ଭାରତ ବିଭାଜନ ପାଇଁ ଦାୟୀ କିଏ?

୧୮୫୭ର ବିଦ୍ରୋହ ସମୟରେ ବ୍ରିଟିଶମାନେ ଭୟଭୀତ ହୋଇଯାଇଥିଲେ, ହିନ୍ଦୁ ଏବଂ ମୁସଲମାନମାନେ ବିଦେଶୀ ଅତ୍ୟାଚାରକାରୀଙ୍କ ବିରୋଧରେ ପରସ୍ପରର ସହିତ ମିଶି ଲଢୁଥିବାର ଦେଖିଥିଲେ। ତେଣୁ ସେମାନେ ଯୋଜନା କରିଥିଲେ ଯେ ଜାତୀୟତାବାଦୀ ଆନ୍ଦୋଳନକୁ ରୋକିବା ପାଇଁ ବିଭାଜନ ହିଁ ଏକମାତ୍ର ଉପାୟ।

  • ଏ ପି ଶୁଭକାନ୍ତ ସାମଲ

ଅଗଷ୍ଟ ୧୫, ୧୯୪୭ରେ ଭାରତକୁ ସ୍ୱାଧୀନତା ମିଳିବା ପରେ ଭାରତ ଏକ ସ୍ୱାଧୀନ ଦେଶ ଭାବରେ ପ୍ରଗତିର ଯାତ୍ରା ଆରମ୍ଭ କରିଥିଲା। କୃଷି, ଆଣବିକ ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ସୁଗମ ସ୍ୱାସ୍ଥ୍ୟସେବା ତଥା ଏକ ସକ୍ଷମ ଆଇଟି ଶକ୍ତି ଭାବରେ ଉଭା ହେବା ପର୍ଯ୍ୟନ୍ତ, ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ଥା ମଧ୍ୟରେ ରହିବାଠାରୁ ଆରମ୍ଭ କରି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ସୃଷ୍ଟି କରିବା ପର୍ଯ୍ୟନ୍ତ ଭାରତ ଏକ ସର୍ବାଙ୍ଗୀନ ପରିବର୍ତ୍ତନ ଦେଖିଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି। ଏହି ୭୫ ବର୍ଷ ମଧ୍ୟରେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଅଗଣିତ ସଫଳତା ହାସଲ କରିଛି। ସାମାଜିକ ଜୀବନ ହେଉ କିମ୍ବା ଅର୍ଥନୀତି ହେଉ, ଶିକ୍ଷା ହେଉ କିମ୍ବା ସ୍ୱାସ୍ଥ୍ୟ, ପୃଥିବୀ, ଜଳ କିମ୍ବା ଆକାଶ କିମ୍ବା ପ୍ରତିରକ୍ଷା କ୍ଷେତ୍ର ହେଉ, ଭାରତର ତ୍ରିରଙ୍ଗା ସବୁଆଡେ ଉତ୍ତୋଳନ କରାଯାଇଛି। ଅଗଣିତ ଭାରତୀୟଙ୍କ ଅବଦାନ ସମେତ ୭୫ ବର୍ଷର ଯାତ୍ରା ଚମତ୍କାର ହୋଇଛି। ଏହି ଅବସରରେ ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକୀ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରୁଛି। ଏଥିସହିତ ଅଗଷ୍ଟ ୧୪ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ମଧ୍ୟ ପାଳନ କରିଛି।

