ଓଡ଼ିଶାରେ ବ୍ୟାଙ୍କ ଋଣ-ଜମା ଅନୁପାତ ବଢ଼ାଇ ହେବ କି ?

  • ସରଳ କୁମାର ଦାସ

କୌଣସି ରାଜ୍ୟରେ ବ୍ୟାଙ୍କ ପ୍ରଦାନ କରୁଥିବା ଋଣ ବ୍ୟାଙ୍କଗୁଡ଼ିକ ନିକଟରେ ଗଚ୍ଛିତ ଜମା ପରିମାଣର ଅନ୍ତତଃ ପକ୍ଷେ ୬୦ ପ୍ରତିଶତ ହେବା ବିଧେୟ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କଏକ ମାନବିନ୍ଦୁ ନିର୍ଦ୍ଧାରଣ କରିଛନ୍ତି। ସମବାୟ ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ପରି କେତେକ ବ୍ୟାଙ୍କ ଜମା ତୁଳନାରେ ଅଧିକ ଋଣ ପ୍ରଦାନ କରୁଥିବାରୁ ଓ କେତେକ ବ୍ୟାଙ୍କ ନାବାର୍ଡ, ଏନଏଚବି ଆଦି ସଂସ୍ଥାଙ୍କ ନିକଟରୁ ପୁନର୍ବିତ୍ତ ସହାୟତା ନେଇ ଋଣ ପ୍ରଦାନ କରୁଥିବାରୁ କେତେକ ରାଜ୍ୟରେ ଏହା ୬୦ ପ୍ରତିଶତରୁ ବି ଅଧିକ ହୋଇଥାଏ। ତେବେ ଓଡ଼ିଶାରେ ୨୦୧୯-୨୦ ବର୍ଷରେ ଏହା ୬୦ ପ୍ରତିଶତରେ ପହଞ୍ଚିଥିଲେ ବି ୨୦୨୦-୨୧ ବର୍ଷରେ ଏହା ୫୬ ପ୍ରତିଶତକୁ ଖସି ଆସିବା ବାସ୍ତବିକ ଉଦବେଗଜନକ। ରାଜ୍ୟରେ ଆନୁପାତିକ ଭାବେ ଋଣ ଲଗାଣ ପରିମାଣ ବୃଦ୍ଧି ନ ପାଇଲେ ଏହି ଅନୁପାତ ବଢ଼ିବାର ସମ୍ଭାବନା ନାହିଁ। ତେବେ ଓଡ଼ିଶାରେ ଋଣ ଗ୍ରହଣ କ୍ଷମତା (କ୍ରେଡିଟ ଆବଜର୍ପସନ କାପାସିଟି) କମ ଥିବା ଦର୍ଶାଇ ଅନେକେ ଏହି ଅନୁପାତ କମ ରହିବା ସ୍ୱାଭାବିକ ବୋଲି ଧରି ନେଇ ବୃଦ୍ଧି କରିବା ପାଇଁ ଆନ୍ତରିକତା ପ୍ରଦର୍ଶନ କରି ନ ଥାଆନ୍ତି। କେହି କେହି ତ ଓଡ଼ିଶାରେ ଉଦ୍ୟମୀ ଅଭାବରୁ ଋଣ ଲଗାଣ ବୃଦ୍ଧି ପାଉନାହିଁ ବୋଲି ବୁଝାଇ ଦେଇଥାଆନ୍ତି। ଏହା ଆଂଶିକ ସତ୍ୟ ହେଲେ ବି ସବୁ ପ୍ରକାର ଋଣ ପାଇଁ ଋଣଗ୍ରହୀତାଙ୍କୁ ଜଣେ ଉଦ୍ୟମୀ ହେବା ନିହାତି ଆବଶ୍ୟକ ହୋଇ ନ ଥିବାରୁ, ସେହି ଯୁକ୍ତିକୁ ପୂରାପୂରି ଗ୍ରହଣ କରି ହେବ ନାହିଁ। ଉଦ୍ୟମୀ ହେବାର ଆବଶ୍ୟକତା ନ ଥିବା ଗୃହ ଋଣ, ଶିକ୍ଷା ଋଣ ଆଦି କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ସେତେଟା ଭଲ ନୁହେଁ। ତେଣୁ ଓଡ଼ିଶାରେ ଋଣ-ଜମା ଅନୁପାତ ହ୍ରାସର ସଂଖ୍ୟାଧିକ କାରଣ ଓ ସେଗୁଡ଼ିକର ଜଟିଳତା ପ୍ରତି ଧ୍ୟାନ ଦେବା ଅତ୍ୟାବଶ୍ୟକ ହୋଇଥିଲା ବେଳେ ସାଧାରଣ ଲୋକେ ଏହାର ମୋଟାମୋଟି କାରଣଗୁଡିକୁ ବୁଝିବା ଦରକାର।

