ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇଛି। ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ସ୍ୱାମୀ ବସନ୍ତ କୁମାର ଛୋଟରାୟ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଶାନ୍ତିଲତା ବାରିକ ଛୋଟରାୟ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ଜୀବନ କାଳ ଭିତରେ ଅନେକ ଲୋକପ୍ରିୟ ଜଗନ୍ନାଥ ଭଜନ ଗାଇଛନ୍ତି। ଅତି ଲୋକପ୍ରିୟ। ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କର ବହୁ ପ୍ରଶଂସକ ଅଛନ୍ତି। ୨୦୧୧ ମସିହାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ହେଲ୍ଥ୍ ଚେକ୍ଅପ୍ ପରେ କ୍ୟାନ୍ସର ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ତା’ପରେ ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ୱାଇର ଟାଟା ମେମୋରିଆଲ୍ କ୍ୟାନ୍ସର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥିଲେ। ନିୟମିତ ମେଡ଼ିସିନ୍ ଖାଉଥିଲେ।
ତେବେ ମହାମାରୀ କୋଭିଡ୍ ପରେ ଅର୍ଥାତ ୨୦୨୨ ମସିହାରେ ପୁଣି ଥରେ ଅସୁସ୍ଥ ହୋଇପଡ଼ିଥିଲେ ଶାନ୍ତିଲତା ବାରିକ। ତେଣୁ ପରିବାର ଲୋକେ ତାଙ୍କୁ ପୁଣି ଥରେ ଟାଟା ମେମୋରିଆଲ୍ କ୍ୟାନ୍ସର ହସ୍ପିଟାଲ୍ ନେଇଥିଲେ। ଚିକିତ୍ସା ପରେ ୨୦୨୩ ସେପ୍ଟେମ୍ୱର ମାସରେ ଘରକୁ ଫେରିଥିଲେ। ତା’ପରେ ଓଡ଼ିଶାର ବିଭିନ୍ନ ମେଡ଼ିକାଲ୍ରେ ଚିକିତ୍ସିତ ହେଉଥିଲେ। ନିୟମିତ ମେଡ଼ିସିନ୍ ଖାଉଥିଲେ। ତେବେ ଆଜି ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତଦେହକୁ ଭୁବନେଶ୍ୱର କେଦାର ଗୌରୀ ସ୍ଥିତ ବାସଭବନକୁ ନିଆଯାଇଛି। ଆସନ୍ତା କାଲି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ଶ୍ୟାମାମଣି ଦେବୀ। ସେ କହିଛନ୍ତି, ଶାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ବହୁତ ମର୍ମାହତ। ସେ ବିଷୟରେ କହିବା ପାଇଁ ମୋ ପାଖରେ କିଛି ଭାଷା ନାହିଁ। ଭଜନ ଗାଇବା ପାଇଁ ତା ଗଳାରେ ଗୋଟିଏ ସ୍ୱତନ୍ତ୍ରତା ଥିଲା। ତାର ଭଜନ ପରିବେଷଣ ପ୍ରଣାଳୀ ମଧ୍ୟ ଭିନ୍ନ ଥିଲା। ମୁଁ ବର୍ତ୍ତମାନ ମଧ୍ୟ ବିଶ୍ୱାସ କରିପାରୁନି ସିଏ ଆମ ଗହଣରେ ନାହିଁ ବୋଲି। ଏଇଟା ମୋ ପାଇଁ ବହୁତ କଷ୍ଟ ଦାୟକ। କାରଣ ମୁଁ ତାକୁ ଛୁଆଟି ଦିନରୁ ଜାଣିଛି। ତା’ର ପ୍ରଥମ ପ୍ରୋଗ୍ରାମ ମୁଁ କରେଇଥିଲି ବୋଲି ଶ୍ୟାମାମଣି ଦେବୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଶେଷ ଥର ପାଇଁ ତାର(ଶାନ୍ତି) ଓ ମୋର ଗୋଟିଏ ପ୍ରୋଗ୍ରାମରେ ଦେଖା ହୋଇଥିଲା। ଷ୍ଟେଜ୍ ସମ୍ମୁଖରେ ସିଏ ବସିଥିଲା। ସେତେବେଳେ ମୁଁ ଗୋଟିଏ ଭଜନ ଗାଇଥିଲି। ଭଜନ ଶୁଣି ସିଏ ମୋ ପାଖକୁ ଆସି କାନ୍ଦିଥିଲା। ଆଉ କହିଲା, ଅପା ମୋତେ କନ୍ଦାଇ ଦେଲ। ମୁଁ ତାକୁ କହିଥିଲି, ନାଇଁରେ ମାଆ। ମୁଁ ତ ସେହି ପ୍ରଭୁଙ୍କୁ ଧରିଛି, ତୁ ବି ସେହି ପ୍ରଭୁଙ୍କୁ ଧରିଛୁ। ସମସ୍ତେ ସେହି ପ୍ରଭୁଙ୍କୁ କୁଣ୍ଢାଇ ଧରିବା। ସେହି ପ୍ରଭୁଙ୍କ ପାଖକୁ ଯିବା ପାଇଁ ପ୍ରାର୍ଥନା କରିବା। ମୁଁ ସେତେବେଳେ ଜାଣିଥିଲି, ତାର ଅସୁସ୍ଥତା। ତେଣୁ ବିଶେଷ କିଛି କହିନଥିଲି। କିନ୍ତୁ ସେ ଏମିତି ଭାବେ ଚାଲିଯିବ ବୋଲି ମୁଁ ଆଶା କରିନଥିଲି ବୋଲି ଶ୍ୟାମାମଣି ଦେବୀ କହିଛନ୍ତି।