ଅଗଷ୍ଟ ୧୫, ୧୯୪୭ରେ ଆମେ ସ୍ୱାଧୀନ ହୋଇଥିଲୁ କିନ୍ତୁ ଏହି ସ୍ୱାଧୀନତା ବିଭାଜନ ସହିତ ଆସିଥିଲା। ଦେଶର ପୂର୍ବ ଏବଂ ପଶ୍ଚିମ ଭାଗରେ ନିର୍ମିତ ଏହି ନୂତନ ଦେଶ ପାକିସ୍ଥାନ ଯୋଗୁଁ ଭାରତକୁ ଏହାର ଅଞ୍ଚଳ ଏବଂ ଜନସାଧାରଣଙ୍କ ଏକ ବଡ଼ ଅଂଶ ହରାଇବାକୁ ପଡ଼ିଥିଲା। ଏହି ବିଭାଜନ କାରଣରୁ ପରେ ଆମକୁ କାଶ୍ମୀର ଏବଂ ଅକ୍ସାଇ ଚୀନରେ ଆମର ଜମି ହରାଇବାକୁ ପଡ଼ିଲା। ଦେଶ ବିଭାଜନର ଯନ୍ତ୍ରଣାକୁ କେବେ ବି ଭୁଲିହେବ ନାହିଁ। ଘୃଣା ଏବଂ ହିଂସା ହେତୁ ଆମର ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ଜୀବନ ହରାଇଥିଲେ। ସେହି ଲୋକମାନଙ୍କ ସଂଘର୍ଷ ଏବଂ ବଳିଦାନକୁ ସ୍ମରଣ କରିବା ପାଇଁ ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରାଯାଇଛି।

୧୮୫୭ର ବିଦ୍ରୋହ ସମୟରେ ବ୍ରିଟିଶମାନେ ଭୟଭୀତ ହୋଇଯାଇଥିଲେ, ହିନ୍ଦୁ ଏବଂ ମୁସଲମାନମାନେ ବିଦେଶୀ ଅତ୍ୟାଚାରକାରୀଙ୍କ ବିରୋଧରେ ପରସ୍ପରର ସହିତ ମିଶି ଲଢୁଥିବାର ଦେଖିଥିଲେ। ତେଣୁ ସେମାନେ ଯୋଜନା କରିଥିଲେ ଯେ ଜାତୀୟତାବାଦୀ ଆନ୍ଦୋଳନକୁ ରୋକିବା ପାଇଁ ବିଭାଜନ ହିଁ ଏକମାତ୍ର ଉପାୟ। ଡିଭାଇଡ୍ ଆଣ୍ଡ ରୁଲ୍ ଅର୍ଥାତ୍ ବିଭାଜନ ଏବଂ ଶାସନର ନୀତି ଦ୍ଵାରା ଭାରତରେ ବ୍ରିଟିଶମାନେ ଉଭୟ ସାମ୍ପ୍ରଦାୟିକ ସଂଘର୍ଷ ଏବଂ ମୁସଲମାନ ବିଚ୍ଛିନ୍ନତାବାଦ ରଣନୀତି ସୃଷ୍ଟି କରିଲେ। ବ୍ରିଟିଶ ସରକାର ବଢୁଥିବା ଜାତୀୟ ଆନ୍ଦୋଳନ ଏବଂ ଭାରତୀୟ ଜନସାଧାରଣଙ୍କୁ ପ୍ରତିହତ ଏବଂ ଦୁର୍ବଳ କରିବା ପାଇଁ ସାମ୍ପ୍ରଦାୟିକତାକୁ ଅସ୍ତ୍ର ପରି ବ୍ୟବହାର କରିଥିଲେ। ସାମ୍ପ୍ରଦାୟିକତା ଆଧାରରେ ଲୋକଙ୍କୁ ବିଭାଜନ କରିବାର ଏଜେଣ୍ଡାକୁ ନେଇ ୧୯୦୫ରେ ବଙ୍ଗଳା ବିଭାଜନ ଦ୍ଵାରା ଇଂରେଜମାନେ ଭାରତ ବିଭାଜନର ମୂଳଦୁଆ ପକାଇଥିଲେ ଏବଂ ଭାରତରେ ଆଭ୍ୟନ୍ତରୀଣ ସାମାଜିକ ଏବଂ ରାଜନୈତିକ ପରିସ୍ଥିତି ହେତୁ ଏହା ସଫଳ ହୋଇଥିଲା। ବ୍ରିଟିଶମାନେ ଜନଗଣନାରେ ମଧ୍ୟ ବିଭାଜନ ନୀତି ଅନୁସରଣ କରିଥିଲେ। ସେମାନେ ଧର୍ମ ଅନୁଯାୟୀ ଲୋକଙ୍କୁ ଶ୍ରେଣୀଭୁକ୍ତ କରିଥିଲେ ଏବଂ ସେମାନଙ୍କୁ ପରସ୍ପରଠାରୁ ଅଲଗା ଭାବରେ ଦେଖିଥିଲେ ଏବଂ ବ୍ୟବହାର କରିଥିଲେ।

