ଗଞ୍ଜେଇ ଅପରାଧମୁକ୍ତ ହେବ କି?

ସରଳ କୁମାର ଦାସ

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୁପାରିଶ କ୍ରମେ ଜାତିସଂଘର ନାର୍କୋଟିକ ଡ୍ରଗସ ଆୟୋଗ ୨ ଡିସେମ୍ୱର ୨୦୨୦ରେ, ଗଞ୍ଜେଇ (କାନାବିସ)କୁ ୧୯୬୧ର ସିଙ୍ଗଲ କନଭେନସନ ଅନ ନାର୍କୋଟିକ ଡ୍ରଗସର ଚତୁର୍ଥ ଅନୁଚ୍ଛେଦରୁ ବାଦ ଦେଇଛି। ଏହି ଆୟୋଗରେ ଥିବା ସମୁଦାୟ ୫୩ଟି ଦେଶ ମଧ୍ୟରୁ ୨୭ଟି ଦେଶ ଗଞ୍ଜେଇକୁ ସେହି ଅନୁଚ୍ଛେଦରୁ ବାଦ ଦେବା ସପକ୍ଷରେ ଭୋଟ ଦେଇଥିବା ବେଳେ ୨୫ଟି ଦେଶ ବିପକ୍ଷରେ ଭୋଟ ଦେଇଥିଲେ ଓ ୟୁକ୍ରେନ ଭୋଟ ଦେବାରୁ ବିରତ ଥିଲା। ଉଲ୍ଲେଖନୀୟ ପାକିସ୍ତାନ, ଚୀନ, ରୁଷିଆ ଓ ଜାପାନ ଭଳି ଦେଶ ଏହା ବିପକ୍ଷରେ ଭୋଟ ଦେଇଥିବା ବେଳେ ଆମେରିକା ଓ ୟୁରୋପୀୟ ୟୁନିଅନର ଦେଶମାନଙ୍କ ସହ ଭାରତ ଏହା ସପକ୍ଷରେ ଭୋଟ ଦେଇଥିଲା। ଅବଶ୍ୟ ଭାରତ ଏହା ସପକ୍ଷରେ ଭୋଟ ଦେବାର କାରଣ ସ୍ପଷ୍ଟ କରି ନ ଥିଲେ ବି ଏହା ପରେ ଭାରତରେ ମଧ୍ୟ ଗଞ୍ଜେଇକୁ ନେଇ ଥିବା ଆଇନରେ ପରିବର୍ତ୍ତନ ହେବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ଏହି ନିଷ୍ପତ୍ତି ଫଳରେ ସାରା ପୃଥିବୀରେ ଗଞ୍ଜେଇ ଉପରେ ଗବେଷଣା ଏବଂ ଏହାର ଔଷଧୀୟ ବ୍ୟବହାର ଉପରେ ସୁଦୂର ପ୍ରସାରୀ ପ୍ରଭାବ ପଡିବାକୁ ଯିବ ବୋଲି କୁହାଯାଉଥିଲେ ବି ଏହାର ସମ୍ଭାବିତ ଅନ୍ୟ ପ୍ରଭାବ ଉପରେ ମଧ୍ୟ ବିତର୍କ ହେବା ଆବଶ୍ୟକ।

ଏଥି ପୂର୍ବରୁ ହେରୋଇନ, ମେଥାଡୋନ, ମର୍ଫିନ, ଅଫିମ, କୋକେନ ଭଳି ମାରାତ୍ମକ ଡ୍ରଗ ସହ ଗଞ୍ଜେଇ ମଧ୍ୟ ଏହି ଅନୁଚ୍ଛେଦରେ ଥିଲା। ନିଶାଦ୍ରବ୍ୟ ନିର୍ଭରତା ଉପରେ ଗଠିତ ବିଶେଷଜ୍ଞ କମିଟିଙ୍କ ରିପୋର୍ଟ ଅନୁଯାୟୀ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଗଞ୍ଜେଇକୁ ଏହି ଅନୁଚ୍ଛେଦରୁ ବାଦ ଦେବାକୁ ନିଷ୍ପତ୍ତି ନେଲେ। ତାଙ୍କ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଗଞ୍ଜେଇ ଗଛ ଓ ଗଞ୍ଜେଇ ଅଠା (ରେଜିନ)ର ଉପରୋକ୍ତ ଅନ୍ୟ ଡ୍ରଗଗୁଡିକ ପରି ଶରୀର