ଭର୍ତ୍ସିତ ନିର୍ବାଚନ କମିଶନ

ସରଳ କୁମାର ଦାସ

କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପିବା ଲାଗି ନିର୍ବାଚନ କମିଶନ ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ କଡା ଟୀପ୍ପଣି ଦେଇଛନ୍ତି। “ଆପଣ ହିଁ ଏକମାତ୍ର ଅନୁଷ୍ଠାନ ଯିଏ ଆଜିର ଏଇ ପରିସ୍ଥିତି ପାଇଁ ଦାୟୀ। ଅଦାଲତଙ୍କ ସବୁ ଆଦେଶ ସତ୍ତ୍ୱେ ବଡ଼ ବଡ଼ ରାଲି କରୁଥିବା ରାଜନୈତିକ ଦଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଗଲା ନାହିଁ। ବୋଧହୁଏ ଆପଣଙ୍କ ନିର୍ବାଚନ କମିଶନ ବିରୁଦ୍ଧରେ ହତ୍ୟାର ମାମଲା ରୁଜୁ ହେବା କଥା!” ଦେଶରେ କୋଭିଡ ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଏକମାତ୍ର ଦାୟୀ ବୋଲି ଏପ୍ରିଲ ୨୬, ୨୦୨୧ରେ ଏକ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ। ସମ୍ଭବତଃ, ଏଥି ପୂର୍ବରୁ ଏକ ସାମ୍ୱିଧାନିକ ଅନୁଷ୍ଠାନ ଏଭଳି ଭାବେ ହାଇକୋର୍ଟ ବା ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନାର ଶିକାର ହୋଇଥିବାର ଦୃଷ୍ଟାନ୍ତ ବିରଳ।

“ଜନସ୍ୱାସ୍ଥ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିତାପର ବିଷୟ ଯେ ଏ କଥା ସାମ୍ୱିଧାନିକ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କୁ ମନେ ପକାଇ ଦେବାକୁ ପଡୁଛି। କେବଳ ଜଣେ ନାଗରିକ ବଞ୍ଚି ରହିଲେ ଯାଇ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ତାକୁ ପ୍ରଦାନ କରୁଥିବା ଅଧିକାରର ଗ୍ୟାରେଣ୍ଟିକୁ ସେ ଉପଭୋଗ କରିପାରିବ।“ ଅଦାଲତଙ୍କ କଡ଼ା ଟୀପ୍ପଣି ଥିଲା, “ରାଜନୈତିକ ରାଲିଗୁଡିକ ହେଉଥିଲା ବେଳେ ଆପଣମାନେ କ’ଣ ଅନ୍ୟ ଏକ ଗ୍ରହରେ ଅବସ୍ଥାନ କରୁଥିଲେ?” “ଏବର ପରିସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଞ୍ଚି ରହିବା ଓ ସୁରକ୍ଷିତ ରହିବା। ତା’ପରେ ଯାଇ ଆଉ ସବୁ କିଛି।“ କୋଭିଡ ସତର୍କ ବିଧିକୁ ମାନି ଗଣତି କାର୍ଯ୍ୟକ୍ରମ କରିବାକୁ ଏକ ନିର୍ଦ୍ଦିଷ୍ଟ ଖସଡା ଅଦାଲତଙ୍କ ନିକଟରେ ଉପସ୍ଥାପନ ନ କଲେ ଅଦାଲତ ଭୋଟ ଗଣତି ବନ୍ଦ କରି ଦେଇପାରନ୍ତି ବୋଲି ଚେତାବନୀ ଦେଇଥିଲେ।

