କୃଷକ ସମସ୍ୟା ଏବଂ ସରକାରଙ୍କ କୃଷିବିରୋଧୀ ନୀତି

ସୂର୍ଯ୍ୟମଣି ମିଶ୍ର

ଭାରତ ଏକ କୃଷିପ୍ରଧାନ ଦେଶ। ଗୋଟିଏ ପଟେ ସରକାର ଏବଂ ଅନେକ ଅର୍ଥନୀତିଜ୍ଞ ଏହି କଥା ଉପରେ ସହମତ ଯେ କରୋନା ସମୟରେ କେବଳ କୃଷି କ୍ଷେତ୍ରରେ ଦେଶର ଅର୍ଥବ୍ୟବସ୍ଥାକୁ ବଞ୍ଚାଇ ରଖିଛି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ନ୍ୟୁନତମ ସମର୍ଥନ ମୂଲ୍ୟ ଉପରେ କ୍ରୟ ବନ୍ଦ କରି କୃଷକଙ୍କୁ ଶୋଷଣ କରିବାର ଆଧାର ତିଆରି କରିଛନ୍ତି। କୃଷକଙ୍କୁ ଉଚିତ୍ ବା ନ୍ୟୁନତମ ସମର୍ଥନ ମୂଲ୍ୟ ମିଳୁନାହିଁ। ଯଦି ସରକାର ନ୍ୟୁନତମ ସମର୍ଥନ ମୂଲ୍ୟ ଅନୁଯାୟୀ କୃଷକଙ୍କ ଉତ୍ପାଦର କ୍ରୟ ବନ୍ଦ କରିଦେବେ ତେବେ କୃଷି-କୃଷକଙ୍କ ସହ ଦେଶର ଖାଦାନ୍ନ ସୁରକ୍ଷା ମଧ୍ୟ ସଂକଟରେ ପଡ଼ିଯିବ। ସରକାରଙ୍କର ଦାବି ହେଉଛି ସଂସଦର ନିକଟରେ ପାରିତ କୃଷି ଅଧ୍ୟାଦେଶ କୃଷକ କଲ୍ୟାଣରେ ସହାୟକ ହେବ। କିନ୍ତୁ ବାସ୍ତବତା ହେଉଛି ସରକାରଙ୍କ ଆର୍ଥିକ ଦର୍ଶନ ଏବଂ ବିଚାର ଉଦ୍ୟୋଗପତିଙ୍କ ସପକ୍ଷରେ ଯାଉଛି। ଆମେ ଜାଣନ୍ତି ସରକାରଙ୍କ ଉପରେ ବିଶ୍ୱବାଣିଜ୍ୟ ସଂଗଠନ (ଡ଼ବ୍ଲ୍ୟୁଟିଓ)ର ଚାପ ନିରନ୍ତର ରହିଛି। କୃଷକଙ୍କୁ ମିଳୁଥିବା ନ୍ୟୁନତମ ସମର୍ଥନ ମୂଲ୍ୟ ଏବଂ ସବ୍‌ସିଡ଼ି ତଥା ସୁବିଧାକୁ ଜାଣିଶୁଣି ବନ୍ଦ କରିଦେବା ପାଇଁ ନିକଟରେ ଲୋକସଭାରେ ଅଧ୍ୟାଦେଶକୁ ପାରିତ କରାଯାଇଛି। ଏହି ଅଧ୍ୟାଦେଶ କୃଷକ କଲ୍ୟାଣରେ ସହାୟକ ହେବ ନାହିଁ ବୋଲି ଦେଶର ୨୦୦ରୁ ଅଧିକ କୃଷକ ସଂଗଠନ ପ୍ରତିବାଦ ଜଣାଇଛନ୍ତି। ସରକାର କୃଷକଙ୍କ ସମସ୍ୟାର ସମାଧାନ କରିବା ଆଳରେ ଯେଉଁ ସଂସ୍କାର କରିଛନ୍ତି ତାହା କୃଷକଙ୍କୁ ଅସନ୍ତୁଷ୍ଟ କରିଛି ଓ ସେମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏବେ କୃଷକଙ୍କ ଆକ୍ରୋଶ ବିଭିନ୍ନ ରାଜ୍ୟର ସଡ଼କରେ ପହଂଚିଛି। ଏହାର ସମାଧାନ ପୁଲିସ ବଳ ଦ୍ୱାରା ସମ୍ଭବ ନୁହେଁ । ଅସନ୍ତୋଷ, ପ୍ରତିରୋଧ, ବିରୋଧ ଏବଂ ଆନ୍ଦୋଳନକୁ  ସରକାର ଦମନ କରି ବନ୍ଦ କରିଦେଇପାରିବେ ନାହିଁ ।

