ପଛୁଆ ବର୍ଗ ପାଇଁ ପଛରେ ଚିନ୍ତା !

ଦେବେନ୍ଦ୍ର ପୃଷ୍ଟି ୨୦୨୦ ଜାନୁଆରୀ ୧୧ ତାରିଖ ଥିଲା ମାସର ଦ୍ୱିତୀୟ ଶନିବାର। ଓଡ଼ିଶା ସରକାରରେ ଏକ ଛୁଟି ଦିବସ। କିନ୍ତୁ ପୂର୍ବରୁ କିଛି ସୂଚନା ନଥାଇ ଠିକ ସେହି ସନ୍ଧ୍ୟାରେ ବସିଲା ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକ। ବୈଠକ ପରେ ଆଇନ ମନ୍ତ୍ରୀ ପ୍ରତାପ ଯେନା ଘୋଷଣା କଲେ ଯେ ୨୦୨୧ରେ ରାଜ୍ୟରେ ଜାତିଭିତ୍ତିକ ଜନ ଗଣନା ପାଇଁ ନିଷ୍ପତ୍ତି ନିଆଯାଇଛି। ପରେ ପରେ ସ୍ପଷ୍ଟୀକରଣ ଦିଆଗଲା ଯେ ଏମିତି ନିଷ୍ପତ୍ତି ହୋଇନି। ଏପରି […]

naveenpatnaik20

Debendra Prusty
  • Published: Monday, 13 January 2020
  • , Updated: 13 January 2020, 06:47 PM IST

ଦେବେନ୍ଦ୍ର ପୃଷ୍ଟି

୨୦୨୦ ଜାନୁଆରୀ ୧୧ ତାରିଖ ଥିଲା ମାସର ଦ୍ୱିତୀୟ ଶନିବାର। ଓଡ଼ିଶା ସରକାରରେ ଏକ ଛୁଟି ଦିବସ। କିନ୍ତୁ ପୂର୍ବରୁ କିଛି ସୂଚନା ନଥାଇ ଠିକ ସେହି ସନ୍ଧ୍ୟାରେ ବସିଲା ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକ। ବୈଠକ ପରେ ଆଇନ ମନ୍ତ୍ରୀ ପ୍ରତାପ ଯେନା ଘୋଷଣା କଲେ ଯେ ୨୦୨୧ରେ ରାଜ୍ୟରେ ଜାତିଭିତ୍ତିକ ଜନ ଗଣନା ପାଇଁ ନିଷ୍ପତ୍ତି ନିଆଯାଇଛି। ପରେ ପରେ ସ୍ପଷ୍ଟୀକରଣ ଦିଆଗଲା ଯେ ଏମିତି ନିଷ୍ପତ୍ତି ହୋଇନି। ଏପରି ଜନ ଗଣନା କରିବା ପାଇଁ କ୍ୟାବିନେଟ ସଂକଳ୍ପ ଗ୍ରହଣ କରିଛି ଓ ତାହାକୁ ଏକ ପ୍ରସ୍ତାବ ଆକାରରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଉଛି। ରାଜ୍ୟ ସରକାରଙ୍କର ଏପରି ଘୋଷଣା ପରେ ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଚିରାଚରିତ ବିରୋଧ ହେଲା। ରାଜ୍ୟ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତିକୁ ବିରୋଧ କରି ନଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ଏଯାଏଁ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ନାହାନ୍ତି ତାହାର ଜବାବ ମାଗିଲେ। ତାଙ୍କ ପ୍ରଶ୍ନର ଉତ୍ତର ଏଯାଏଁ ରାଜ୍ୟ ସରକାର ବା ଶାସକ ବିଜୁ ଜନତା ଦଳ ତରଫରୁ ଦିଆଯାଇ ନାହିଁ। ତେବେ ଏହା ଜଣା ଅଛି ଯେ ୨୦୦୮ ମସିହାରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଏ ସଂକ୍ରାନ୍ତ ଏକ ଆଇନକୁ ରାଜ୍ୟ ପ୍ରାଶାସନିକ ନ୍ୟାୟାଧିକରଣ ୨୦୧୨ରେ ରଦ୍ଦ କରିଥିଲେ। ପରେ ୨୦୧୭ରେ ରାଜ୍ୟ ହାଇକୋର୍ଟ ଏହି ରାୟକୁ କାଏମ ରଖିଥିଲେ। ଏପରି ରାୟର ଆଧାର ହେଉଛି ଇନ୍ଦ୍ର ସାହାଣୀ ମାମଲାରେ ସୁପ୍ରିମ କୋର୍ଟ ପ୍ରଦାନ କରିଥିବା ରାୟ। ସେହି ରାୟରେ ସୁପ୍ରିମ କୋର୍ଟ କହିଥିଲେ ଯେ ମୋଟ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ସୁପ୍ରିମ କୋର୍ଟଙ୍କର ସେହି ରାୟକୁ ଆଳ କରି ରାଜ୍ୟ ସରକାର ଏଯାଏଁ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ବା ରାଜ୍ୟ ସରକାରଙ୍କ ହିସାବରେ ସାମାଜିକ ଓ ଶୈକ୍ଷିକ ବର୍ଗ ପାଇଁ ଚାକିରି ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରିନାହାନ୍ତି।

