ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସରେ ‘ଗାର୍ଡ ଅଫ୍ ଅନର’ ଦେଖିବ ଜେଏନ୍ୟୁ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଭାଙ୍ଗିବ ଦୀର୍ଘ ବର୍ଷର ଜେଏନ୍ୟୁ ପରମ୍ପରା, ଯାହା ଗତ କେଇ ଦଶନ୍ଧି ହେଲା ହୋଇପାରିନଥିଲା। ପୂର୍ବରୁ ଗଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ହେଉଥିଲେ ହେଁ ତାହା କେବଳ ଜେଏନ୍ୟୁ ପ୍ରଶାସନ ମଧ୍ୟରେ ସୀମିତ ଥିଲା। ଏବେ ତ୍ରିରଙ୍ଗା ସହ ଛାତ୍ରଛାତ୍ରୀଙ୍କୁ ପରେଡ୍ କରୁଥିବା ଦେଖିବ ଜେଏନ୍ୟୁ। କିଛି ଏନ୍ସିସି କ୍ୟାଡେଟ୍ ଏଥିପାଇଁ ଅଭ୍ୟାସ ଓ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। କେବଳ ଅପେକ୍ଷା ରହିଛି ଜାନୁଆରୀ ୨୬ ସକାଳକୁ।
JNU is also gearing up to celebrate the Republic Day. This year, for the first time, the NCC cadets of the University will be participating in a parade at the venue of flag hoisting during the Republic Day celebrations at JNU. pic.twitter.com/uf67ONlSH9
— Mamidala Jagadesh Kumar (@mamidala90) January 20, 2020
ଗତ କିଛି ଦିନର ଅସ୍ଥିରତା ପରେ ଜେଏନ୍ୟୁର ଇତିହାସରେ ଏଭଳି ଘଟଣା ଘଟିବାକୁ ଯାଉଛି। ଚଳିତ ବର୍ଷ ୩ଟି ଗାର୍ଲସ୍ ବାଟାଲିଅନ୍ ଭାଗନେବାର ଅଛି। ୧୯୬୯ ମସିହାରେ ଜେଏନ୍ୟୁ ପ୍ରତିଷ୍ଠା ପରଠାରୁ ଏଭଳି କେବେ ହୋଇନଥିବା କୁହାଯାଉଛି।
ଏନେଇ ଖୋଦ୍ ଜେଏନ୍ୟୁ କୁଳପତି ଡକ୍ଟର ମାମିଦାଲା ଜଗଦୀଶ କୁମାର ଏକ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି, ଜେଏନ୍ୟୁ ଗଣତନ୍ତ୍ର ପାଇଁ ପ୍ରସ୍ତୁତ ହେଉଛି। ବିଶ୍ୱବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ ଚଳିତ ବର୍ଷର ଗଣତନ୍ତ୍ର ଦିବସ ପତାକା ଉତ୍ତୋଳନ ସ୍ଥଳରେ ଭାଗନେବେ।
ସେ ଆହୁରି ମଧ୍ୟ କହିଛନ୍ତି ୮୨% ଛାତ୍ରଛାତ୍ରୀ ନିଜ ହଷ୍ଟେଲ ଫି’ ଭରି ସାରିଛନ୍ତି। ଶୀତକାଳୀନ ସେମିଷ୍ଟର ପାଇଁ ଏହି ଫି’ ଦିଆଯାଇଛି। ବିଶ୍ୱବିଦ୍ୟାଳୟରେ ଗତ କିଛି ଦିନର ଅସ୍ଥିରତା ଏବଂ ଫି’ ବୃଦ୍ଧି ବିରୋଧରେ ବୟକଟ୍ ଆହ୍ୱାନ ପରେ ମଧ୍ୟ ଛାତ୍ରଛାତ୍ରୀ ସ୍ୱାଭାବିକ ଭାବେ ପରୀକ୍ଷା ପାଇଁ ଆଗ୍ରହ ଦେଖାଇଛନ୍ତି। ତେବେ ଜେଏନ୍ୟୁରେ ଗଣତନ୍ତ୍ର ଦିବସ ନେଇ ଏଯାଏ ଜେଏନ୍ୟୁ ଛାତ୍ର ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।