ନୂଆଦିଲ୍ଲୀ: କରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ବାଣ ଫୁଟା ଉପରେ କଟକଣା ଲଗାଯାଇଛି। ଅର୍ଥାତ ଚଳିତ ବର୍ଷ ଅଧିକାଂଶ ରାଜ୍ୟରେ ବାଣ ଫୁଟିପାରିବ ନାହିଁ। ଏହିକ୍ରମରେ ଦେଶର ରାଜଧାନୀ ଦିଲ୍ଲୀରେ ଏଥର ବାଣ ଫୁଟାଇବା ମହଙ୍ଗା ପଡ଼ିପାରେ। ନଭେମ୍ବର ୩୦ ତାରିଖ ସୁଦ୍ଧା ଯଦି ଦିଲ୍ଲୀରେ କୌଣସି ବ୍ୟକ୍ତି ବାଣ ଫୁଟାନ୍ତି, ତାହେଲେ ତାଙ୍କୁ ଦେଢ଼ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ।
ଗତ କିଛି ଦିନ ହେବ ବାୟୁ ପ୍ରଦୁଷଣ ବଢ଼ୁଥିବାର ଦେଖି ଦିଲ୍ଲୀ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ ଆଜି ପୁଲିସ୍ ଅଧିକାରୀ, ନଗର ନିଗମ, ପରିବହନ ବିଭାଗ ଓ ଜିଲ୍ଲା ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକ ପରେ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ବାଣ ଦ୍ୱାରା ପ୍ରଦୁଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏୟାର୍ ଆକ୍ଟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ଏଥିରେ ଆର୍ଥିକ ଦଣ୍ଢ ଦେବା ସହ ଅତିକମରେ ଦେଢ଼ ବର୍ଷ ଏବଂ ଅତିବେଶୀରେ ୬ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ରହିବ।
ସୂଚନାଯୋଗ୍ୟ, ଦିଲ୍ଲୀ ଓ ଏନସିଆରରେ ବଢ଼ୁଥିବା ପ୍ରଦୁଷଣ କାରଣରୁ ଲୋକଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହାକୁ ଆଖି ଆଗରେ ରଖି ଦିଲ୍ଲୀ ଓ ଏନସିଆରରେ ନଭେମ୍ବର ୯ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଏବଂ ଏହାର ବିକ୍ରି ଉପରେ ପ୍ରବିବନ୍ଧକ ଲଗାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।