ଓଡ଼ିଶାରେ ସଂରକ୍ଷଣ ରାଜନୀତି କାହିଁକି?

ରବି ଦାସ

୧୯୯୦ ମସିହାରେ ଭି.ପି. ସିଂହଙ୍କ ସରକାର ମଣ୍ଡଳ କମିଶନ ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ବିଜ୍ଞପ୍ତି ଜାରି କଲେ ତାହା ବିରୋଧରେ ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ହୋଇଥିଲା। ଓଡ଼ିଶାରେ ସେତେବେଳେ ବିଜୁ ପଟ୍ଟନାୟକଙ୍କ ସରକାର ଥିଲା। ସେ ମଣ୍ଡଳ କମିଶନ ସୁପାରିଶର ଜଣେ ସମର୍ଥକ ନଥିଲେ। ତଥାପି ଓଡ଼ିଶାରେ କଂଗ୍ରେସ ଛାତ୍ର ଗୋଷ୍ଠୀ ସଂରକ୍ଷଣ ବିରୋଧରେ ଆନ୍ଦୋଳନ କରିଥିଲେ। ସେଥିରେ ଗୁଳିକାଣ୍ଡ ବି ହୋଇଥିଲା। ବିଜୁ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ଗରିବର ଜାତି ନାହିଁ। କିନ୍ତୁ ଯେହେତୁ କେନ୍ଦ୍ରର ଜନତା ଦଳ ସରକାର ମଣ୍ଡଳ କମଶନ ସୁପାରିଶକୁ କାର୍ଯ୍ୟକାରୀ କରିଥିଲେ ଓ ଏହା ସପକ୍ଷରେ ରାଜ୍ୟରେ ମତଭେଦ ରହିଥିଲା ସେହେତୁ ଜନତା ଦଳ ପକ୍ଷରୁ ବିଭିନ୍ନ ନେତା ଏହି ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟିକଲେ। ସଂରକ୍ଷଣ ସପକ୍ଷବାଦୀମାନଙ୍କ ସଂଗଠନ ଓ ଆନ୍ଦୋଳନ ଦେଖି ଏହାର ଭୋଟ୍ ଉପରେ ପ୍ରଭାବ ବିଷୟରେ ସମସ୍ତେ ଚିନ୍ତାକଲେ। ଭି.ପି. ସିଂହ ସରକାରଙ୍କ ମଣ୍ଡଳ କମିଶନ ସୁପାରିଶ ବିଜ୍ଞପ୍ତିର ସାମ୍ବିଧାନିକ ବୈଧତା ରହିଥିବା ସୁପ୍ରିମକୋର୍ଟର ଏକ ପୂର୍ଣ୍ଣାଙ୍ଗ ସାମ୍ବିଧାନିକ ବେଂଚ ନିଷ୍ପତି କରିବା ପରେ ବିଜୁ ପଟ୍ଟନାୟକ ଏହାକୁ ଆଉ ଏଡ଼ାଇଯିବା ସମ୍ଭବ ହେଲାନାହିଁ। ଅପରପକ୍ଷରେ ତତ୍କାଳୀନ ନରସିଂହ ରାଓଙ୍କ ସରକାର ଏହି ମଣ୍ଡଳ କମିଶନ ସୁପାରିଶ ଅନୁସାରେ କେନ୍ଦ୍ର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଦେଲେ। ଓଡ଼ିଶାରେ ବିଜୁ ପଟ୍ଟନାୟକ ଜଷ୍ଟିସ ନବ ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇ ଓ ଏହାର ରିପୋର୍ଟ ଉପରେ ଓଡ଼ିଶାରେ ୨୭% ସଂରକ୍ଷଣ ପାଇଁ ବ୍ୟବସ୍ଥା ଆରମ୍ଭ କଲେ। କିନ୍ତୁ ସେତେବେଳକୁ ୧୯୯୫ ନିର୍ବାଚନ ଆସିଯାଇଥିଲା ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ।

୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ସରକାର ଆସିବା ପରେ ପଛୁଆବର୍ଗ ନିମନ୍ତେ ୨୭ ଭାଗ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବା ପରେ ୨୦୦୭ରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ରାଜ୍ୟରେ ୨୭ ଭାଗ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ରାୟ ଦେଲେ। ଓଡ଼ିଶା ହାଇକୋର୍ଟ ମଧ୍ୟ ଏହି ରାୟକୁ କାଏମ ରଖିଲେ। କାରଣ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଂଚ ମଣ୍ଡଳ କମିଶନ ସୁପାରିଶକୁ ଗ୍ରହଣ କରିବା ସମୟରେ ନିର୍ଦ୍ଦିଷ୍ଟ ମତ ଦେଇଥିଲେ ଯେ, ମୋଟ୍ ସଂରକ୍ଷଣ ବ୍ୟବସ୍ଥା ଶତକଡ଼ା ୫୦ ଭାଗରୁ ଅଧିକ ହେବ ନାହିଁ। ଜାତୀୟ ସ୍ତରରେ ସେହି ଅନୁସାରେ ପଛୁଆବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ହୋଇଥିଲା। କାରଣ ଅନୁସୂଚିତ ଜାତି, ଜନଜାତିର ମୋଟ ସଂରକ୍ଷଣ ବ୍ୟବସ୍ଥା ଶତକଡ଼ା ୨୩ ଭାଗ ଥିବାରୁ ୫୦ ଭାଗ ପାଇଁ ବାକିଥିବା ୨୭ ଭାଗ କେନ୍ଦ୍ର ସରକାର ସଂରକ୍ଷଣ ବ୍ୟବସ୍ଥା କରିଥିଲେ। କିନ୍ତୁ ଓଡ଼ିଶାରେ ଅନୁସୂଚୀତ ଜାତି ଓ ଜନଜାତିର ସଂରକ୍ଷଣ ବ୍ୟବସ୍ଥା ମୋଟ ୩୮.୫ ହୋଇଥିବାରୁ ଓଡ଼ିଶାରେ ପଛୁଆବର୍ଗ ପାଇଁ ସଂରକ୍ଷଣ ଶତକଡ଼ା ୧୧ରୁ ଅଧିକ ହୋଇପାରିବ ନାହିଁ ବୋଲି କୋର୍ଟ ମତ ଦେଇଥିଲେ। ସେତେବେଳେ ରାଜ୍ୟ ସରକାର ସୁପ୍ରିମକୋର୍ଟ ରାୟରେ ୫୦ ଭାଗ ସଂରକ୍ଷଣ ବ୍ୟବସ୍ଥା ଅତିକ୍ରମ କରିବା ପାଇଁ ରାଜ୍ୟ ପାଖରେ କ’ଣ ସବୁ ତଥ୍ୟ ରହିଛି ତାହାକୁ ଭଲଭାବରେ ଉଲ୍ଲେଖକରି ଉପସ୍ଥାପିତ କରିବାର ଯେଉଁ ଆବଶ୍ୟକତା ରହିଥିଲା ତାହାକୁ ପୂରଣ କରିବା ପାଇଁ କୌଣସି ଉଦ୍ୟମ କଲେନାହିଁ। ସେତେବେଳେ ରାଜ୍ୟରେ ବିଜେଡି-ବିଜେପିର ମିଳିତ ସରକାର ଥିଲା।

ଏବେ ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଗତ ଦେଢ଼ବର୍ଷ ହେଲା ପୌର ନିର୍ବାଚନ ବି ହୋଇପାରିନାହିଁ। ଯଦିଓ ପ୍ରଥମ ସରକାରୀ ନିଷ୍ପତି ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ର ପାଇଁ ଲାଗୁ ହୋଇଥିଲା କିନ୍ତୁ ପଂଚାୟତ ଓ ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ଥିବା ବ୍ୟବସ୍ଥା ଭିତରକୁ ମହିଳା ସଂରକ୍ଷଣ ସହିତ ପଛୁଆବର୍ଗ ସଂରକ୍ଷଣ ଭର୍ତ୍ତି କରାଗଲା। ପୌର ନିର୍ବାଚନ କ୍ଷେତ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ହାଇକୋର୍ଟ ମନା କରିବା ପରେ ରାଜ୍ୟରେ ପୌର ନିର୍ବାଚନ କରାଯାଇପାରିନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଣ୍ଡଳ କମିଶନ ସୁପାରିଶ ଭିତରେ ଓଡ଼ିଶାରେ ୨୭% ସଂରକ୍ଷଣ ପାଇଁ ମହାରାଷ୍ଟ୍ର ଓ ତାମିଲନାଡ଼ୁ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିବାରୁ ରାଜ୍ୟ ସରକାର ଏକ ପଛୁଆବର୍ଗ କମିଶନ ଗଠନ ନିମନ୍ତେ ଘୋଷଣା କଲେ। ଗତବର୍ଷ କରାଯାଇଥିବା ଘୋଷଣାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଳମ୍ବ ହୋଇଥିôବା ସମୟରେ ରାଜ୍ୟ ସରକାର