ମୁସଲମାନମାନଙ୍କୁ ସେମାନଙ୍କ ପକ୍ଷରେ କରିବା ପାଇଁ ବ୍ରିଟିଶମାନେ ଆଲିଗଡ଼ରେ କଲେଜ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ ଏବଂ ସର୍ବଭାରତୀୟ ମୁସଲମାନ ସମ୍ମିଳନୀକୁ ସମର୍ଥନ କରିଥିଲେ। ଆଗା ଖାଁଙ୍କ ନେତୃତ୍ୱରେ ଶିମଲା ଡେପୁଟେସନ୍ (ମୁସଲମାନ) ୧ ଅକ୍ଟୋବର ୧୯୦୬ରେ ଶିମଲାରେ ଲର୍ଡ ମିଣ୍ଟୋଙ୍କୁ ଭେଟି ବ୍ରିଟିଶମାନଙ୍କୁ ମୁସଲମାନ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନମଣ୍ଡଳୀ ଗଠନ ଦାବି କରିଥିଲେ। ଇଂରେଜମାନେ ଏହି ଦାବି ମାନିନେବା ପରେ ବ୍ରିଟିଶ ସରକାରଙ୍କ ପ୍ରତି ଭାରତୀୟ ମୁସଲମାନଙ୍କ ବିଶ୍ୱସ୍ତତାର ଭାବନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅଲ-ଇଣ୍ଡିଆ ମୁସଲିମ ଲିଗ୍ ୩୦ ଡିସେମ୍ବର ୧୯୦୬ରେ ଜମିଦାର, ଅମଲାତନ୍ତ୍ର ଏବଂ ଅନ୍ୟ ଉଚ୍ଚ ଶ୍ରେଣୀର ମୁସଲମାନଙ୍କ ଏକ ଗୋଷ୍ଠୀ ଦ୍ୱାରା ସ୍ଥାପିତ ହୋଇଥିଲା। ଉନ୍ନବିଂଶ ଶତାବ୍ଦୀର ପ୍ରସିଦ୍ଧ ମୁସଲମାନ ସଂସ୍କାରକ ସାର୍ ସୟଦ ଅହମ୍ମଦ ଖାନ କଂଗ୍ରେସ ମୁଖ୍ୟତ ଏକ ହିନ୍ଦୁ ସଂସ୍ଥା ଏବଂ ଏଥିରେ ଯୋଗ ନଦେବାକୁ ମୁସଲମାନମାନଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କର ଏହି ବୟାନ କାରଣରୁ ଢାକାରେ ଅଲ୍ ଇଣ୍ଡିଆ ମୁସଲିମ୍ ଲିଗ୍ ଗଠନ କରାଯାଇଥିଲା ଏବଂ ଏହି ଲିଗ୍ ସମ୍ପୂର୍ଣ୍ଣ ମୁସଲମାନଙ୍କ ଦ୍ୱାରା ଗଠିତ ହୋଇଥିଲା। ମୁସଲିମ ଲିଗର ପ୍ରଥମ ସଭାପତି ଆଲାମା ଇକବାଲ ତାଙ୍କ ଭାଷଣ ମାଧ୍ୟମରେ ପ୍ରଥମେ କହିଥିଲେ ଯେ ସେମାନେ ଏକ ସ୍ୱତନ୍ତ୍ର ମୁସଲିମ ରାଷ୍ଟ୍ର ଆବଶ୍ୟକ କରନ୍ତି। ଏହାପରେ ୧୯୧୬ ଲକ୍ଷ୍ନୌ ଚୁକ୍ତି ସମୟରେ ସାମ୍ପ୍ରଦାୟିକ ରାଜନୀତି ଆଧାରରେ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନମଣ୍ଡଳୀ ଗଠନ ମଧ୍ୟ ଭାରତରେ ଧାର୍ମିକ ବିଭେଦ ସୃଷ୍ଟି କରିଥିଲା।

