Advertisment

ନୂଆ ଧାନ ସଂଗ୍ରହ ନୀତି, ସୁଭଦ୍ରା ଗାଇଡଲାଇନ ସଂଶୋଧନ ସମେତ ୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

୨୦୨୪-୨୫ ଖରିଫ ବିପଣନ ବର୍ଷ ପାଇଁ ମୋଟ ୮୦ଲକ୍ଷ ମେଟ୍ରିକ ଟନ୍ ଧାନ(୫୪ଲକ୍ଷ ମେଟ୍ରିକ ଟନ୍ ଚାଉଳ) ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

author-image
Ordigital Desk
CS

CS

ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପଧାରଣ କରି ଓଡ଼ିଶା ଅଭିମୁଖେ ମାଡ଼ି ଆସୁଥିବାବେଳେ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ବୈଠକରେ ମୋଟ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୨୦୨୪-୨୫ ଖରିଫ ବିପଣନ ବର୍ଷ ପାଇଁ ନୂଆ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ସମେତ ସୁଭଦ୍ରା ଗାଇଡଲାଇନରେ ସଂଶୋଧନ, ‘ସମୃଦ୍ଧ କୃଷକ ଯୋଜନା’ର କାର୍ଯ୍ୟାନ୍ୱୟନ, ଓଡ଼ିଶା ଏୟାର କନେକ୍ଟିଭିଟି ପଲିସି ଓ ଓଡ଼ିଶା ଜିଏସଟି ଆଇନ-୨୦୧୭ରେ ସଂଶୋଧନ ପାଇଁ ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Advertisment

୨୦୨୪-୨୫ ଖରିଫ ବିପଣନ ବର୍ଷ ପାଇଁ ମୋଟ ୮୦ଲକ୍ଷ ମେଟ୍ରିକ ଟନ୍ ଧାନ(୫୪ଲକ୍ଷ ମେଟ୍ରିକ ଟନ୍ ଚାଉଳ) ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ୨୦୨୪ ନଭେମ୍ବରରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ଓ ମେ’-ଜୁନ୍ ମାସରେ ରବିଧାନ ସଂଗ୍ରହ କରାଯିବ । ଖରିଫରେ ୬୬ଲକ୍ଷ ଓ ରବିରେ ୧୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ।  କେବଳ ପଞ୍ଜିକୃତ ଚାଷୀମାନେ ଯଦି ଅଧିକ ଧାନ ମଣ୍ଡିକୁ ଆଣିବେ ତାକୁ ସରକାର କ୍ରୟ କରିବେ । ଧାନ କ୍ରୟ ଧାର୍ଯ୍ୟ ପରିମାଣରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ମନ୍ତ୍ରିସ୍ତରୀୟ ସବକମିଟି ନେବେ । ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର ଏକମାତ୍ର ପରିଚୟପତ୍ର ହେବ ।ପଞ୍ଜିକୃତ ଚାଷୀ ବାୟୋମେଟ୍ରିକ୍ ଚିହ୍ନଟୀକରଣ ମଧ୍ୟ କରାଯିବ । ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସାଧାରଣ ଗ୍ରେଡ୍ ପାଇଁ ୨୩୦୦ଟଙ୍କା ଓ ଏ ଗ୍ରେଡ୍ ଧାନ ପାଇଁ ୨୩୨୦ଟଙ୍କା ପ୍ରଦାନ କରାଯିବ । ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ  ଧାନବିକ୍ରି ବାବଦ ପ୍ରାପ୍ୟ ଯିବ । ରାଜ୍ୟରେ ପ୍ରାୟ ୨୬ଲକ୍ଷ ମେଟ୍ରିକ ଟନ୍ ଚାଉଳର ଆବଶ୍ୟକତା ଅଛି ଓ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ପ୍ରଦାନ କରାଯିବ । ତେବେ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତିରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ ପାଇଁ କୌଣସି ଉଲ୍ଲେଖ ନାହିଁ । ସରକାର ଏହି ବାକି ୮୦୦ଟଙ୍କାକୁ କେମିତି ପ୍ରଦାନ କରିବେ ତା’ର ମୋଡ଼ାଲିଟି ସମ୍ପର୍କରେ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତିରେ ଦର୍ଶାଇନାହାନ୍ତି । ତେବେ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ଧାନବିକ୍ରି କରିବା ପାଇଁ ୧୭ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି । କଟନୀ-ଛଟନୀ ହେବନି ଓ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ‘ସମୃଦ୍ଧ କୃଷକ ଯୋଜନା’ ନାମରେ ଏକ କଲ୍ୟାଣକାରୀ କୃଷି ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସ୍ତାବକୁ ଆଜି କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପଞ୍ଜିକୃତ ଚାଷୀମାନଙ୍କଠୁ ପ୍ରଚଳିତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ସହ ଇନପୁଟ୍ ସହାୟତା ପ୍ରଦାନ କରି, କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କାରେ ଧାନ କ୍ରୟ କରାଯିବାର ବ୍ୟବସ୍ଥା କରାଯିବ । ଧାନ ମଞ୍ଜି ଉତ୍ପାଦନ ନିମନ୍ତେ ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା ଅଧୀନରେ ପଞ୍ଜିକୃତ ହୋଇ ରାଜ୍ୟ ବିହନ ନିଗମ ଲିମିଟେଡ୍ ମାଧ୍ୟରେ ପ୍ରମାଣିତ ଧାନ ବିହନ ବିକ୍ରୟ କରୁଥିବା ସମସ୍ତ ବିହନ ଉତ୍ପାଦକମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

Advertisment

ସେହିପରି ‘ସୁଭଦ୍ରା’ ଯୋଜନାରେ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଓ ଆବେଦନରେ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସୁଭଦ୍ରା ଗାଇଡଲାଇନକୁ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ସୁଭଦ୍ରା ଯୋଜନାରେ ଏକ କୋଟି ଆବେଦନକାରୀ ନାମ ପଞ୍ଜିକରଣ କରିଛନ୍ତି ଓ ମୋଟ ୨ଟି ପର୍ଯ୍ୟାୟରେ ୬୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଅନୁମୋଦନ କରାଯାଇଛି ।

Cabinet Meeting