୨୦୨୦-୨୧ ବର୍ଷରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକ ନିକଟରେ ପ୍ରାୟ ୩.୮୧ ଲକ୍ଷ କୋଟି ଟଙ୍କାର ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଜମା ଗଚ୍ଛିତ ଥିଲା ବେଳେ ବ୍ୟାଙ୍କସମୂହଙ୍କ ଦ୍ୱାରା ପ୍ରଦତ୍ତ ଋଣର ପରିମାଣ ୨.୧୫ ଲକ୍ଷ କୋଟି। ତେଣୁ ଋଣ-ଜମା ଅନୁପାତ ୫୬.୪୫ ପ୍ରତିଶତ। ରାଜ୍ୟରେ ହାରାହାରି ଋଣ ଲଗାଣ ଉଦବେଗଜନକ ଥିଲା ବେଳେ କେତେକ ଜିଲ୍ଲା, ବ୍ୟାଙ୍କ ଓ କ୍ଷେତ୍ରରେ ଏହି ଋଣ ଲଗାଣ ଉତ୍ସାହବର୍ଦ୍ଧକ ହୋଇଥିବାରୁ ସେହି ପ୍ରଶଂସନୀୟ ଉଦ୍ୟମଗୁଡିକୁ ମଧ୍ୟ ରେଖାଙ୍କିତ କରିବାର ଆବଶ୍ୟକତା ରହିଛି। ଠିକ୍ ସେହି ସମୟରେ ଓଡ଼ିଶାର କେତେକ ଜିଲ୍ଲାରେ ଅତ୍ୟଧିକ ଋଣଲଗାଣ ହୋଇଥିଲା ବେଳେ ଅନ୍ୟ କେତେକ ଜିଲ୍ଲାରେ ଋଣ ଲଗାଣ ସନ୍ତୋଷଜନକ ହେଉ ନ ଥିବାରୁ ବିକାଶ ଏକ ପାଖିଆ ହୋଇ ଆଞ୍ଚଳିକ ବୈଷମ୍ୟ ବୃଦ୍ଧିର କାରଣ ପାଲଟି ପାରେ। ତଥ୍ୟ ଅନୁଯାୟୀ ଗଜପତି, ଦେବଗଡ଼, ଜଗତସିଂହପୁର, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ଅନୁଗୁଳ ଓ ସମ୍ୱଲପୁର ଭଳି ରାଜ୍ୟର ୯ଟି ଜିଲ୍ଲାରେ ଋଣ-ଜମା ଅନୁପାତ ୪୦ ପ୍ରତିଶତରୁ କମ ବା ତାର ପାଖାପାଖି ରହିଛି। ଏହି ଜିଲ୍ଲାଗୁଡିକ ମଧ୍ୟରୁ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଏହାର କାରଣ ଚିହ୍ନଟ କରି ନିରାକରଣର ବାଟ ଖୋଜିବାକୁ ହେବ। କାରଣ ସାମଗ୍ରିକ ଭାବେ ଓଡ଼ିଶାରେ ଋଣ-ଜମା ଅନୁପାତ ୬୦ ପ୍ରତିଶତ ହେବା ଯେତିକି ଆବଶ୍ୟକ ପ୍ରତିଟି ଜିଲ୍ଲା ଏବଂ ଶାଖା ସ୍ତରରେ ସେହି ଅନୁପାତରେ ଋଣ ଲଗାଣ ହେବା ତତୋଧିକ ଗୁରୁତ୍ୱପୂର୍ଣ୍ଣ। ଏ ଦିଗରେ ବ୍ୟାଙ୍କଗୁଡ଼ିକର ଗ୍ରାମାଞ୍ଚଳ ଶାଖାଗୁଡ଼ିକରେ ପ୍ରଦର୍ଶନ ବେଶ ଭଲ, କାରଣ ସେଠାରେ ଏହି ଅନୁପାତ ୬୮ ପ୍ରତିଶତ ରହି ପାରିଛି। କୃଷି ଋଣ ଓ ଏସଏଚଜି ଋଣ ପ୍ରଦାନରେ ଗ୍ରାମାଞ୍ଚଳ ଶାଖାଗୁଡ଼ିକର ପ୍ରଦର୍ଶନ ଭଲ ହୋଇ ଥାଇପାରେ। ଅନ୍ୟ ପକ୍ଷରେ ଆଂଶିକ ସହରାଞ୍ଚଳ ଓ ସହରାଞ୍ଚଳରେ ଅବସ୍ଥିତ ଶାଖାଗୁଡ଼ିକରେ ଏହି ଅନୁପାତ ଯଥାକ୍ରମେ ୪୪ ଓ ୫୧ ପ୍ରତିଶତ ରହିଛି ଯାହା ରାଜ୍ୟସ୍ତରୀୟ ହାରାହାରି ଅପେକ୍ଷା ଯଥେଷ୍ଟ କମ। ଋଣ-ଜମା ଅନୁପାତ ବୃଦ୍ଧି ପାଇଁ ଏହି ଶାଖାଗୁଡ଼ିକ ଉପରେ ଧ୍ୟାନ ଅଧିକ କେନ୍ଦ୍ରିତ କରିବା ଦରକାର। ଏହି ଶାଖାଗୁଡ଼ିକ ଲାଗି ଉପଯୁକ୍ତ ଉଦ୍ୟମୀ ମିଳିବା ଏକ ସମସ୍ୟା ହୋଇଥାଏ। ତା ଛଡ଼ା ଋଣର ଉପଯୁକ୍ତ ବିନିଯୋଗକୁ ତଦାରଖ କରିବା ପାଇଁ ବ୍ୟାଙ୍କରେ ଅଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କାର ବଡ଼ ବଡ଼ (ହାଇ ଟିକେଟ) ଋଣ ଦେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଅନେକ ସମୟରେ ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ବା ଚଲାଇବା ପାଇଁ ଆବଶ୍ୟକ ଋଣ ପାଇବା ପାଇଁ ଉଦ୍ୟମୀମାନେ ବାରମ୍ୱାର ବ୍ୟାଙ୍କର ଦ୍ୱାରସ୍ଥ ହୋଇ ହତାଶ ହେଉଥିବାର ଖବରମାନ ନିୟମିତ ଶୁଣିବାକୁ ମିଳୁଛି। ଏହି ଧରଣର ଉଦ୍ୟମୀମାନଙ୍କ ହାତ ଧରି ଆଗକୁ ବାଟ କଢ଼େଇ ନେବା ଲାଗି ସରକାରୀ ଓ ବ୍ୟାଙ୍କ ସ୍ତରରେ ବିଶେଷ ଗୁରୁତ୍ୱ ପ୍ରଦାନ ହେବା ଆବଶ୍ୟକ। ସେହିପରି ଅଧିକ ସଂଖ୍ୟକ ଏମଏସଏମଇ ଓ ଅନ୍ୟାନ୍ୟ ଋଣ କିପରି ଦିଆ ଯାଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ସକ୍ରିୟ ଭାଗିଦାରୀର ଆବଶ୍ୟକତା ରହିଛି। କୃଷି ଋଣ ପ୍ରଦାନରେ ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡ଼ିକ ସେତେ ବେଶି ତତ୍ପରତା ଦେଖାଉ ନ ଥିବାରୁ ଏ କ୍ଷେତ୍ରରେ ବି ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହେଉନାହିଁ। ଉଦାହରଣ ସ୍ୱରୂପ, ୨୦୨୦-୨୧ ବର୍ଷ ପାଇଁ  ଏହି ବ୍ୟାଙ୍କଗୁଡ଼ିକ ଲାଗି ୧୯୫୮୦ କୋଟି ଟଙ୍କାର