପ୍ରଶ୍ନ କିପାରିବେ ନାହିଁ ବା ତାହାର ଉତ୍ତର ରଖିବାକୁ ସେ ବାଧ୍ୟ ନୁହନ୍ତି। ପୁଣି ଏହି ନିୟମକୁ ଭିତ୍ତି କରି ସେ ପରବର୍ତ୍ତୀ ସମୟରେ କୌଣସି ଆଇନଗତ ବିଚାରର ସମ୍ମୁଖୀନ ହେବେ ନାହିଁ। ଏହିକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଜନତା କର୍ଫ୍ୟୁକୁ ନମାନିଲେ ସରକାର ଚାହିଁଲେ ସମ୍ପୃକ୍ତ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଅର୍ଥାତ୍ ସରକାରୀ କଳ ଏହି ନିୟମକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଜସ୍ଵ ବଳ (ପୁଲିସ)କୁ ନିୟୋଜିତ କରିପାରିବ। ପୁଣି ଚାହିଁଲେ ଆପଣଙ୍କୁ ଗିରଫ କରିପାରିବେ! ଏଣୁ ନୈତିକ ଓ ଆଇନଗତ ଦୃଷ୍ଟିକୋଣରୁ ଆମେ ଏହି ଘୋଷଣା ବା ଆହ୍ୱାନ ବା ଆବଶ୍ୟକତାକୁ ପାଳନ କରିବାକୁ ବାଧ୍ୟ।

ହଁ ଆଉ ଏକ ପ୍ରଶ୍ନ ଏଠି ଉଠିପାରେ, ବିଶ୍ଵର ଆଉ କୌଣସି ରାଷ୍ଟ୍ରରେ ଏପରି କର୍ଫ୍ୟୁ ଲାଗୁ କରାଯାଇଛି କି? ଉତ୍ତର-ନା। ଯଦିଓ କୋଭିଡ୍୧୯ ବା କରୋନା ଭୁତାଣୁର ସଂକ୍ରମଣ ଭାରତରୁ ଆରମ୍ଭ ହୋଇ ନାହିଁ ଏବଂ ଚୀନ୍ଠାରୁ ଆରମ୍ଭ କରି ବିଶ୍ଵର ୧୭୭ ଦେଶରେ କରୋନା ଭୁତାଣୁ ଦ୍ଵାରା ପ୍ରଭାବିତ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଇଟାଲୀ, ଇରାନ୍, ଚୀନ ଏବଂ ସର୍ବପରି ଯୁକ୍ତ ରାଷ୍ଟ୍ର ଆମେରିକା ଏହି ମହାମାରୀ ସହ ସଂଗ୍ରମା ଚଳାଇଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ଏପରି ଦେଶର ଜୀବନଯାତ୍ରାକୁ ଗୋଟିଏ ଦିନ ବନ୍ଦ କରିବା ଲାଗି କେବେ ଅପିଲ୍କରି ନାହାନ୍ତି। ମାତ୍ର ଭାରତର ପ୍ରଧାନମନ୍ତ୍ରୀ ଏହିପରି ନିବେଦନ କରି ଦେଶରେ ସ୍ଥାନୀୟ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଚେଷ୍ଟା କରିଛନ୍ତି।

ଏହା କି ଫଳ ଦେବ?