ତେବେ, ଏଠାରେ ଉଲ୍ଲେଖ କରିବାର କଥା ଯେ ଭାରତର ଅନ୍ୟ ବହୁ ରାଜ୍ୟରେ ସଂରକ୍ଷଣ ହାର ୫୦ ପ୍ରତିଶତ ଟପି ସାରିଛି। ହରିଆନାରେ ଏବେ ତଫସିଲଭୁକ୍ତ ଜାତି ବା ଦଳିତଙ୍କ ପାଇଁ ୨୦ ପ୍ରତିଶତ, ବିଭିନ୍ନ ପ୍ରକାର ପଛୁଆ ବର୍ଗ ପାଇଁ ମୋଟ ଉପରେ ୩୬ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଉଛି। ଏହା ୫୦ ପ୍ରତିଶତରୁ ଅଧିକ। ଠିକ ସେହିପରି ତାମିଲନାଡ଼ୁରେ ତଫସିଲଭୁକ୍ତ ଜାତି ବା ଦଳିତଙ୍କ ପାଇଁ ୧୮ ପ୍ରତିଶତ, ତଫସିଲଭୁକ୍ତ ଉପଜାତି ବା ଆଦିବାସୀଙ୍କ ପାଇଁ ୧ ପ୍ରତିଶତ ଓ ଓବିସି ଓ ଏମବିସିଙ୍କ ପାଇଁ ଯଥାକ୍ରମେ ୩୦ ଓ ୨୦ ପ୍ରତିଶତ, ଏହିପରି ମୋଟ ଉପରେ ୬୯ ପ୍ରତିଶତ ସଂରକ୍ଷଣ ସୁବିଧା ଦିଆଯାଉଛି। ଝାରଖଣ୍ଡରେ ଦଳିତଙ୍କ ପାଇଁ ୧୧ ପ୍ରତିଶତ, ଆଦିବାସୀଙ୍କ ପାଇଁ ୨୭ ପ୍ରତିଶତ ଓ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ୨୨ ପ୍ରତିଶତ ଏହିପରି ମୋଟ ୬୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳିତ ରହିଛି। ମହାରାଷ୍ଟ୍ରରେ ଦଳିତଙ୍କ ପାଇଁ ୧୩ ପ୍ରତିଶତ, ଆଦିବାସୀଙ୍କ ପାଇଁ ୭ ପ୍ରତିଶତ, ଏସଇବିସିଙ୍କ ପାଇଁ ୧୬ ପ୍ରତିଶତ, ବିଭିନ୍ନ ପ୍ରକାରର ଓବିସିଙ୍କ ପାଇଁ ୧୯ ପ୍ରତିଶତ, ଏବିସି ଓ ଏନଟି ବର୍ଗ ପାଇଁ ଯଥାକ୍ରମେ ୨ ଓ ୧୧ ପ୍ରତିଶତ ଏହିପରି ମୋଟ ୬୮ ପ୍ରତିଶତ ସଂରକ୍ଷଣ ସୁବିଧା ଦିଆଯାଉଛି। ମଧ୍ୟ ପ୍ରଦେଶରେ ଦଳିତଙ୍କ ପାଇଁ ୧୬ ପ୍ରତିଶତ, ଆଦିବାସୀଙ୍କ ପାଁ ୨୦ ପ୍ରତିଶତ ଓ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏହିପରି ମୋଟ ୬୩ ପ୍ରତିଶତ ସଂରକ୍ଷଣ ସୁବିଧା ଦିଆଯାଉଛି। ରାଜସ୍ଥାନରେ ଦଳିତଙ୍କ ପାଇଁ ୧୬ ପ୍ରତିଶତ, ଆଦିବାସୀଙ୍କ ପାଇଁ ୧୨ ପ୍ରତିଶତ ଓ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ୨୬ ପ୍ରତିଶତ ଏହିପରି ମୋଟ ୫୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ବିହାରରେ ଦଳିଙ୍କ ପାଇଁ ୧୫ ପ୍ରତିଶତ, ଆଦିବାସୀଙ୍କ ପାଇଁ ୧ ପ୍ରତିଶତ ଓ ଓବିସିଙ୍କ ପାଇଁ ୩୪ ପ୍ରତିଶତ ଏହିପରି ୫୦ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଚଳିତ ଥିବାବେଳେ ୨୦୨୦ ଜାନୁଆରୀ ୧୩ ତାରିଖରେ ନୂତନ ଭାବେ ପଛୁଆ ବର୍ଗରେ ସାମିଲ ହୋଇଥିବା ଜାତିଗୁଡ଼ିକ ପାଇଁ ଆଉ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରିବାକୁ ସଂକଳ୍ପ ଗ୍ରହଣ କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ବିହାରର ସଂରକ୍ଷଣ ହାର ମଧ୍ୟ ୬୦ ପ୍ରତିଶତ ଛୁଇଁବ। ସେହିପରି ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ମଧ୍ୟରୁ ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମରେ କେବଳ ଆଦିବାସୀମାନଙ୍କ ପାଁ ୮୦ ପ୍ରତିଶତ ସଂରକ୍ଷଣ ସୁବିଧା କାର୍ଯ୍ୟକାରୀ ହେଉଛି।