କୃଷି ଋଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ୧୨୭୯୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୬୫ ପ୍ରତିଶତ ହାସଲ ହୋଇପାରିଲା। ଅବଶ୍ୟ ସ୍ଥଳ ବିଶେଷରେ ଜମି-ଆଧାରିତ କୃଷି ଋଣ ପ୍ରଦାନରେ ବ୍ୟାଙ୍କମାନେ ଏକାଧିକ ବିଧି ଓ ପଦ୍ଧତିଗତ ବାଧକର ସମ୍ମୁଖୀନ ହୋଇ ଋଣପ୍ରଦାନରୁ ବିରତ ରହୁଥିବାରୁ ସେଗୁଡିକୁ ଚିହ୍ନଟ କରି ତାକୁ କିପରି ବ୍ୟାଙ୍କ ଋଣ ଅନୁକୂଳ କରି ହେବ ସେ ନେଇ ସରକାର ସଚେଷ୍ଟ ହେବା ଆବଶ୍ୟକ।

୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ରେ ଋଣ-ଜମା ଅନୁପାତ ୪ ପ୍ରତିଶତ ହ୍ରାସ ପାଇବାର ପ୍ରମୁଖ କାରଣ ସ୍ୱରୂପ ଜମାର ପରିମାଣ ୩୧୮୨୩ କୋଟି ଟଙ୍କାକୁ ଦର୍ଶାଯାଇଛି। କୋଭିଡ ସଂକ୍ରମଣ ଯୋଗୁ ହୁଏତ ଋଣ ଲଗାଣରେ ସମସ୍ୟା ଦେଖା ଦେଇ ଥାଇପାରେ। ତେବେ ଏଣିକି ପ୍ରତି ବର୍ଷ ଆନୁଷ୍ଠାନିକ ଜମା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ଥିବାରୁ ବ୍ୟାଙ୍କଗୁଡ଼ିକୁ ନିଜର ଋଣ ଲଗାଣ କ୍ଷମତାକୁ ମଧ୍ୟ ଆନୁପାତିକ ଭାବେ ବୃଦ୍ଧି କରିବାର ଆବଶ୍ୟକତା ଅନୁଭୂତ ହେଉଛି। ଏସଏଲବିସିର ତଥ୍ୟ ଅନୁଯାୟୀ ଘରୋଇ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡ଼ିକର ଋଣ-ଜମା ଅନୁପାତ ରିଜର୍ଭ ବ୍ୟାଙ୍କ ନିର୍ଦ୍ଧାରିତ ମାନବିନ୍ଦୁଠାରୁ ଯଥେଷ୍ଟ ଅଧିକ ଥିଲେ ବି ସାର୍ବଜନିକ କ୍ଷେତ୍ର ବ୍ୟାଙ୍କ ଓ ଗ୍ରାମ୍ୟବ୍ୟାଙ୍କଗୁଡିକର ପ୍ରଦର୍ଶନ ନିରୁତ୍ସାହଜନକ ହୋଇଥିବାରୁ ତାହା ରାଜ୍ୟରେ ଋଣ-ଜମା ଅନୁପାତକୁ ଅତ୍ୟଧିକ ତଳକୁ ଖସାଇ ଆଣିବାର ମୁଖ୍ୟ କାରଣ ପାଲଟିଛି। କେବଳ ଆଇଡିବିଆଇ ବ୍ୟାଙ୍କକୁ ବାଦ୍ ଦେଲେ ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଭଳି ଅଧିକାଂଶ ବ୍ୟାଙ୍କର ଋଣ-ଜମା ଅନୁପାତ ୬୦ ପ୍ରତିଶତରୁ ଅଧିକ ରହିଛି। ମାତ୍ର ରାଜ୍ୟର ଦୁଇଟି ଯାକ ଗ୍ରାମ୍ୟବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏହି ଅନୁପାତ ଯଥାକ୍ରମେ ୪୩ ଓ ୩୯ ପ୍ରତିଶତ ରହି ନିରାଶାଜନକ ହୋଇଛି। ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡିକ ମଧ୍ୟରେ ପଞ୍ଜାବ ଆଣ଼୍ଡ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୬୦ ପ୍ରତିଶତରୁ ଅଧିକ ଅନୁପାତ ହାସଲ କରି ପ୍ରଶଂସନୀୟ କାର୍ଯ୍ୟ କରିଥିବା ବେଳେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କଗୁଡିକ କ୍ଷେତ୍ରରେ ଏହା ନିରାଶାଜନକ ଭାବେ ୪୦ ପ୍ରତିଶତରୁ ବି କମ ରହିଛି। ବିଭିନ୍ନ ଜିଲ୍ଲାରେ ଥିବା ଅଗ୍ରଣୀ ବ୍ୟାଙ୍କଗୁଡ଼ିକ ଅନ୍ତତଃ ସେହି ଜିଲ୍ଲାରେ ଋଣପ୍ରଦାନରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ନିହାତି ଆବଶ୍ୟକ। ଯେପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅଗ୍ରଣୀ ବ୍ୟାଙ୍କ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରଦର୍ଶନ ଉପରେ ସେହି ଦୁଇ ଜିଲ୍ଲାରେ ବ୍ୟାଙ୍କସମୂହର ପ୍ରଦର୍ଶନ ଅନେକାଂଶରେ ନିର୍ଭର କରିଥାଏ। ସେହିପରି ଦୁଇଟି ଯାକ ଗ୍ରାମ୍ୟ ବ୍ୟାଙ୍କ ଓ ସାର୍ବଜନିକ କ୍ଷେତ୍ର ବ୍ୟାଙ୍କର ଅଧିକ ଶାଖା ଥିବା ଅଞ୍ଚଳଗୁଡିକରେ ସମ୍ପୃକ୍ତ ବ୍ୟାଙ୍କର ପ୍ରଦର୍ଶନ ଭଲ ହେଲେ ସେହି ଅଞ୍ଚଳର ପ୍ରଦର୍ଶନ ଭଲ ହୋଇଥାଏ। ତେଣୁ ଋଣ-ଜମା ଅନୁପାତ ହ୍ରାସଜନିତ ଆଞ୍ଚଳିକ ବୈଷମ୍ୟକୁ ଦୂର କରିବା ଲାଗି ଉଭୟ ସରକାର ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ ଅଧିକ ତତ୍ପରତା ଦେଖାଇବା ବାଞ୍ଛନୀୟ।

ଓଡ଼ିଶାରେ ଋଣ-ଜମା ଅନୁପାତ ବୃଦ୍ଧି କରିବା ଲାଗି, ଭାରତୀୟ ଷ୍ଟେଟ ବ୍ୟାଙ୍କ ଚାହିଁଲେ ଏକ ବଡ଼ ଭୂମିକା ନିର୍ବାହ କରି ପାରନ୍ତା। ଏହାର ଅନ୍ୟତମ କାରଣ ଭାରତୀୟ ଷ୍ଟେଟ  ବ୍ୟାଙ୍କର ଅନାଦେୟ ଋଣ (ଏନପିଏ) ମାତ୍ର ୨.