ବିଶ୍ଵସ୍ଵାସ୍ଥ୍ୟ ସଂଗଠନର କୋଭିଡ୍୧୯ ଅବସ୍ଥିତି ରିପୋର୍ଟ ସଂଖ୍ୟା-୬୦, ଯାହା ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ପ୍ରକାଶ ପାଇଛି, ସେ ଅନୁସାରେ ଏବେ ବିଶ୍ଵରେ ୨ ଲକ୍ଷ ୩୪ ହଜାର ୭୩ ଜଣ କୋଭିଡ୍୧୯ ସଂକ୍ରମିତ। ସେଥିରୁ ୨୪୨୪୭ ଜଣ ନୂଆ ଚିହ୍ନିତ। ସମୁଦାୟ ୯୮୪୦ଜଣଙ୍କ ମୃତ୍ୟୁ ଘଟିଛି। ଏ କ୍ଷେତ୍ରରେ ସର୍ବାଧିକ ମୃତ୍ୟୁ ଘଟିଛି ଇଟାଲୀରେ। ଏଠାରେ ମୃତ୍ୟୁ ସଂଖ୍ୟା ରହିଛି ୩୪୦୭। ତା’ ପଛକୁ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୩୨୫୩ ରହିଥିବା ବେଳେ ଇରାନ୍‌ରେ ୧୨୮୪, ସ୍ପେନ୍‌ରେ ୭୬୭, ଫ୍ରାନ୍ସରେ ୩୭୨ଜଣ ଓ ଆମେରିକାରେ୧୫୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ଏବେ ୧୯୫ ଜଣଙ୍କୁ କରୋନା ଭୂତାଣୁ ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ସେଥିରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଯଦିଓ ମୃତ୍ୟୁ ଘଟିଥିବା ସମସ୍ତେ ଭାରତୀୟ ନାଗରିକ, କିନ୍ତୁ ଏଠାରେ ସମୁଦାୟ ସଂକ୍ରମଣ ହୋଇ ନାହିଁ।
ଏଭଳି ଏକ ପରିସ୍ଥିତିରେ ଆମ ଆଗରେ ଚ୍ୟାଲେଞ୍ଜ ହେଉଛି କିପରି ସମୁଦାୟ ସଂକ୍ରମଣରୁ ଆମେ ରକ୍ଷା ପାଇବା। ଏଥିଲାଗି ଜନତା କର୍ଫ୍ୟୁର ପ୍ରଭାବ କ’ଣ ହେବ ତାହା ଅସ୍ପଷ୍ଟ। ଯଦିବି ଏ ବନ୍ଦ ଡାକରା ସଫଳ ହୁଏ ତେବେ ଭାରତରେ କରୋନା ଆଶଙ୍କା ଯେ ଦୂରେଇଯିବ, ତାହା କହିବା ସମ୍ଭବ ନୁହେଁ। ଏ ବାବଦରେ କୌଣସି ବୈଜ୍ଞାନିକ କାରଣ ନାହିଁ। କିନ୍ତୁ କୋଭିଡ୍୧୯ ଭୂତାଣୁର ଯେଉଁ ଗୁଣ ଏଯାଏ ସାମ୍ନାକୁ ଆସିଛି ସେହି ଅନୁସାରେ ଯଦି ଲୋକେ ଭୂତାଣୁ ପାଖକୁ ଯିବେ ନାହିଁ ତା’ହେଲେ ଭୂତାଣୁ ବଞ୍ଚିବ ନାହିଁ। ଅର୍ଥାତ୍‌ କେବଳ ମାନବ ଶରୀର ଖୋଜୁଥିବା ଏହି ଭୂତାଣୁ ବିନା ମଣିଷରେ ଆପେ ମିରିଯିବେ ଏବଂ ବ୍ୟାପିବାର ଆଶଙ୍କା କମାଯାଇପାରିବ। ଯଦି ଗୋଟିଏ ଦିନ ବା ୧୪ ଘଣ୍ଟା ବନ୍ଦ ହେବା ଦ୍ଵାରା ସଂକ୍ରମଣ କମି ପାରିଥିବା ଜଣାଯାଏ,  ତା’ହେଲେ ଭାରତ ସରକାର ଏପରି ନିଷ୍ପତ୍ତି ବାରମ୍ବାର ଘୋଷଣା କରିପାରନ୍ତି ଆଉ ସଚେତନ ନାଗରିକ ଭାବେ ଆମକୁ ଏହା ଗ୍ରହଣ କରିବାକୁ ହେବ।

