କୁଆଡ଼େ ଆମ ଇସ୍କୁଲୁ ଉଠିଯାଉଛି!

ସରଳ କୁମାର ଦାସ

କିଛି ଦିନ ତଳେ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣାର ଆମଣାକୁଦ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ରର “ମୁଁ ଇସ୍କୁଲୁରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ଶୁଣିଲି କୁଆଡ଼େ ଆମ ଇସ୍କୁଲୁ ଉଠିଯାଉଛି” କଥାଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ତା’ ଉପରେ ଆଧାରିତ ଏକ ଓଡିଆ ‘ରାପ’ ଗୀତ ମଧ୍ୟ ବେଶ ଆଦୃତ ହୋଇଥିଲା। ହେଲେ ସ୍କୁଲ ଉଠିବା ନେଇ ପିଲାଟି ଉଠାଇଥିବା ମୂଳ ପ୍ରଶ୍ନଟି ସେମିତି ଅସମାହିତ ରହିଗଲା। କମ ଛାତ୍ର ଥିବା ଦର୍ଶାଇ ସ୍କୁଲଗୁଡିକୁ ବନ୍ଦ କରି ପାଖ ସ୍କୁଲରେ ମିଶାଇ ଦେବାର ରାଜ୍ୟ ସରକାରଙ୍କ ଆଦେଶକୁ ଓଡିଶା ହାଇକୋର୍ଟ ମଇ ୪, ୨୦୨୧ରେ ଦେଇଥିବା ରାୟରେ ଖାରଜ କରି ଦେଇଛନ୍ତି। ଫଳରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମାର୍ଚ୍ଚ ୧୧, ୨୦୨୦ରେ ପ୍ରକାଶିତ ମୂଳ ବିଜ୍ଞପ୍ତି ତଥା ଡିସେମ୍ୱର ୧୪, ୨୦୨୦ରେ ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତି ରଦ୍ଦ ହୋଇଛି। ରାଜ୍ୟର ଶତାଧିକ ସ୍କୁଲକୁ ବନ୍ଦ ନ କରିବାକୁ ଓ ବନ୍ଦ ହୋଇ ଅନ୍ୟ ସ୍କୁଲରେ ମିଶ୍ରଣ ହୋଇ ସାରିଥିବା ସ୍କୁଲଗୁଡିକୁ ପୁନଃପ୍ରତିଷ୍ଠା କରିବା ଲାଗି କୋର୍ଟ ଆଦେଶ ଦେଇଛନ୍ତି।

ଯୌକ୍ତିକତା (ରାସନାଲାଇଜେସନ) ଓ ସୁଦୃଢୀକରଣ (କନସୋଲିଡେସନ)ର ନୀତିକୁ ଆଧାର କରି ମେ’ ୧୪, ୨୦୧୮ରେ ରାଜ୍ୟ ସରକାରଙ୍କ ଦ୍ୱାରା କମ ଛାତ୍ର ଥିବା ସ୍କୁଲଗୁଡିକୁ ବନ୍ଦ କରି ସେଗୁଡିକୁ ଗୋଟିଏ ଗୋଟିଏ ପାଖ ସ୍କୁଲରେ ମିଶାଇ ଦେବା ଲାଗି ନୀତିଗତ ନିଷ୍ପତ୍ତି ନିଆ ଯାଇଥିଲା। ଏହା ପରେ ଶିକ୍ଷା ତଥା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସ୍କୁଲଗୁଡିକର ସଂଖ୍ୟା ହ୍ରାସ କରିବା, ସ୍କୁଲଗୁଡିକୁ ସମୁଦାୟ ଚାରିଟି ବର୍ଗରେ (ପ୍ରଥମରୁ ପଞ୍ଚମ, ପ୍ରଥମରୁ ଅଷ୍ଟମ, ପ୍ରଥମରୁ ଦଶମ ଓ ଷଷ୍ଠରୁ ଦଶମ) ଭାଗ କରିବା, ଯଥାସମ୍ଭବ ଅଧିକ ସଂଖ୍ୟକ ସମନ୍ୱିତ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା କରି ହାଇସ୍କୁଲ ଯାଏଁ ଶିକ୍ଷାକୁ ଗୋଟିଏ ପରିସରରେ ଉପଲବ୍ଧ କରାଇବା, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡିକର ସୁଦୃଢୀକରଣ ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ମାର୍ଚ୍ଚ ୧୧, ୨୦୨୦ରେ ବିଜ୍ଞପ୍ତି ଓ ମେମୋ ଜାରି ହୋଇଥିଲା। ତଦନୁଯାୟୀ, ପାଖ ସ୍କୁଲଠାରୁ ଦୂରତା ଯାହା ହୋଇଥାଉ ନା କାହିଁକି ୨୦ ବା କମ ଛାତ୍ର ଥିବା ସରକାରୀ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡିକ ପାଖ ସ୍କୁଲ ସହ ମିଶାଇ ଦିଆଯିବ। ଏଥିରେ ସଂଶୋଧନ କରି ଡିସେମ୍ୱର ୧୪, ୨୦୨୦ରେ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଲା, ଯାହା ଅନୁସାରେ କେବଳ କେବିକେ ଓ ଅନ୍ୟ ଅନୁସୂଚୀତ ଅଞ୍ଚଳମାନଙ୍କରେ ସର୍ବନିମ୍ନ ଛାତ୍ର ସଂଖ୍ୟା ୨୦ରୁ ୧୫କୁ କମାଇ ଦିଆଗଲା।

ଓଡ଼ିଶା ସରକାରଙ୍କ ସ୍କୁଲ ବନ୍ଦ ଓ ମିଶ୍ରଣ କରିବା ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ସଂଘ ପୃଥକ୍ ପୃଥକ୍ ଭାବେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନଗୁଡ଼ିକୁ ବିଚାରକୁ ନେଇ ହାଇକୋର୍ଟ ଦେଇଥିବା ରାୟରେ ସରକାରଙ୍କ ସ୍କୁଲ ବନ୍ଦ ଓ ମିଶ୍ରଣ ସଂକ୍ରାନ୍ତୀୟ ବିଜ୍ଞପ୍ତିକୁ ଖାରଜ କରିବା ସହିତ ସ୍କୁଲଗୁଡିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ସହ ସେଗୁଡ଼ିକୁ ସୁଚାରୁ ରୂପେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟ ଅନୁସାରେ ଏହା ସମ୍ୱିଧାନର ଧାରା ୨୧(କ)ରେ ସ୍ଥାନିତ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି ଯେଉଁଥିରେ ୬ରୁ ୧୪ ବର୍ଷ ବୟସର ସବୁ ପିଲାଙ୍କ ପାଇଁ ଦେୟମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବାର ଦାୟିତ୍ୱ ରାଜ୍ୟ ଉପରେ ନ୍ୟସ୍ତ ହୋଇଛି। ସମ୍ୱିଧାନର ଧାରା ୨୧(କ)କୁ ଭିତ୍ତି କରି ପ୍ରସ୍ତୁତ ହୋଇଥିବା ‘ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯’ (ଆରଟିଇ)ରେ ୬ରୁ ୧୪ ବର୍ଷ ଯାଏଁ ସବୁ ପିଲାଙ୍କୁ ଦେୟମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଆଇନର ଧାରା ୬ ଅନୁଯାୟୀ ପିଲାମାନଙ୍କୁ ସେମାନଙ୍କ ଆଖପାଖରେ ସ୍କୁଲ ଉପଲବ୍ଧ କରାଇବା ଦାୟିତ୍ୱ ରାଜ୍ୟ ଉପରେ ନ୍ୟସ୍ତ। ଏଥିରେ କୌଣସିଠାରେ ସ୍କୁଲରେ ସର୍ବନିମ୍ନ କେତେ ସଂଖ୍ୟକ ଛାତ୍ର ରହିବା ଆବଶ୍ୟକ, ତାହା ଉଲ୍ଲେଖ ହୋଇନାହିଁ। ଏହି ଆଇନ ଆଧାରରେ ପ୍ରସ୍ତୁତ ହୋଇଥିବା ‘ଓଡିଶା ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦’ର ଧାରା ୬ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସେମାନଙ୍କ ଘର ପାଖରୁ ଏକ କିଲୋମିଟର (ପାଦଚଲା ବାଟ) ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ୩ କିଲୋମିଟର (ପାଦଚଲା ବାଟ) ଭିତରେ ସ୍କୁଲ ଉପଲବ୍ଧ ହେବା ଆବଶ୍ୟକ ବୋଲି ଉଲ୍ଲେଖ ଅଛି। ସ୍କୁଲ ବନ୍ଦ ଓ ମିଶ୍ରଣ ସଂକ୍ରାନ୍ତୀୟ ନିଷ୍ପତ୍ତି ଗ୍ରହଣ କଲାବେଳେ ସରକାର ୨୦୦୯ର ଆଇନ ଓ ୨୦୧୦ର ନିୟମକୁ ବିଚାରକୁ ନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ, ଯାହା ବୈଧାନିକ ପ୍ରାବଧାନର ବିରୁଦ୍ଧାଚରଣ କରୁଛି ବୋଲି କୋର୍ଟ ଦର୍ଶାଇଲେ।

ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ଲଗାତାର ଭାବେ କମ ହେବା ଏକ ବାସ୍ତବତା ହୋଇଥିଲେ ମଧ୍ୟ ତା’ର କାରଣକୁ ଅନୁଧ୍ୟାନ କରି ନିରାକରଣର ଉପାୟ ବାହାର କରିବା ପାଇଁ ସରକାରୀ ସ୍ତରରେ ଆନ୍ତରିକ ଉଦ୍ୟମ ହୋଇଥିଲା ପରି ମନେ ହେଉନାହିଁ। ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କ ସ୍ପଷ୍ଟ ମତ, “ଛାତ୍ର ଉପସ୍ଥାନ କମ ହେବାର କାରଣକୁ ଖୋଜି ବାହାର ନ କରି ତାକୁ ଅନ୍ୟ ସ୍କୁଲ ସହିତ ମିଶାଇ ଦେବା ସମସ୍ୟାର ସମାଧାନ ନୁହେଁ। ଏହା ଠିକ ରୋଗର କାରଣ ନ ଜାଣି ଚିକିତ୍ସା ଆରମ୍ଭ କଲା ଭଳି।” ବାସ୍ତବିକ ଏହି ସବୁ ସ୍କୁଲରେ ଉପସ୍ଥାନ କମ ହେବାର ଅନେକ କାରଣ ମଧ୍ୟରୁ ଭିତ୍ତିଭୂମିର ଅଭାବ ଏକ ବଡ କାରଣ ହୋଇଥିଲା ବେଳେ ଶିକ୍ଷାଦାନ ସ୍ତର ହ୍ରାସ ପାଇବା ମଧ୍ୟ ଏକ ପ୍ରମୁଖ କାରଣ। ଆଦର୍ଶ ଛାତ୍ର-ଶିକ୍ଷକ ଅନୁପାତ ତୁଳନାରେ ସ୍କୁଲଗୁଡିକରେ ଯଥେଷ୍ଟ କମ ସଂଖ୍ୟକ ଶିକ୍ଷକ ରହିବା, ଶିକ୍ଷକମାନଙ୍କୁ ନିର୍ବାଚନ, ସର୍ଭେ, ମିଡ-ଡେ ମିଲ ଭଳି ବିଭିନ୍ନ ଅଣ-ଶିକ୍ଷା କାର୍ଯ୍ୟରେ ନିୟୋଜିତ କରିବା, ଶିକ୍ଷା ବ୍ୟବସ୍ଥାରେ ସ୍ଥାୟୀ, ଅସ୍ଥାୟୀ, ଟେନ୍ୟୁର, କଣ୍ଟ୍ରାକଚୁଆଲ, ଭଲେଣ୍ଟିଅର ଶିକ୍ଷକ ଭଳି ବିଭିନ୍ନ ପ୍ରକାର ଶିକ୍ଷକ ନିଯୁକ୍ତ ହେବା ଯୋଗୁ ଶିକ୍ଷାଦାନର ଗୁଣାତ୍ମକ ସ୍ତରରେ ଅବନତି ଦେଖା ଦେଉଛି। ଏବେ ବି ପ୍ରାୟ ୮୨ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟଗୁଡିକରେ ପଢୁଥିଲେ ବି ବଜେଟରେ ଶିକ୍ଷା ପାଇଁ ଯଥେଷ୍ଟ ବ୍ୟୟ ବରାଦ ହେଉନାହିଁ। ଫଳରେ ଅନେକ ସ୍କୁଲରେ ସର୍ବନିମ୍ନ ଭିତ୍ତିଭୂମିର ଅଭାବ ରହିଛି। କେଉଁଥିପାଇଁ ଅଭିଭାବକମାନେ ପିଲାଙ୍କୁ ସରକାରୀ ସ୍କୁଲରେ ପଢାଇବା ପାଇଁ ଅନାଗ୍ରହୀ ତାହା ହୃଦୟଙ୍ଗମ କରି ସେଗୁଡିକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ସେଭଳି ଆନ୍ତରିକତା ପ୍ରଦର୍ଶିତ ହେଉନାହିଁ। ମାତୃଭାଷାରେ ଶିକ୍ଷାଦାନ ପାଇଁ ଜୋର ଦିଆ ଯାଉଥିବା କଥା ଉପର ଠାଉରିଆ ଭାବେ କୁହା ଯାଉଥିଲେ ବି ଗାଁ ଗଣ୍ଡାରେ ଇଂରାଜୀ ମିଡିଅମ ସ୍କୁଲ ଓ ବିଭିନ୍ନ ସଂସ୍ଥାଙ୍କ ଦ୍ୱାରା ପରିଚାଳିତ ସ୍କୁଲ  ଖୋଲିବା ଉପରେ କୌଣସି କଟକଣା ନ ଥିବାରୁ ସେଠାକାର ସ୍କୁଲଗୁଡିକରେ ଛାତ୍ର ସଂଖ୍ୟା ହ୍ରାସ ପାଉଛି।

ରାୟରେ ଦର୍ଶା ଯାଇଛି ଯେ ଦିଲ୍ଲୀ ସରକାର ସେଠାରେ ଥିବା ପ୍ରାଥମିକ ସ୍କୁଲଗୁଡିକର ଉନ୍ନତିକରଣ ପାଇଁ ଏପରି ଚରମ ପଦକ୍ଷେପମାନ ଗ୍ରହଣ କରିଛନ୍ତି ଯାହା ଅନ୍ୟ ରାଜ୍ୟଗୁଡିକ ପାଇଁ ସର୍ବଶ୍ରେଷ୍ଠ ଉଦାହରଣ ହୋଇ ପାରିବ, ଯଦ୍ଦ୍ୱାରା ପ୍ରତ୍ୟେକ ପିଲାକୁ ତା’ ନିଜ ଅଞ୍ଚଳରେ ସର୍ବନିମ୍ନ ଭିତ୍ତିଭୂମିର ସୁବିଧା ସହ ପ୍ରାଥମିକ ସ୍କୁଲ ଶିକ୍ଷା ଉପଲବ୍ଧ କରା ଯାଇପାରିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାଥମିକ ଶିକ୍ଷା କୁହା ଯାଉଥିବା ବେଳେ ଦିଲ୍ଲୀରେ ଏହି ଶିକ୍ଷା ବ୍ୟବସ୍ଥା ଦୁଇ ଭାଗରେ ବିଭକ୍ତ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲଗୁଡିକ ଉଭୟ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ଓ ଦିଲ୍ଲୀ ସରକାରଙ୍କ ଦ୍ୱାରା ଅଲଗା ଅଲଗା ପରିଚାଳିତ ହେଉଥିଲା ବେଳେ ଷଷ୍ଠରୁ ଅଷ୍ଟମ ଯାଏଁ ସ୍କୁଲଗୁଡିକ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ। ଏମସିଡି ଦ୍ୱାରା ପରିଚାଳିତ ସ୍କୁଲଗୁଡିକ ଦୟନୀୟ ସ୍ଥିତିରେ ଥିଲା ବେଳେ ଗତ କିଛି ବର୍ଷ ମଧ୍ୟରେ ଦିଲ୍ଲୀ ସରକାର ତାଙ୍କ ଅଧୀନରେ ଥିବା ସ୍କୁଲଗୁଡିକର ଭିତ୍ତିଭୂମିର ବିକାଶ ସହିତ ଶିକ୍ଷାଦାନର ମାନ ବୃଦ୍ଧି ଉପରେ ଯଥେଷ୍ଟ ଧ୍ୟାନ ଦେଇଥିବାରୁ ସେଠାରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇ ଘରୋଇ ସ୍କୁଲର ସମକକ୍ଷ ଓ ସ୍ଥଳ ବିଶେଷରେ ତା’ଠାରୁ ଉନ୍ନତତର ହୋଇପାରିଛି। ପ୍ରତି ସ୍କୁଲର ପରିଚାଳନା ସମିତିକୁ ଆର୍ଥିକ ସହାୟତା ପ୍ରଦାନ କରି ସେଗୁଡିକୁ ସୁଦୃଢ କରାଯାଇଛି। ଶ୍ରେଣୀଗୁଡିକରେ ଥିବା କଳାପଟା ସ୍ଥାନରେ ସ୍ମାର୍ଟ ବୋର୍ଡର ପ୍ରଚଳନ ହୋଇଛି। ସ୍କୁଲଗୁଡିକୁ ଆକର୍ଷଣୀୟ ଭାବେ ଚିତ୍ରିତ କରାଯାଇଛି ଓ ସେଗୁଡିକୁ ଅତ୍ୟାଧୁନିକ ଫର୍ଣ୍ଣିଚର ଯୋଗାଇ ଦିଆଯାଇଛି। ଶିକ୍ଷକମାନେ ଯେପରି ଉନ୍ନତ ଶିକ୍ଷାଦାନ କରି ପାରିବେ ସେଥିପାଇଁ କିଛି ଶିକ୍ଷକଙ୍କୁ ବିଦେଶରେ ପ୍ରଶିକ୍ଷିତ କରାଯାଇଛି। ପ୍ରତି ୩-୪ଟି ସ୍କୁଲ ପାଇଁ ଜଣେ ଲେଖାଏଁ ଏହିପରି ପ୍ରଶିକ୍ଷିତ ଶିକ୍ଷକଙ୍କୁ ମେଣ୍ଟର ଭାବେ ଦାୟିତ୍ୱ ଦିଆଯାଇଛି। ଉନ୍ନତ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ପାଇଁ ଛାତ୍ର-ଶିକ୍ଷକ ଅନୁପାତକୁ ଯଥେଷ୍ଟ କମ କରାଯାଇଛି। ସେଠାକାର ସ୍କୁଲଗୁଡିକରେ ପ୍ରଚଳିତ ‘ହ୍ୟାପିନେସ କରିକ୍ୟୁଲମ’ ବର୍ତ୍ତମାନ ବିଭିନ୍ନ ଦେଶର ଦୃଷ୍ଟି ଆକର୍ଷଣ କରୁଛି। କହିବାକୁ ଗଲେ ଦିଲ୍ଲୀର ସରକାରୀ ସ୍କୁଲ ବ୍ୟବସ୍ଥା ଏବେ ଏତେ ଆକର୍ଷଣୀୟ ହୋଇପାରିଛି ଯେ ପିଲାଙ୍କୁ ସେହିଠାରେ ପଢାଇବା ପାଇଁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁଥିଲା ବେଳେ ପିଲାମାନେ ଅଧାରୁ ପାଠପଢା ଛାଡି ସ୍କୁଲକୁ ନ ଆସିବାର ଆଉ ନହବତ ଆସୁନାହିଁ। ଓଡିଶାରେ ସରକାରୀ ପ୍ରାଥମିକ ସ୍କୁଲଗୁଡିକର ଭିତ୍ତିଭୂମିକୁ ବିକାଶ କରି ଅନୁରୂପ ଭାବେ ଆକର୍ଷଣୀୟ କରା ଯାଇପାରିଲେ ପିଲାମାନଙ୍କୁ ଯେ ସ୍କୁଲ ମୁହାଁ କରି ହେବ, ଏଥିରେ ସନ୍ଦେହ ନାହିଁ।

