ଏଥିପାଇଁ ନବୀନବାବୁ ଦାୟୀ ନୁହନ୍ତି !

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶାର ସବୁ ପ୍ରକାର ବିଫଳତା ପାଇଁ ୨୦ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ଠିକ ନୁହେଁ। କୋଡ଼ିଏ ବର୍ଷରେ ତ ଜଣକର ନାବାଳିକି କଟି ନଥାଏ। ଆଜିକାଲି ତ ପୁଣି ୨୫-୩୦ ବର୍ଷ ପୂର୍ବରୁ ଅନେକ ଟୋକାଏ ଘର ବସେଇବା ଯୋଗ୍ୟ ହେଉ ନାହାନ୍ତି, ମାନେ ରୋଜଗାରକ୍ଷମ ହେଉ ନାହାନ୍ତି। ଆଉ ନବୀନବାବୁ ତାଙ୍କର ୨୦ ବର୍ଷର ଶାସନରେ ଓଡ଼ିଶାକୁ କ’ଣ ଏମିତି ବଦଳେଇ ଦେଇପାରିଥାନ୍ତେ ଯେ! ତାଙ୍କୁ କାହିଁକି ସବୁ […]

nabincm

Debendra Prusty
  • Published: Wednesday, 27 November 2019
  • , Updated: 28 November 2019, 07:17 PM IST
  • ଦେବେନ୍ଦ୍ର ପୃଷ୍ଟି

ଡ଼ିଶାର ସବୁ ପ୍ରକାର ବିଫଳତା ପାଇଁ ୨୦ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ଠିକ ନୁହେଁ। କୋଡ଼ିଏ ବର୍ଷରେ ତ ଜଣକର ନାବାଳିକି କଟି ନଥାଏ। ଆଜିକାଲି ତ ପୁଣି ୨୫-୩୦ ବର୍ଷ ପୂର୍ବରୁ ଅନେକ ଟୋକାଏ ଘର ବସେଇବା ଯୋଗ୍ୟ ହେଉ ନାହାନ୍ତି, ମାନେ ରୋଜଗାରକ୍ଷମ ହେଉ ନାହାନ୍ତି। ଆଉ ନବୀନବାବୁ ତାଙ୍କର ୨୦ ବର୍ଷର ଶାସନରେ ଓଡ଼ିଶାକୁ କ’ଣ ଏମିତି ବଦଳେଇ ଦେଇପାରିଥାନ୍ତେ ଯେ! ତାଙ୍କୁ କାହିଁକି ସବୁ ବିଫଳତା ପାଇଁ ଦାୟୀ କରାଯିବ? ସେ ତ ନିଜ ମୁଖ୍ୟମନ୍ତ୍ରିତ୍ୱ ପାଇଁ ବି ଦାୟୀ ନୁହନ୍ତି। ସେ କ’ଣ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ହେବାକୁ? ତାଙ୍କୁ ଅନ୍ୟମାନେ ଆଣି ନେତା କଲେ, ଦଳ ଗଢ଼ିଲେ ଓ ମୁଖ୍ୟମନ୍ତ୍ରୀ କଲେ। ତା’ ପରଠୁଁ ତାଙ୍କ ସ୍ଥାୟିତ୍ୱ ଓ ଦାୟିତ୍ୱର ଭାର ଅନ୍ୟମାନେ ମୁଣ୍ଡେଇଛନ୍ତି। ଯଦି ବି ଶାସନରେ କିଛି ଭୁଲଭଟକା ହେଉଛି ତାଙ୍କୁ କାହିଁକି ଦୋଷ ଦିଆଯିବ?

