- ଦେବେନ୍ଦ୍ର ପୃଷ୍ଟି
୨୦୧୧-୧୨ ହିସାବ ଅନୁସାରେ ଓଡ଼ିଶାର ୩୨.୫୯ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବା ବିପିଏଲ। ଏବେ ଓଡ଼ିଶାର ଜନସଂଖ୍ୟା ହେଉଛି ପ୍ରାୟ ୪.୫ କୋଟି। ଏହାର ୩୨.୫୯ ପ୍ରତିଶତ ଅର୍ଥାତ ପ୍ରାୟ ୧.୩ କୋଟି ଲୋକ ଗରୀବ। ଓଡ଼ିଶା ସରକାର ଲୋକମାନଙ୍କର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ ପ୍ରାୟ ୩.୪ କୋଟି ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହି ଯୋଜନା ମୁଖ୍ୟତଃ ଖାଦ୍ୟ ସଂକଟର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଅବଶ୍ୟ ଓଡ଼ିଶାର ଖାଦ୍ୟ ନିରାପତ୍ତା ହିତାଧିକାରୀମାନେ ସମସ୍ତ ବିପିଏଲ ପର୍ଯ୍ୟାୟଭୁକ୍ତ ନୁହନ୍ତି। ତଥାପି ଯୋଜନାର ଉଦ୍ଦେଶ୍ୟ ଦୃଷ୍ଟିକୋଣରୁ ଏହି ହିତାଧିକାରୀମାନଙ୍କୁ ଗରୀବ ବୋଲି କୁହାଯାଇ ପାରେ। ସେମାନେ ଗରୀବ ହୋଇନଥିଲେ ଟଙ୍କିକିଆ ଚାଉଳ ଉପରେ ନିର୍ଭର କରନ୍ତେ ନାହିଁ ବା ଯୋଜନାରେ ନାଁ ଥିଲେ ବି ଡିଲର ପାଖରୁ ଚାଉଳ ଉଠାନ୍ତେ ନାହିଁ। ସେହିପରି ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ଯେତେ ସାମାଜିକ କଲ୍ୟାଣ ଭତ୍ତାର ହିତାଧିକାରୀ ଚୟନ ମୁଖ୍ୟତଃ ଦାରିଦ୍ର୍ୟ ଓ ଅସହାୟତା ଆଧାରରେ ହୋଇଥାଏ। ଓଡ଼ିଶାରେ ଏପରି ସମାଜ କଲ୍ୟାଣ ଭତ୍ତାର ହିତାଧିକାରୀଙ୍କ ସଂଖ୍ୟା ୪୦ ଲକ୍ଷ ଉପରେ। ଏଭଳି ସମସ୍ତ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ହିତାଧିକାରୀଙ୍କ ହିସାବକୁ ନେଲେ ଓଡ଼ିଶାରେ ଏବେ ବି ପ୍ରାୟ ୫୦ ପ୍ରତିଶତ ଲୋକ ଦରିଦ୍ର ବା ଦରିଦ୍ର ମନୋଭାବ ସଂପନ୍ନ ବୋଲି କୁହାଯାଇପାରେ। ୨୦୦୪-୫ ବର୍ଷର ହିସାବ ଅନୁସାରେ ଓଡ଼ିଶାର ବିପିଏଲ ହାର ଥିଲା ୫୭ ପ୍ରତିଶତ। ସେବେଠାରୁ ଦାରିଦ୍ର୍ୟ ହାର ୨୫ ପ୍ରତିଶତ କମିଛି ବୋଲି ସରକାର ଦାବି କରୁଥିଲେ ମଧ୍ୟ ଦରିଦ୍ରଙ୍କ ପାଇଁ ଉଦ୍ଦିଷ୍ଟ ହିତାଧିକାରୀଙ୍କ ସଂଖ୍ୟା କମିନାହିଁ।