ଏହି ଐତିହାସିକ ରାୟର କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଦେଶର ପ୍ରାଥମିକ ସ୍କୁଲ ଶିକ୍ଷା ବ୍ୟବସ୍ଥା ଉପରେ ସୁଦୂରପ୍ରସାରୀ ପ୍ରଭାବ ପଡ଼ିପାରେ। କାରଣ ସ୍କୁଲ ବନ୍ଦ ନିଷ୍ପତ୍ତି ଶତକଡ଼ା ଶହେ ଓଡ଼ିଶା ସରକାରଙ୍କ ନୁହେଁ, ବରଂ ଏହା କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଦ୍ୱାରା ପ୍ରଚୋଦିତ। ପ୍ରଦର୍ଶନ ଭଲ ହେଉ ନଥିବା ସରକାରୀ ସ୍କୁଲଗୁଡିକୁ ସରକାରୀ-ବେସରକାରୀ ସହଭାଗିତା (ପିପିପି) ଆଧାରରେ ଘରୋଇ ସଂସ୍ଥାଙ୍କୁ ହସ୍ତାନ୍ତର କରି ଦିଆଯାଉ ବୋଲି ୨୦୧୭ ମସିହା ଅଗଷ୍ଟ ମାସ ନୀତି ଆୟୋଗ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ରାଜ୍ୟଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାର ପୁନର୍ଗଠନ ପାଇଁ ନୀତି ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ‘ମାନବ ପୁଞ୍ଜିର ରୂପାନ୍ତର ପାଇଁ ସତତ କାର୍ଯ୍ୟ – ଶିକ୍ଷା’ (ସାଥ-ଇ) କାର୍ଯ୍ୟକ୍ରମରେ ଓଡ଼ିଶା, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ରାଜ୍ୟ ତିନିଟିକୁ ଆଦର୍ଶ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ରଖି ୨୦୧୭ରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ନୀତି ଆୟୋଗ ଦ୍ୱାରା ମାର୍ଚ୍ଚ ୧୭,୨୦୧୮ରେ ଓଡ଼ିଶା ପାଇଁ ସାଥ-ଇର ଏକ ରୋଡ଼ମ୍ୟାପ ଉନ୍ମୋଚିତ ହୋଇଥିଲା। ତଦନୁଯାୟୀ ୨୦ରୁ କମ ଛାତ୍ର ଥିବା ପ୍ରାୟ ୮୦୦୦ ସ୍କୁଲକୁ ଚିହ୍ନିତ କରି ସେଗୁଡ଼ିକୁ ଅନ୍ୟ ସ୍କୁଲରେ ମିଶ୍ରଣ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ଥିଲା। ଏହା ଶିକ୍ଷା ଅଧିକାର ଆଇନ, ୨୦୦୯ର ଧାରା ୩ ଓ ଧାରା ୮ର ବିରୁଦ୍ଧାଚରଣ କରୁଥିବା ଦର୍ଶାଇ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ସେତେବେଳେ ସାମାଜିକ କର୍ମୀମାନେ ତୀବ୍ର ବିରୋଧ କରିଥିଲେ। ସ୍କୁଲ ବନ୍ଦ ନିଷ୍ପତ୍ତି ସାମ୍ୱିଧାନିକ ଓ ସାମ୍ବିଧିକ ଦୃଷ୍ଟିରୁ ବୈଧ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଥିବାରୁ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଭଳି ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେବାର ଅବକାଶ ସୃଷ୍ଟି ହୋଇଛି। ଏଥି ସହ ନୀତି ଆୟୋଗଙ୍କୁ ମଧ୍ୟ କାର୍ଯ୍ୟକ୍ରମଟିର ପୁନରାବଲୋକନ କରିବାକୁ ପଡ଼ିପାରେ।