ନିକଟରେ ଉତ୍ତରପ୍ରଦେଶରେ ଏବଂ ହରିୟାଣାରେ ପୁଲିସ ଦ୍ୱାରା କୃଷକଙ୍କ ଉପରେ ଲାଠିରେ ପ୍ରହାର କରାଗଲା। ବିଶେଷତଃ ଉତ୍ତରପ୍ରଦେଶରେ ଜଣେ ମହିଳାଙ୍କ ଉପରେ ପୁଲିସ ଯେଭଳି ଆକ୍ରମଣ କଲେ ତାହା ଏକ ଗଣତାନ୍ତ୍ରିକ ଦେଶ ପାଇଁ ଆଦୌ ଶୁଭସୂଚନା ନୁହେଁ। ସରକାରଙ୍କ ଦ୍ୱାରା ପାରିତ ୩ ନୂଆ ଅଧ୍ୟାଦେଶ ବା ଆଇନ୍ ବିରୋଧରେ ଜମାଖୋର ବେପାରୀ, କର୍ପୋରେଟ ହାଉସ ଏବଂ ବହୁଜାତୀୟ କମ୍ପାନୀର ଲାଭ ହେବ ସିନା କୃଷକ କଲ୍ୟାଣରେ ସହାୟକ ହେବନାହିଁ। ଏହା ଦେଶର କୃଷି ଅର୍ଥନୀତିଜ୍ଞ ଏବଂ କୃଷକଙ୍କ ମତ। ସରକାରଙ୍କର ପୁରୁଣା ପ୍ରତିଶ୍ରୁତି ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା ହେବ। ୨୦୧୪ରେ ଏହି ପ୍ରତିଶ୍ରୁତି। ଏହା ମଧ୍ୟରେ ୬ ବର୍ଷ ବିତିଯାଇଛି। କୃଷକଙ୍କ ଆୟ ବୃଦ୍ଧି ହେଉନାହିଁ। ଋଣ ଯନ୍ତାରେ ପଡ଼ି ଜଣେ ପରେ ଜଣେ କୃଷକ ଯାହାଙ୍କୁ ଦେଶର ଅନ୍ନଦାତା କୁହାଯାଉଛି ସିଏ ଆତ୍ମହତ୍ୟା କରୁଛି। ଲୋକସଭାରେ ପାରିତ ଅଧ୍ୟାଦେଶ ଅନୁଯାୟୀ ଧୀରେ ଧୀରେ କୃଷକଙ୍କ ଉତ୍ପାଦ ଉପରେ ନ୍ୟୁନତମ ସମର୍ଥନ ମୂଲ୍ୟ ମିଳିବ ନାହିଁ। କଣ୍ଣ୍ରାକ୍ଟ ଫାର୍ମିଂ ଉପରେ ନୂଆପ୍ରକାର ଜମିଦାରୀବାଦ ଜନ୍ମନେବ। ଆବଶ୍ୟକ ବସ୍ତୁ ଅଧିନିୟମ ସଂଶୋଧନ ସହ ଜମାଖୋର୍  ପୁଞ୍ଜିପତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। କର୍ପୋରେଟ ହାଉସ୍ ଏହି ଅଧ୍ୟାଦେଶର ବଳରେ କୃଷିକ୍ଷେତ୍ରକୁ ପଶିଆସିବେ। ଏହା ଯୋଗୁଁ କେବଳ କୃଷି କ୍ଷେତ୍ରର ନୁହେଁ, କୃଷକଙ୍କ ଅସ୍ମିତାର ବଦଳିଯିବ।

ଏଠାରେ ଉଲ୍ଲେଖ କରିବା ଉଚିତ୍ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଶାନ୍ତାକୁମାର କମିଟି ପୂର୍ବରୁ କହିସାରିଛନ୍ତି ଯେ, ଦେଶରେ ମାତ୍ର ୬ ପ୍ରତିଶତ କୃଷକଙ୍କୁ ନ୍ୟୁନତମ ସମର୍ଥନ ମୂଲ୍ୟ ମିଳିଥାଏ। ୯୪ ପ୍ରତିଶତ କୃଷକ ଖୋଲା ବଜାର ଉପରେ ନିର୍ଭର କରିଥାନ୍ତି। ଏଠାରେ ପ୍ରଶ୍ନ ହେଉଛି ଯଦି ଖୋଲା ବଜାର ଭଲ ତେବେ କୃଷକଙ୍କ ସମସ୍ୟା କାହିଁକି ବଢିଚାଲିଛି? ଯଦି ଖୋଲା ବଜାରରୁ ଉଚିତ୍ ମୂଲ୍ୟ ମିଳୁଛି ତେବେ କୃଷକ ନ୍ୟୁନତମ ସମର୍ଥନ ମୂଲ୍ୟ ଦାବି କରୁଛି କାହିଁକି?

