ମଥୁରା: ଆଜିର ଦିନରେ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ଆକ୍ରମଣ। ଏହାର ୧୮ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଭୟଙ୍କର ହମ୍ଲାର ସ୍ମୃତିଚାରଣ କରିବା ସହ ଆତଙ୍କବାଦ ଉପରେ ବର୍ଷିଛନ୍ତି।
ସେ ଆଜି କହିଥିଲେ, ଆଜି ଆତଙ୍କବାଦ ଏକ ବିଚାରଧାରାର ରୂପ ନେଇ ସବୁ ସୀମାରେ ଭୟ ସୃଷ୍ଟି କରିଛି। ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା, ଆମ ପଡ଼ୋଶୀ ରାଷ୍ଟ୍ରରେ ଏହାର ମୂଳୋତ୍ପାଟନ ଜରୁରୀ। ସେ କହିଥିଲେ, ପୂରା ବିଶ୍ୱ ଏହି ବିଚାରଧାରା ବିରୋଧରେ ଲଢ଼େଇ କରିବା ସହ ଯେଉଁମାନେ ଏସବୁକୁ ପ୍ରଶୟ ଦେଉଛନ୍ତି ବା ଆତଙ୍କବାଦୀଙ୍କୁ ତାଲିମ ଦେଉଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।
ସେ କହିଥିଲେ ଭାରତ ଅତୀତରେ ମଧ୍ୟ ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସିଛି ଏବଂ ଭବିଷ୍ୟତରେ ମଧ୍ୟ ତାହା ଚାଲୁ ରଖିବ। ୯/୧୧ ବା ସେପ୍ଟେମ୍ବର ୧୧ ତାରିଖକୁ ମନେ ପକାଇ ସେ କହିଥିଲେ, ଏହା ଅନ୍ୟ ଏକ କାରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ଦିନ। କାରଣ ଏହି ଦିନ ଦୀର୍ଘ ଦିନ ତଳେ ସ୍ୱାମୀ ବିବେକାନନ୍ଦ ଆମେରିକାରେ କାଳଜୟୀ ଭାଷଣ ଦେଇଥଲେ, ଯାହାକି ପରେ ଭାରତର ନୂଆ ପରିଚୟ ସୃଷ୍ଟି କରିଥିଲା। ଏହି ଭାଷଣ ଜରିଆରେ ସମଗ୍ର ବିଶ୍ୱ ଭାରତର ସଂସ୍କୃତି ଏବଂ ପରିଚୟ ବାବଦରେ ଜାଣିବାକୁ ପାଇଥିଲା। କିନ୍ତୁ ଦୁର୍ଭାଗ୍ୟଜନକ କଥା ହେଉଛି, ସେହି ତାରିଖରେ ହୋଇଥିବା ଆକ୍ରମଣ ସାରା ବିଶ୍ୱକୁ ଥରାଇ ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।