ଉପରେ ସେ ଭଳି କୌଣସି କ୍ଷତିକାରକ ପ୍ରଭାବ ପଡୁଥିବାର ଅନ୍ତତଃ ଅନୁସନ୍ଧାନରୁ ଜଣା ପଡୁ ନ ଥିବାରୁ ଏହାକୁ ସେହି ଅତି ମାରାତ୍ମକ ଡ୍ରଗସର ଅନୁଚ୍ଛେଦରେ ରଖିବାର କୌଣସି ଯୌକ୍ତିକତା ଅନୁଭୂତ ହେଉ ନାହିଁ। ନିଶାଦ୍ରବ୍ୟ, ମାରିଜୁଆନା, କୋକେନ, କୋକୋଆ ପତ୍ର ଆଦିର ଚୋରା କାରବାରକୁ ନିୟନ୍ତ୍ରିତ କରିବା ପାଇଁ ୧୯୬୧ ମସିହାରେ ଜାତିସଂଘ ଦ୍ୱାରା ସିଙ୍ଗଲ କନଭେନସନ ଅନ ନାର୍କୋଟିକ ଡ୍ରଗସ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ନିଶାଦ୍ରବ୍ୟକୁ ଚାରିଟି ଅନୁଚ୍ଛେଦରେ ରଖା ଯାଇ ସେଗୁଡିକୁ ଅଲଗା ଅଲଗା ନିୟନ୍ତ୍ରଣ ବ୍ୟବସ୍ଥା ପରିସରଭୁକ୍ତ କରା ଯାଇଥିଲା। ତଦନୁଯାୟୀ, ସ୍ୱାକ୍ଷରକାରୀ ଦେଶଗୁଡିକ କନଭେନସନର ଘୋଷଣାର ଉଲ୍ଲଂଘନ କରୁଥିବା ଏହାର ଚାଷ, ଉତ୍ପାଦନ, ପ୍ରସ୍ତୁତି, ପାଖରେ ରଖିବା, ଅନ୍ୟକୁ ଦେବା, କ୍ରୟ, ବିକ୍ରୟ, ବଣ୍ଟନ, ଯୋଗାଣ, ପରିବହନ, ଆମଦାନି, ରପ୍ତାନିକୁ ଅପରାଧ ବୋଲି ଆଇନ ପ୍ରଣୟନ କରିବାକୁ ସ୍ଥିର ହେଲା। ଏହି କନଭେନସନରେ ଡ୍ରଗସର ବିନୋଦନମୂଳକ, ଔଷଧୀୟ ଏବଂ ବୈଜ୍ଞାନିକ ବ୍ୟବହାରର ପାର୍ଥକ୍ୟ ଦର୍ଶାଯିବା ସହ ଔଷଧୀୟ ବ୍ୟବାହାରକୁ ଅନୁମତି ପ୍ରଦାନ କରାଯାଇ ବିନୋଦନମୂଳକ ବ୍ୟବହାରକୁ ଅପରାଧ ଶ୍ରେଣୀଭୁକ୍ତ କରିବା ପାଇଁ ଦେଶମାନେ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏହାର ପ୍ରଥମ ଅନୁଚ୍ଛେଦରେ ଥିବା ଡ୍ରଗସଗୁଡିକୁ ଅତି ‘ନିଶାଭ୍ୟାସକାରକ (ଆଡିକ୍ଟିଭ) ଓ କ୍ଷତିକାରକ ଶ୍ରେଣୀଭୁକ୍ତ’ କରା ଯାଇଥିଲେ ବି ତନ୍ମଧ୍ୟରୁ କେତୋଟି ଡ୍ରଗସକୁ ଚତୁର୍ଥ ଅନୁଚ୍ଛେଦରେ ରଖାଯାଇ ସେଗୁଡିକୁ ନିର୍ଦ୍ଦିଷ୍ଟ ମାରାତ୍ମକ ଗୁଣସମ୍ପନ୍ନ ବୋଲି ଅଭିହିତ କରି ‘ଅତି ପ୍ରତିବନ୍ଧିତ’ କରାଯାଇଛି। ବର୍ତ୍ତମାନ ଗଞ୍ଜେଇ ଚତୁର୍ଥ ଅନୁଚ୍ଛେଦରୁ ବାଦ ପଡିଥିଲେ ବି ଏହା ପ୍ରଥମ ଅନୁଚ୍ଛେଦରେ ରହିଛି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ବିଶ୍ୱ ଜନସଂଖ୍ୟାର ୨.୫ ପ୍ରତିଶତ ଗଞ୍ଜେଇ ଓ ଏହାର ଉତ୍ପାଦର ବ୍ୟବହାରକାରୀ ଅଟନ୍ତି। ଜାତିସଂଘର ଏହି ନିଷ୍ପତ୍ତି ଦ୍ୱାରା ଗଞ୍ଜେଇର ଔଷଧୀୟ ଗୁଣ ସମ୍ପର୍କରେ ଅଧିକ ବୈଜ୍ଞାନିକ ଅନୁସନ୍ଧାନର ବାଟ ପରିଷ୍କାର ହେଲା ବୋଲି କୁହାଯାଉଛି।

ଗଞ୍ଜେଇକୁ ନେଇ ବିଭିନ୍ନ ଦେଶରେ ଅଲଗା ଅଲଗା ଆଇନ ରହିଛି। ଜର୍ମାନୀ, ଇଟାଲି, ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ଶ୍ରୀଲଙ୍କା ଭଳି ୫୦ଟିରୁ ଊର୍ଦ୍ଧ୍ୱ ଦେଶ ଓ ଆମେରିକାର ୩୫ଟି ରାଜ୍ୟରେ ଏହାର ଔଷଧୀୟ ବ୍ୟବହାର ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଏପରିକି କାନାଡା, ଉରୁଗୁୟେ ଭଳି ଦେଶ ସମେତ ଆମେରିକାର ୧୫ଟି ରାଜ୍ୟରେ ଏହାର ବିନୋଦନମୂଳକ ବ୍ୟବହାର ବୈଧ ଓ ଅପରାଧମୁକ୍ତ ଅଟେ। ତେବେ ନାର୍କୋଟିକ ଡ୍ରଗସ ଆଣ୍ଡ ସାଇକୋଟ୍ରପିକ ସବଷ୍ଟାନସେସ ଆକ୍ଟ, ୧୯୮୫ (ଏନଡିପିଏସ) ଅନୁଯାୟୀ ଭାରତରେ ଏହାର ଉଭୟ ବିନୋଦନମୂଳକ ଓ ଔଷଧୀୟ ବ୍ୟବହାର ଅବୈଧ ଓ ଏହା ଏକ ଅପରାଧଯୁକ୍ତ ଦ୍ରବ୍ୟ ଭାବେ ବିବେଚିତ। ଜାତିସଂଘ ନିଷ୍ପତ୍ତିର ବିଭିନ୍ନ ଦେଶରେ ଥିବା ଗଞ୍ଜେଇ ସଂକ୍ରାନ୍ତୀୟ ଆଇନ ଉପରେ ସିଧାସଳଖ କୌଣସି ପ୍ରଭାବ ପଡିବାକୁ ନ ଥିଲେ ବି କିଛି ଦେଶ ଗଞ୍ଜେଇର ଔଷଧୀୟ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆଇନକୁ କୋହଳ କରିବାକୁ ଆଗେଇ ଆସି ପାରନ୍ତି। ଭାରତ ଗଞ୍ଜେଇକୁ ଚତୁର୍ଥ ଅନୁଚ୍ଛେଦରୁ ବାଦ ଦେବା ସପକ୍ଷରେ ଭୋଟ ଦେଇଥିବାରୁ ସରକାରଙ୍କର ଗଞ୍ଜେଇକୁ ନେଇ ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଥିବାର ଆଭାସ ମିଳୁଛି, ଯାହା ହୁଏତ ସମ୍ପୃକ୍ତ ଆଇନରେ ପରିବର୍ତ୍ତନ ମାଧ୍ୟମରେ ପ୍ରତିଫଳିତ ହେବା କିଛି ବିଚିତ୍ର ନୁହେଁ।