ସେହିପରି ଓଡ଼ିଶା ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଓଡ଼ିଶାର ପ୍ରତିବର୍ଷ ହାରାହାରି ପ୍ରାୟ ୩୪୦୦ କୋଟି ଟଙ୍କାର କ୍ଷତି ହୋଇଥାଏ ବୋଲି ସରକାର ଦାବି କରନ୍ତି। ଗତ ୨୫ ବର୍ଷ ଭିତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଓଡ଼ିଶାର ଅନ୍ୟୁନ ୮୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ସରକାର ହିସାବ କରିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟବାସୀ ୧୭ ଥର ବନ୍ୟା, ୬ ଥର ବଡ଼ ଧରଣର ବାତ୍ୟା ଓ ୧୧ ଥର ମରୁଡ଼ିର ସମ୍ମୁଖୀନ ହୋଇଛନ୍ତି। ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟବାସୀଙ୍କର ୮୫ ହଜାର କୋଟି ଟଙ୍କା କ୍ଷତି ହୋଇଥିଲେ ବି ରାଜ୍ୟ ସରକାର ରିଲିଫ୍ ଓ ଥଇଥାନ କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅର୍ଥାତ ଲୋକମାନଙ୍କର ବିପର୍ଯ୍ୟୟ ଜନିତ କ୍ଷତିର ସଂପୂର୍ଣ୍ଣ ଭରଣା ହୋଇନାହିଁ। ତେଣୁ ସ୍ୱାଭାବିକ ଭାବେ ବାରମ୍ବାର ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକମାନେ ଅଭାବ ଓ କଷଣରେ ଥିବେ ବୋଲି ଅନୁମାନ କରାଯାଇପାରେ।
୨୦୦୧-୦୨ ଆର୍ଥିକ ବର୍ଷରେ ଓଡ଼ିଶାର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପି ଥିଲା ୪୬,୭୫୬ କୋଟି ଟଙ୍କା। ୨୦୧୫-୧୬ ବର୍ଷକୁ ଏହି ପରିମାଣ ୩,୪୮,୧୦୭ କୋଟି ଟଙ୍କାରେ ପହଂଚିଥିଲା। ଏହି ହିସାବରେ ୨୦୧୭-୧୮ ବର୍ଷରେ ଓଡ଼ିଶାର ମୁଣ୍ଡ ପିଛା ଜିଡିପି ୯୨ ହଜାର କୋଟି ଟଙ୍କା ବୋଲି ହିସାବ କରାଯାଇଛି। ଓଡ଼ିଶାର ମୋଟ କର୍ମବଳ ସଂଖ୍ୟା ହେଉଛି ପ୍ରାୟ ୧.୭୫ କୋଟି। ଏହାର ୬୧ ପ୍ରତିଶତ ହେଲେ କୃଷକ ଓ କୃଷି ଶ୍ରମିକ। ଓଡ଼ିଶାର ଜିଡିପିକୁ କୃଷି କ୍ଷେତ୍ରର ଅବଦାନ ହେଉଛି ମାତ୍ର ୧୬ ପ୍ରତିଶତ। ୨୦୧୭-୧୮ ବର୍ଷର ହିସାବ ଅନୁସାରେ ଓଡ଼ିଶାର ଜିଏସଡିପି ୪.୪୩ ଲକ୍ଷ କୋଟି ଟଙ୍କା ଓ ଏଥିକୁ କୃଷି ୪ତ୍ରର ଅବଦାନ ହେଉଛି ୨୮ ପ୍ରତିଶତ। ଓଡ଼ିଶା ଜିଡିପିକୁ ସେବା କ୍ଷେତ୍ରର ଅବଦାନ ହେଉଛି ୪୪ ପ୍ରତିଶତ। ଅର୍ଥାତ ସେବା କ୍ଷେତ୍ରଠାରୁ କୃଷି କ୍ଷେତ୍ର କମ୍ ଲାଭଜନକ। ଓଡ଼ିଶାରେ କୃଷି ଏକ ଲାଭଜନକ ବୃତ୍ତି ନୁହେଁ। ଯେଉଁ ବୃତ୍ତି ଲାଭଜନକ ନୁହେଁ ସେଇଥିରେ ହିଁ ଅଧିକ ସଂଖ୍ୟକ ଓଡ଼ିଆ ନିର୍ଭରଶୀଳ ଅଛନ୍ତି। ସେମାନଙ୍କ ପାଇଁ ଲାଭଜନକ ବିକଳ୍ପ ରୋଜଗାର ପନ୍ଥା କିଛି ନାହିଁ। ଓଡ଼ିଶାର ପ୍ରାୟ ୮୯ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି। ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ବାର୍ଷିକ ମୁଣ୍ଡ ପିଛା ଖର୍ଚ୍ଚ କରନ୍ତି ମାତ୍ର ୧୭୧୧ ଟଙ୍କା। ଏଥିରୁ କେତେ ଟଙ୍କା ଲୋକଙ୍କ ପାଖରେ ପହଞ୍ଚୁଥିବ ତାହା ସହଜରେ ଅନୁମେୟ।