ଆଇସିବି ରିପୋର୍ଟ କହେ, ୨୦୦୪ରୁ ୨୦୧୬ ମଧ୍ୟରେ ଭାରତରେ କୃଷକଙ୍କର ୪୫ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। କାହିଁକି ନା ତାଙ୍କୁ ତାଙ୍କ ଉତ୍ପାଦର ଉଚିତ୍ ମୂଲ୍ୟ ମିଳିନାହିଁ। ଆର୍ଥିକ ସର୍ବେକ୍ଷଣ ୨୦୧୬ କହେ ଦେଶର କୃଷକ ପରିବାରର ହାରାହାରି ଆୟ ବାର୍ଷିକ ୨୦ ହଜାର ଟଙ୍କା। ପ୍ରଶ୍ନ ହେଉଛି ଏତିକି ଟଙ୍କାରେ କୃଷକ ପରିବାର ବଂଚିବେ କିପରି? ଦେଶରେ ହାରାହାରି ୫୦ ପ୍ରତିଶତ ଜନସଂଖ୍ୟା ଏବଂ ୬୦ କୋଟି ଲୋକ ଚାଷ ସହ ଜଡ଼ିତ। ଏତିକି ସଂଖ୍ୟକ ଜନସଂଖ୍ୟା ଦେଶକୁ ଖାଦ୍ୟ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ କରିଛନ୍ତି। ଦେଶର ଅର୍ଥନୀତି ପାଇଁ ବଡ଼ ଯୋଗଦାନ ଦେଉଛନ୍ତି। ତେବେ କୃଷକଙ୍କ ପ୍ରତି ସରକାରଙ୍କର ନୀତି ଅନୁକୂଳ ହେଉନାହିଁ ବୋଲି କୃଷକମାନେ କାହିଁକି ଆଶଙ୍କାବ୍ୟକ୍ତ କରୁଛନ୍ତି? ସରକାର ଏ ସଂପର୍କରେ କୃଷକଙ୍କ ସହ ଖୋଲା ଆଲୋଚନା ନକରି ସଂସଦରେ ଅଧ୍ୟାଦେଶ ପାରିତ କରିବା ପଦକ୍ଷେପକୁ କୃଷକ ସହଜରେ ଗ୍ରହଣ କରିପାରୁନାହାନ୍ତି।

କେନ୍ଦ୍ର ସରକାର ହେଉ ଅବା ରାଜ୍ୟ ସରକାରଙ୍କ ସପକ୍ଷରେ କୃଷକ। କୃଷକ କେବେ ନୋଟବନ୍ଦୀକୁ ବିରୋଧ କରିନଥିଲେ, ଜିଏସ୍‌ଟିକୁ ବିରୋଧ କରିନଥିଲେ, କରୋନା ମହାମାରୀ ନାମରେ ଉଦ୍ୟୋଗ ଓ ବେପାର ବନ୍ଦ କରିଦେଲେ ସରକାର, କୃଷକ ଏହା ବିରୋଧରେ ପ୍ରତିବାଦ କରିନଥିଲେ। ସରକାର କାରଖାନା କମ୍ପାନୀ, ରେଳବାଇ, ବିମାନବନ୍ଦର, ଷ୍ଟେସନ, ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌, ଓଏମ୍‌ଜିସି, ବିପିସିଏଲ୍‌, ହାଲ୍‌, ଜେଲ୍‌, ଏଲ୍‌ଆଇସି, ବ୍ୟାଙ୍କକୁ କର୍ପୋରେଟ ହାଉସ ପାଖରେ କିଛି ଅଂଶକୁ ବିକିଦେଲେ।  କୃଷକ ପ୍ରତିବାଦ କଲେ ନାହିଁ। ଶିକ୍ଷା ସଂସ୍ଥା, ଗବେଷଣା ଏବଂ ପ୍ରୟୋଗଶାଳା ତଥା ବିଶ୍ୱବିଦ୍ୟାଳୟର ଘରୋଇକରଣ ହେଲା। କୃଷକ ପ୍ରତିବାଦ କରିନାହାନ୍ତି।  କରୋନା ଭାଇରସ୍‌ର ଭୟାବହତାକୁ ଆଖି ଆଗରେ ରଖି ଦେଶର ସରକାର ୪ ଘଣ୍ଟା ସମୟ ଦେଇ ଲକ୍‌ଡାଉନ୍ ବ୍ୟବସ୍ଥା କାର୍ଯ୍ୟ କରିଥିଲେ, କୃଷକ ପ୍ରତିବାଦ କରିନାହାନ୍ତି। ତେବେ ଆଜି ଦିନରେ କୃଷକ ସଂସଦରେ ପାରିତ ଅଧ୍ୟାଦେଶକୁ ନେଇ ବିଶ୍ୱାସ କରିପାରୁନାହାନ୍ତି ଯେ, ସରକାର ସେମାନଙ୍କ ହିତରେ କାର୍ଯ୍ୟ କରୁଛି। କୃଷକଙ୍କ ପ୍ରତି ସରକାରଙ୍କ ଉତ୍ତରଦାୟିତ୍ୱ ହଟାଇ ଦେବା ପାଇଁ ଏଭଳି ଅଧ୍ୟାଦେଶ ପାରିତ କରାଯାଇଛି ବୋଲି ଆନ୍ଦୋଳନକାରୀ କୃଷକ ମତ ଦେଇଛନ୍ତି। କୃଷକଙ୍କ ଦାବି ହେଲା ତାଙ୍କ ଉତ୍ପାଦ ବଜାରରେ ଇଚ୍ଛା ଉପରେ ଛାଡ଼ି ଦିଆନଯାଏ। ନାମମାତ୍ର, ଛୋଟ ଏବଂ ମଧ୍ୟମ ଚାଷୀଙ୍କ ଜମିକୁ କର୍ପୋରେଟ ହାଉସ ଦ୍ୱାରା ଠିକାରେ ନେବା ପାଇଁ ବାଟ ପ୍ରସ୍ତୁତ କରାନଯାଉ। ପୁଞ୍ଜିପତିଙ୍କ ହାତକୁ ନଯାଉ ସେମାନଙ୍କ ଚାଷ ଜମି ବା ଭାତହାଣ୍ଡି।