ମୁସଲମାନ ଏବଂ ଭାରତର ହିନ୍ଦୁମାନଙ୍କ ମଧ୍ୟରେ ଏକ ଆଦର୍ଶଗତ ବିଭାଜନ ମଧ୍ୟ ଥିଲା। ଭାରତରେ ଜାତୀୟତାର ଦୃଢ଼ ଭାବନା ଥିବାବେଳେ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଦେଶରେ ସାମ୍ପ୍ରଦାୟିକ ସଂଘର୍ଷ ଏବଂ ଆନ୍ଦୋଳନ ମଧ୍ୟ ଥିଲା ଯାହା ଶ୍ରେଣୀ କିମ୍ବା ଆଞ୍ଚଳିକ ସମ୍ପ୍ରଦାୟ ପରିବର୍ତ୍ତେ ଧାର୍ମିକ ସମ୍ପ୍ରଦାୟ ଉପରେ ଆଧାରିତ ଥିଲା। କିଛି ମୁସଲମାନ ଅନୁଭବ କଲେ ଯେ ଇସଲାମର ପ୍ରକୃତି ଏକ ସାମ୍ପ୍ରଦାୟିକ ମୁସଲମାନ ସମାଜ ପାଇଁ ଆହ୍ୱାନ କରିଛି। ହିନ୍ଦୁ ପ୍ରତିଦ୍ୱନ୍ଦ୍ୱୀମାନେ ମଧ୍ୟ ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ଫାଟକୁ ଗଭୀର କରିଥିଲା। ଭାରତ ଉପରେ ସେମାନଙ୍କର ପୂର୍ବ ଶାସନ ପାଇଁ ସେମାନେ ମୁସଲମାନମାନଙ୍କୁ ଦାୟୀ କରିଥିଲେ। ଉଭୟ ହିନ୍ଦୁ ଏବଂ ମୁସଲମାନ ସଂଗଠନ ସାମ୍ପ୍ରଦାୟିକତା ଆନ୍ଦୋଳନକୁ ଆଗେଇଥିଲେ ଏବଂ ଧାର୍ମିକ ପରିଚୟକୁ ବ୍ୟାପକ କରିବାରେ ସାହାଯ୍ୟ କରିଥିଲେ। ଆର୍ଯ୍ୟ ସମାଜ ଦ୍ୱାରା ଶୁଦ୍ଧି ଆନ୍ଦୋଳନ ଏବଂ ମୁସଲମାନମାନଙ୍କ ମଧ୍ୟରେ ତବଲିଗ୍ ଏବଂ ତନଜିମ୍ ଆନ୍ଦୋଳନ, ଲିଗ୍ ପରି ହିନ୍ଦୁ ମହାସଭାର କାର୍ଯ୍ୟକଳାପ ମଧ୍ୟ ଦେଶରେ ସାମ୍ପ୍ରଦାୟିକତା ବୃଦ୍ଧି କରିଥିଲା। ଏହି ପରି ସମୟରେ ଗାନ୍ଧିଜୀଙ୍କ ଦ୍ଵାରା ଖିଲାଫତ ଆନ୍ଦୋଳନକୁ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ସାମିଲ କରିବା ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଜାତୀୟତାବାଦ ବୃଦ୍ଧି ପରିବର୍ତ୍ତେ କେରଳ, ବଙ୍ଗ ପରି ରାଜ୍ୟରେ ସାମ୍ପ୍ରଦାୟିକତା ବୃଦ୍ଧି କରିଥିଲା।