ସବୁ ଦୋଷ ଓଡ଼ିଶାବାସୀଙ୍କର। ସେମାନେ କାହିଁକି ପାଠ ପଢ଼ୁ ନାହାନ୍ତି? ଗାଁ ସ୍କୁଲରେ ଯଦି ମାଷ୍ଟର ନାହାନ୍ତି ସେମାନେ କାହିଁକି ମାଷ୍ଟର ପୋଷୁ ନାହାନ୍ତି? ସେମାନେ କାହିଁକି ରୋଜଗାର କରୁ ନାହାନ୍ତି? କିଏ ତାଙ୍କୁ ମନା କରିଛି କି ବିଲବାଡ଼ି ପଡ଼ିଆ ପକେଇ ନେତାଙ୍କ ପଛରେ ଗୋଡ଼େଇବାକୁ? ସେମାନେ କାହିଁକି ଭଲ ଭଲ ଖାଦ୍ୟ ଖାଉ ନାହାନ୍ତି? ଓଡ଼ିଶାର ଅନେକ ବଜାରରେ ଦେଶୀ ଫଳମୂଳ ନମିଳୁ ପଛେ ବିଦେଶୀ ଫଳମୂଳର ଅଭାବ ଅଛି କି? ଦେହ ଖରାପ ହେଲେ ଦାମୀ ଡାକ୍ତରଖାନା ଯାଉ ନାହାନ୍ତି କାହିଁକି? ରାଜ୍ୟରେ ସରକାରୀ ଡାକ୍ତରଖାନା ସିନା ଭଲ ନୁହେଁ, ସରକାରୀ ଡାକ୍ତର ସିନା ନାହାନ୍ତି, ଘରୋଇ ଡାକ୍ତରଖାନାରେ ପରା ସବୁ ସୁବିଧା ଅଛି! ଲୋକେ ସେଠାକୁ ନଯାଇ ସରକାରୀ ଡାକ୍ତରଖାନା କାହିଁକି ଯାଉଛନ୍ତି? ଯଦି ସେଠାରେ ଡାକ୍ତର ନାହାନ୍ତି ବା ଔଷଧ ନାହିଁ ତେବେ ଗଣ୍ଡଗୋଳ କାହିଁକି କରୁଛନ୍ତି? ନବୀନବାବୁ କ’ଣ ଗଣ୍ଡଗୋଳ କରିବାକୁ କହିଛନ୍ତି? ସେ ପରା ଅହିଂସା ଧର୍ମରେ ବିଶ୍ୱାସ କରନ୍ତି! ସମ୍ବିଧାନ ମୁଖବନ୍ଧରେ ଅହିଂସା ଶବ୍ଦ ଯୋଡ଼ିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା କଥା ଭୁଲିଗଲେ ଚଳିବ କି?

ବେକାରୀ, ବେରୋଜଗାରୀ ଓ ଅଶିକ୍ଷା ଆଦି କ୍ଷେତ୍ରରେ ଯଦି ଓଡ଼ିଶା ରେକର୍ଡ଼ କରିଛି ତେବେ ସେଥିପାଇଁ ନବୀନବାବୁଙ୍କୁ କାହିଁକି ଦାୟୀ କରାଯିବ? ସେ କ’ଣ ଏସବୁ ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ହେଇଛନ୍ତି କି? କେଉଁ ନିର୍ବାଚନରେ ସେ ନିଜ ତୁଣ୍ଡରେ ଏସବୁ ସମସ୍ୟାର ସମାଧାନ କରିବା କଥା କହିଛନ୍ତି? ସେ ଯାହା କହିଛନ୍ତି ତାହା କରିଛନ୍ତି। ସେ କହିଥିଲେ ତାଙ୍କ ଶାସନରେ କେହି ଖାଦ୍ୟାଭାବରେ ରହିବେ ନାହିଁ। ତାହା ସେ କରି ଦେଖାଇଛନ୍ତି, ଘରେ ଘରେ ସରକାରୀ ଚାଉଳ ପହଂଚାଇଛନ୍ତି, ଯୋଗ୍ୟ ଅଯୋଗ୍ୟ ମିଶେଇ ସମସ୍ତେ ପାଉଛନ୍ତି। ସେ କହିଥିଲେ କାଳିଆ ଯୋଜନାରୁ ଜଣେ ହେଲେ ବି ଚାଷୀ ବାଦ ପଡ଼ିବେ ନାହିଁ। କେହି ପଡ଼ିଲେ କି? ବହୁ ଅଯୋଗ୍ୟ ଟଙ୍କା ପାଇଲେ ବରଂ କେହି ବାଦ ପଡ଼ିବା କଥା କହିନାହାନ୍ତି। ଏଥିରେ ତାଙ୍କୁ କାହିଁକି ଦୋଷ ଦିଆଯିବ?