ହଠାତ୍ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖାରେ ରାଜ୍ୟ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲମାନଙ୍କର ପିଲାମାନଙ୍କୁ ସଂରକ୍ଷଣ ଦେବା ପାଇଁ ଘୋଷଣା କଲେ। କ୍ୟାବିନେଟ୍‌ରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଗଲା। ଯଦିଓ କିପରି ସଂରକ୍ଷଣ ଦିଆଯିବ ତାହାର ଭିତ୍ତିଭୂମି ପ୍ରସ୍ତୁତ ହୋଇନାହିଁ। ଧମେନ୍ଦ୍ର ପ୍ରଧାନ ଏହି ସମୟରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ସହିତ ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ କରି କୌଣସି ସଂରକ୍ଷଣ ପାଉନଥିବା ଆର୍ଥିକ ଦୁର୍ବଳ ବର୍ଗ ନିମନ୍ତେ ଶତକଡ଼ା ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କଲେ। କେନ୍ଦ୍ର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଏହା କାର୍ଯ୍ୟକାରୀ ହେବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। କାରଣ ଓଡ଼ିଶାରେ ଚଷା ଓ ଖଣ୍ଡାୟତ ପ୍ରଭୃତି ପଛୁଆ ବର୍ଗ ତାଲିକା ଭିତରକୁ ଆସିଯିବା ଫଳରେ ଓଡ଼ିଶାରେ ପଛୁଆବର୍ଗର ମୋଟ୍ ଲୋକସଂଖ୍ୟା ଶତକଡ଼ା ୫୨କୁ ଅତିକ୍ରମ କରିଛି। ଅନୁସୂଚୀତ ଜାତି ଓ ଜନଜାତିକୁ ମିଶାଇଲେ ସଂରକ୍ଷଣ ପାଉନଥିବା ଗୋଷ୍ଠୀଙ୍କ ସଂଖ୍ୟା ମାତ୍ର ଶତକଡ଼ା ୬/୭ ଭାଗ ହେଉଥିବା ସମୟରେ ସେମାନଙ୍କର ଆର୍ଥିକ ପଛୁଆବର୍ଗ ପାଇଁ ଶତକଡ଼ା ୧୦ ଭାଗ ସଂରକ୍ଷଣ ରାଜ୍ୟରେ କାର୍ଯ୍ୟକାରୀ କରିବା ଅସୁବିଧା ସୃଷ୍ଟି କରିବ। କାରଣ ୫୨ ଭାଗ ପଛୁଆବର୍ଗର ଲୋକଙ୍କ ପାଇଁ ରାଜ୍ୟରେ ମାତ୍ର ଶତକଡ଼ା ୧୧.୫ ଭାଗ ସଂରକ୍ଷଣ ବ୍ୟବସ୍ଥା ରହିଛି। ଧର୍ମେନ୍ଦ୍ର ପ୍ରଧାନ ଏହି ସଂରକ୍ଷଣ ସହିତ ପଛୁଆ ବର୍ଗ ସଂରକ୍ଷଣ ଉପରେ ଗୁରୁତ୍ୱଦେବା ଫଳରେ ରାଜ୍ୟ ସରକାର ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ବିବାଦୀୟ ହୋଇଯାଇଛି। ଯଦିଓ ଏହିପରି ଏକ ଉଦ୍ୟମ ତାମିଲନାଡ଼ୁରେ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଆଗୁଆବର୍ଗ ଓ ପଛୁଆବର୍ଗ ସଂରକ୍ଷଣ ନେଇ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଯେଉଁ ପ୍ରସ୍ତାବ ରଖିଛି ତାହାକୁ ଏଡ଼ାଇଯିବା ସହଜ ହେବନାହିଁ। ଯଦିଓ ୩୦ ବର୍ଷ ତଳେ ସାରା ଦେଶରେ ପଛୁଆ ବର୍ଗ ସଂରକ୍ଷଣ ନେଇ ଯେଉଁ ରାଜନୀତି ଚାଲିଲା ସେଥିରେ ଓଡ଼ିଶା ବିଶେଷ ଅଂଶଗ୍ରହଣ କରିପାରିଲା ନାହିଁ। କାରଣ ଓଡ଼ିଶା ବିଭିନ୍ନ କାରଣରୁ ଏହି ପଛୁଆବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କଲେନାହିଁ। ଶେଷରେ ଏଥିପାଇଁ ଶତକଡ଼ା ୧୧ ଭାଗ ସଂରକ୍ଷଣ ବ୍ୟବସ୍ଥା ପଛୁଆବର୍ଗ ପ୍ରତି ଏକ ଅପମାନ ବୋଲି ବିଚାର କରାଯାଉଛି। ଯଦିଓ ଏହା ସମସ୍ତେ ଜାଣନ୍ତି ଯେ, ସରକାରୀ ବ୍ୟବସ୍ଥାରେ ଓଡ଼ିଶାରେ ଚାକିରି ବା ନିଯୁକ୍ତି ଯଥେଷ୍ଟ ସଂକୁଚିତ ହୋଇଛି। ପଛୁଆବର୍ଗର ଯେଉଁମାନେ ଏହିସବୁ ନିଯୁକ୍ତି ପାଉଛନ୍ତି ସେମାନେ ସଂପୂର୍ଣ୍ଣ ଭାବରେ ସେମାନଙ୍କର ମେଧା ବଳରେ ନିଯୁକ୍ତି ପାଇଛନ୍ତି।

ନବୀନ ପଟ୍ଟନାୟକ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାରେ ସଂରକ୍ଷଣକୁ ଯେକେହି ପସନ୍ଦ କରିବେ। କାରଣ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲର ପିଲାମାନେ ସର୍ବଭାରତୀୟ ପ୍ରତିଯୋଗିତାରେ ଏହିସବୁ ପାଠ୍ୟକ୍ରମରେ ନାମ ଲେଖାଇବା କଷ୍ଟକର ହୋଇପଡ଼ିଛି। ଯେହେତୁ ରାଜ୍ୟ ସରକାର ଏହିସବୁ ସ୍କୁଲର ପାଠର ମାନ ବୃଦ୍ଧି କରିପାରିନାହାନ୍ତି ଓ ସେଥିପାଇଁ ରାଜ୍ୟ ସରକାରଙ୍କୁ ସମସ୍ତେ ଦୋଷାରାପ କରୁଛନ୍ତି ସେହେତୁ ଏହି ପିଲାମାନଙ୍କ ପ୍ରତି ସରକାର ସମବେଦନା ଜଣାଇବା ପାଇଁ ଇଂଜିନିୟରିଂ ଓ ମେଡିକାଲରେ ନାମଲେଖାରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ଉଠାଇଛନ୍ତି। ଏହି ବ୍ୟବସ୍ଥା ଭିତରେ ସରସ୍ୱତୀ ଶିଶୁମନ୍ଦିର ପିଲାମାନେ ସାମିଲ ହୋଇପାରିବେ ନାହିଁ। କାରଣ ସେଗୁଡ଼ିକ ସରକାରୀ ବା ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ନୁହନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକରେ ଅତି କମ୍‌ରେ ସରକାରୀ କର୍ମଚାରୀଙ୍କ ପିଲାମାନେ ଯେପରି ଅଧ୍ୟୟନ କରିବେ ସେଥିପାଇଁ ଏହିସବୁ ସ୍କୁଲରେ ପାଠ ପଢ଼ାଉଥିବା ପିତାମାତାଙ୍କୁ ଗୋଟିଏ ବା ଦୁଇଟି ଇନ୍‌କ୍ରିମେଣ୍ଟ ମିଳିବାର ବ୍ୟବସ୍ଥା ସରକାର କରିପାରିଲେ ଅନେକ ସରକାରୀ ସ୍କୁଲରେ ପାଠପଢ଼ାର ମାନ ଆପେ ଆପେ ବୃଦ୍ଧିପାଇବ। କିନ୍ତୁ ଅସଲ ପ୍ରଶ୍ନ ହେଉଛି ଯେ, ଗୋଟିଏ ପଟେ ନବୀନ ପଟ୍ଟନାୟକ ଓ ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ଅବସ୍ଥାରେ ସଂରକ୍ଷଣ ପ୍ରସଙ୍ଗକୁ କାହିଁକି ଅଗ୍ରାଧିକାର ଦେଇଛନ୍ତି? ଏଥିରେ ଏମାନଙ୍କର ପ୍ରକୃତ ରାଜନୈତିକ ନିଷ୍ଠା ନେଇ ପ୍ରଶ୍ନ ହେବା ସ୍ୱାଭାବିକ। କିନ୍ତୁ ଯଦି ଏହି ସଂରକ୍ଷଣ ବିବାଦ ରାଜନୈତିକ ପ୍ରସଙ୍ଗରେ ପରିଣତ ହୁଏ ତେବେ ରାଜ୍ୟରେ ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଛି। କାରଣ ସଂରକ୍ଷଣ ରାଜନୀତି ପଛରେ ଭୋଟବ୍ୟାଙ୍କ ରହିଥିବା ସମସ୍ତଙ୍କୁ ଜଣାଅଛି।

ବରିଷ୍ଠ  ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।