ଏହା ବ୍ୟତୀତ କଂଗ୍ରେସ ତାର ନୀତିରେ ଅନେକ ଭୁଲ କରିଥିଲା ଯାହା ମୁସଲିମ ଲିଗକୁ ଆହୁରି ନିଶ୍ଚିତ କରିଥିଲା ଯେ ଔପନିବେଶିକ ଶାସନରୁ ସ୍ୱାଧୀନତା ପରେ ଏକ ଅବିଭକ୍ତ ଭାରତରେ ରହିବା ଅସମ୍ଭବ। କାରଣ ସେମାନଙ୍କର ସ୍ୱାର୍ଥ ସମ୍ପୂର୍ଣ୍ଣ ଭାବରେ ଦମନ ହେବ। କଂଗ୍ରେସ ଯୋଗୁଁ ମୁସଲିମ ଲିଗ୍ ମଧ୍ୟ କ୍ଷମତା ହାସଲ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କଂଗ୍ରେସ ବ୍ରିଟିଶମାନଙ୍କ ପାଇଁ କୌଣସି ସମର୍ଥନ ଉପରେ ପ୍ରତିବନ୍ଧକ ଲଗାଇଥିଲା, ଯେତେବେଳେ କି ମୁସଲିମ୍ ଲିଗ୍ ଇଂରେଜମାନଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରତିଶୃତି ଦେଇଥିଲା। ନାଗରିକ ଅବମାନନା ବା ଆଇନ୍ ଅମାନ୍ୟ ଆନ୍ଦୋଳନ ଏବଂ ଏହାର ଫଳସ୍ୱରୂପ କଂଗ୍ରେସ ଦଳକୁ ରାଜନୀତିରୁ ପ୍ରତ୍ୟାହାର ମୁସଲିମ ଲିଗକୁ କ୍ଷମତା ହାସଲ କରିବାରେ ସାହାଯ୍ୟ କଲା। ସେମାନେ ବହୁ ମୁସଲମାନ ଜନସଂଖ୍ୟା ଥିବା ପ୍ରଦେଶରେ ଶକ୍ତିଶାଳୀ ସରକାର ଗଠନ କରିଥିଲେ। ଏଥିସହିତ ମୁସଲିମ ଲିଗ୍ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନେତୃତ୍ୱରେ ସକ୍ରିୟ ଭାବରେ ଭାରତରେ ମୁସଲମାନମାନଙ୍କଠାରୁ ଅଧିକ ସମର୍ଥନ ପାଇବା ପାଇଁ ଅଭିଯାନ କରିଥିଲା। ତଥାପି, ୧୯୪୨ରେ କ୍ୟାବିନେଟ୍ ମିଶନ ଯୋଜନା ଅଧୀନରେ ସ୍ଥାପିତ ମଧ୍ୟବର୍ତ୍ତୀକାଳୀନ ସରକାରକୁ କଂଗ୍ରେସର ପ୍ରତ୍ୟାଖ୍ୟାନ ମୁସଲିମ୍ ଲିଗର ନେତାମାନଙ୍କୁ ନିଶ୍ଚିତ କରିଥିଲା ଯେ ଆପୋଷ ବୁଝାମଣା ଅସମ୍ଭବ ଏବଂ ବିଭାଜନ ହେଉଛି ଏକମାତ୍ର ରାସ୍ତା।