ଔଷଧୀୟ ବ୍ୟବହାର ବୃଦ୍ଧି ପାଇଁ ଆଇନକୁ ସୀମିତ ଭାବେ କୋହଳ କରାଗଲେ କିଛି ଆପତ୍ତି ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରାଯାଉଛି। କାରଣ କୁହାଯାଏ ଏହାର ବିନୋଦନମୂଳକ ବ୍ୟବହାର ନଗଣ୍ୟ ହୋଇଥିବା ବେଳେ ସିଂହଭାଗର ଔଷଧୀୟ ବ୍ୟବହାର ହୋଇଥାଏ। ଏ ଭଳି କ୍ଷେତ୍ରରେ ଔଷଧୀୟ ବ୍ୟବହାର ପାଇଁ ଗଞ୍ଜେଇକୁ ବୈଧ ବୋଲି ଘୋଷଣା କରାଗଲେ ଏହା ଏକ ଅର୍ଥକରୀ ଫସଲ ହୋଇଥିବାରୁ ଓ ଭାରତର ଜଳବାୟୁ ଗଞ୍ଜେଇ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ହୁଏତ ଅନେକ ଛୋଟ ଛୋଟ ଚାଷୀ ଏହାର ଚାଷ ପାଇଁ ଆଗ୍ରହ ପ୍ରକାଶ କରି ଲାଭାନ୍ୱିତ ହେବେ। ନଭେମ୍ୱର ୨୦୧୯ରେ ମଧ୍ୟପ୍ରଦେଶ ସରକାର ଔଷଧୀୟ ଓ ଔଦ୍ୟୋଗିକ ଉଦ୍ଦେଶ୍ୟରେ ଏହାର ଚାଷକୁ ବୈଧ ବୋଲି ଘୋଷଣା କରିଛନ୍ତି। ଏଥି ସହ ୨୦୧୮ରେ ଡେଲଏଟ ସଂସ୍ଥା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହା ଯାଇଛି ଯେ ଭାରତରେ ଏହାର ଔଷଧୀୟ ଓ ଔଦ୍ୟୋଗିକ ବ୍ୟବହାରକୁ ବୈଧ ଘୋଷଣା କରାଗଲେ ଗଞ୍ଜେଇ ଏକ ଉନ୍ନତ ଉଦ୍ୟୋଗ ଭାବେ ଆବିର୍ଭାବ ହୋଇ ନୂଆ ନିଯୁକ୍ତି ଓ ନୂଆ ବ୍ୟବସାୟ ସୁଯୋଗ ସୃଷ୍ଟି ସହ ସରକାରଙ୍କ ପାଇଁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟର ଏକ ଭଲ ଉତ୍ସ ହେବ। କଲ୍ୟାଣ ଚିକିତ୍ସା (ଓ୍ୱେଲନେସ ଥେରାପି)ରେ ବହୁଳ ଭାବେ ବ୍ୟବହୃତ ହେଉଥିବା ଗଞ୍ଜେଇରୁ ପ୍ରସ୍ତୁତ କାନାବିଡିଅଲ (ସିବିଡି) ଏକ ଅମାଦକ (ନନ-ଇନଟକ୍ସିକାଣ୍ଟ) ଯୌଗିକ ଦ୍ରବ୍ୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରି ସାରିଛି ଓ ଏହାକୁ ଆଧାର କରି ବିଶ୍ୱବ୍ୟାପି ଶହ ଶହ କୋଟି ଟଙ୍କାର ଉଦ୍ୟୋଗ ଗଢି ଉଠି ସାରିଲାଣି। ବସ୍ତୁତଃ ଗଞ୍ଜେଇ ଆଧାରିତ ଔଷଧ, ପ୍ରସାଧନ, ଟେକ୍ସଟାଇଲ, ଖାଦ୍ୟ ଉଦ୍ୟୋଗରେ ବୋହେକୋ, ହେମ୍ପଷ୍ଟ୍ରିଟ ଭଳି କିଛି ଷ୍ଟାର୍ଟ-ଅପ କମ୍ପାନୀ ସକ୍ରିୟ ଭାବେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟିଗ୍ରେଟିଭ ମେଡିସିନ ଭଳି ସଂସ୍ଥା ସିଏସଆଇଆର ଓ ଆଇସିଏମଆରର ମିଳିତ ସହଯୋଗରେ ଗଞ୍ଜେଇ ଆଧାରିତ ଔଷଧୀୟ ଗବେଷଣା ମାଧ୍ୟମରେ ଆକାଶମାରୀ ବାତ ଓ କ୍ୟାନସରର ଉପଚାର ପାଇଁ ଉତ୍ପାଦ ପ୍ରସ୍ତୁତି ଉଦ୍ଦେଶ୍ୟରେ ଗଞ୍ଜେଇ ଚାଷ ପାଇଁ ଲାଇସେନ୍ସ ହାସଲ କରି ସାରିଲେଣି। ସେହିପରି ବାଙ୍ଗାଲୋରଠାରେ ବେଦି ଓ୍ୱେଲନେସ ସେଣ୍ଟର ଦେଶର ପ୍ରଥମ ଗଞ୍ଜେଇ-ଆଧାରିତ କ୍ଲିନିକ (ମେଡିସିନାଲ କାନାବିସ କ୍ଲିନିକ) ଭାବେ ଫେବୃଆରୀ ୨୦୨୦ରୁ କାର୍ଯ୍ୟ କରିବା ଆରମ୍ଭ କରିଛି। ଉଲ୍ଲେଖନୀୟ, ଏହି ଧରଣର କ୍ଲିନିକ ୟୁରୋପ, କାନାଡା, ଅଷ୍ଟ୍ରେଲିଆ ଆଦି ଦେଶମାନଙ୍କରେ ବହୁ ସଂଖ୍ୟାରେ ସ୍ଥାପିତ ହୋଇ ଆଦୃତି ଲାଭ କରୁଛି। କାନାଡାରେ ଗଞ୍ଜେଇ ଉଦ୍ୟୋଗର ଆକାର ୬୫୦ କୋଟି ଡଲାର ହୋଇଥିବାରୁ ଭାରତରେ ଏଥିପାଇଁ ଅନୁମତି ଓ ବୈଧତାପ୍ରଦାନ ପୂର୍ବକ ଅନୁକୂଳ ବାତାବରଣ ସୃଷ୍ଟି କରାଗଲେ, ଏହି ଉଦ୍ୟୋଗରେ ପୁଞ୍ଜି ବିନିଯୋଗର ଯଥେଷ୍ଟ ସମ୍ଭାବନା ଦେଖା ଦେବ। ଏନଡିପିଏସ ଆଇନ ଅନୁଯାୟୀ ବିନୋଦନମୂଳକ ଓ ଔଷଧୀୟ ଉଦ୍ଦେଶ୍ୟରେ ଏହାର ବ୍ୟବହାର ଅବୈଧ ହୋଇଥିବାରୁ ଭାରତରେ ଏକ ସମାନ୍ତରାଳ କଳା ବଜାର ସୃଷ୍ଟି ହୋଇଛି ଓ ସରକାର ଶହ ଶହ କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ଏତଦଭିନ୍ନ ‘ଗ୍ରେଟ ଲିବରାଲାଇଜେସନ ମୁଭମେଣ୍ଟ’ ଭଳି କିଛି ଏନଜିଓ ସଂଗଠନ ମଧ୍ୟ ଏହାର ଔଷଧୀୟ ଓ ଔଦ୍ୟୋଗିକ ବ୍ୟବହାରକୁ ବୈଧ କରିବା ପାଇଁ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଏପରିକି ଏହାକୁ ଏନଡିପିଏସ ଆଇନରେ ଅପରାଧମୁକ୍ତ କରିବା ପାଇଁ ଏକ ମାମଲା ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ଅଛି। ଅତୀତରେ ମାନେକା ଗାନ୍ଧୀ ଓ ତଥାଗତ ସତପଥୀଙ୍କ ପରି କିଛି ସାଂସଦ ଏହାକୁ ବୈଧ ଘୋଷଣା କରିବା ପାଇଁ ସଂସଦରେ ସ୍ୱର ଉଠାଇ ସାରିଛନ୍ତି। ଏ ସବୁ ଦୃଷ୍ଟିରୁ ଔଷଧୀୟ ଓ ଔଦ୍ୟୋଗିକ ବ୍ୟବହାରକୁ ବୈଧ କରିବା ପାଇଁ ସରକାର ହୁଏତ ଏନଡିପିଏସ ଆଇନକୁ କୋହଳ କରିବା ପାଇଁ ଉତ୍ସାହିତ ଓ ପ୍ରଲୁବ୍ଧ ହେବା କିଛି ଅସ୍ୱାଭାବିକ ନୁହେଁ। ତେବେ ସରକାରଙ୍କ ପାଇଁ ତାହାର ବ୍ୟବହାରକୁ କେବଳ ଔଷଧୀୟ ଓ ଔଦ୍ୟୋଗିକ ଉଦ୍ଦେଶ୍ୟରେ ସୀମିତ ରଖିବା ସୁନିଶ୍ଚିତ କରିବା, ଏକ ବଡ ଆହ୍ୱାନ ଆହ୍ୱାନ ସୃଷ୍ଟି କରିବ।