ଏଠି ପ୍ରଶ୍ନ ଉଠିପାରେ, ସଂରକ୍ଷଣ ହାର ୫୦ ପ୍ରତିଶତ ମଧ୍ୟରେ ସୀମୀତ ରଖିବା ରାୟ କ’ଣ କେବଳ ଓଡ଼ିଶା ପ୍ରତି ପ୍ରଯୁଜ୍ୟ? ଅନ୍ୟ ରାଜ୍ୟଗୁଡ଼ିକ କେଉଁ ଆଇନ ଓ ରାୟ ଅନୁସାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରୁଛନ୍ତି? ଓଡ଼ିଶା ସରକାର କେବେ ସେ ବିଷୟରେ ଖୋଳତାଡ଼ କରିଛନ୍ତି ନା ନାହିଁ? କାହିଁକି କରି ନାହାନ୍ତି? ରାଜ୍ୟ ସରକାର ଯଦି ଓଡ଼ିଶାର ଅନ୍ୟାନ୍ୟ ପଛୁଆ ବର୍ଗ ବା ସାମାଜିକ ଓ ଶୈକ୍ଷିକ ପଛୁଆ ବର୍ଗ ପାଇଁ ଏତେ ଦରଦୀ ତେବେ ଅନ୍ୟ ରାଜ୍ୟଗୁଡ଼ିକ କିପରି ସେମାନଙ୍କ ପାଁ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଲେ ବା ୫୦ ପ୍ରତିଶତରୁ ଅଧିକ ହାରରେ ସଂରକ୍ଷଣ ସୁବିଧା କାର୍ଯ୍ୟକାରୀ କଲେ ତାହାର ତର୍ଜମା କରି ସେହି ଅନୁସାରେ ରାଜ୍ୟ ବିଧାନସଭାରେ ଆଇନ ପ୍ରଣୟନ କଲେ ନାହିଁ କାହିଁକି? ଯେଉଁ ଇନ୍ଦ୍ର ସାହାଣୀ ମାମଲାରେ ସୁପ୍ରିମ କୋର୍ଟ ୫୦ ପ୍ରତିଶତ ସଂରକ୍ଷଣ ସୀମା ଧାର୍ଯ୍ୟ କରିଥିଲେ ସେହି ସୁପ୍ରିମ କୋର୍ଟ ସେହି ରାୟର ୯୪-କ ପାରାରେ ଏକଥା ମଧ୍ୟ କହିଥିଲେ ଯେ ଅସାଧାରଣ ପରିସ୍ଥିତିରେ ଏହାଠାରୁ ମଧ୍ୟ ଅଧିକ ହାରରେ ସଂରକ୍ଷଣ ଦିଆଯାଇପାରିବ। ମାତ୍ର, ସେଥିପାଇଁ ରାଜ୍ୟ ସରକାର ସଂରକ୍ଷଣ ସୁବିଧା ପାଇବାକୁ ଥିବା ଜାତି ବା ବର୍ଗର ସଠିକ ଆକଳନ କରିବା ଦରକାର। ସେହି ରାୟରେ ମଧ୍ୟ ଏକଥା କୁହାଯାଇଥିଲା ଯେ କେବଳ ଯେ ଆଇନ ବାଟରେ ସଂରକ୍ଷଣ ଦିଆଯିବ ତାହା ନୁହେଁ, ପ୍ରାଶାସନିକ ଆଦେଶ ବଳରେ ମଧ୍ୟ ସଂରକ୍ଷଣ ସୁବିଧା ଦିଆଯାଇପାରିବ। ରାଜ୍ୟ ସରକାର ସେହି ଇନ୍ଦ୍ର ସାହାଣୀ ମାମଲାର ରାୟ ଅନୁଶୀଳନ କରିଛନ୍ତି କି?