ଅନୁଷ୍ଠାନଟିଏ ଗଢ଼ିବା କଷ୍ଟସାଧ୍ୟ, ହେଲେ ଭାଙ୍ଗି ଦେବା ଖୁବ ସହଜ। ତେବେ ଅନୁଷ୍ଠାନଟିକୁ ରୁଗ୍ଣ ଅବସ୍ଥାରେ ଛାଡ଼ି ଦେବା ଅପେକ୍ଷା ବନ୍ଦ କରି ଦେବା ବରଂ ଶ୍ରେୟସ୍କର ବୋଲି କେହି କେହି ଯୁକ୍ତି ବାଢ଼ିଥାଆନ୍ତି। ହେଲେ ଏହି ଚରମ ପଦକ୍ଷେପ ନେବା ପୂର୍ବରୁ ରୋଗର କାରଣ ଅନୁଧ୍ୟାନ କରି ନିରାକରଣ ପୂର୍ବକ ଅନୁଷ୍ଠାନଟିର ପୁନରୁଦ୍ଧାର ପାଇଁ ଆନ୍ତରିକ ଉଦ୍ୟମ ହେବା ଉଚିତ ନୁହେଁ କି? ପରିବାରରେ କେହି ପ୍ରିୟଜନ ସାଂଘାତିକ ଭାବେ ଅସୁସ୍ଥ ଥିଲେ ଆମେ ଆଶା ଛାଡ଼ି ନ ଦେଇ ତାଙ୍କୁ ସୁସ୍ଥ କରିବା ପାଇଁ ସମସ୍ତ ସମ୍ବଳ ଅଜାଡ଼ି ଦେବା ପାଇଁ କୁଣ୍ଠା ପ୍ରକାଶ କରନ୍ତି ନାହିଁ। ନିଶ୍ଚିହ୍ନ ହେବାର ଦ୍ୱାର ଦେଶରେ ଥିବା ଏହି ସ୍କୁଲଗୁଡ଼ିକ ପ୍ରତି ଉଭୟ ସରକାର ଓ ସମାଜ ସମ୍ବେଦନଶୀଳ ହୋଇ ଉଚିତ ପଦକ୍ଷେପ ଗ୍ରହଣ କଲେ ହୁଏତ ଏଗୁଡ଼ିକ ମଧ୍ୟରୁ ଅନେକ ଚଳଚଞ୍ଚଳ ହୋଇ ରାଜ୍ୟର ଅପହଞ୍ଚ ଇଲାକାଗୁଡ଼ିକରେ ବି ଶିକ୍ଷା ପ୍ରଦାନକୁ ସୁଗମ କରିବାରେ ସହାୟକ ହୋଇପାରିବେ। ନ ହେଲେ ‘କୁଆଡ଼େ ଆମ ଇସ୍କୁଲୁ ଉଠି ଯାଉଛି’ ପ୍ରଶ୍ନଟି ରାଜ୍ୟର ହଜାର ହଜାର କୋମଳମତି ଶିଶୁଙ୍କ ମନରେ ବାରମ୍ୱାର ଉଙ୍କି ମାରି ସେମାନଙ୍କୁ ବିଚଳିତ କରୁଥିବ। ତେଣୁ ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ଗ୍ରହଣ କରି ସ୍କୁଲଗୁଡ଼ିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣି ଭିତ୍ତିଭୂମିର ବିକାଶ ପୂର୍ବକ ସେଗୁଡିକୁ ପ୍ରାଣବନ୍ତ କରିବା ଲାଗି ତୁରନ୍ତ ପଦକ୍ଷେପ ନେବା ଉଚିତ। ଅନ୍ୟ ପକ୍ଷରେ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସରକାର ଯେପରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ନ ହୁଅନ୍ତି ସେଥିପାଇଁ ପ୍ରବଳ ଜନମତ ସୃଷ୍ଟି ହେବା ଉଚିତ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।