୧୯୪୦ରେ ପାକିସ୍ଥାନ ରିଜଲ୍ୟୁସନ ଦ୍ଵାରା ମୁସଲିମ ଲିଗ୍ ଭାରତର ଉତ୍ତର ପଶ୍ଚିମ ଏବଂ ପୂର୍ବରେ ଥିବା ମୁସଲମାନ ସଂଖ୍ୟାଗରିଷ୍ଠତା ପାଇଁ ସ୍ୱତନ୍ତ୍ର ଆତ୍ମନିର୍ଦ୍ଧାରଣ ଘୋଷଣା କରିଥିଲା। ଏହି ରିଜୋଲ୍ୟୁସନରେ ବିଭାଜନ କିମ୍ବା ପାକିସ୍ଥାନ ବିଷୟରେ କେବେ ଉଲ୍ଲେଖ କରାଯାଇନଥିଲା। ଏହାକୁ ପ୍ରସ୍ତୁତ କରିଥିବା ସିକନ୍ଦର ହାୟାତ ଖାନ ୧୯୪୧ରେ ଘୋଷଣା କରିଥିଲେ ଯେ ସେ ସ୍ୱତନ୍ତ୍ର ପାକିସ୍ଥାନ ଗଠନକୁ ବିରୋଧ କରୁଛନ୍ତି। ମହମ୍ମଦ ଅଲ୍ଲୀ ଜିନ୍ନା କିନ୍ତୁ ଏହି ରିଜୋଲ୍ୟୁସନର ଉତ୍ସାହୀ ପ୍ରତିକ୍ରିୟାରୁ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକତାକୁ ଆଧାର କରି ସ୍ୱତନ୍ତ୍ର ପାକିସ୍ଥାନ ଗଠନ ପାଇଁ ମୁସଲମାନ ଜନସାଧାରଣଙ୍କୁ ଏକତ୍ରିତ କରିବାରେ ସକ୍ଷମ ହୋଇଥିଲେ। ଯେତେବେଳେ କଂଗ୍ରେସ ଏବଂ ଅନ୍ୟ ସଂଗଠନ ଭାରତ ଛାଡ଼ ଆନ୍ଦୋଳନରେ ବ୍ୟସ୍ତ ଥିଲେ ସେତେବେଳେ ମୁସଲିମ ଲିଗ୍ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ପାକିସ୍ଥାନ ପ୍ରତି ଜାତୀୟତାବାଦ ଉଦ୍ରେକ କରିବାରେ ସଫଳ ହୋଇଥିଲା। ଯାହାର ଫଳସ୍ୱରୂପ ୧୯୪୬ ସାଧାରଣ ନିର୍ବାଚନରେ ଅନେକ ସ୍ଥାନରେ ମୁସଲିମ ଲିଗ୍ କ୍ଷମତାକୁ ଆସିଥିଲା। ଏହାପରେ ୱାଭେଲ କମିଶନ କାରଣରୁ ମିଳିଥିବା ଭିଟୋ ଭାରତ ବିଭାଜନ ପଥ ପରିଷ୍କାର କରିଥିଲା। ଭାରତର ଏକତା ଉପରେ ଅନ୍ତିମ ପ୍ରହାର ଥିଲା ହିନ୍ଦୁମାନଙ୍କ ଉପରେ ମୁସଲିମ୍ ଲିଗ୍ ଦ୍ୱାରା “ଡାଇରେକ୍ଟ ଆକ୍ସନ ଡେ” ପରି ନରସଂହାର, ଯାହା ସ୍ୱତନ୍ତ୍ର ପାକିସ୍ଥାନ ଗଠନ ଦାବିକୁ ମାନିବାକୁ ବାଧ୍ୟ କରିଥିଲା। ବିଭାଜନ ବଦଳରେ ମହମ୍ମଦ ଅଲ୍ଲୀ ଜିନ୍ନା ଅବିଭକ୍ତ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ ଯାହାକୁ ମହାତ୍ମା ଗାନ୍ଧୀ, ନେହେରୁ ଇତ୍ୟାଦିଙ୍କ ସମେତ ବହୁ ସଂଖ୍ୟକ ନେତା ଗ୍ରହଣ କରିପାରିନଥିଲେ ଏବଂ ବିଭାଜନକୁ ସମର୍ଥନ କରିଥିଲେ।

ଏହି ସବୁ ଭିତରେ ସବୁବେଳେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଉଥିଲା। ଅଗଷ୍ଟ ୧୯୪୬ ରେ କଲିକତା ହତ୍ୟାରେ ପ୍ରାୟ ୪,୦୦୦ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ୧୦୦,୦୦୦ରୁ ଅଧିକ ବାସହୀନ ହୋଇଥିଲେ। ଏତେ ସବୁ ପରେ ମଧ୍ୟ ଗାନ୍ଧିଜୀଙ୍କ ନୀରବତା ଆଶ୍ଚର୍ଯ୍ୟଜନକ ଥିଲା। ଉଭୟ ସଂପ୍ରଦାୟ ଗାନ୍ଧିଜୀଙ୍କୁ ମାନୁଥିବାବେଳେ ସେ ଚାହିଁଥିଲେ ବିଭାଜନ ନିଷ୍ପତ୍ତିକୁ ଏଡ଼ାଇ ପାରିଥାନ୍ତେ। ଯଦିଓ ସେ ବିଭାଜନକୁ ପ୍ରତ୍ୟକ୍ଷ ଭାବରେ ସମର୍ଥନ କିମ୍ଵା ବିରୋଧ କରିନଥିଲେ କିନ୍ତୁ ତାଙ୍କ ନୀରବତା ପରୋକ୍ଷରେ ଏହାକୁ ସମର୍ଥନ ଯୋଗାଇଥିଲା।

