ଦେବେନ୍ଦ୍ର ପୃଷ୍ଟି
ଓଡ଼ିଶାବାସୀ ଭଲରେ ରହିଲେ ଓଡ଼ିଶା ସରକାରଙ୍କୁ ଟାଟା ଚଳାଉ କି ବିର୍ଲା, ଜିନ୍ଦଲ ଚଳାଉ କି ବେଦାନ୍ତ, ଅମ୍ବାନି ଚଳାଉ କି ଆଦାନି କିଛି ଫରକ ପଡ଼ିବନି। ସମ୍ବିଧାନ ଅନୁସାରେ ଅବଶ୍ୟ ଓଡ଼ିଶାବାସୀ ନିର୍ବାଚନ ମାଧ୍ୟମରେ ନିଜ ସରକାର ନିଜେ ବାଛନ୍ତି। ମାତ୍ର, ରାଜନୀତିକ ପ୍ରକ୍ରିୟାରେ ଅନେକ ସମୟରେ ସେହି ସରକାରଗୁଡ଼ିକୁ ଅନେକ କର୍ପୋରେଟ୍ ହାଉସ୍ ନିଜ ନିୟନ୍ତ୍ରଣକୁ ନେଇଯାଆନ୍ତି। ରାଜନୀତିକ ଚାନ୍ଦା, ନେତା ଓ ବାବୁମାନଙ୍କୁ ବ୍ୟକ୍ତିଗତ ଉତ୍କୋଚ ଓ ଉପହାର ଆଦି ଦେଇ ଅନେକ ବିତ୍ତଶାଳୀ କମ୍ପାନୀ ପୃଥିବୀର ବିଭିନ୍ନ ସରକାରଙ୍କୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ନିଜ ସ୍ୱାର୍ଥ ହାସଲ କରିଥାନ୍ତି। ଏଥିରେ ସଂପୃକ୍ତ କମ୍ପାନୀର ଦୋଷ କମ୍, ସରକାରୀ କଳର ଦୋଷ ଅଧିକ। ବ୍ୟବସାୟୀମାନେ ଲାଭ ପାଇଁ ବ୍ୟବସାୟ କରନ୍ତି। ସେଇ ଉଦ୍ଦେଶ୍ୟରେ କମ୍ପାନୀ ଓ ସଂସ୍ଥା ଗଠନ କରିଥାନ୍ତି। ସରକାର ଦେଖିବା କଥା ଏଭଳି କୌଣସି କମ୍ପାନୀ ସହିତ ବ୍ୟାବସାୟିକ ସଂପର୍କ ରଖିବା ଦ୍ୱାରା ସରକାରଙ୍କର ଏବଂ ଜନ ସାଧାରଣଙ୍କର କି ଲାଭ ହେଉଛି। କହିବା ବାହୁଲ୍ୟ, ଅନେକ କ୍ଷେତ୍ରରେ ସରକାର ପରିଚାଳନା ସହିତ ସଂପଅକ୍ତ ଥିବା ଲୋକମାନେ ତାହା ହିସାବ କରନ୍ତି ନାହିଁ। ଓଡ଼ିଶାର କେନ୍ଦ୍ରୀୟ ବିଦ୍ୟୁତ ଯୋଗାଣ ୟୁନିଟ ବା ସେସୁକୁ ଟାଟା ପାୱାର ଅଧିଗ୍ରହଣ କରିବା ନେଇ ଏପରି କିଛି ଆଶଙ୍କା ସୃଷ୍ଟି ହୋଇପାରେ। ଯଦି ଟାଟା ଯୋଗୁଁ ଲୋକେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ପାଇଲେ ଓ ଦର କମିଲା ତେବେ ତ ଭଲ କଥା। ନହେଲେ ଯଦି ପୂର୍ବର ଏଇଏସ ପରି ସରକାରୀ ଧନରେ ବ୍ୟବସାୟ କରି ଟାଟା ଲାଭ ଅର୍ଜନ କଲା ଓ ସରକାର ଖଟେଇଥିବା ପୂର୍ବ ପୁଞ୍ଜି ଫେରି ନପାଇଲେ ତେବେ, ଏହି କାରବାରକୁ ନିଶ୍ଚୟ ଦୁର୍ନୀତି କୁହାଯିବ।
ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଅମଳରେ ରାଜ୍ୟରେ ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେତେବେଳେ ବିଜୁ ସରକାରଙ୍କର ଆଳ ଥିଲା ଯେ ତତ୍କାଳନୀ ଓଡ଼ିଶା ରାଜ୍ୟ ବିଦ୍ୟୁତ ପରିଷଦ ବା ଓଏସଇବି ଏତେ କ୍ଷତି କରିଛି ଓ ଏତେ ଅପାରଗ ହୋଇଯାଇଛି ଯେ ତାହାକୁ ଆଉ ସୁଧାରି ହେବ ନାହିଁ। ତେଣୁ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ବିଦ୍ୟୁତ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେଲା। ଏହି ପ୍ରକ୍ରିୟା ପରବର୍ତ୍ତୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଚୂଡ଼ାନ୍ତ ହେଲା। ସେବେଠାରୁ ଓଡ଼ିଶାରେ ଚାରିଟି ବିଦ୍ୟୁତ ବିତରଣ କମ୍ପାନୀ ଖୋଲିଲା। ସେଗୁଡ଼ିକ ହେଲେ ସେସ୍କୋ (ଏବେ ସେସୁ), ନେସ୍କୋ, ସାଉଥକୋ ଓ ୱେସ୍କୋ। ଏହି ଚାରିଟି ବିତରଣ କମ୍ପାନୀ ମଧ୍ୟରୁ ସେସ୍କୋର ପରିଚାଳନା ଭାର ପ୍ରଥମେ ଆମେରିକୀୟ କମ୍ପାନୀ ଏଇଏସକୁ ଦିଆଯାଇଥିଲା। ଅନ୍ୟ ତିନିଟିର ଦାୟିତ୍ୱ ପାଇଥିଲେ ଅମ୍ବାନୀ ଗୋଷ୍ଠୀର ରିଲାଏନ୍ସ ଇନ୍ଫ୍ରା। ଉଦ୍ଦେଶ୍ୟ ଥିଲା, ଏସବୁ ଘରୋଇ କମ୍ପାନୀଙ୍କ ପରିଚାଳନାଗତ ଦକ୍ଷତା ଯୋଗୁଁ ରାଜ୍ୟରେ ବିଦ୍ୟୁତ ପରିବହନ ଓ ବିତରଣ କ୍ଷତି କମିବ ଏବଂ ଲୋକେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ପାଇବେ। ସେତେବେଳେ ପରିବହନ ଓ ବିତରଣ କ୍ଷେତ୍ରରେ ପ୍ରାୟ ୫୦ ପ୍ରତିଶତ ବିଦ୍ୟୁତ ନଷ୍ଟ ହେଉଥିଲା। ଲୋକେ ନିୟମିତ ବିଲ୍ ପଇଠ କରୁ ନଥିବାରୁ ଓଏସଇବି ମଧ୍ୟ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିଲା। ସଂସ୍କାର ପ୍ରକ୍ରିୟାର ଅନ୍ୟ ଏକ ଦିଗ ହେଲା ଏହି କମ୍ପାନୀଗୁଡ଼ିକ ଗ୍ରାହକ ବା ଉପଭୋକ୍ତାମାନଙ୍କୁ ବିଦ୍ୟୁତ ବିକ୍ରି କଲେ ମଧ୍ୟ ତାହା ଉତ୍ପାଦନ କରିବେ ନାହିଁ। ବିଦ୍ୟୁତ ଉତ୍ପାଦନ କରିବେ ଅନ୍ୟ ସରକାରୀ ଓ ବେସରକାରୀ କମ୍ପାନୀ। ସେମାନଙ୍କଠାରୁ ବିଦ୍ୟୁତ କିଣିବ ଗ୍ରୀଡ଼କୋ ଏବଂ ଗ୍ରୀଡ଼କୋଠାରୁ ବିଦ୍ୟୁତ କିଣି ଉପଭୋକ୍ତାଙ୍କୁ ଯୋଗାଇବେ ଏହି ବିତରଣ କମ୍ପାନୀ।