ନବୀନବାବୁଙ୍କୁ ଓଡ଼ିଶା ରାଜନୀତିରେ ଉଠେଇବା ପାଇଁ ତାଙ୍କ ଦଳର ନେତାମାନେ ପହିଲୁ ପହିଲୁ ପ୍ରଚାର କରିଥିଲେ ‘ଓଡ଼ିଶାରେ ନବୀନ ସୂର୍ଯ୍ୟ ଉଦୟ ହେଲେ’। ସୂର୍ଯ୍ୟ ଉଇଁଲେ ସେ କ’ଣ ଲୋକଙ୍କ ପିଠିରେ ପଡ଼ନ୍ତି! ସୂର୍ଯ୍ୟ ତାଙ୍କର ତାଙ୍କ ବାଟରେ ଯିବେ ନା କେଉଁ ଲୋକ ଅନ୍ଧାରରେ ରହିଲେ ତାହା ଦେଖିବାକୁ ଆକାଶରୁ ତଳକୁ ଖସିବେ? ନବୀନ-ସୂର୍ଯ୍ୟ ଠିକ ସେହିପରି। ସେ ତାଙ୍କର ନିଜ ବାଟରେ ଚାଲିଛନ୍ତି। ଲୋକେ ଖରା ଖାଆନ୍ତୁ ବା କାକର!

ଉଚ୍ଚଶିକ୍ଷା ଦରକାର ନାହିଁ। ତୁଚ୍ଛା କଲେଜ, କ୍ଲାସ୍‌, ପରୀକ୍ଷା ଆଦି ଝାମିଲାରେ କାହିଁକି ପଶିବା? ବିଜେଡିରେ ଏବେ ୮୦ ଲକ୍ଷ ସଭ୍ୟ। ଆଉ ୪୦ ଲକ୍ଷ ଅଶିକ୍ଷିତ ବିଜେଡି ସଭ୍ୟ ହେଲେ ଆହୁରି ଭଲ। ସମସ୍ତେ ଦଳର ସଂପତ୍ତି, ନବୀନଙ୍କର ଆସେଟ୍‌!

