ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଶିଶୁ ଓ ବୟସ୍କଙ୍କ କ୍ଷେତ୍ରରେ ଅଧିକ ଘାତକ ହୋଇଥାଏ। ଏହି ବୟସର ଲୋକମାନେ କରୋନା ଦ୍ୱାରା ପ୍ରାଣ ହରାଇବାର ଅଧିକ ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଏହାକୁ ଭୁଲ ପ୍ରମାଣିତ କରି କରୋନା ଯୁଦ୍ଧରେ ଲଢ଼େଇ କରି ଜଣେ ୪ ମାସର ଶିଶୁ ଓ ଜଣେ ୯୭ ବର୍ଷୀୟ ବୃଦ୍ଧ ବିଜୟୀ ହୋଇଛନ୍ତି। ଦୀର୍ଘ ଦିନର ଚିକିତ୍ସା ପରେ ଉଭୟ କରୋନା ସଂକ୍ରମଣରୁ ମୁକ୍ତି ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ଜଣେ ୪ ମାସର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ୧୮ ଦିନ କାଳ ଭେଣ୍ଟିଲେଟରରେ ରହିବା ପରେ ସେ କରୋନା କବଳରୁ ସୁରକ୍ଷିତ ଭାବେ ମୁକୁଳିଛନ୍ତି। ଶୁକ୍ରବାର ଦିନ ତାଙ୍କ ରିପୋର୍ଟ ନେଗେଟିଭ ଆସିବାରୁ ଶିଶୁଟିକୁ ବିଶାଖା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରୁ ଡିସଚାର୍ଜ କରାଯାଇଛି।
ମେ’ ମାସରେ ପୂର୍ବ ଗୋଦାବରୀର ଲକ୍ଷ୍ମୀ ନାମକ ଜଣେ ଆଦିବାସୀ ମହିଳା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କର ୪ ମାସର ଶିଶୁ ଶରୀରରେ ମଧ୍ୟ କରୋନା ଭୂତାଣୁ ଠାବ ହୋଇଥିଲା। ମେ’ ୨୫ରେ ଶିଶୁଟିକୁ ବିଶାଖାପଟନମର ବିଶାଖା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ୧୮ ଦିନ ପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶେଷରେ ସେ ଭେଣ୍ଟିଲେଟରରୁ ବାହାରିଥିଲେ ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।
ଅନ୍ୟପକ୍ଷରେ ଆଗ୍ରାର ଜଣେ ୯୭ ବର୍ଷ ବୃଦ୍ଧ ମଧ୍ୟ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି। ୧୯୨୩ରେ ଜନ୍ମ ଗ୍ରହଣ କରିଥିବା ଏହି ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଦେଶର ସବୁଠାରୁ ବୟସ୍କ କରୋନା ରୋଗୀର ଆଖ୍ୟା ମଧ୍ୟ ପାଇଥିଲେ। ତାଙ୍କୁ ଏପ୍ରିଲ ୨୯ରୁ ନୟାତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପ୍ରାଥମିକ ଅବସ୍ଥାରେ ତାଙ୍କର ଅମ୍ଳଜାନ ଅଭାବ ପଡ଼ିଥିଲା। ଶେଷରେ ଡାକ୍ତରଙ୍କ ଉଦ୍ୟମ ଓ ଉକ୍ତ ବୃଦ୍ଧଙ୍କ ସାହସ ଯୋଗୁ ସେ କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି। ଗତକାଲି ତାଙ୍କୁ ହସ୍ପିଟାଲରୁ ଡିସାଚାର୍ଜ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।