ଭୋପାଲ: ବିବାହ ପୂର୍ବରୁ ବର କନ୍ୟା ମୋଟା ଅଙ୍କର ଖର୍ଚ୍ଚ କରି ଏବେ ପ୍ରି-ୱେଡିଂ ଫଟୋ ଶୁଟ୍ କରୁଛନ୍ତି। ବିଭିନ୍ନ ମନୋରମ ସ୍ଥାନରେ ଭାବି ଦମ୍ପତ୍ତି ଭିଡିଓ ସାଙ୍ଗକୁ ଫଟୋ ଶୁଟ କରି ବାହାଘର ପୂର୍ବରୁ ବିବାହପୂର୍ବ ଉତ୍ସବକୁ ଆହୁରି ସ୍ମରଣୀୟ କରୁଛନ୍ତି। ଏବେ ଏହି ପ୍ରି ଓ୍ୱେଡିଂ ଶୁଟିଂ ଶୌଚାଳୟ ଉପରେ କଲେ ଟଙ୍କା ମିଳିବ ବୋଲି ଭୋପାଳ ମହାନଗର ନିଗମ କହିଛି। ଯେଉଁ ଭାବି ଦମ୍ପତ୍ତି ଶୌଚାଳୟ ଉପରେ ଛିଡ଼ା ହୋଇ ସେଲଫି ଉଠାଇବେ ସେମାନଙ୍କୁ ୫୧ ହଜାର ଟଙ୍କା ଉପହାର ମିଳିବ ବୋଲି ଘୋଷଣା କରାଯାଇଛି। ଏହି ଟଙ୍କା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁଯାୟୀ ମିଳିବ ବୋଲି ଭୋପାଳ ମହାନଗର ପାଳିକା କହିଛି।
ପ୍ରତି ଘରେ ଶୌଚାଳୟ ରହିଛି କି ନାହିଁ ବିଏମସି ଅଧିକାରୀ ଯାଇ ଦେଖିବା ପରିବର୍ତ୍ତେ ଏପରି ନୂଆ ସର୍ତ୍ତ ରଖିଛନ୍ତି। ଏହି ନିୟମ କେବଳ ଭୋପାଲ ନଗରପାଳିକା ପାଇଁ ନୁହେଁ ବରଂ ଗାଁ ଗୁଡ଼ିକ ପାଇଁ ମଧ୍ୟ ଏହି ସର୍ତ୍ତ ଲାଗୁ ବୋଲି ମହାନଗର ନିଗମ କହିଛି।
ବିଏମସିର ପ୍ରଭାରୀ ସିବି ମିଶ୍ରା କହିଛନ୍ତି ପୂର୍ବରୁ ବିବାହର ୩୦ ଦିନ ପରେ ଶୌଚାଳୟ ନିର୍ମାଣ କଲେ ଏହି ଟଙ୍କା ଦିଆଯାଉଥିଲା। ଏବେ କିନ୍ତୁ ବିବାହ ପୂର୍ବରୁ ଶୌଚାଳୟ ଉପରେ ଭାବି ଦମ୍ପତ୍ତି ଫଟୋ ଉଠାଇ ବିଏମସିକୁ ଦେବା ପାଇଁ ପଡ଼ିବ ବୋଲି ସେ କହିଛନ୍ତି। ଏପରି କରିବା କିଛି ଖରାପ ନୁହେଁ ବୋଲି ବିଏମସି ଅଧିକାରୀ କହିଛନ୍ତି। ସ୍ଥାନୀୟ କଂଗ୍ରେସ ନେତା ରଫିକ କୁରେସୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଶୌଚାଳୟ ଆସୁଛି। ଏପରି କଲେ ଏହି ଅଭିଯାନକୁ ଆହୁରି ଆଗକୁ ନେଇ ହେବ।
ସୂଚନାଯୋଗ୍ୟ, ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଅଭୀନିତ 'ଟଏଲଟ, ଏକ ପ୍ରେମ କଥା' ଫିଲ୍ମ ରିଲିଜ୍ ହୋଇଥିଲା। ଯେଉଁଥିରେ ଅକ୍ଷୟ କୁମାର ମଧ୍ୟ ଫିଲ୍ନରେ ବିବାହ ପରେ ସ୍ତ୍ରୀଙ୍କ ସହ ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଉଥିବାର ଦେଖିବାକୁ ମିଳିଥିଲା।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆର୍ଥିକ ଭାବରେ ଦୁର୍ବଳ ଶ୍ରେଣୀ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ହୋଇଛି। ଗତବର୍ଷ ଡିସେମ୍ୱର ୧୮ରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାର ରାଶି ୨୮ ହଜାରକୁ ବୃଦ୍ଧି କରି ୫୧ ହଜାର ଟଙ୍କା କରିଥିଲେ। ଏହାପରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଥିଲା। ପ୍ରତି ଘରକୁ ଯାଇ ବିଏମସି ଅଧିକାରୀ ଶୌଚାଳୟ ଅଛି କି ନାହିଁ ତଦନ୍ତ କରିବା ଅସମ୍ଭବ ହୋଇ ପଡ଼ିବାରୁ ଭୋପାଲ ମହାନଗର ପାଳିକା ଏପରି ସର୍ତ୍ତ ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।