ଭାରତରେ ଗଞ୍ଜେଇର ଚରସ (ରେଜିନ ବା ଅଠା), ଗଞ୍ଜେଇ (ଫୁଲ), ଭାଙ୍ଗ (ପତ୍ର ଓ ମଞ୍ଜି) ଆକାରରେ ବ୍ୟବହାର ହେବାର ପ୍ରାୟ ୩୦୦୦ ବର୍ଷର ସୁଦୀର୍ଘ ଇତିହାସ ରହିଛି। ପ୍ରାଚୀନ ଆୟୁର୍ବେଦୀୟ ଔଷଧରେ ହଜମକ୍ରିୟାଠାରୁ ଆରମ୍ଭକରି ରକ୍ତଚାପ ସମସ୍ୟା ପାଇଁ ଗଞ୍ଜେଇକୁ ଏକ ଉପାଦାନ ଭାବେ ବହୁଳ ବ୍ୟବହାର କରା ଯାଉଥିଲା। ଏହାର ଅନେକ ଔଷଧୀୟ ଉପକାରିତା ସତ୍ତ୍ୱେ ଏହା ବହୁଳ ଭାବେ ନିଶାଦ୍ରବ୍ୟ ଭଳି ବ୍ୟବହୃତ ହୋଇ ଅନେକ ସମସ୍ୟାର କାରଣ ପାଲଟିଥାଏ। ନୂଆଦିଲ୍ଲୀସ୍ଥିତ ଏମସର ନ୍ୟାସନାଲ ଡ୍ରଗ ଡିପେଣ୍ଡେନ୍ସ ଟ୍ରିଟମେଣ୍ଡ ସେଣ୍ଟର ଅନୁଯାୟୀ ଦେଶରେ ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ୱ ଲୋକ ଗଞ୍ଜେଇ ବ୍ୟବହାର କରନ୍ତି ଓ ଜନସଂଖ୍ୟାର ପ୍ରାୟ ୦.୨୫ ପ୍ରତିଶତ ଏହା ଉପରେ ନିର୍ଭରଶୀଳ। ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଣୀତ ଏନଡିପିଏସ ଭଳି ଏକ କଡା ଆଇନ ଥିବା ସତ୍ତ୍ୱେ ଦେଶରେ ଗଞ୍ଜେଇ ଓ ଗଞ୍ଜେଇ ଉତ୍ପାଦର ନିଶାକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବିଶେଷ କରି ଯୁବ ବର୍ଗ ଏହାର ଶିକାର ହେଉଛନ୍ତି, ଯାହାର କୁପ୍ରଭାବରେ ଦେଶର ଉତ୍ପାଦିକା ହ୍ରାସ ପାଇବାର ଆଶଙ୍କା ଦେଖା ଦେଇଛି। ଏହାର ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବକୁ ଅନୁଧ୍ୟାନ କରିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ଥିଲେ ବି ଏହା ନିଶ୍ଚିତ ଭାବେ ଅପରାଧ ହାର ବୃଦ୍ଧିରେ ସହାୟକ ହୋଇ ସାମାଜିକ ଅସ୍ଥିରତା ସୃଷ୍ଟି କରୁଛି ଏଥିରେ ସନ୍ଦେହ ନାହିଁ। ଗଞ୍ଜେଇକୁ ଏକ ପରୀକ୍ଷାମୂଳକ ଡ୍ରଗ ଭାବେ ବ୍ୟବହାର କରି ନିଶା ଅବାଟରେ ପାଦ ଥାପୁଥିବା ନିଶାଡିଙ୍କ ମଧ୍ୟରୁ ଅନେକେ ପରବର୍ତ୍ତୀ ସମୟରେ ଅଧିକ କ୍ଷତିକାରକ ଓ ମାରାତ୍ମକ ଡ୍ରଗର କବଳରେ ପଡି ସେଥିରୁ ଆଉ ମୁକୁଳି ପାରି ନ ଥାଆନ୍ତି, ଯାହା ପରିବାର ଓ ସମାଜର ପ୍ରଭୁତ କ୍ଷତିସାଧନ କରିଥାଏ। ତେଣୁ ଏହି ଆଇନ କୋହଳ ହେଲେ ସହଜ ଉପଲବ୍ଧତା କାରଣରୁ ଏହି ନିଶାକାରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେବ।