ଭାରତବର୍ଷର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଅସାଧାରଣ ଜନତାତ୍ତ୍ୱିକ ପରିସ୍ଥିତି ଅବ୍ୟାହତ ରହିଛି। ଏଠାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିଙ୍କ ହାର ବହୁତ ଅଧିକ। ଓଡ଼ିଶାରେ ଏବେ ତଫସିଲଭୁକ୍ତ ଜାତି ବା ଦଳିତଙ୍କ ପାଇଁ ୧୬.୨୫ ପ୍ରତିଶତ ଓ ତଫସିଲଭୁକ୍ତ ଉପଜାତି ବା ଆଦିବାସୀଙ୍କ ପାଁ ୨୨.୫ ପ୍ରତିଶତ ସଂରକ୍ଷଣ ସୁବିଧା କାର୍ଯ୍ୟକାରୀ ହେଉଛି। ଏହି ଦୁଇ ବର୍ଗ ପାଇଁ ସମ୍ବିଧାନ ଅନୁସାରେ ଜନସଂଖ୍ୟାର ଅନୁପାତ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି। କେବଳ ଝାରଖଣ୍ଡ, ମଧ୍ୟ ପ୍ରଦେଶ ଓ ଉତ୍ତରପୂର୍ବାଞ୍ଚଳର ଉପରୋକ୍ତ ଚାରି ରାଜ୍ୟରେ ଓଡ଼ିଶାଠାରୁ ଅଧିକ ହାରରେ ଆଦିବାସୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୁବିଧା ବଳବତ୍ତର ରହିଛି। ୨୦୨୦ ଜାନୁଆରୀ ୧୧ ତାରିଖର କ୍ୟାବିନେଟ ବୈଠକ ପରେ ରାଜ୍ୟ ସରକାର ସ୍ୱୀକାର କରିଛନ୍ତି ଯେ ରାଜ୍ୟ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ହେଉଛନ୍ତି ଅନ୍ୟାନ୍ୟ ପଛୁଆ ବର୍ଗର ଲୋକ ଓ ସେମାନେ ଏବେ ବି ଆର୍ଥିକ କ୍ଷେତ୍ରରେ ଅନେକ ପଛୁଆ। ତେବେ ଏହି ଅଧା ଜନସଂଖ୍ୟା ପାଇଁ ରାଜ୍ୟ ସରକାର ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ସୁବିଧା ଲାଗୁ କରିବା କେତେ ଦୂର ନ୍ୟାୟସଙ୍ଗତ?