ବିଭାଜନ ପରେ ଉଭୟ ଦେଶରେ ଦଙ୍ଗା, ସାମୂହିକ କ୍ଷୟକ୍ଷତି ଏବଂ ବିସ୍ଥାପନର ସୃଷ୍ଟି ହେଲା। ଅନେକ ମୁସଲମାନ ପାକିସ୍ଥାନକୁ ଏବଂ ହିନ୍ଦୁ ଏବଂ ଶିଖମାନେ ଭାରତକୁ ଆସିଥିଲେ। ଅତି କମରେ ୧୫ ନିୟୁତ ଲୋକ ବିସ୍ଥାପିତ ହୋଇ ପଳାୟନ କରିଥିଲେ ଏବଂ ଏହି ଗଣ୍ଡଗୋଳରେ ୫୦୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଶରଣାର୍ଥୀରେ ପରିପୂର୍ଣ୍ଣ ଟ୍ରେନ୍ ପାକିସ୍ଥାନର ଉଗ୍ରବାଦୀମାନଙ୍କ ଦ୍ଵାରା ଯାତ୍ରୀମାନେ ହତ୍ୟାକାଣ୍ଡର ଶିକାର ହୋଇଥିଲେ। ଅନେକ ହିନ୍ଦୁ ମହିଳାଙ୍କୁ ଆକ୍ରୋଶମୂଳକ ଭାବେ ବଳାତ୍କାରର ଶିକାର ହେବାକୁ ପଡ଼ିଥିଲା।

ଭାରତର ବିଭାଜନ ଟୁ ନେସନ୍ ଥିଓରୀ ବା ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ଯୁକ୍ତିଯୁକ୍ତ ଫଳାଫଳ ନୁହେଁ ବରଂ ଏକ ଭୁଲ ନିଷ୍ପତ୍ତି ଏବଂ ବିଚାରର ବିଫଳତା। ଏହା ହଠାତ୍ ନିଆଯାଇଥିବା ନିଷ୍ପତ୍ତି ନୁହେଁ ବରଂ ଏକ ଦୀର୍ଘ ସୁଚିନ୍ତିତ ଯୋଜନା। ଏଥିପାଇଁ ବ୍ରିଟିଶ, ମୁସଲିମ୍ ଲିଗ୍ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଭୂମିକା ମୁଖ୍ୟତଃ ଦାୟୀ ଥିଲା। ଆଜି ବିଭାଜନର ସାତ ଦଶନ୍ଧି ପରେ ମଧ୍ୟ ଦୁଇ ଦେଶର ସମ୍ପର୍କ ସୁସ୍ଥ ନୁହେଁ। ଏବେ ମଧ୍ୟ ଅନେକାଂଶରେ ଭାରତୀୟ ମୁସଲମାନମାନେ ବାରମ୍ବାର ପାକିସ୍ଥାନ ପ୍ରତି ବିଶ୍ୱସ୍ତତା ରକ୍ଷା କରୁଥିବା ସନ୍ଦେହ କରାଯାଉଛି; ୧୯୮୦ ଦଶକରୁ ପାକିସ୍ଥାନରେ ତଥାକଥିତ ଇସଲାମିକରଣ ଯୋଗୁଁ ପାକିସ୍ଥାନରେ ଅଣ-ମୁସଲମାନ ସଂଖ୍ୟାଲଘୁମାନେ ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି। ସାତ ଦଶନ୍ଧି ଧରି ଉଭୟ ଦେଶରେ ଲକ୍ଷ ଲକ୍ଷ ଲୋକ ଆଜି ବି ବିଭାଜନର ଛାୟାରେ ବାସ କରୁଛନ୍ତି।

ହରିପୁର, ଖଡିଅଙ୍ଗ, ଯାଜପୁର

ଫୋ- ୮୨୮୦୧୩୦୬୦୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।