୧୭ ପ୍ରତିଶତ ଯାହା ରାଜ୍ୟରେ ଥିବା ଅନ୍ୟ ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡିକ  ତୁଳନାରେ ଯଥେଷ୍ଟ କମ। ରାଜ୍ୟରେ ବ୍ୟାଙ୍କଗୁଡ଼ିକ ନିକଟରେ ଥିବା ସମୁଦାୟ ଜମା ପରିମାଣ ୩.୮୧ ଲକ୍ଷ କୋଟି ଟଙ୍କାରୁ କେବଳ ଷ୍ଟେଟ ବ୍ୟାଙ୍କ ନିକଟରେ ୧.୩୪ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୩୫ ପ୍ରତିଶତରୁ ଅଧିକ ରାଶି ରହିଛି। ଅନ୍ୟ ପକ୍ଷରେ ରାଜ୍ୟରେ ପ୍ରଦତ୍ତ ସମୁଦାୟ ଋଣ ରାଶି ୨.୧୫ ଲକ୍ଷ କୋଟି ଟଙ୍କାରୁ ଷ୍ଟେଟ ବ୍ୟାଙ୍କ ପ୍ରଦାନ କରିଛି ୦.୬୩ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୨୯ ପ୍ରତିଶତ। ପରିମାଣ ଦୃଷ୍ଟିରୁ ଏହା ଅନ୍ୟ ବ୍ୟାଙ୍କଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ହୋଇଥିଲେ ବି ବ୍ୟାଙ୍କର ଋଣ-ଜମା ଅନୁପାତ ମାତ୍ର ୪୬.୮୫ ପ୍ରତିଶତ, ଯାହା ରାଜ୍ୟର ଏହି ଅନୁପାତ ୫୬.୪୫ ପ୍ରତିଶତ ତୁଳନାରେ ୯.୪୦ ପ୍ରତିଶତ କମ। ଏପରିକି ଏହା ସାର୍ବଜନିକ କ୍ଷେତ୍ର ବ୍ୟାଙ୍କଗୁଡ଼ିକର ହାରାହାରି ଋଣ-ଜମା ଅନୁପାତ ୪୮.୪୩ ପ୍ରତିଶତଠାରୁ ମଧ୍ୟ କମ। ଓଡ଼ିଶାରେ ଷ୍ଟେଟ ବ୍ୟାଙ୍କର ଉପସ୍ଥିତି ପ୍ରାୟ ସବୁ ଜିଲ୍ଲାରେ ଓ ସାରା ରାଜ୍ୟରେ ଏହାର ୮୮୧ଟି ଶାଖା ରହିଛି ଯାହା ସମୁଦାୟ ସରକାରୀ ବ୍ୟାଙ୍କ ଶାଖା ସଂଖ୍ୟାର ପ୍ରାୟ ୨୯ ପ୍ରତିଶତ। ଯଦି ଷ୍ଟେଟ ବ୍ୟାଙ୍କ ତାର ଋଣ-ଜମା ଅନୁପାତକୁ ଆଉ ମାତ୍ର ୧୦ ପ୍ରତିଶତ ବଢ଼ାଇ ରାଜ୍ୟର ବର୍ତ୍ତମାନର ଋଣ-ଜମା ଅନୁପାତ ସ୍ତରକୁ ଆଣି ପାରିଥାଆନ୍ତା ତେବେ ରାଜ୍ୟର ଋଣ-ଜମା ଅନୁପାତ ରିଜର୍ଭ ବ୍ୟାଙ୍କ ନିର୍ଦ୍ଧାରିତ ୬୦ ପ୍ରତିଶତର ମାନବିନ୍ଦୁକୁ ଛୁଇଁ ପାରିଥାଆନ୍ତା। ସେ କ୍ଷେତ୍ରରେ ବ୍ୟାଙ୍କକୁ ଆଉ ଅଧିକ ମାତ୍ର ୧୩୪୦୦ କୋଟି ଟଙ୍କାର ଋଣ ଦେବାକୁ ହୋଇଥାଆନ୍ତା। ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କର ଶାଖା ପିଛା ଋଣର ପରିମାଣ ହାରାହାରି ୭୧.୫ କୋଟି ଟଙ୍କା ହୋଇଥିଲା ବେଳେ ତାକୁ ଆଉ ୧୫ କୋଟି ଟଙ୍କା ବଢ଼ାଇ ହାରାହାରି ଶାଖା ପିଛା ୮୬.