ଯଦିଓ ଏକ କରୋନା ଭୂତାଣୁ କେତେ ସମୟ ବଞ୍ଚିପାରିବ, ତାହା ନେଇ କୌଣସି ପ୍ରମାଣିତ ତଥ୍ୟ ଉପଲବ୍ଧ ନାହିଁ, କିନ୍ତୁ ନ୍ୟୁ ଇଂଲାଣ୍ଡ ଜଣ୍ଣାଲ୍ ଅଫ୍ ମେଡିସିନ୍‌ର ରିପୋର୍ଟକୁ ଆଧାର କରି ଲାଇଭ୍‌ସଲାଇନ୍‌ସ ପୋର୍ଟାଲ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ଏହି ଭୂତାଣୁ ବାୟୁ ମଣ୍ଡଳରେ ମାତ୍ର ୩ ଘଣ୍ଟା ବଞ୍ଚିପାରିବ। ତମ୍ବା ଉପରେ ୪ ଘଣ୍ଟା ରହିପାରିବ ଆଉ କାର୍ଡବୋର୍ଡ ଉପରେ ୨୪ ଘଣ୍ଟା ସମୟ ବଞ୍ଚିପାରିବ। ଷ୍ଟିଲ୍ ପୃଷ୍ଠ ଉପରେ କରୋନା ଭୂତାଣୁର ଆୟୁ ୭୨ ଘଣ୍ଟା ହୋଇପାରେ। ଏଣୁ ୧୪ ଘଣ୍ଟିଆ ବନ୍ଦ ଡାକରାରେ କି ଫାଇଦା ମିଳିବ?

ମାନବ ଶରୀର ବାହାରେ ଭୂତାଣୁର ଆୟୁକାଳ ସିନା ସର୍ବାଧିକ ୭୨ ଘଣ୍ଟା ବୋଲଇ ଆକଳନ କରାଯାଇଛି, କିନ୍ତୁ ଏହାକୁ ଦୁଇ ମିନିଟ୍ ଭିତରେ ବି ମାରି ଦିଆଯାଇପାରେ। ଏଥିଲାଗି ଭାରତର ଗରମ ବାୟୁମଣ୍ଡଳ ତାପମାତ୍ରା ଏବଂ ଘରେ ବ୍ୟବହାର ହେଉଥିବା ଘର ସଫା ଦ୍ରବଣ ସବୁ ଅଧିକ ଫଳପ୍ରଦ ହୋଇଥାଏ। ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ହେଲେ ଏହି କରୋନା ଭୂତାଣୁ ନଷ୍ଟ ହୋଇଯାଇଥାଏ। ଏଣୁ ଯଦି ଦିନବେଳେ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ପଡ଼ିଥିବା କରୋନା ଭୂତାଣୁକୁ କୌଣସି ମଣିଷ ନଛୁଏଁ ଏବଂ ସେହିଦିନର ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ହୁଏ,  ତା’ହେଲେ ସେଠାରେ ଭୂତାଣୁ ନଷ୍ଟ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଘରେ ବ୍ୟବହାର କରାଯାଉଥିବା କୀଟ ନାଶକ ଯାହା ଆମେ ଗାଧୁଆଘର, ପାଇଖାନା ଅଥବା ଶୋଇବା ଘରର ଚଟାଣରେ ବ୍ୟବହାର କରୁ ସେଥିରେ ମଧ୍ୟ କରୋନା ଭୂତାଣୁର ମୃତ୍ୟୁ ଘଟେ। ଯେଉଁ ଦ୍ରବଣରେ ୬୨ରୁ ୭୧ ପ୍ରତିଶତ ଇଥାନଲ, ୦.୫ ପ୍ରତିଶତ ହାଇଡ୍ରୋଜେନ୍ପେରକ୍ସାଇଡ୍କିମ୍ବା ୦.୧ ପ୍ରତିଶତ ସୋଡ଼ିୟମ୍ଆଇପୋକ୍ଲୋରାଇଡ୍( ବ୍ଲିଚ୍) ରହିଥାଏ ତାହା ଦକ୍ଷତାର ସହ ଭୂତାଣୁ ମାରିବାରେ ସକ୍ଷମ ହୋଇଥାଏ। ମାତ୍ର ଗୋଟିଏ ମିନିଟ୍‌ରେ ଏହା ନୋଭେଲ୍‌  କରୋନା ଭୂତାଣୁକୁ ମାରି ଦେଇପାରେ ବୋଲି ସମ୍ପୃକ୍ତ ଗବେଷଣା ରିପୋର୍ଟ ପ୍ରକାଶ କରିଛି। ଏହିକ୍ରମରେ ଆମ ଦେଶର ଯଦି ସବୁ ନାଗକରିକ (ଯେଉଁମାନେ ଅତ୍ୟାବଶ୍ୟକୀୟ ସେବାରେ ନିଯୁକ୍ତ ସେମାନଙ୍କୁ ଛାଡ଼ି) ୧୪ ଘଣ୍ଟା ନିଜ ଘରେ ବନ୍ଦ ରହିବେ,  ତା’ହେଲେ ସର୍ବସାଧାରଣ ସ୍ଥାନଗୁଡ଼ିକୁ ଆମେ ନୋଭେଲ୍‌ ରୋନା ଭୂତାଣୁରୁ ମୁକ୍ତ କରିବା ପାଇଁ ଏକ ସୁଯୋଗ ପାଇପାରିବା। ଗୋଟିଏ ପଟେ ଖରାରେ ସେ ଅଞ୍ଚଳର ଶୋଧନ ହୋଇପାରିବ ଆଉ ଛାଇସ୍ଥାନରେ ଥିବା ବିଭିନ୍ନ ସର୍ବସାଧାରଣ ସ୍ଥାନ ଯେମିତି ଟ୍ରେନ୍, ପ୍ଲାଟଫର୍ମ, ବସ୍, ବା ଅଫିସ୍ ପ୍ରଭୃତିକୁ ଆମେ ସାଧାରଣ କୀଟନାଶକ ଦ୍ରବଣରେ ସଫା କରିପାରିବା।

ଏହିକ୍ରମରେ ଆମ ଘରକୁ ବି ଆମେ ନିଜେ ବିଶୋଧନ କରିପାରିବା। ଯେଉଁ ୧୪ ଘଣ୍ଟିଆ ବାଧ୍ୟତାମୂଳକ ଛୁଟି ମିଳିଛି ସେଥିରେ ଆମେ ଆମ ଘରକୁ ମଧ୍ୟ ସଫା ସୁତୁରା କରି ସେଥିରେ ବେଶୀ ବ୍ୟବହାର ହେଉଥିବା ସ୍ଥାନ ଓ ସାମଗ୍ରୀକୁ ଭଲ ଭାବେ ସାଧାରଣ କୀଟ ନାଶକ ଦ୍ରବଣରେ ପୋଛିପାରିବା। ଫିନାଇଲ୍, ଲାଇଜଲ, ବ୍ଲିଚିଂ ପାଉଡର ବା ଅନ୍ୟ କୌଣସି ପାଣି ମିଶିଥିବା ଦ୍ରବଣକୁ ବ୍ୟବହାର କରି ଆମେ କରୋନା ଭୂତାଣୁ ମୁକ୍ତ କରିପାରିବା। ଏଣୁ ଜନତା କର୍ଫ୍ୟୁର ଅର୍ଥ କେବଳ ଘରେ ଚୁପ୍‌ଚାପ୍ ବସିବା ନୁହେଁ, ଆଉ ପାଦେ ଆଗେଇ ଆମ ଘରକୁ ସଫା କରିବା ପାଇଁ ଏକ ଉଚିତ ପଦକ୍ଷେପ ନେବାର ଜରୁରୀ ସମୟ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।