ସୁଶାନ୍ତ ସିଂହ ରାଜପୁତ ମାମଲାରେ ଏଇ ଗଞ୍ଜେଇ ଓ ସିବିଡି ଭଳି ଗଞ୍ଜେଇ ଉତ୍ପାଦର ଅବୈଧ ଦେଣନେଣ ଓ ବ୍ୟବହାରକୁ ନେଇ ବଲିଉଡ ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଯେଉଁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ଓ ତାହା ଦେଶର ପ୍ରମୁଖ ଗଣମାଧ୍ୟମଙ୍କ ପ୍ରାଇମ ଟାଇମରେ ଯେପରି ଘଣ୍ଟା ଘଣ୍ଟା ଧରି ଆଲୋଚିତ ହେଲା ସେଥିରେ ଗଞ୍ଜେଇ ଓ ଏହାର ଉତ୍ପାଦର ଅବୈଧ କାରବାରକୁ ନେଇ ଜନମାନସରେ କିଛିଟା ଭୟ ସୃଷ୍ଟି ହୋଇ ଏହାର ଅବୈଧ ବ୍ୟବହାର ଉପରେ ଅଙ୍କୁଶ ଲାଗିବ ବୋଲି ଆଶା କରା ଯାଉଥିଲା। ଠିକ ଏହି ସମୟରେ ଭାରତ ସରକାରଙ୍କ ଗଞ୍ଜେଇ ସପକ୍ଷରେ ଭୋଟଦାନ ଦ୍ୱାରା ଗଞ୍ଜେଇ ଓ ତା’ର ଉତ୍ପାଦର ଅବୈଧ କାରବାର ପ୍ରୋତ୍ସାହିତ ହେବାର ସମ୍ଭାବନା ଥିବାରୁ ଅନେକେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। କାରଣ ଭବିଷ୍ୟତରେ ସରକାର ଔଷଧୀୟ ଓ ଔଦ୍ୟୋଗିକ ବ୍ୟବହାର ପାଇଁ ଏନଡିପିଏସ ଆଇନରେ ପରିବର୍ତ୍ତନ କଲେ ତା’ର ପାର୍ଶ୍ୱ ପ୍ରଭାବରେ ବିନୋଦନମୂଳକ ବ୍ୟବହାର ମଧ୍ୟ ବୃଦ୍ଧି ପାଇବ। ଗଞ୍ଜେଇ ଉତ୍ପାଦର ଔଷଧୀୟ ଓ ଔଦ୍ୟୋଗିକ ବ୍ୟବହାରର ସକାରାତ୍ମକ ଦିଗକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ତେବେ ଏହାର ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ଥିବାରୁ ଏ ସମ୍ପର୍କିତ ଆଇନକୁ କୋହଳ କରିବା ପାଇଁ କୌଣସି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଏହାର ଜନସ୍ୱାସ୍ଥ୍ୟ ଉପରେ ସମ୍ଭାବିତ ପ୍ରଭାବ ଓ ସାମାଜିକ ମୂଲ୍ୟ ଆଦିକୁ ବିଚାରକୁ ନେଇ ଉଭୟ  ଦିଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ବାଞ୍ଛନୀୟ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।