ଦେବେନ୍ଦ୍ର ପୃଷ୍ଟି
୨୦୨୦ ଜାନୁଆରୀ ୨୭ ତାରିଖରେ ରାଜଧାନୀ ପୁଲିସ ଦୁଇ ଜଣ ଛାତ୍ରଙ୍କଠାରୁ ୨୪ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହିତ ସେମାନଙ୍କୁ ଗିରଫ କରିଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଇଂଜିନିଅରିଂ ଛାତ୍ର ହୋଇଥିବାବେଳେ ଅନ୍ୟ ଜଣେ ଗ୍ରାଜୁଏଟ୍ ବୋଲି ପୁଲିସ ସୂଚନା ଦେଇଛି।
୨୦୧୯ ଜାନୁଆରୀ ୧୫ ତାରିଖରେ ରାଜଧାନୀ ପୁଲିସ ପଟିଆ ବିଗ୍ ବଜାର ଅଞ୍ଚଳରୁ ଜଣେ ଇଂଜିନିଅରିଂ ଛାତ୍ରକୁ ବ୍ରାଉନ୍ ସୁଗାର କାରବାର କରୁଥିବା ଅଭିଯୋଗରେ ଗିରଫ କରିଥିଲେ। ତାଙ୍କ ନିକଟରୁ ୬୦ ଗ୍ରାମ ବ୍ରାଉନ୍ ସୁଗାର୍ ଜବତ ହୋଇଥିଲା।
୨୦୧୯ ଫେବୃଆରୀ ୧୩ ତାରିଖରେ ଭୁବନେଶ୍ୱର ପୁଲିସ ରାଜଧାନୀର ସାଲିଆ ସାହି ବସ୍ତିରୁ ଜଣେ ବିଟେକ୍ ପାସ୍ ଛାତ୍ରକୁ ବ୍ରାଉନ୍ ସୁଗାର୍ କାରବାର ଅଭିଯୋଗରେ ଗିରଫ କରିଥିଲେ। ତାଙ୍କ ନିକଟରୁ ୮୩ ଗ୍ରାମର ବ୍ରାଉନ୍ ସୁଗାର ଜବତ ହୋଇଥିଲା।
୨୦୧୮ ଅଗଷ୍ଟ ୧୧ ତାରିଖରେ ନୟାଗଡ଼ ଜିଲ୍ଲା ନୟାଗଡ଼ ଥାନା ଅନ୍ତର୍ଗତ ସାଗର ପୁଷ୍କରିଣୀ ନିକଟରୁ ଦୁଇ ଜଣ ଛାତ୍ରଙ୍କୁ ବ୍ରାଉନ ସୁଗାର୍ କାରବାର କରୁଥିବା ଅଭିଯୋଗରେ ଗିରଫ କରିଥିଲା ନୟାଗଡ଼ ପୁଲିସ। ସେମାନଙ୍କ ନିକଟରୁ ୧ ଗ୍ରାମର ବ୍ରାଉନ ସୁଗାର୍ ସହିତ ୪ ହଜାର ଟଙ୍କା ଜବତ କରାଯାଇଥିଲା। ସେମାନ ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ବ୍ରାଉନ୍ ସୁଗାର୍ ସଂଗ୍ରହ କରି ନୟାଗଡ଼ରେ କାରବାର ଚଳେଇଥିଲେ। ସେ ଦୁହେଁ ଯୁକ୍ତ ୩ ଛାତ୍ର ଥିଲେ।
ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ସହରାଞ୍ଚଳରେ ନିଷିଦ୍ଧ ନିଶା ଦ୍ରବ୍ୟ ବ୍ରାଉନ୍ ସୁଗାର୍ କାରବାର ସହିତ ସଂପୃକ୍ତ ଏହିପରି ବହୁ ଛାତ୍ର ଧରାପଡ଼ିବା ନିଶ୍ଚୟ ସରକାର ଓ ଛାତ୍ର ସମାଜ ପାଇଁ ଚିନ୍ତାର କାରଣ। ଏହା ମଧ୍ୟ ଛାତ୍ରମାନଙ୍କର ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ହେବା ଉଚିତ। ହୋଇଥିବ ନିଶ୍ଚୟ। ଅଧିକରୁ ଅଧିକ ଛାତ୍ର, ବିଶେଷକରି ଇଂଜିନିଅରିଂ ଛାତ୍ରମାନେ କାହିଁକି ଏହି ନିଷିଦ୍ଧ ଦ୍ରବ୍ୟ କାରବାରରେ ସଂପୃକ୍ତ ହେଉଛନ୍ତି ସେ ନେଇ ପୁଲିସ, ଆଇନଜୀବୀ, ମନସ୍ତତ୍ତ୍ୱ ବିଜ୍ଞାନୀ, ସମାଜ ବିଜ୍ଞାନୀ, ଶିକ୍ଷାବିତ୍ ଏବଂ ପ୍ରାଶାସନିକ ଅଧିକାରୀମାନେ ମିଶି ସମୀକ୍ଷା କରିବା ସହିତ କିପରି ଛାତ୍ରମାନଙ୍କୁ ଏହି ଅପରାଧ ଓ କ୍ଷତିକାରକ ନିଶା କାରବାରରୁ ଦୂରେଇ ନେଇପାରିବେ ସେ ଦିଗରେ ସଂସ୍କାର ପଦକ୍ଷେପ ଗ୍ରହଣ କରାଯିବା ଉଚିତ।
ସହରାଞ୍ଚଳର ଅଧିକରୁ ଅଧିକ ଛାତ୍ର, ବିଶେଷକରି ଇଂଜିନିଅରିଂ ଛାତ୍ର ନିଷିଦ୍ଧ ବ୍ରାଉନ୍ ସୁଗାର୍ ନିଶାଦ୍ରବ୍ୟ କାରବାରରେ ସଂପୃକ୍ତ ହେବା ନିଶ୍ଚୟ ରାଜ୍ୟର ସାମାଜିକ ସ୍ୱାର୍ଥ ପାଇଁ ଶୁଭଙ୍କର ନୁହେଁ। ନିଶା ସେବନ ଯେପରି ଦେହ ପାଇଁ କ୍ଷତିକାରକ ନିଶା କାରବାର ମଧ୍ୟ ଠିକ ସେହିପରି ସାମାଜିକ ସ୍ୱାସ୍ଥ୍ୟ ଓ ଶାନ୍ତି ପାଇଁ ହିତକର ନୁହେଁ। ଏକଥା ଉଚ୍ଚ ଶିକ୍ଷିତ ଛାତ୍ରମାନେ ଅଧିକ ବୁଝିବା କଥା। କେବଳ ବୁଝିବା କଥା ନୁହେଁ, ସେମାନେ ଏ ବିଷୟରେ ଅନ୍ୟମାନଙ୍କୁ ମଧ୍ୟ ବୁଝେଇବା କଥା। ଅଥଚ, ସେମାନେ ହିଁ ଏହି କାରବାରରେ ସଂପୃକ୍ତ ହେଉଛନ୍ତି। ଖାଲି ଯେ ନିଶା କାରବାରରେ ଛାତ୍ରମାନେ ସଂପୃକ୍ତ ହେଉଛନ୍ତି, ନିଶା ସେବନ କରୁ ନାହାନ୍ତି ତାହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ବରଂ ରାଜଧାନୀର ଅନେକ ଇଂଜିନିଅରିଂ ଛାତ୍ର ବ୍ରାଉନ୍ ସୁଗାର୍ ସେବନ କରନ୍ତି ବୋଲି ବିଶ୍ୱାସ କରିବା ଆଦୌ ଅମୂଳକ ହେବ ନାହିଁ।
ଆଜିକାଲିର ଅତ୍ୟାଧୁନିକ ଗେଜେଟ୍ ବ୍ୟବହାରକାରୀ ଛାତ୍ରମାନେ ବ୍ରାଉନ୍ ସୁଗାର୍ ବିଷୟରେ ଅନେକ ସୂଚନା ପାଇବା ସ୍ୱାଭାବିକ କଥା। ବ୍ରାଉନ୍ ସୁଗାର୍ର କ୍ଷତିକାରକ ଗୁଣ ବିଷୟରେ ମଧ୍ୟ ସେମାନେ ଚାହିଁଲେ ସହଜରେ ଅନେକ ତଥ୍ୟ ପାଇପାରିବେ। ସ୍ମାର୍ଟ ଫୋନ୍, ଲ୍ୟାପ୍ ଟପ୍, ଆଇପ୍ୟାଡ଼ ଆଦି ଯନ୍ତ୍ର ବ୍ୟବହାର କରୁଥିବା ଇଂଜିନିଅରିଂ ଓ ଅନ୍ୟ ବିଷୟର ଛାତ୍ରଛାତ୍ରୀଙ୍କ ପାଇଁ ଆଜିକାଲ ଅଜଣା ଓ ଗୋପନ ହୋଇ ପ୍ରାୟ କିଛି ରହିନାହିଁ। ହଷ୍ଟେଲ୍ ଓ କ୍ଲାସ୍ ରୁମ୍ରେ ବସି ସେମାନେ ଅନେକ କଥା ଜାଣିପାରୁଛନ୍ତି। ସେମାନେ ଜାଣନ୍ତି ଯେ ବ୍ରାଉନ୍ ସୁଗାର୍ ଏକ କ୍ଷତିକାରକ ନିଶାଦ୍ରବ୍ୟ। ସେମାନେ ଏହା ମଧ୍ୟ ଜାଣନ୍ତି ଯେ ଏହା ଏକ ନିଷିଦ୍ଧ ନିଶାଦ୍ରବ୍ୟ। ଏହି ନିଶାଦ୍ରବ୍ୟ କିଣିବା, ବିକିବା ଓ ସେବନ କରିବା ଆଇନତଃ ଅପରାଧ ବୋଲି ମଧ୍ୟ ସେମାନେ ସହଜରେ ଜାଣିଥିବେ। ତଥାପି କାହିଁକି, ଅଧିକରୁ ଅଧିକ ଛାତ୍ର ଏହି କାରବାର ସହିତ ଜଡ଼ିତ ହେଉଛନ୍ତି? କ’ଣ ଏହାର ଆକର୍ଷଣ? କାହିଁକି ବ୍ରାଉନ୍ ସୁଗାର୍ ପାଲରେ ପଡ଼ିଛନ୍ତି ସେମାନେ? ସେଥିରୁ କି ସୁଖ ଓ ଶାନ୍ତି ସେମାନଙ୍କୁ ମିଳୁଛି?
ଏସବୁ ପ୍ରଶ୍ନର ଯେତିକି ସରଳ ସେତିକି ଜଟିଳ। ଏଭଳି ପ୍ରତ୍ୟେକ ଘଟଣାର ସ୍ୱତନ୍ତ୍ର ଓ ନିରପେକ୍ଷ ଭାବେ ତଦନ୍ତ ଓ ତର୍ଜମା କରାଗଲେ ଅନେକ କଥା ପଦାକୁ ଆସିବ। କେଉଁ କ୍ଷେତ୍ରରେ ଅନାବଶ୍ୟକ ବିଳାସପୂର୍ଣ୍ଣ ଜୀବନ ଜୀଇଁବାର ନିଶାଜନିତ ଅର୍ଥାଭାବ ଦୂର କରିବାକୁ ଏଭଳି ଛାତ୍ରମାନେ ଏହି ବେଆଇନ କାରବାର କରୁଥିବେ। କେତେକ କ୍ଷେତ୍ରରେ ଇଂଜିନିଅରିଂ ଶିକ୍ଷା ନିମନ୍ତେ ଆବଶ୍ୟକ ହେଉଥିବା ପ୍ରଚୁର ଅର୍ଥ ସଂଗ୍ରହ କରିବାକୁ କେହି କେହି ଛାତ୍ର ଏପରି କରୁଥିବେ। କେଉଁ କ୍ଷେତ୍ରରେ ସାଙ୍ଗସାଥୀ ମେଳରେ ପଡ଼ି ବ୍ରାଉନ୍ ସୁଗାର କାରବାରର ଅସାମାଜିକ ଯନ୍ତାରେ ପଡ଼ିଯାଉଥିବେ। କେଉଁ କ୍ଷେତ୍ରରେ ନିଜର ସେବନ ପାଇଁ କିଣୁ କିଣୁ ଅନ୍ୟମାନଙ୍କ ପାଇଁ ବେପାରୀରେ ପରିଣତ ହେଉଥିବେ। ପୁଣି କେତେକ କ୍ଷେତ୍ରରେ କେବଳ ସହଜ ଅର୍ଥ ଉପାର୍ଜନ କରିବାର ନିଶା ଏଭଳି କେତେକ ଛାତ୍ରଙ୍କୁ ଏହି କାରବାର ପ୍ରତି ଆକୃଷ୍ଟ କରୁଥିବ।
ଏ ସମସ୍ତ କାରଣ ଓ ପରିସ୍ଥିତି ପାଇଁ ସରକାର ଓ ସମାଜ ମିଳିତ ଭାବରେ ଦାୟୀ। ଇଂଜିନିଅରିଂ ଶିକ୍ଷାକୁ ବ୍ୟୟବହୁଳ କରାଯାଇଛି କାହିଁକି? କେଉଁ ବର୍ଗର ପିଲାମାନେ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି ପାଠ ପଢ଼ିପାରିବେ ବା ପଢ଼ୁଛନ୍ତି? ମୁଖ୍ୟତଃ ଘରୋଇ କ୍ଷେତ୍ରରେ ପ୍ରତିଷ୍ଠିତ ଇଂଜିନିଅରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ଅଧିକ ଅର୍ଥଲାଭ ନିମନ୍ତେ ଅଧିକ ସିଟ୍ ଖୋଲି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆକର୍ଷଣ କରିବା ପାଇଁ ଯେଉଁ ଲୋଭନୀୟ କଲେଜ ଓ ହଷ୍ଟେଲ ଜୀବନଶୈଳୀର ବ୍ୟବସ୍ଥା କରିଛନ୍ତି ତାହା ସେମାନଙ୍କୁ ବିପଥଗାମୀ କରୁନାହିଁ ତ? କେତେକ ନିର୍ଦ୍ଦିଷ୍ଟ ଘରୋଇ ଇଂଜିନିଅରିଂ କଲେଜ୍ରେ ପଢ଼ୁଥିବା ରାଜ୍ୟ ଓ ଦେଶ ବାହାରର ଛାତ୍ରଙ୍କ ଜରିଆରେ ଏହି ବଦଭ୍ୟାସ ସେମାନଙ୍କର ଓଡ଼ିଆ ସାଙ୍ଗମାନଙ୍କୁ ଆକ୍ରାନ୍ତ କରୁନାହିଁ ତ? ସେମାନଙ୍କର ନିଶାପାଣି ସେବନ ଓ କାରବାର ସଂପର୍କରେ ସୂଚନା ଓ ସଂକେତ ପାଇଲେ ମଧ୍ୟ ଏଭଳି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେମାନଙ୍କୁ ସୁଧାରିବା କିମ୍ବା ଦଣ୍ଡ ଦେବା ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ତାହାକୁ ଘୋଡ଼େଇ ପକେଇବାକୁ ଅଧିକ ଆଗ୍ରହୀ? ବ୍ୟାବସାୟିକ-ଉଦ୍ଦେଶ୍ୟ ପ୍ରଣୋଦିତ ସେମାନଙ୍କର ଏହି ଛାତ୍ର-ସୁରକ୍ଷା ପ୍ରୀତି ଯୋଗୁଁ ଅଧିକରୁ ଅଧିକ ଛାତ୍ର ଏହି ନିଶା ଓ ଏହାର କାରବାର ପ୍ରେମରେ ପଡ଼ୁ ନାହାନ୍ତି ତ? କେତେକ ଘଟଣାରେ ପୁଲିସ ଓ ଶାସନ କଳ ସହିତ ସଂପୃକ୍ତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏ ବିଷୟରେ ଖବର ପାଉଥିଲେ ମଧ୍ୟ ଛାତ୍ରମାନଙ୍କୁ ଏହି କାରବାରରୁ ଦୂରେଇବା ପାଇଁ ସେମାନେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି? ନା କାହାର ପ୍ରତିଷ୍ଠା ଓ ସମ୍ମାନରେ ଆଞ୍ଚ ଆସିବ ବୋଲି ଧରିନେଇ ପ୍ରଶାସନ ବି ଅନେକ କଥା ଘୋଡ଼େଇ ପକଉଛି?