କେବଳ ମାଡ୍ରାସ ହାଇକୋର୍ଟ ନୁହେଁ, ଏଥି ପୂର୍ବରୁ ଏପ୍ରିଲ୨୨ ତାରିଖରେ କଲିକତା ହାଇକୋର୍ଟ ମଧ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ କୋଭିଡ-୧୯ ସତର୍କ ବିଧିଗୁଡିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଅଦାଲତଙ୍କ ମତରେ କୋଭିଡ ନିୟମର ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଅଖଣ୍ଡ କ୍ଷମତା ଥିବା ସତ୍ତ୍ୱେ ତାହାର ଉଚିତ ଉପଯୋଗ କରିବାରେ କମିଶନ ବିଫଳ ହୋଇଛି। “ଆମେ ନିଶ୍ଚିତ ଯେ ନିର୍ବାଚନ କମିଶନଙ୍କ ସର୍କୁଲାରଗୁଡିକ ରାଜନୈତିକ ଦଳ ବା ରାଜନୈତିକ ପ୍ରଚାରରେ ସମ୍ପୃକ୍ତ ଲୋକ ବା ସାଧାରଣ ଜନତାଙ୍କ ଲାଗି କେବଳ ପରାମର୍ଶ ହୋଇ ମଲାଟ ମଡାଇ ରଖିବା ଲାଗି ଉଦ୍ଦିଷ୍ଟ ନୁହେଁ।” ଏହି ଜନସ୍ୱାସ୍ଥ୍ୟ ବିପର୍ଯ୍ୟୟ ସମୟରେ ନିର୍ବାଚନ କମିଶନ ସକ୍ରିୟ ପଦକ୍ଷେପ ଗ୍ରହଣ ନ କରି ‘ମୂକ ଦର୍ଶକ’ ସାଜିବାକୁ ଅଦାଲତ ସହଜରେ ଗ୍ରହଣ କରି ପାରି ନ ଥିଲେ। ଅଦାଲତ କମିଶନକୁ ସ୍ମରଣ କରାଇ ଦେଇଛନ୍ତି ଯେ କମିଶନ କେବଳ ଜନ ପ୍ରତିନିଧି ଆଇନ ପ୍ରତି ପ୍ରତିବଦ୍ଧ ରହିବା ଯଥେଷ୍ଟ ନୁହେଁ ବରଂ କମିଶନଙ୍କ ଲୋକମାନଙ୍କ ପ୍ରତି ମଧ୍ୟ ପ୍ରତିବଦ୍ଧତା ରହିବା ଜରୁରୀ। ଏହାଦ୍ୱାରା ମହାମାରୀ ସମୟରେ ବି, ଆବଶ୍ୟକ ସ୍ୱାସ୍ଥ୍ୟ ସୁରକ୍ଷାର ବଳୟ ଭିତରେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ପ୍ରୟୋଗ କରି ପାରିବେ ବୋଲି ସେମାନଙ୍କର କମିଶନ ଉପରେ ବିଶ୍ୱାସ ରହିବ। ଅଦାଲତଙ୍କ ଏହି ମନ୍ତବ୍ୟ ପରେ ପଶ୍ଚିମବଙ୍ଗରେ ଯେତେବେଳେ ଆଉ ମାତ୍ର ଦୁଇ ପର୍ଯ୍ୟାୟର ନିର୍ବାଚନ ବାକି ଥିଲା ନିର୍ବାଚନ କମିଶନଙ୍କୁ ବାଧ୍ୟ ହୋଇ ଏପ୍ରିଲ, ୨୪, ୨୦୨୧ରେ ରୋଡ ସୋ ଓ ଯାନବାହନ ରାଲି (ବାଇକ ରାଲି) ଇତ୍ୟାଦି ଉପରେ ପ୍ରତିବନ୍ଧ ଲଗାଇବାକୁ ପଡ଼ିଲା। ଏଥି ସହ ୫୦୦ରୁ ଅଧିକ ଲୋକ ଏକତ୍ରିତ ହେଉଥିବା କୌଣସି ନିର୍ବାଚନୀ ସଭାକୁ ଅନୁମତି ଦିଆ ନ ଯିବା ସହ ଅନ୍ୟାନ୍ୟ କୋଭିଡ ନିର୍ଦ୍ଦେଶିକାଗୁଡିକୁ ଅନୁପାଳନ କରିବା ଉପରେ ଜୋର ଦିଆଗଲା।

