Advertisment

ପ୍ରତି ଗାଁ’ରେ କେବେ ହେବ ପାଠାଗାର?

ଓଡ଼ିଶା ବିଧାନସଭାରେ ପାଠାଗାର ଆଇନ ପାରିତ ହେଲା। ବିଶ୍ୱାସ ଥିଲା ସବୁ ବୟସର ଲୋକଙ୍କ ପାଇଁ ପଠନାଗାର ବା ପାଠାଗାର ଖୋଲିବ। ଆଇନ ବହୁଦିନ ଧରି ଅଣଦେଖା ହୋଇ ରହିଲା ପରେ ଶୁଣାଗଲା ଏହା ଏହା ନିଶ୍ଚୟ ହେବ। ସମସ୍ତେ ବିଶ୍ୱାସ କରିଥିଲେ ଗାଁର ସେହି ଭାଗବତ ଟୁଙ୍ଗୀ ପାଠାଗାରକୁ ରୂପାନ୍ତରିତ ହେବ ଅବା ଗାଁରେ ଥିବା ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ହେଉ ଅବା ମାଧ୍ୟମିକ ବିଦ୍ୟାଳୟ ହେଉ ତତ୍‌ସଂଲଗ୍ନ ଗୋଟିଏ ପାଠାଗାର ଉନ୍ମୋଚିତ ହୋଇ ଲୋକାର୍ପିତ ହେବ।

author-image
Debendra Prusty
A Village Library

A Village Library

ରାଜ୍ୟରେ ଥିବା କାହିଁ କେତେ ପ୍ରାଚୀନ ମନ୍ଦିରର ଚତୁଃପାର୍ଶ୍ୱରେ ଥିବା ଐତିହାସିକ ପ୍ରତ୍ନତାତ୍ତ୍ୱିକ ପୀଠ ମଠ ସବୁ ଭଙ୍ଗାଯାଇ ମନ୍ଦିର ଚତୁଃପାର୍ଶ୍ୱ ସଜା ଗଲା। ମଠ ମନ୍ଦିର, ପ୍ରାଚୀର ରଙ୍ଗ ବେରଙ୍ଗ ହେଲା। ମନ୍ଦିର ଭିତରକୁ ଯାଇପାରୁ ନଥିବା ଲୋକଙ୍କ ପାଇଁ ମନ୍ଦିର ପ୍ରଦକ୍ଷିଣର ସୁଯୋଗ ସୃଷ୍ଟି ହେଲା। ବେଢ଼ା ପରିକ୍ରମା କରିବା ଏବଂ ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଲା। ଚମତ୍କାର ବ୍ୟବସ୍ଥା। ବାହାରେ ଭିଡ଼ ଜମିଲା, ହେଲେ ମନ୍ଦିର ଭିତରର ଭିଡ଼ ଯେମିତି ଥିଲା ସେମିତି ରହିଲା। ଠେଲାପେଲା ଭିତରେ ଭକ୍ତ ମନଭରି ଦେବାଦେବୀଙ୍କର ଦର୍ଶନ ଲାଭରୁ ପୂର୍ବପରି ବଂଚିତ ହେଲେ। ଅନେକ ଅଘଟଣ ଘଟିଲା। ଠାକୁରେ ଅନେକ ସମୟ ଅଭୁକ୍ତ ରହିବା ମଧ୍ୟ ଦେଖାଯାଉଛି। ଭିତରେ ବିଶୃଙ୍ଖଳା, ବାହାରେ ଶୃଙ୍ଖଳା ବ୍ୟବସ୍ଥା ସବୁ କେତେ ଭଲ, କେତେ ମନ୍ଦ ତା’ କେବଳ ୫-ଟିଙ୍କୁ ଜଣା। ୫-ଟି ମନ୍ଦିରରୁ ମନ୍ଦିର ବୁଲି ଲୋକଙ୍କ ଗୁହାରୀ ଶୁଣନ୍ତି, ତଥାସ୍ତୁ କୁହନ୍ତି। ତେବେ ମନ୍ଦିରର ପ୍ରାଚୀନତା ହଜିଯିବା ଭଳି ଲାଗୁଛି। ନବୀନତ୍ୱ ଲାଭକରି ମନ୍ଦିର ଛିଡ଼ା ହେବାର ଦେଖାଯାଉଛି। ଦେଖାଯାଉ ପର୍ଯ୍ୟଟକ ଅବା ଭକ୍ତ କେତେଦୂର ଆକୃଷ୍ଟ ହେଉଛନ୍ତି? ମନ୍ଦିର-ସହରର ଆୟ କେତେ ବୃଦ୍ଧି ପାଉଛି? ଭକ୍ତ କେତେ ଶୃଙ୍ଖଳିତ ଓ ତୃପ୍ତ ହେଉଛନ୍ତି? ବହୁତ ହେଇଗଲାଣି।