ଏହି ସଂସ୍କାର ପ୍ରକ୍ରିୟାରେ ଏଯାଏଁ କାହାର କିଛି ଲାଭ ହେଲା ନାହିଁ। ଯାହା ଯେମିତି ପୂର୍ବରୁ ଚାଲିଥିଲା ପ୍ରାୟ ସେହିପରି ଚାଲିଲା। ବିଦ୍ୟୁତ ପରିବହନ ଓ ବିତରଣ କ୍ଷତି ଆଶାନୁରୂପକ କମିଲା ନାହିଁ। ଉପଭୋକ୍ତାମାନେ ମଧ୍ୟ ନିୟମିତି ଓ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ପାଇଲେ ନାହିଁ। ସରକାର ତାଙ୍କୁ ପୁଞ୍ଜି ଫେରିପାଇଲେ ନାହିଁ। ବରଂ ଗତ ଦୁଇ ଦଶନ୍ଧିରେ ଏ ବାବଦରେ ସରକାର ମୋଟ ପ୍ରାୟ ୧୦ ହଜାର କୋଟି ଟଙ୍କା ହରେଇଲେ। ଏସ୍କ୍ରୋ ଆକାଉଣ୍ଟ ଜମା ହେଉ ତ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରିବା ବାବଦ ବ୍ୟୟ, ଘରୋଇ କମ୍ପାନୀଗୁଡ଼ିକ କିଛି ବି ଦେଲେ ନାହିଁ। ଓଲଟି ସରକାରୀ ପାଉଣା ଫାଙ୍କିଦେଲେ। ଏଇଏସ ସରକାରୀ ପୁଞ୍ଜିରେ ବ୍ୟବସାୟ କରି ଠିକଣା ସମୟରେ ଛାଡ଼ି ପଳାଇଲା। ରିଲାଏନ୍ସ ଇନ୍ଫ୍ରାର ଲାଇସେନ୍ସ ରଦ୍ଦ କରିଦେଲେ ଓଇଆରସି ବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ। ସଂସ୍କାର ପ୍ରକ୍ରିୟାରେ ଜନ୍ମ ନେଇଥିବା ଆୟୋଗର ମୁଖ୍ୟ କାମ ଥିଲା ଅଭିଯୋଗ ଶୁଣାଣି ଓ ଦର ନିର୍ଦ୍ଧାରଣ। କିନ୍ତୁ ପରିବର୍ତ୍ତୀ ସମୟରେ ଏହି ଆୟୋଗ ସେସ୍କୋ ବା ପରିବର୍ତ୍ତିତ ନାମ ସେସୁର ପରିଚାଳନା ଭାର ନିଜ ଉପରକୁ ନେଇ ବ୍ୟବସାୟ କଲେ। ସେଥିରେ ସଫଳ ନହେବାରୁ ଏବେ ସେସୁକୁ ଟାଟା ହାତରେ ଟେକି ଦେଇଛନ୍ତି। ବିକ୍ରି ସର୍ତ୍ତ ଅନୁଯାୟୀ ଟାଟା ହାତରେ ଏବେ ସେସୁର ୫୧ ପ୍ରତିଶତ ଅଂଶଧନ ରହିବ ଓ ରାଜ୍ୟ ସରକାର ମାତ୍ର ୪୯ ପ୍ରତିଶତ ଅଂଶଧନର ମାଲିକ ହେବେ। ଟାଟା ଦେବ ମାତ୍ର ୧୭୫ କୋଟି ଟଙ୍କା। ଆସନ୍ତା ୨୫ ବର୍ଷ ପାଇଁ ଟାଟା ଏ ବ୍ୟବସାୟ କରିବ, ଅଧିକୃତ ଭାବେ। ତା’ ପୂର୍ବରୁ ଯଦି ରାଜ୍ୟ ସରକାର ଚାହିଁବେ ବି ଟାଟାର କିଛି ବଙ୍କା କରିପାରିବେ ନାହିଁ। କଲେ କ୍ଷତିପୂରଣ ଦେବେ। ସେସୁ ବାଦ୍ ଅନ୍ୟ ତିନିଟି ବିତରଣ କମ୍ପାନୀଙ୍କୁ ବିକିବା ପାଇଁ ମଧ୍ୟ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ୨୦୨୦ ଜାନୁଆରୀ ସୁଦ୍ଧା ସେ ତିନିଟି କମ୍ପାନୀ ମଧ୍ୟ ଅନ୍ୟ କେଉଁ ଘରୋଇ କମ୍ପାନୀ ହାତକୁ ଚାଲିଯିବ।
ଏଠାରେ ଲକ୍ଷ୍ୟ କରିବାର କଥା ହେଉଛି, ରିଲାଏନ୍ସ ହେଉ ବା ଏଇଏସ ବା ଟାଟା କମ୍ପାନୀ, ଏମାନେ କେହି ବିଦ୍ୟୁତ ଉତ୍ପାଦନ କରି ଉପଭୋକ୍ତାମାନଙ୍କୁ ବିକନ୍ତି ନାହିଁ। ଏମାନେ ଗ୍ରୀଡ଼କୋରୁ ବିଦ୍ୟୁତ କିଣନ୍ତି। ସେହିପରି ଏହି କମ୍ପାନୀମାନେ ବିଦ୍ୟୁତ ପରିବହନ ଓ ବିତରଣ ଭିତ୍ତିଭୂମିରେ ମଧ୍ୟ ପୁଞ୍ଜିନିବେଶ କରିନାହାନ୍ତି। ରାଜ୍ୟରେ ବିଦ୍ୟୁତ ପରିବହନ ଓ ବିତରଣ ଭିତ୍ତିଭୂମି ପୂର୍ବରୁ ରହିଛି ଓ ତାହାର ମରାମତି, ଆଧୁନିକୀକରଣ ଓ ସୁଦୃଢ଼ୀକରଣ ବ୍ୟୟ ଏଯାଏଁ ରାଜ୍ୟ ସରକାର ବହନ କରୁଛନ୍ତି। ରାଜ୍ୟ ସରକାର ଏବାବଦରେ ଯେଉଁ ବ୍ୟୟ କରୁଛନ୍ତି ତାହା ବି କେଉଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ବା ସଚିବ ତାଙ୍କ ଜମିବାଡ଼ି ବିକି ଦେଉ ନାହାନ୍ତି। ତାହା ହେଉଛି ରାଜ୍ୟବାସୀଙ୍କର କଷ୍ଟାର୍ଜିତ ଧନ। ପର ଧନରେ ପଲେଇ ମା’ ହେବା ପରି ଏହି ଘରୋଇ କମ୍ପାନୀଗୁଡ଼ିକ ରାଜ୍ୟବାସୀଙ୍କ ଟଙ୍କାରେ ଲାଭାର୍ଜନ କରି ପଳେଇଛନ୍ତି ଓ ରାଜ୍ୟବାସୀଙ୍କୁ ଋଣ ପରିଶୋଧ କରିବାକୁ ପଡ଼ୁଛି। ଏହି ବ୍ୟବସ୍ଥାରେ ରାଜ୍ୟ ସରକାର ଏଯାଏଁ ସଂସ୍କାର ଆଣି ନାହାନ୍ତି। ତେଣୁ ତିତିଲି ହେଉ ବା ହୁଡ଼ହୁଡ଼ ବା ଫନୀ- ଯେକୌଣସି ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଲେ ରାଜ୍ୟ ସରକାର ସାଧାରଣ ରାଜକୋଷରୁ ଅର୍ଥ ବ୍ୟୟ କରି ତାହା ମରାମତି କରନ୍ତି। ସେହି ଭିତ୍ତିଭୂମି ଜରିଆରେ ବିଦ୍ୟୁତ ବଣ୍ଟନ କରୁଥିବା ଘରୋଇ କମ୍ପାନୀ ବିଦ୍ୟୁତ ଦେୟ ଆଦାୟ କରନ୍ତି। ସେହି ଦେୟର କିଛି ଭାଗ କର୍ମଚାରୀଙ୍କ ଦରମାରେ ଖର୍ଚ୍ଚ ହୁଏ। ବିନା ପୁଞ୍ଜିରେ ନିଶ୍ଚିତ ଲାଭ।