ଲୋକେ ତ ତାଙ୍କ ନେତୃତ୍ୱକୁ ପସନ୍ଦ କରିଛନ୍ତି। ତାଙ୍କ ନେତୃତ୍ୱକୁ ମାନେ ତାଙ୍କ ସଫଳତାକୁ। ତାଙ୍କ କାମ କଥା କିଏ ତର୍ଜମା କରିଛି କି? ତାଙ୍କ ଅମଳରେ ଓଡ଼ିଶାର ଯୁବ ବେକାରୀ ଅର୍ଥାତ ୧୫-୨୯ ବର୍ଷ ବୟସ ମଧ୍ୟରେ ବେରୋଜଗାରୀ ହାର ୩୩.୮ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ ଏଇ ବୟସର ପ୍ରତି ତିନି ଜଣରେ ଜଣେ ଓଡ଼ିଆ ବେକାର। ସବୁ ବୟସର ବେକାରଙ୍କ କ୍ଷେତ୍ରରେ ଓଡ଼ିଶାର ହାର ୧୫.୭ ପ୍ରତିଶତ। ମହିଳାଙ୍କ ବେକାରୀ ହାର ୩୯.୨ ପ୍ରତିଶତ। ଅର୍ଥାତ ପ୍ରତି ୨.୫ ଜଣରେ ଜଣେ ମହିଳା ବେକାର। ଏଥିପାଇଁ ମହିଳାମାନେ କ’ଣ ତାଙ୍କୁ ଦୋଷ ଦେଉଛନ୍ତି? ଓଲଟି ସେମାନେ ହିଁ ତାଙ୍କର ସବୁଠୁ ବଡ଼ ଭୋଟବ୍ୟାଙ୍କ୍‌। ଦିନକୁ ୭ ଜଣ ମହିଳା ଧର୍ଷଣର ଶିକାର ହେଲେ ବି ସେମାନଙ୍କୁ ବାଧେ ନାହିଁ। ଧର୍ଷଣକାରୀମାନେ ରାଜନୀତିକ ପୃଷ୍ଠପୋଷକତା ପାଇଲେ ବି ସେମାନେ ପ୍ରଶ୍ନ କି ପ୍ରତିବାଦ କରନ୍ତି ନାହିଁ। ଚୁପ୍‌ଚାପ୍‌ ‘ନବୀନଙ୍କ ଚିହ୍ନ ଶଙ୍ଖ’ରେ ଭୋଟ୍‌ ଦେଇଦିଅନ୍ତି। ସର୍ବଭାରତୀୟ ସ୍ତରରେ ଲକ୍ଷେ ମା’ଙ୍କ ମଧ୍ୟରୁ ୧୬୮ ଜଣ ପ୍ରସବ ଯନ୍ତ୍ରଣାରେ ପ୍ରାଣ ହରାଉଛନ୍ତି। ମାତୃମୃତ୍ୟୁ ହାରରେ ଓଡ଼ିଶା ଆଗରେ ଅଛି ବୋଲି କ’ଣ ନବୀନଙ୍କର ଦୋଷ? ମହିଳା ବିକାଶ ମନ୍ତ୍ରୀ କ’ଣ କରୁଛନ୍ତି କି? ନବୀନ କ’ଣ ମହିଳାଙ୍କ ପାଇଁ କମ୍‌ ଯୋଜନା କରିଛନ୍ତି? ଜନନୀ ସୁରକ୍ଷା ଯୋଜନା, ମମତା ଯୋଜନା, ସଂପୂର୍ଣ୍ଣା ଯୋଜନା, ପୁଷ୍ଟି ଯୋଜନା- ଏମିତି କେତେ କ’ଣ? ସେ ଆଶାଦିଦିମାନେ ଖରାପ୍‌ ହୋଇଥିବେ। ସେ ବିଡିଓ, କଲେକ୍ଟର ବା ସଚିବ ଖରାପ୍‌ ହୋଇଥିବେ। ନବୀନ କାହିଁକି ଖରାପ୍‌ ହେବେ?