Advertisment

ଏବେ କିନ୍ତୁ ଆମେ ଖୋଜୁଛୁ ସବୁ ଗାଁରେ ଅବା ଗାଁ ବିଦ୍ୟାଳୟରେ ଗୋଟିଏ ଛୋଟ ପାଠାଗାରଟିଏ। ଯେଉଁଠି ପିଲାଏ ବିଭିନ୍ନ ପୁସ୍ତକ ପଢ଼ିବାର ସୁଯୋଗ ପାଇବେ। ବର୍ଷିୟାନ ଲୋକମାନେ ଅବସର ସମୟରେ ନିଜ ମନ ମୁତାବକ ପୁସ୍ତକ ପଢ଼ି ସମୟ ବିତାଇବେ। ଅଳ୍ପଦିନ ତଳେ ଘୋଷଣା ହେଲା ଯେ ଗାଁ ଗହଳରେ ଗୋଟିଏ ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର ହେବ। ନବୀନ ପାଠାଗାର ଉଭା ହେବ। ଅବସର ନେଇଥିବା ବର୍ଷିୟାନମାନେ ସମୂହ ଚର୍ଚ୍ଚା, ପଠନ ପାଇଁ ସୁଯୋଗ ପାଇବେ। କାହିଁ, ସେସବୁ କୁଆଡ଼େ ଉଭେଇ ଗଲା। ଓଡ଼ିଶା ବିଧାନସଭାରେ ପାଠାଗାର ଆଇନ ପାରିତ ହେଲା। ବିଶ୍ୱାସ ଥିଲା ସବୁ ବୟସର ଲୋକଙ୍କ ପାଇଁ ପଠନାଗାର ବା ପାଠାଗାର ଖୋଲିବ। ଆଇନ ବହୁଦିନ ଧରି ଅଣଦେଖା ହୋଇ ରହିଲା ପରେ ଶୁଣାଗଲା ଏହା ଏହା ନିଶ୍ଚୟ ହେବ। ସମସ୍ତେ ବିଶ୍ୱାସ କରିଥିଲେ ଗାଁର ସେହି ଭାଗବତ ଟୁଙ୍ଗୀ ପାଠାଗାରକୁ ରୂପାନ୍ତରିତ ହେବ ଅବା ଗାଁରେ ଥିବା ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ହେଉ ଅବା ମାଧ୍ୟମିକ ବିଦ୍ୟାଳୟ ହେଉ ତତ୍‌ସଂଲଗ୍ନ ଗୋଟିଏ ପାଠାଗାର ଉନ୍ମୋଚିତ ହୋଇ ଲୋକାର୍ପିତ ହେବ। ଯେଉଁଠାରେ ସବୁ ବୟସର ଆବଶ୍ୟକତା ଅନୁସାରେ ପୁସ୍ତକ ରହିବ। ସରକାର ରାଜା ରାମମନୋହର ରାୟ ଫାଉଣ୍ଡେସନ୍‌ ବ୍ୟବସ୍ଥା ଜରିଆରେ ପୁସ୍ତକ ଯୋଗାଇ ଦେବେ। ଆଗରୁ ଥିବା ଗାନ୍ଧି ପାଠାଗାରରେ ପୁନଃ ଉଦ୍ଧାର ବା ପ୍ରଚଳନ ହେବ। ସକାଳ, ସନ୍ଧ୍ୟା ଅବା ଛୁଟିଦିନମାନଙ୍କରେ ଏହା ଖୋଲା ରହିବ।