ଅନ୍ୟ ଅନେକ ଦେଶ ତୁଳନାରେ ଭାରତରେ କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ଲହର ଅପେକ୍ଷାକୃତ ବିଳମ୍ୱରେ ଆସିଥିଲେ ବି ତାହା ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ ହୋଇ ସାରିଥିଲା। ତେଣୁ ଅଳ୍ପ ଦିନ ଭିତରେ କୋଭିଡ ସଂକ୍ରମଣ ଯେ କାୟାବିସ୍ତାର କରିବାକୁ ଯାଉଛି ତାହା ଅଳ୍ପ ବହୁତେ ଜଣାଥିଲା। ଅର୍ଥାତ୍, ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ପାଇଁ ବିଜ୍ଞପ୍ତି ଜାରି ହେଲା ବେଳକୁ ନିର୍ବାଚନ କମିଶନ ବି ଏ ବାବଦରେ ଭଲ ଭାବେ ଅବଗତ ଥିଲେ। କେହି କେହି ମତ ବ୍ୟକ୍ତ କରୁଛନ୍ତି ଯେ ନିର୍ବାଚନ ଘୋଷଣା ହେବା ପୂର୍ବରୁ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇ ସାରିଥିବାରୁ ଓ ନିର୍ବାଚନ ଅନୁଷ୍ଠିତ ହୋଇ ନଥିବା କେତେକ ରାଜ୍ୟରେ ସଂକ୍ରମଣ ଅଧିକ ହୋଇଥିବାରୁ ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରିବା ଉଚିତ ହେବ ନାହିଁ। ଅଧିକନ୍ତୁ, ସମ୍ୱିଧାନର ଧାରା ୧୭୪(୧) ଅନୁଯାୟୀ କୌଣସି ରାଜ୍ୟର ବିଧାନସଭାର ଦୁଇଟି ଅଧିବେଶନ ମଧ୍ୟରେ ଛଅ ମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇପାରିବ ନାହିଁ।

ନିର୍ବାଚନ ହେଉଥିବା ରାଜ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ମଇ ୩୦, ୨୦୨୧ରେ, ଆସାମର ମଇ ୩୧ରେ, ତାମିଲନାଡୁର ମଇ ୨୪ରେ, କେରଳର ଜୁନ ୧ରେ ଓ ପୁଡୁଚେରିର ଜୁନ ୮ରେ ପୂରି ଯାଉଥିବାରୁ ସେଠାରେ ନିର୍ବାଚନ ଘୁଞ୍ଚାଇବା ସମ୍ଭବ ହୋଇ ନ ଥାଆନ୍ତା। କେବଳ ସମ୍ୱିଧାନର ଧାରା ୧୭୨(୧) ଅନୁଯାୟୀ ଜାତୀୟ ନିରାପତ୍ତା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ନିର୍ବାଚନକୁ ବର୍ଷେ ଯାଏଁ ଘୁଞ୍ଚାଇ ହୋଇଥାଆନ୍ତା। ତେବେ ମହାମାରୀ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ପ୍ରାବଧାନ ନ ଥିବାରୁ ଏହା କରି ହୋଇ ନ ଥାଆନ୍ତା।

ସେହିପରି ସମ୍ୱିଧାନର ଧାରା ୩୫୬(୧) ଅନୁଯାୟୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇବାର ପ୍ରାବଧାନ ଥିଲେ ବି ସେପରି ହୋଇଥିଲେ ତାହା ଉଚ୍ଚତମ ଅଦାଲତଙ୍କ ପ୍ରତିକୂଳ ମନ୍ତବ୍ୟକୁ ନିଶ୍ଚିତ ଭାବେ ଆହ୍ୱାନ କରିଥାଆନ୍ତା ଓ ତାହା ଲଗାଇବା ସହଜ ହୋଇ ନ ଥାଆନ୍ତା। ତା’ ଛଡ଼ା କୋଭିଡ ପରିସ୍ଥିତି ଆହୁରି କେତେ ଦିନ ଧରି ଲାଗି ରହିବ ତାହାର ନିଶ୍ଚିତତା ନ ଥିବାରୁ ନିର୍ବାଚନକୁ ଘୁଞ୍ଚାଇବା ହୁଏତ ଏକ ଗ୍ରହଣୀୟ ସମାଧାନର ବାଟ ହୋଇ ନ ଥାଆନ୍ତା। ଏହି ପରିସ୍ଥିତିରେ କୋଭିଡ ସତର୍କତା ବିଧିକୁ ମାନି ବିଶ୍ୱର ବିଭିନ୍ନ ଦେଶରେ ସଫଳତାର ସହ ନିର୍ବାଚନ ଆୟୋଜିତ ହୋଇ ସାରିଛି। ନିର୍ବାଚନକୁ ନ ଲମ୍ୱାଇ ତୁରନ୍ତ ସାରିବା ବୁଦ୍ଧିମାନର କାମ ହୋଇଥାଆନ୍ତା। ତେଣୁ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କୋଭିଡ ସତର୍କତା ବିଧିକୁ କଡାକଡି ମାନି ନିର୍ବାଚନକୁ ଅଳ୍ପ ଦିନ ମଧ୍ୟରେ ସୀମିତ ପର୍ଯ୍ୟାୟରେ ସାରିବାରେ କୌଣସି ଅସୁବିଧା ହୋଇ ନ ଥାଆନ୍ତା।