ସେମାନେ ଯଦି ଏଭଳି ନିଷିଦ୍ଧ ନିଶାର ପାଲରେ ପଡ଼ିବେ, ଏହି ନିଶା କାରବାରର ବ୍ୟାପ୍ତିରେ ଅଂଶୀଦାର ହେବେ ତେବେ ଦେଶ ଓ ସମାଜର ଭବିଷ୍ୟତ କ’ଣ ହେବ? ଭୁବନେଶ୍ୱର ପରି ସହରରେ ବୃଦ୍ଧି ପାଉଥିବା ଛିନ୍ତାଇ ବା ବାଟଗଲା ମହିଳାଙ୍କ ସୁନା ହାର ଆଦି ଲୁଟ୍, ଏଟିଏମ ଓ ବ୍ୟାଙ୍କ ସାମ୍ନାରୁ ନଗଦ ଟଙ୍କା ଲୁଟ୍ ବା ରାହାଜାନି, ମୋଟର ସାଇକେଲ ଆଦି ଚୋରି, ବରିଷ୍ଠ ନାଗରିକମାନଙ୍କ ଅସହାୟତାର ସୁଯୋଗ ନେଇ ଲୁଟ୍ ଆଦି ଘଟଣା ପଛରେ ଏହିପରି ନିଶାସକ୍ତ ଛାତ୍ର ଓ ଯୁବ ଗୋଷ୍ଠୀର ଭୂମିକା ନାହିଁ ତ? ସରକାର ଓ ସମାଜକୁ ଏଭଳି ଅନେକ ଉତ୍ତର ଖୋଜିବାକୁ ପଡ଼ିବ। ଛାତ୍ର ସମାଜ ହେଲେ ସମାଜ ଓ ଦେଶର ଭବିଷ୍ୟତ। ଦେଶର ଭବିଷ୍ୟତ ଉଜାଡ଼ିବାରେ ସହାୟକ ହେଉଥିବା ଲୋକମାନେ କେଉଁ ପ୍ରକାର ଶିକ୍ଷାବିତ୍ ଓ ପ୍ରଶାସକ, ପୁଲିସ ଓ ନେତା? ଏ ପ୍ରଶ୍ନର ଉତ୍ତର ଖୋଜନ୍ତୁ ଅଭିଭାବକଗଣ ଓ ସେମାନଙ୍କ ଅର୍ଥରେ ସମୃଦ୍ଧିର ସୋପାନ ଚଢ଼ୁଥିବା ଶିକ୍ଷା-ବେପାରୀମାନେ। ସରକାର ମଧ୍ୟ ଏଭଳି ବେପାରୀ ଓ ନିଶାସକ୍ତ ଛାତ୍ର ଗୋଷ୍ଠୀଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତୁ। ପୁଲିସ ଏଭଳି ଅସାମାଜିକ ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ପଛଘୁଞ୍ଚା ନଦେଉ। ସର୍ବୋପରି ସାଧାରଣ ନାଗରିକମାନେ ମଧ୍ୟ ଏଭଳି ବେଆଇନ କାରବାର ସଂପର୍କରେ ସୂଚନା ପାଇଲେ ତୁରନ୍ତ ପୁଲିସ ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଅବଗତ କରି ନିଜର ସାମାଜିକ କର୍ତ୍ତବ୍ୟ ନିର୍ବାହ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।