ଏବେ ଗାଁରେ ଅନେକ ଅବସରପ୍ରାପ୍ତ ଶିକ୍ଷିତମାନେ ଭିଡ଼ ଜମିବାରେ ଲାଗିଛି। ସେମାନେ ଏହି ପାଠାଗାରରେ ଠୁଳ ହେବେ। ପଢ଼ିବାର ସୁଯୋଗ ପାଇବେ। ସ୍କୁଲ୍‌ କଲେଜରେ ଅଧ୍ୟୟନରତ ପିଲାମାନଙ୍କର ପଠନ ଅଭ୍ୟାସ ବୃଦ୍ଧି ପାଇବ। ଅପର ପକ୍ଷରେ ପୁସ୍ତକ ପ୍ରକାଶକମାନେ ଚିନ୍ତାରେ ରହିବେ ନାହିଁ। ସେମାନଙ୍କର ପ୍ରକାଶିତ ପୁସ୍ତକ ପାଠକାଦୃତ ହେବାର ସୁଯୋଗ ପାଇବ। ଭାଷା, ସାହିତ୍ୟ, ସଂସ୍କୃତିର ପ୍ର·ର ପ୍ରସାରରେ ଏହା ସହାୟକ ହେବ। ସେକଥା କୁଆଡ଼େ ଉଭେଇ ଗଲା। ମୋବାଇଲ୍‌ ଫୋନ୍‌ର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ହେଲେ ଉପନ୍ୟାସ, ଗଳ୍ପ, କବିତା, ପୁରାଣ ନୀତିଶାସ୍ତ୍ର ପଠନର ସ୍ୱାଦ କେଉଁଥିରେ ମିଳବ ନାହିଁ। ରାଜା ରାମମୋହନ ରାୟ ଫାଉଣ୍ଡେସନ ଦେଇଥିବା ପୁସ୍ତକ ଗୋଦାମ ଘରେ ବର୍ଷବର୍ଷ ଧରି ଗଦାହୋଇ ରହିଛି। ପାଠାଗାର ଆନ୍ଦୋଳନ କୋଉଁଠି ଯେପରି ବାଟବଣା ହୋଇଗଲା ଭଳି ଲାଗୁଛି। ଆମ ରାଜ୍ୟ ସଂସ୍କୃତିର ମୁଖ୍ୟ ପଠନଶାଳା ଅବା ଚର୍ଚ୍ଚା କୁଟୀର ଭାଗବତ ଟୁଙ୍ଗୀର ନା ମାତ୍ର ଅଛି, ସ୍ଥିତି ଲୋପ ପାଇଯାଇଛି।

Advertisment

ଜଣେ ବନ୍ଧୁ କହିଲେ, ଆପଣ ୫-ଟିକୁ ଗୁହାରୀ କରିବା ଶୋଭା ପାଉନାହିଁ। ଏ ରାଜ୍ୟରେ କ’ଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦି ଶାସକ ବର୍ଗ ନାହାନ୍ତି? ସେହି ବନ୍ଧୁ ବୋଧହୁଏ ନିଜକୁ ନିଜେ ଠକୁଛନ୍ତି ଅବା ଜାଣିଶୁଣି ଅଜଣା ପରି ଏପରି କଥା କହୁଛନ୍ତି ବୋଲି ବୋଧ ହେଲା। ଏ ରାଜ୍ୟରେ ଶାସକ ବୋଇଲେ ଯେଉଁମାନଙ୍କୁ ବୁଝାଏ ସେମାନେ ସମସ୍ତେ ଅକର୍ମଣ୍ୟ। ସବୁଠି ବିଦ୍ୟମାନ ସର୍ବଶକ୍ତିମାନ ୫-ଟି। ଯିଏ ତଥାସ୍ତୁ ନକରିଲେ ଦୁବଘାସଟିଏ ମଧ୍ୟ ଏ ରାଜ୍ୟରେ ହଲେ ନାହିଁ। ଏହି ୫-ଟିର ସୃଷ୍ଟି ନା ସମ୍ବିଧାନରେ ଅଛି, ନା ରାଜ୍ୟ ଶାସନ ବ୍ୟବସ୍ଥାରେ ଅଛି? ବୋଧହୁଏ ଭାରତୀୟ ସଂସ୍କୃତିର ଗଡ଼୍‌ ଅଫ୍‌ ଟ୍ରିନିଟି ଅବା ଓଡ଼ିଆଙ୍କ ପାଖରେ ପ୍ରଚଳିତ ସର୍ବଶକ୍ତିମାନ ‘ତ୍ରିନାଥ ଗୋସାଇଁଙ୍କର ଆଦ୍ୟ ଅକ୍ଷର ଇଂରାଜୀରେ ‘ଟି’କୁ ନେଇ ସୃଷ୍ଟି। ଏ ରାଜ୍ୟ କାଳିଆ, ବଳିଆ ଆଦି ଅନେକ ଯୋଜନା ଇଂରେଜ ଶବ୍ଦର ଆଦ୍ୟ ଆକ୍ଷରକୁ ନେଇ ସୃଷ୍ଟି ହୋଇଥିଲା। ସମସ୍ତେ ଜାଣିଛନ୍ତି। ବନ୍ଧୁ ନିଶ୍ଚୟ ଅବଗତ ଅଛନ୍ତି ଯେ ଏହି ୫-ଟି କେବଳ ଶକ୍ତିଶାଳୀ ନୁହଁନ୍ତି, ସେ ଶାସନ ବ୍ୟବସ୍ଥାର ଚଳନ୍ତି ଶରୀର। ଯେଉଁଠି ହେଲେ ବି ବିଦ୍ୟମାନ। ଲୋକେ ମନ୍ତ୍ରିଙ୍କୁ ଖୋଜନ୍ତି ନାହିଁ ତାଙ୍କୁ ହିଁ ଖୋଜୁଛନ୍ତି, ଦେଖୁଛନ୍ତି। ଦାବୀ କଲେ ସେ ରାଗି ଯାଇ ପାରନ୍ତି। ଏଣୁ ଏହି ଗୁହାରୀ ଶବ୍ଦଟି ହିଁ ଯଥାର୍ଥ। ସେ ଯେଉଁଠିକି ଯା’ନ୍ତି ଲୋକଙ୍କ ଗୁହାରୀ ଶୁଣନ୍ତି - ତଥାସ୍ତୁ କୁହନ୍ତି। ତାହା ମିଳିଥାଏ।