ପଶ୍ଚିମବଙ୍ଗରେ ଆଠ ଦଫାରେ ନିର୍ବାଚନ କରିବା ସତ୍ତ୍ୱେ ହିଂସାକୁ ପ୍ରତିହତ କରା ଯାଇ ପାରି ନ ଥିଲା। ଅନ୍ୟ ପକ୍ଷରେ କୋଭିଡ ନିୟମକୁ ଉଲ୍ଲଂଘନ କରି ଦୀର୍ଘ ଦିନ ଧରି ନିର୍ବାଚନୀ ପ୍ରଚାର ଲାଗି ରହିବା ଦ୍ୱାରା ରାଜ୍ୟରେ ତିନି ଜଣ ପ୍ରାର୍ଥୀଙ୍କ ମୃତ୍ୟୁ, ସଂଖ୍ୟାଧିକ ପ୍ରାର୍ଥୀ ଓ ନିର୍ବାଚନ ପରିଚାଳନାକାରୀ କୋଭିଡ ଦ୍ୱାରା ଆକ୍ରାନ୍ତ ହେବାର ଦୁଃଖଦ ଘଟଣା ସହ ସାଧାରଣ ଜନତାଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ଯେ ବୃଦ୍ଧି ପାଇଲା ସେଥିରେ ସନ୍ଦେହ ନାହିଁ। ନିର୍ବାଚନ ହେଉଥିବା ରାଜ୍ୟଗୁଡିକରେ ରାଜନୈତିକ ଦଳଗୁଡିକ କୋଭିଡ ସତର୍କତା ବିଧିକୁ ମାନି ସେମାନଙ୍କ ସଭା, ଶୋଭାଯାତ୍ରା ଆଦି ଆୟୋଜନ କରୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବାରେ ନିର୍ବାଚନ କମିଶନ ଯେଉଁ ନିଷ୍କ୍ରିୟତା ପ୍ରଦର୍ଶନ କଲେ ତାହା ଅକ୍ଷମଣୀୟ।

ଏଥର ପଶ୍ଚିମବଙ୍ଗ ନିର୍ବାଚନକୁ ଆଠ ଦଫାରେ ଦୀର୍ଘ ଦିନ ଧରି କରିବାର ନିଷ୍ପତ୍ତି ସହ ଏପ୍ରିଲ ୧୨ ଯାଏଁ ନିର୍ବାଚନ ପରିଚାଳନା କରିଥିବା ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ପ୍ରତି ଉଚ୍ଚ ଅଦାଲତଙ୍କ ଏହି ଟୀପ୍ପଣି ମୁଖ୍ୟତଃ ଅଭିପ୍ରେତ। ତାଙ୍କ ଅବସର ଗ୍ରହଣ ପରେ ତାଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବା କଥା ମଧ୍ୟ ଚର୍ଚ୍ଚାରେ ଅଛି। ଅତୀତରେ ଉଚ୍ଚ ଅଦାଲତଙ୍କ ଦ୍ୱାରା ନାମିତ ବା ଭର୍ତ୍ସିତ ହୋଇଥିବା ମନ୍ତ୍ରୀମାନେ ନୈତିକ ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ସେହି ଏକା ନ୍ୟାୟରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟ ପରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନଙ୍କୁ କୌଣସି ଅନ୍ୟ ସାମ୍ୱିଧାନିକ ପଦପଦବୀରେ ଅଧିଷ୍ଠିତ କରାଇବା ସେହି ନୈତିକତା ଆଧାରର ବିରୁଦ୍ଧାଚରଣ କରିବ ନାହିଁ କି?

ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିବା ଦାୟିତ୍ୱ ନିର୍ବାଚନ କମିଶନଙ୍କର। ଏହି ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାକୁ ତିନିଟି ପର୍ଯ୍ୟାୟରେ ସୁନିଶ୍ଚିତ କରିବାକୁ ହୋଇଥାଏ – ନିର୍ବାଚନ ପୂର୍ବରୁ, ନିର୍ବାଚନ ସମୟରେ ଓ ନିର୍ବାଚନ ପରେ। ଏ ପର୍ଯ୍ୟନ୍ତ ନିର୍ବାଚନକୁ ଅର୍ଥବଳ ଓ ବାହୁବଳର ପ୍ରଭାବରୁ ମୁକ୍ତ ରଖି ତାକୁ ଯଥାସମ୍ଭବ ହିଂସାରହିତ ଓ ଦୁର୍ନୀତିରହିତ କରିବା ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ପ୍ରଦାନ କରୁଥିବା ଦେଖାଯାଉଛି। ଅଧିକ ସଂଖ୍ୟକ କେନ୍ଦ୍ରୀୟ ବଳ ନିୟୋଜିତ କରି ନିର୍ବାଚନୀ ହିଂସାକୁ ପ୍ରତିହତ କରିବା ସହ ମତଦାତାଙ୍କ ମଧ୍ୟରେ ନିର୍ଭୟରେ ମତଦାନ କରିବାକୁ ବିଶ୍ୱାସ ସୃଷ୍ଟି  କରାଯାଉଛି। ତେବେ ଏହି କ୍ରମରେ କୋଭିଡ ଭଳି ମହାମାରୀର ସଂକ୍ରମଣ କାଳରେ କେବଳ ହିଂସାରହିତ ଓ ଦୁର୍ନୀତିରହିତ ନିର୍ବାଚନ ହିଁ ମୁକ୍ତ ଓ ଅବାଧ ନିର୍ବାଚନର ପରିମାପକ ବୋଲି କହି ହେବନାହିଁ।

ମହାମାରୀ ସମୟରେ କୋଭିଡ ନିୟମ ଅନୁପାଳନ କରିବାକୁ ବୀତସ୍ପୃହ ରାଜନୈତିକ ଦଳ, ପ୍ରଚାର ସହ ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ଏବଂ ଜନସାଧାରଣଙ୍କ ଦ୍ୱାରା ସଂକ୍ରମଣ ବୃଦ୍ଧି ପାଇ ଯେଉଁ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହେଉଛି, ତାହା ମଧ୍ୟ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାରେ ଅନ୍ତରାୟ ସୃଷ୍ଟି କରୁଛି। ତେଣୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯୋଗୁ ସଂକ୍ରମଣ ବୃଦ୍ଧି ପାଇ ନିର୍ବାଚନ ବେଳେ ଏବଂ ନିର୍ବାଚନ ପରିସମାପ୍ତି ପରେ ଜନସ୍ୱାସ୍ଥ୍ୟ ପ୍ରଭାବିତ ହେଲେ ସେଥିପାଇଁ ନିର୍ବାଚନ କମିଶନ ଉତ୍ତରଦାୟୀ ରହିବେ କି?

ଏଣିକି ନିର୍ବାଚନ ତାରିଖ ଘୋଷଣା କଲା ବେଳେ ଜନସ୍ୱାସ୍ଥ୍ୟ ଉପରେ ନିର୍ବାଚନୀ ପ୍ରଚାରର ସମ୍ଭାବ୍ୟ କୁପ୍ରଭାବକୁ ମଧ୍ୟ ନିର୍ବାଚନ କମିଶନ ଗୁରୁତ୍ୱର ସହିତ ବିଚାର କରିବା ଉଚିତ। ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ସ୍ଥାନରେ ଅସମୟରେ ଅପ୍ରତ୍ୟାଶିତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଦେଖିବାକୁ ମିଳିପାରେ। ତେଣୁ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନକୁ ସ୍ଥଗିତ ରଖା ଯାଇପାରିବ ବୋଲି ସାମ୍ୱିଧାନିକ ବିଧିବ୍ୟବସ୍ଥା ରହିବା ସହ ଜନ ପ୍ରତିନିଧି ଆଇନରେ ମଧ୍ୟ ସଂଶୋଧନର ଆବଶ୍ୟକତା ରହିଛି।