ଓଡ଼ିଶା ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ ହେଲେ ଆଦିବାସୀ ଓ ଦଳିତ। ରାଜ୍ୟ ଜନସଂଖ୍ୟାର ୨୨ ପ୍ରତିଶତ ହେଲେ ଆଦିବାସୀ ଓ ୧୮ ପ୍ରତିଶତ ଦଳିତ। ଏହି ଦୁଇ ବର୍ଗର ଲୋକ ସାଧାରଣ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଗରୀବ ଓ ବିକାଶ ପ୍ରକ୍ରିୟାରୁ ବଂଚିତ ରହି ଆସିଛନ୍ତି। ରାଜ୍ୟ ଜନସଂଖ୍ୟାର ୫୦ ପ୍ରତିଶତ ଉପରେ ହେଉଛନ୍ତି ଅନ୍ୟାନ୍ୟ ପଛୁଆ ବର୍ଗର ଲୋକ। ଏମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ସେତେ ସ୍ୱଚ୍ଛଳ ନୁହେଁ। ଏହି ତିନିଟି ବର୍ଗର ଲୋକମାନେ ମୁଖ୍ୟତଃ ସରକାରୀ ସହାୟତା ଉପରେ ଅଧିକ ନିର୍ଭର କରିଥାନ୍ତି। ଓଡ଼ିଶାର ପ୍ରାୟ ୧୨ ଲକ୍ଷ ଲୋକ ଆୟକର ପଇଠ କରୁଛନ୍ତି। ୨୦୧୭-୧୮ର ହିସାବ ଅନୁସାରେ ଆୟକର ବିଭାଗ ଓଡ଼ିଶାରୁ ପ୍ରାୟ ୧୨ ହଜାର କୋଟି ଟଙ୍କାର ଆୟକର ଆଦାୟ କରିଥିଲା। ଓଡ଼ିଶାର ପ୍ରାୟ ୫ ଲକ୍ଷ ଲୋକ ହେଲେ ସରକାରୀ କର୍ମଚାରୀ। ଏମାନଙ୍କ ବାହାରେ ଖଣି, ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରର କିଛି ଲୋକ ଆୟକର ପଇଠ କରିଥାନ୍ତି। ଅନ୍ୟମାନଙ୍କର ଉପାର୍ଜନ ଉପରେ ଆୟକର ହିସାବ ହୁଏ ନାହିଁ। ବାର୍ଷିକ ୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକମାନଙ୍କୁ ହିଁ ଆୟକର ସୀମା ଭିତରେ ଗଣନା କରାଯାଏ। ଅନେକ ଲୋକ ଅବଶ୍ୟ ସେମାନଙ୍କର ଆୟ ଲୁଚାଇଥାନ୍ତି, ମିଛସତ ହିସାବ ଦେଇ ଆୟକର ଫାଙ୍କିଥାନ୍ତି। ତଥାପି ମୋଟ ଉପରେ କହିଲେ ଓଡ଼ିଶାବାସୀଙ୍କର ବ୍ୟକ୍ତିଗତ ଅର୍ଥନୀତି ସେତେ ଭଲ ନୁହେଁ।
ଏଭଳି ଏକ ପଛୁଆ ରାଜ୍ୟରେ କିନ୍ତୁ ଧନ୍ତେରାସ୍ରେ ସୁନା କିଣିବାର ଆଗ୍ରହ ଆଶ୍ଚର୍ଯ୍ୟଜନକ ଭାବେ ଅଧିକ। ୨୦୧୯ ଧନ୍ତେରାସ୍ରେ ସମଗ୍ର ଦେଶରେ ସୁନା ବିକ୍ରି ୪୦ ପ୍ରତିଶତ କମିଥିଲାବେଳେ ଓଡ଼ିଶାରେ ୨୦ ପ୍ରତିଶତ ବଢ଼ିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ସୁନା ଭରି ବା ୧୦ ଗ୍ରାମକୁ ଦର ଏବେ ୩୮ ହଜାର ଟଙ୍କା। ରାଜ୍ୟରେ ଏଇ ଧନ୍ ତେରାସରେ ଗୋଟିଏ ଦିନରେ ୧୭୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ପ୍ରକାଶ ପାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକ ପରି ହାତଗଣନ୍ତା କେତୋଟି ସହରରେ ଲାଗିଥିବା ସୁନାଭିଡ଼କୁ ଦେଖିଲେ ଅନେକ ସନ୍ଦେହ କରିବେ ଯେ ସତରେ କ’ଣ ଓଡ଼ିଶା ଏକ ଦାରିଦ୍ର ରାଜ୍ୟ! ରାଜଧାନୀ ଭୁବନେଶ୍ୱରର ବାଣୀ ବିହାର ଛକରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ ଛକ ପ୍ରାୟ ୨ କିଲୋମିଟର ରାସ୍ତାର ଗୋଟିଏ ପାର୍ଶ୍ୱରେ କଲ୍ୟାଣୀ ଜୁଏଲର୍ସ, ପିସି ଜୁଏଲର୍ସ, ଖିମଜି ଜୁଏଲର୍ସ, ଅରୁନ୍ଧତୀ ଜୁଏଲର୍ସ, ଇପାରି ଜୁଏଲର୍ସ, ଲାବଣ୍ୟ ଜୁଏଲର୍ସ, ହିନ୍ଦୁସ୍ତାନ ଜୁଏଲର୍ସ, ଲାଲଚାନ୍ଦ ଜୁଏଲର୍ସ, ତନିଷ୍କ ଜୁଏଲର୍ସ ଭଳି ବଡ଼ବଡ଼ ଓ ଅନ୍ୟ କେତେକ ଛୋଟଛୋଟ ଗହଣା ଦୋକାନକୁ ମିଶାଇଲେ ପ୍ରାୟ ୨୦ଟି ଗହଣା ଦୋକାନ ଅଛି। ଏଗୁଡ଼ିକ ରାଜ୍ୟବାସୀଙ୍କ ସୁନା ଚାହିଦା ମେଣ୍ଟାନ୍ତି ନାହିଁ। ଏମାନେ କେବଳ ରାଜଧାନୀରେ ବସବାସ କରୁଥିବା ସରକାରୀ କର୍ମଚାରୀ ଓ ବଡ଼ବଡ଼ କମ୍ପାନୀର ଉଚ୍ଚ ବେତନଭୋଗୀ ଏବଂ ବଡ଼ବେପାରୀ ପରିବାରର ସୁନା ଚାହିଦା ମେଣ୍ଟାଇଥାନ୍ତି। ଏହି ଭୁବନେଶ୍ୱରରେ ପୁଣି କେଇ ବର୍ଷ ତଳେ ଖୋଲିଥିଲା ଏସିଆ ମହାଦେଶର ସବୁଠୁ ବଡ଼ ହୀରା ଶୋ ରୁମ୍!
ରାଜଧାନୀ ଭୁବନେଶ୍ୱରର ପ୍ରଶସ୍ତ ରାସ୍ତାର ଚାଲୁଥିବା ଅଡି, ମର୍ସିଡିଜ୍, ବିଏମଡବ୍ଲ୍ୟୁ ଆଦି ଦାମୀ କାର୍ ଓ ହାର୍ଲେ ଡେଭିଡସନ୍ ମୋଟର ସାଇକେଲ୍, ବର୍ଗ ଫୁଟ ୫-୧୦ ହଜାର ଟଙ୍କା ଦରରେ ବିକ୍ରି ହେଉଥିବା ଆପାର୍ଟମେଣ୍ଟ, ବର୍ଗ ଫୁଟ୍ ୧-୨ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଜମି, ୪୦-୫୦ ଟଙ୍କାରେ ବିକ୍ରି ହେଉଥିବା ଷ୍ଟାଣ୍ଡାର୍ଡ ଦୋସା, ଷ୍ଟାଣ୍ଡାର୍ଡ଼ ହୋଟେଲରେ ୮୦-୧୦୦ ଟଙ୍କା ଦରରେ ମିଳୁଥିବା ମିଲ୍ର ଚାହିଦା ଦେଖି କେହି କ’ଣ ବିଶ୍ୱାସ କରିପାରିବେ ଯେ ଓଡ଼ିଶା ଏକ ଦରିଦ୍ର ରାଜ୍ୟ? ତେବେ ଏହା ହିଁ ସତ୍ୟ। ପ୍ରାଚୁର୍ଯ୍ୟ ମଧ୍ୟରେ ଦାରିଦ୍ର୍ୟ ଯେପରି ଓଡ଼ିଶାର ଏକ ବହୁ ପ୍ରଚଳିତ ବିରୋଧାଭାସ ଦରିଦ୍ର ଓଡ଼ିଆଙ୍କ ଭୋଜନ ଓ ଭୂଷଣ ସୌକ ମଧ୍ୟ ସେହିପରି ଅନ୍ୟ ଏକ ବିରୋଧାଭାସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।