ନୂଆଦିଲ୍ଲୀ: ଏପ୍ରିଲ ୨୩ ତାରିଖରେ ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ଦେବାକୁ ଯାଉଛି। ମୋଟ ୧୧୬ ଲୋକସଭା ଆସନ ପାଇଁ ୧, ୬୧୨ ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ୫୭୦ ଜଣ ପ୍ରାର୍ଥୀ ଅପରାଧ ସହ ସଂପୃକ୍ତ ବା ଦାଗୀ ନେତା ବୋଲି ‘ଆସୋସିଏସନ ଅଫ୍ ଡେମୋକ୍ରାଟିକ ରିଫର୍ମସ’ (ଏଡିଆର) ପ୍ରକାଶ କରିଛି। ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରିବା ପରେ ଏଡିଆର ଏହି ତଥ୍ୟ ସାମ୍ନାକୁ ଆଣିଛି।
କଂଗ୍ରେସର ୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ଜଣ ଦାଗୀ ନେତା ବୋଲି ଜଣାପଡ଼ିଥିବା ବେଳେ ବିଜେପିର ୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ ଜଣ ଦାଗୀ ନେତା ବୋଲି ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି। ବିଜେପି ପକ୍ଷରୁ ସର୍ବାଧିକ ଦାଗୀ ନେତା ପ୍ରାର୍ଥୀ ହୋଇଥିବା ବେଳେ ସିପିଆଇ-ଏମ୍ର ସର୍ବନିମ୍ନ ୧୪ ଜଣ ଦାଗୀ ପ୍ରାର୍ଥୀ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ଥିବା ଜଣାପଡ଼ିଛି।
ତେବେ ଏହି ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣଙ୍କ ନାମରେ ହତ୍ୟା ଅଭିଯୋଗ ରହିଥିବା ବେଳେ ୨୯ ଜଣଙ୍କ ନାମରେ ମହିଳାଙ୍କୁ ଦୁଷ୍କର୍ମ, ନିର୍ଯାତନା ଭଳି ମାମଲା ରହିଛି। ସେହିପରି ୨୬ ଜଣ ପ୍ରାର୍ଥୀଙ୍କ ନାମରେ ମହିଳାଙ୍କ ପ୍ରତି ଘୃଣ୍ୟ ମନ୍ତବ୍ୟ ଦେଉଥିବାର ଅଭିଯୋଗ ରହିଛି।
ଏଥିସହ ମୋଟ ୧୧୬ ଲୋକସଭା ଆସନ ମଧ୍ୟରୁ ୬୩ଟି ନିର୍ବାଚନ ମଣ୍ଡଳୀ ରେଡ୍ ଆଲର୍ଟ ଥିବା ସମ୍ବେଦନଶୀଳ ବୋଲି ସୂଚନା ରହିଛି।
ସେହପରି ୧,୬୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୩୯୨ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୨୦୪ କୋଟି ଟଙ୍କା ସହ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟିର ଦେବେନ୍ଦ୍ର ସିଂହ ଯାଦବ। ଦ୍ୱିତୀୟରେ ୧୯୯ କୋଟି ଟଙ୍କା ସମ୍ପତ୍ତି ସହ ମହାରାଷ୍ଟ୍ରର କଂଗ୍ରେସ ପ୍ରାର୍ଥୀ ଭୋନଶଲେ ଶ୍ରୀମନ୍ତ ଛତ୍ରପତି ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।