ଜନ ପ୍ରତିନିଧି ଆଇନ, ୧୯୫୧ର ଧାରା ୫୨ ଅନୁଯାୟୀ ନିର୍ବାଚନ ସରିବା ପୂର୍ବରୁ କୌଣସି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନିଧନ ହେଲେ ସମ୍ପୃକ୍ତ ଆସନ ପାଇଁ ନିର୍ବାଚନକୁ ସ୍ଥଗିତ ରଖା ଯାଇଥାଏ। ସେହି ଯୁକ୍ତିରେ କୌଣସି ମହାମାରୀ ବା ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଅତ୍ୟଧିକ ଧନଜୀବନର ହାନି ହେଉଥିବାରୁ ବା ହାନି ହେବାର ଆଶଙ୍କା ଥିବାରୁ ନିର୍ବାଚନ ସ୍ଥଗିତ ରଖିବା ପାଇଁ କମିଶନଙ୍କୁ କ୍ଷମତା ଦେବା ଉଚିତ ହେବ ନାହିଁ କି? ଏପରିକି ବିଶେଷ ପରିସ୍ଥିତିକୁ ଆଖି ଆଗରେ ରଖି ଘୋଷିତ ନିର୍ବାଚନ ତାରିଖକୁ ଆଗେଇବା ବା ପଛାଇବା ପାଇଁ କମିଶନ କ୍ଷମତାପ୍ରାପ୍ତ ହେବା ବିଧେୟ।

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି, ବିଭିନ୍ନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦଳର ନେତା, ଅଭିନେତା ଓ ଅନ୍ୟମାନଙ୍କ ଦ୍ୱାରା ବିଶାଳ ସଭା ଓ ଶୋଭାଯାତ୍ରାମାନ ଆୟୋଜନ କରି ଯେଉଁ ଭଳି ଦାୟିତ୍ୱହୀନ ଭାବରେ ନିର୍ବାଚନ ପ୍ରଚାର କରାଗଲା ଓ ନିଜ ନିଜ ସଭାରେ ଅସୁରକ୍ଷିତ ଅବସ୍ଥାରେ ହଜାର ହଜାର ସଂଖ୍ୟାରେ ଲୋକ ଏକଜୁଟ ହେବାକୁ ଯେଉଁପରି ଗର୍ବ ସହକାରେ ଡିଣ୍ଡିମ ପିଟାଗଲା, ତାହା ବାସ୍ତବିକ ନିନ୍ଦନୀୟ। ନିର୍ବାଚନ କମିଶନଙ୍କୁ ତାଙ୍କ କାର୍ଯ୍ୟରେ ସହଯୋଗ କରିବା ଦାୟିତ୍ୱ ଥିବା ଏହି ଦଳ ଓ ନେତାମାନେ ନିଶ୍ଚିତ ଭାବେ ସେମାନଙ୍କ କର୍ତ୍ତବ୍ୟରେ ଅବହେଳା କରିଛନ୍ତି, ଯେଉଁଥିପାଇଁ ନିର୍ବାଚନ କମିଶନଙ୍କୁ ଉଚ୍ଚ ଅଦାଲତଙ୍କ ଭର୍ତ୍ସନାର ଶରବ୍ୟ ହେବାକୁ ପଡ଼ିଛି। ଭବିଷ୍ୟତରେ ଯେପରି ଏ ଧରଣର ତ୍ରୁଟି ପୁଣି ଦୋହରା ନ ଯାଏ ସେଥିପାଇଁ ସମସ୍ତେ ସତର୍କ ରହିବା ସହ ଜନସାଧାରଣ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ସହ ହେଉଥିବା ଖେଳକୁ ପ୍ରତିରୋଧ କରିବାକୁ ସଜାଗ ରହିବା ଆବଶ୍ୟକ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।