ସେଇଥିପାଇଁ ସେହି ୫-ଟି’ଙ୍କ ପାଖରେ ଗୁହାରୀ। ମନ୍ଦିର ଭାଙ୍ଗି ଗଢ଼ି, ରଙ୍ଗ ବେରଙ୍ଗ କରିବାରେ ପ୍ରଚୁର ଅର୍ଥ ଖର୍ଚ୍ଚ ହୋଇଚାଲିଛି। ଠାକୁରଙ୍କ ପୂଜାସ୍ଥଳି ସଜଡ଼ା ହେଉଛି, ତେବେ ମଣିଷଙ୍କର ଆତ୍ମଜ୍ଞାନ ବୃଦ୍ଧିର ବ୍ୟବସ୍ଥା ନାହିଁ। ସଂସ୍କୃତିକ ବେତନର ବିକାଶ ଅବା ସାହିତ୍ୟର ଅଭିବୃଦ୍ଧି ପାଇଁ ଗାଁରେ ଗୋଟିଏ ପାଠାଗାର ହେବନାହିଁ? ଆଗେ ରାଜା, ମହାରାଜା, ଜମିଦାରମାନେ ନିଜ ନିଜ ପ୍ରଚେଷ୍ଟାରେ ପାଠାଗାରମାନ ପ୍ରତିଷ୍ଠା କରୁଥିଲେ। ତାହା ସାର୍ବଜନୀନ ନହେଲେ ମଧ୍ୟ ଜ୍ଞାନୀ ପଣ୍ଡିତ ଅଧ୍ୟବସାୟୀ, ଗବେଷକମାନଙ୍କ ପାଇଁ ଖୋଲା ରହୁଥିଲା। ଏବେ ଗ୍ରାମ୍ୟ ପାଠାଗାର ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଚେଷ୍ଟାଟିଏ ଦେବା ଦରକାର।

ପାଠାଗାର ଆଇନ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି। ଦ୍ୱନ୍ଦ୍ୱ ଚାଲିଛି। ସଂସ୍କୃତି ବିଭାଗ ଅବା ଶିକ୍ଷାବିଭାଗ କାହା ପାଖରେ ରହିବ? କିଏ ହେବ ପରିଚାଳକ। ବ୍ୟୟବରାଦ କେଉଁ ବିଭାଗକୁ ଯିବ? କିଏ ଏହାର ଦାୟିତ୍ୱ ନେବ? ସେସବୁ ଦ୍ୱନ୍ଦ୍ୱ କ’ଣ ୫-ଟି ପରି ସର୍ବଶକ୍ତିମାନ ସମାଧାନ କରିପାରିବେ ନାହିଁ? ସବୁ ବିଭାଗର ଶୀର୍ଷରେ ଥିବା ନିରାକାର, ଅଣାକାର ଭାବମୂର୍ତ୍ତି ସମାଧାନ କରିପାରିବେ ନାହିଁ? ସେ ତ କୋଉ ବିଭାଗର ବୋଲି ଅବଧି ଚିହ୍ନିତ ନ ହୋଇ ମଧ୍ୟ ସବୁ ବିଭାଗରେ ହାତ ଥାପି କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହି ପାଠାଗାର ବ୍ୟବସ୍ଥାଟି କ’ଣ ଆଇନର ପରିସର ମଧ୍ୟରେ କାର୍ଯ୍ୟକାରୀ କରି ପାରିବେ ନାହିଁ? ନା ସେ ଚାହାଁନ୍ତି ନାହିଁ? ରାଜ୍ୟର ସଂସ୍କୃତି ସଂପନ୍ନ, ସଚେତନ ନାଗରିକମାନେ ଏକତ୍ରିତ ହୋଇ ବିଚାର ବିମର୍ଶ କରିବାରେ ସମୟ ବିତାନ୍ତୁ?

ପଞ୍ଚାନନ କାନୁନଗୋ

ଫୋ- ୯୪୩୮୩୬୦୮୪୯

Odisha 5T Village Library Bhagabata Tungi