ନବୀନଙ୍କ ଶାସନ କାଳରେ ସାକ୍ଷରତା ହାର କ’ଣ ବଢ଼ିନି? ଏବେ ପରା ଓଡ଼ିଶାର ୭୭.୩ ପ୍ରତିଶତ ଲୋକ ସାକ୍ଷର? ଏହା କାହା ପାଇଁ ସମ୍ଭବ ହୋଇଛି? କାହା ପାଇଁ ପିଲାମାନେ ଦି’ ଅକ୍ଷର ପାଠ ପଢ଼ିପାରଛନ୍ତି? ନବୀନବାବୁ ଅଛନ୍ତି ବୋଲି ସିନା! ଆଉ କିଏ ମୁଖ୍ୟମନ୍ତ୍ରୀ ହୋଇଥିଲେ କ’ଣ ଓଡ଼ିଶାର ଏତେ ଲୋକ ଅକ୍ଷର ଚିହ୍ନି ପାରିଥାନ୍ତେ? ଲୋକେ କହିବେ ଓଡ଼ିଶାର ପ୍ରାୟ ୩୧ ପ୍ରତିଶତ ଲୋକ ମେଟ୍ରିକ ଉପରକୁ ଉଠିନାହାନ୍ତି। ସେଇଠୁ କ’ଣ ହେଲା? ସେମାନେ ପଢ଼ିଲେ ନାହିଁ କାହିଁକି? ସରକାର ତ ମେଧାବୀ ଛାତ୍ରଙ୍କୁ ଲାପ୍‌ଟପ୍‌ ଦେଉଛନ୍ତି! କଲେଜ୍‌ରେ ଲେକ୍‌ଚର ନଥାନ୍ତୁ, କ’ଣଟା ଭାସିଯାଉଛି? ଗ୍ରାମାଞ୍ଚଳର ୭୬ ପ୍ରତିଶତ ଲୋକ ମେଟ୍ରିକରୁ ଅଧିକ ବାଟ ଯାଇନାହାନ୍ତି। ଗ୍ରାମ୍ୟ ମହିଳାଙ୍କ ମଧ୍ୟରୁ ୭୯ ପ୍ରତିଶତ ମାଧ୍ୟମିକ ଶିକ୍ଷା ଉପରକୁ ଉଠି ପାରି ନାହାନ୍ତି। ସେମାନେ କ’ଣ ବୁଝିବା ନବୀନ ଶାସନର ମହତ୍ୱ? ଶସ୍ତା ଚାଉଳ, ଛତା, ଜୋତା, କମ୍ବଳ, ମଶାରି, କାଠ- ମା’ ପେଟରୁ ମଶାଣି ଯାଏଁ ଲୋକଙ୍କ ପାଇଁ ଯୋଜନାର ପୂରା ପକ୍କା ରାସ୍ତା ବିଛେଇ ଦେଇଛନ୍ତି ସରକାର। ଅଧିକ ପାଠ ପଢ଼ି କ’ଣ ହେବ? ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଜୁ ଯୁବ ବାହିନୀ ଅଛି ପରା! ସେଥିପାଇଁ ତ ଉଚ୍ଚଶିକ୍ଷା ଦରକାର ନାହିଁ। ତୁଚ୍ଛା କଲେଜ, କ୍ଲାସ୍‌, ପରୀକ୍ଷା ଆଦି ଝାମିଲାରେ କାହିଁକି ପଶିବା? ବିଜେଡିରେ ଏବେ ୮୦ ଲକ୍ଷ ସଭ୍ୟ। ଆଉ ୪୦ ଲକ୍ଷ ଅଶିକ୍ଷିତ ବିଜେଡି ସଭ୍ୟ ହେଲେ ଆହୁରି ଭଲ। ସମସ୍ତେ ଦଳର ସଂପତ୍ତି, ନବୀନଙ୍କର ଆସେଟ୍‌!

ନବୀନବାବୁ ଓଡ଼ିଶାକୁ ଖେଳ ରାଜଧାନୀ କରିସାରିଲେଣି। ଭୁବନେଶ୍ୱରରେ ହକି ବିଶ୍ୱ କପ୍‌ ଆୟୋଜିତ ହେଉଛି। ବିଜୁ ଯୁବ ବାହିନୀ ଜରିଆରେ ଗାଁ ଗାଁରେ କ୍ରିକେଟ ଖେଳ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖେଳକସ୍‌ରତ୍‌ର ମହତ୍ୱ କେତେ ତାହା ନିନ୍ଦୁକମାନେ କେମିତି ଜାଣିବେ? ଠିକ୍‌ ସେହିପରି ଆଗରୁ କେବଳ ଧନୀ ଲୋକମାନେ ପିଉଥିବା ମଦ ଏବେ ଗାଁ ଗହଳରେ ଉପଲବ୍ଧ- ଧନୀ ଗରିବ ସମସ୍ତେ ଯଥେଷ୍ଟ ପରିମାଣରେ ପିଇବାକୁ ପାଉଛନ୍ତି। ଭାରତବର୍ଷରେ ଏଭଳି ସମାଜବାଦୀ ଚିନ୍ତାନାୟକ କେତେ ଜଣ ଅଛନ୍ତି? ଯେଉଁ ସୋମରସ ଦେବତାମାନେ ପିଉଥିଲେ ତାହା ଏବେ ଘରେ ଘରେ। ସମସ୍ତ ଆନନ୍ଦରେ ପିଉଛନ୍ତି, ମତୁଆଲା ହେଉଛନ୍ତି। ଆଉ କ’ଣ ଦରକାର?

Related story