ସରକାର କୃଷକଙ୍କ ଜମିକୁ ପାଣି ଦେଇପାରୁନାହାନ୍ତି, ସେମାନଙ୍କ ପାଇଁ ବିଦ୍ୟୁତ୍ ସୁବିଧା ନାହିଁ, ସେମାନଙ୍କ ଉତ୍ପାଦ ସାମଗ୍ରୀ ପାଇଁ ମନ୍ଦି ବ୍ୟବସ୍ଥା ନାହିଁ। ସେମାନଙ୍କ ଫସଲ କ୍ଷତିର ସଠିକ୍ କ୍ଷତିପୂରଣ ମିଳୁନାହିଁ। ଋଣ ଯନ୍ତାରେ ପଡ଼ିଥିବା କୃଷକଙ୍କ ଋଣ ଛାଡ଼ କରାଯାଉନାହିଁ, ଅଥଚ କର୍ପୋରେଟ ହାଉସର ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ କରାଯାଉଛି। ଏହି କାରଣରୁ ଆଜି କୃଷକ ନିଜ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ଦାବି ହେଲା ଏ ସରକାର ଆଉ ଆମେ ନିରବରେ ରହି ବା ଚୁପ୍ ହୋଇ ରହିପାରିବୁ ନାହିଁ। ବହୁତ ହେଲା ଆମ ପ୍ରତି ଅନ୍ୟାୟ। ଏହି ଅନ୍ୟାୟର ଅନ୍ତ ପାଇଁ ଆମେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଅସ୍ତ୍ର କରିଛୁ। ଆପଣ ପୁଲିସ ବଳ ଦ୍ୱାରା ଦମନ କଲେ ଆମେ ଦବିଯିବୁ ନାହିଁ। ଆମେ ମାଗୁଛୁ ଆମର ହକ୍ ଅଧିକାର। ଏହା ଆମର ସାମ୍ବିଧାନିକ ଗଣତାନ୍ତ୍ରିକ ଅଧିକାର। ଏହି ଅଧିକାର ପ୍ରଦାନ କର ନଚେତ୍ ଗାଦି ଛାଡ଼। ଏହି ଆହ୍ୱାନ ଏବେ ବେଶ୍ ଦୃଢ ହେବାରେ ଲାଗିଛି। ଭଲ ହେବ ସରକାର କୃଷକଙ୍କ ଅଧିକାର ପ୍ରତି ସମ୍ବେଦନଶୀଳ ହୋଇ ନିଜର ଉତ୍ତରଦାୟିତ୍ୱ ପାଳନ କରିବା। ନତୁବା ଗଣତାନ୍ତ୍ରିକ ଆନ୍ଦୋଳନକୁ ଚାବି ଦେବା ପାଇଁ ଚେଷ୍ଟା କଲେ ସରକାର ନିଜେ ଚାପିହୋଇଯିବେ ସିନା ଦେଶର ଗଣତାନ୍ତ୍ରିକ ଅଧିକାରକୁ ଚାପିଦେଇ ପାରିବେ ନାହିଁ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଦୂରଭାଷ: ୯୪୩୮୦୦୬୨୧୫