୫ କୋଟି ଟଙ୍କା ସ୍ତରକୁ ନେବାକୁ ପଡ଼ିଥାଆନ୍ତା। ଅବଶ୍ୟ ଷ୍ଟେଟ ବ୍ୟାଙ୍କର ଶାଖା ପିଛା ହାରାହାରି ଋଣ ପ୍ରଦାନ ଅନ୍ୟ ବ୍ୟାଙ୍କଗୁଡିକ ତୁଳନାରେ ସେପରି ଊଣା ନ ହେଲେ ବି ରାଜ୍ୟର ସ୍ୱାର୍ଥକୁ ଆଖିରେ ରଖି ବ୍ୟାଙ୍କ ଏହି ଅତିରିକ୍ତ ବୋଝଟିକୁ ଉଠାଇ ପାରିଲା ଭଳି ମନେ ହୁଏ। କାରଣ ଏହି ବ୍ୟାଙ୍କର ପହଞ୍ଚ ଓ ଗ୍ରାହକ ସଂଖ୍ୟା ଅନ୍ୟ ବ୍ୟାଙ୍କ ତୁଳନାରେ ଯଥେଷ୍ଟ ଅଧିକ ହୋଇଥିବାରୁ ତଥା ବ୍ୟାଙ୍କର ଅନାଦେୟ ଋଣ (ଏନପିଏ) ପ୍ରତିଶତ ଅପେକ୍ଷାକୃତ କମ ଥିବାରୁ ଏହା ଅସମ୍ଭବ ମନେ ହୁଏ ନାହିଁ। ଏହି ଋଣ ପ୍ରଦାନ କରା ଯାଇପାରିଲେ ଏହାର ଲାଭ ଅଳ୍ପ କେତୋଟି ଜିଲ୍ଲାରେ କେନ୍ଦ୍ରିତ ନ ହୋଇ ଏହା ଦ୍ୱାରା ସମଗ୍ର ରାଜ୍ୟର ଲୋକେ ଉପକୃତ ହୋଇପାରନ୍ତେ।

ତେଣୁ ଓଡ଼ିଶାରେ ଋଣ-ଜମା ଅନୁପାତ କମ ହେଉଛି ବୋଲି ରାଜ୍ୟର ମନ୍ତ୍ରୀ ଓ ପ୍ରଶାସକମାନେ ସମୀକ୍ଷା ବୈଠକମାନଙ୍କରେ ଚିରାଚରିତ ଭାବେ ଏକ ସାଧାରଣ ଉଦବେଗ ପ୍ରକାଶ କରିବା ଅପେକ୍ଷା କେଉଁ ବ୍ୟାଙ୍କ ଦ୍ୱାରା, କେଉଁ ଅଞ୍ଚଳରେ, କେଉଁ କ୍ଷେତ୍ରରେ, କେଉଁ କାରଣରୁ ଋଣ ଲଗାଣ ଅପେକ୍ଷାକୃତ କମ ହେଉଛି ତାହା ଚିହ୍ନଟ କରାଯିବା ଆବଶ୍ୟକ। ସେହି ସମସ୍ୟାଗୁଡିକୁ ଦୂର କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସରକାରୀ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ହୋଇ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନିହାତି ଆବଶ୍ୟକ। ନ ହେଲେ ବିଗତ କିଛି ବର୍ଷ ଧରି ଅର୍ଥମନ୍ତ୍ରୀମାନେ ଏସଏଲବିସିର ସମୀକ୍ଷା ବୈଠକରେ ନିୟମିତ ଭାବେ ଯେଉଁ ଭଳି ଋଣ-ଜମା ଅନୁପାତ କମ ହେବାକୁ ନେଇ ଉଦବେଗ ପ୍ରକାଶ କରି ଆସୁଛନ୍ତି ତାହା ଗତାନୁଗତିକ ହୋଇ ସେହି ପ୍ରକ୍ରିୟା ଜାରି ରହିଥିବ ଓ ସ୍ଥିତିରେ କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହେବନାହିଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।