ଜୟପୁର: ଅହମଦାବାଦରୁ ଗିରଫ ହୋଇଛନ୍ତି ମଡେଲ ତଥା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀ। ଆଜି ସକାଳୁ ରାଜସ୍ଥାନ ପୁଲିସ ପାୟଲ ରୋହତଗୀଙ୍କୁ ଅହମଦାବାଦାରୁ ଗିରଫ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଏବଂ ତାଙ୍କ ବାପା ମୋତିଲାଲ ନେହେରୁଙ୍କୁ ନେଇ ପାୟଲ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ପୁଲିସ ତାଙ୍କୁ ଗରିଫ କରିଛି। ଏ ନେଇ ରାଜସ୍ଥାନ ବୁନ୍ଦିର ଏସପି ମମତା ଗୁପ୍ତା ସୂଚନା ଦେଇଛନ୍ତି।
'ମୋତି ଲାଲ ନେହେରୁ ଏବଂ ଜବାହର ଲାଲ ନେହେରୁଙ୍କ ବାବଦରେ ଗୁଗୁଲରୁ କିଛି ସୂଚନା ନେଇ ଭିଡିଓ କରିଥିଲି। ଏହାପରେ ପୁଲିସ ମୋତେ ଗିରଫ କରିଛି' ବୋଲି ଟୁଇଟ୍ କରି କହିଛନ୍ତି ପାୟଲ। ଏହି ଟୁଇଟରେ ସେ ପ୍ରଧାନମନ୍ତ୍ରୀଙ୍କ ଅଫିସ, ସ୍ୱରାଷ୍ଟ୍ରମନ୍ତ୍ରଣାଳୟ, ଗୁଗୁଲ ଇଣ୍ଡିଆର ଟୁଇଟର ଆକାଉଣ୍ଟକୁ ଟ୍ୟାଗ କରିଛନ୍ତି।
https://twitter.com/Payal_Rohatgi/status/1206074851276083200
ଏସପି ମମତା କହିଛନ୍ତି, ପାୟଲଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। ଏବେ ପାୟଲଙ୍କୁ ପଚରା ଉଚରା କରୁଛି ପୁଲିସ। ତାଙ୍କ ବିରୋଧରେ ଆଇଟି ଆଇନ ଅନୁଯାୟୀ ଧାରା ୬୬ ଏବଂ ୬୭ ଆଧାରରେ ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, ପାୟଲ ଯେଉଁ ଭିଡିଓ ତିଆରି କରିଥିଲେ ସେଥିରେ ସେ କହିଥିଲେ, ଧାରା ୩୭୦କୁ କଂଗ୍ରେସ ବିରୋଧ କରୁଛି। ମୋତେ ଲାଗୁଛି ଏହାର କାରଣ ମୋତିଲାଲଙ୍କର ୫ଟି ସ୍ତ୍ରୀ ଥିଲେ। ଏଥିସହ ମୋତିଲାଲ ନେହେରୁ ଜବାହର ଲାଲ ନେହେରୁଙ୍କ ସାବତ ବାପା। ଏଲିନା ରାମକୃଷ୍ଣଙ୍କ ଦ୍ୱାରା ଲେଖାହୋଇଥିବା ବାୟୋଗ୍ରାଫିର ଏକ ଅଂଶକୁ ଉଦ୍ଧାର କରି ଏଭଳି କହିଥିଲେ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୨୧ରେ ଏହି ବିବାଦୀୟ ଭିଡିଓକୁ ପାୟଲ ନିଜ ଫେସ୍ବୁକ ପେଜ୍ରେ ପୋଷ୍ଟ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।