ପୂର୍ବରୁ ଓଡ଼ିଶାର ବହୁ ସାମାଜିକ ନ୍ୟାୟବାଦୀ ନେତା ଏଭଳି ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ନେତା ଭାଗବତ ବେହେରା, ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ଦିବଙ୍ଗତ ନେତା ବୈଷ୍ଣବ ପରିଡ଼ା, ଏବେକାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଯେନା। ସେହିପରି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମଧ୍ୟ ମଝିରେ ମଝିରେ ତୁରନ୍ତ ଓଡ଼ିଶାର ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ମଣ୍ଡଳ କମିଶନ ସୁପାରିଶ ଆଧାରରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏ ବାବଦରେ ଏଯାଏଁ କୌଣସି ନିର୍ଭୁଲ ଓ ନିର୍ବିବାଦୀୟ ପଦକ୍ଷେପ ଗ୍ରହଣ କରିନାହାନ୍ତି କି କୋର୍ଟରେ ଭଲ ଓକିଲ ନିଯୁକ୍ତ କରି ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିନାହାନ୍ତି। ଏବେ ହଠାତ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ପାଇଁ ସଂକଳ୍ପ ଗ୍ରହଣ କରିବା ପଛରେ ରାଜ୍ୟ ସରକାରଙ୍କର ଉଦ୍ଦେଶ୍ୟ କ’ଣ? ସରକାରଙ୍କ ତରଫରୁ କୁହାଯାଇଛି ଯେ ସମଗ୍ର ଦେଶରେ ୧୯୩୧ ମସିହାରୁ ଜାତିଭିତ୍ତିକ ଜନଗଣନା ହୋଇନାହିଁ। ୨୦୧୧ ମସିହାରେ ସେପରି ହେବାର ଥିଲା କିନ୍ତୁ ହେଲା ନାହିଁ। ତେଣୁ ସାମାଜିକ ଓ ଶୈକ୍ଷିକ ପଛୁଆ ଜାତିଗୁଡ଼ିକର ଜନସଂଖ୍ୟା କେତେ ତାହା ସଠିକ ଭାବେ ନିରୂପିତ ହୋଇନାହିଁ। ଏହି କାରଣରୁ ସେମାନଙ୍କ ପାଇଁ ସଫଳ ଯୋଜନା ପ୍ରଣୟନ କରାଯାଇ ପାରୁ ନାହିଁ। ତେଣୁ ନୂଆ କରି ସେମାନଙ୍କର ଗଣନା କରାଯିବାର ଆବଶ୍ୟକତା ରହିଛି। ଏହି ଯୁକ୍ତିରେ ଦମ୍‌ ଅଛି। ତେବେ ଏହି ଯୁକ୍ତି ଆଧାରରେ ଏହା ମଧ୍ୟ ବୁଝି ହୁଏ ଯେ ରାଜ୍ୟରେ ବାସ୍ତବରେ ସାମାଜିକ ଓ ଶୈକ୍ଷିକ ପଛୁଆ ବର୍ଗର ଲୋକସଂଖ୍ୟା କେତେ ତାହା ନଜାଣି ରାଜ୍ୟ ସରକାର ସେମାନଙ୍କ ପାଇଁ ନାନାଦି ହିତକାରୀ ଯୋଜନା କାର୍ଯ୍ୟକାରୀ କରି ଚାଲିଛନ୍ତି। ତାହା ଅନ୍ଧାରରେ ବାଡ଼ି ବୁଲାଇଲା ପରି ହୋଇଛି।

ଏବେ ଯଦି ରାଜ୍ୟ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ର ସରକାର ୨୦୨୧ରେ ଜାତିଭିତ୍ତିକ ଜନଗଣନା କରାନ୍ତି ତେବେ ସେହି ରିପୋର୍ଟ ଆଧାରରେ ରାଜ୍ୟର ଏସଇବିସି ବା ଓବିସିଙ୍କ ପାଇଁ ୨୦୨୨ କିମ୍ବା ୨୦୨୩ ପୂର୍ବରୁ ସଂରକ୍ଷଣ ହାର ବଢ଼ିବାର ସମ୍ଭାବନା ନାହିଁ। ୨୦୨୪ରେ ସାଧାରଣ ନିର୍ବାଚନ। ତା’ ପୂର୍ବରୁ ରାଜ୍ୟ ସରକାର ଓବିସିଙ୍କ ପାଇଁ ଅଧିକ ସଂରକ୍ଷଣ ହାର ଲାଗୁ କରିଥିଲେ ଭୋଟ-ଫାଇଦା ପାଇବେ। ଏବେ ଆଗରେ ପୌର ଓ ପଂଚାୟତ ନିର୍ବାଚନ। ପୌର ନିର୍ବାଚନକୁ ଅସାମ୍ବିଧାନିକ ଭାବେ ରାଜ୍ୟ ସରକାର ବର୍ଷାଧିକ କାଳ ଗଡ଼େଇ ଦେଲେଣି। ୭୪ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ପ୍ରତି ୫ ବର୍ଷରେ ପୌର ନିର୍ବାଚନ କରାଇବା ବାଧ୍ୟତାମୂଳକ। କିନ୍ତୁ ରାଜ୍ୟ ସରକାର ରାଜନୀତିକ ଉଦ୍ଦେଶ୍ୟରେ ଏହା ଗଡ଼େଇ ଚାଲିଛନ୍ତି। କେବେ ହେବ ତାହା ଏଯାଏଁ ସ୍ଥିର ହୋଇନାହିଁ। ତା’ ପୂର୍ବରୁ ଏଭଳି ପ୍ରସଙ୍ଗ ଉଠାଇବାର ଅର୍ଥ ହେଉଛି ଆଗକୁ ହେବାକୁ ଥିବା ପୌର ନିର୍ବାଚନରେ ଫାଇଦା ନେବା। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ୨୦୨୨ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ସେତେବେଳେ ମଧ୍ୟ ରାଜ୍ୟ ସରକାର ଏ ପ୍ରସଙ୍ଗ ଉଠାଇ ପଛୁଆ ବର୍ଗ ଲୋକଙ୍କୁ ବୁଝାଇ ପାରିବେ।

Related story