ଏବେ ଟାଟା ଯେଉଁ ସେସୁ ଅଧିଗ୍ରହଣ କରିଛି ତାହାର ଉପଭୋକ୍ତା ସଂଖ୍ୟା ପ୍ରାୟ ୨୫ ଲକ୍ଷ। ଏହି ଉପଭୋକ୍ତାମାନଙ୍କର ବିଦ୍ୟୁତ ଚାହିଦା ହେଉଛି ୧୩୦୦ ମେଗାୱାଟ୍। ଟାଟାକୁ ଗରାଖ ଖୋଜିବାକୁ ପଡ଼ିବ ନାହିଁ, ଗରାଖଙ୍କୁ ବିଦ୍ୟୁତ ଯୋଗାଇବାକୁ ଖୁଣ୍ଟ ପକେଇବାକୁ ଓ ତାର ଟାଣିବାକୁ ପଡ଼ିବ ନାହିଁ। ଟାଟା ଖାଲି ଗ୍ରୀଡ଼କୋରୁ ଆସୁଥିବା ଓ ଗ୍ରାହକଙ୍କୁ ଦିଆଯାଉଥିବା ବିଦ୍ୟୁତ ପାଇଁ ବିଲ୍ ଆଦାୟ କରିବ। ସେସୁର ଯେଉଁ ୨୫ ଲକ୍ଷ ଗରାଖଙ୍କ ପାଇଁ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ପୂର୍ବରୁ ବିକଶିତ ହୋଇସାରିଛି ପ୍ରଚଳିତ ହାରରେ ତାହାର ଦାମ ଦୁଇ ହଜାର କୋଟି ଟଙ୍କା ଉପରେ। ସେହିପରି ଗରାଖଙ୍କ ଉପରେ ବକେୟା ଥିବା ବିଦ୍ୟୁତ ଦେୟ ମଧ୍ୟ ଆଉ ଦୁଇ ହଜାର କୋଟି। ଏହି ଟଙ୍କା ଆଦାୟ କରିବାକୁ ସେସୁ ପୂର୍ବରୁ ଗରାଖମାନଙ୍କ ଉପରେ ନୋଟିସ ଜାରି କରିସାରିଛି। ଟଙ୍କା ନଦେଲେ ଲାଇନ୍ କାଟି ଦିଆଯିବ ବୋଲି ଧମକ ଦିଆଯାଇଛି। ଏବେ ଟାଟା ଆସି ଟଙ୍କା ଆଦାୟ କରିବ ଓ ନେବ। ଅନ୍ୟ ତିନିଟି ବିତରଣ କମ୍ପାନୀଙ୍କୁ ମଧ୍ୟ ଯେଉଁ ଘରୋଇ କମ୍ପାନୀ ଅଧିଗ୍ରହଣ କରିବେ ସେମାନେ ବି ଏହିପରି ଭାବେ ଉପକୃତ ହେବେ।
ଏହାକୁ ଓଡ଼ିଆରେ କୁହାଯାଏ ଶୁଖିଲାରେ ବାଳିଆ ମାରିବା କଥା। ତେବେ, ନବୀନ ପଟ୍ଟନାୟକ ସରକାରଙ୍କର ଏହି ସଂସ୍କାର ଓଡ଼ିଶାବାସୀ ଓ ଓଡ଼ିଶା ସରକାରଙ୍କ ଆର୍ଥିକ ବୋଝ ଲାଘବ କରିବ କି ବୃଦ୍ଧି କରିବ ତାହା ଭବିଷ୍ୟତ କହିବ। ଲୋକେ ଯଦି ପୂର୍ବପରି ଭୋଗିବେ ଓ ସରକାର ଯଦି ପୂର୍ବପରି ପ୍ରତିବର୍ଷ ବଜେଟରେ ବ୍ୟୟବରାଦ କରିଚାଲିବେ ତେବେ ଏ ଘରୋଇକରଣର ଉଦ୍ଦେଶ୍ୟ କ’ଣ? ଲୋକଙ୍କ ଟଙ୍କାରେ ବ୍ୟବସାୟୀଙ୍କୁ ଲାଭ? ସେଇ ଲାଭରେ ନେତା ଓ ବାବୁଙ୍କ ସେବା ଓ ସମୃଦ୍ଧି?