କୋଲକାତା: ମହାମାରୀ କରୋନା ଭାଇରସ ସହ ସମ୍ମୁଖ ଭାଗରେ ରହି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେଉଥିବାରୁ ତାଙ୍କୁ କରୋନା ଯୋଦ୍ଧାର ଆଖ୍ୟା ମିଳିଥିଲା। ହେଲେ ଲୋକଙ୍କ ସେବା କରିବା ସମୟରେ ସେ ନିଜେ କେତେବେଳେ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଯାଇଥିଲେ, ସେକଥା ଜାଣିପାରି ନଥିଲେ। ଶେଷରେ ସଂକ୍ରମଣର ମାତ୍ରା ଏତେ ବଢ଼ି ଗଲା ଯେ ୩୮ ବର୍ଷୀୟ ମହିଳା ସରକାରୀ ଅଫିସର ଜଣଙ୍କ ସବୁଦିନ ପାଇଁ ଆଖି ବୁଜିଛନ୍ତି।
ଆମେ ଏଠି ୩୮ ବର୍ଷୀୟ ମହିଳା ସରକାରୀ ଅଫିସର ଦେବଦତ୍ତ ରୟଙ୍କ କଥା କହୁଛୁ। କରୋନା ସଙ୍କଟର ମୁକାବିଲା କରୁଥିବାରୁ ସେ ନିଜର ୪ ବର୍ଷର ଏକମାତ୍ର ପୁଅ ଓ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ। ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଯେ ଲୋକଙ୍କୁ କରୋନା ସଙ୍କଟ ବେଳେ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବା।
ନିଜର ଏହି ନିଷ୍ଠାପରତା ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଥିଲେ। ହେଲେ ଏବେ ସେ ନିଜର ପୁଅ, ସ୍ୱାମୀ ଓ ତାଙ୍କୁ ଭଲ ପାଉଥିବା ସାଧାରଣ ଲୋକଙ୍କୁ ଛାଡ଼ି ସବୁଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି।
ଶ୍ରୀମତୀ ରୟ ହୁଗୁଳି ଜିଲ୍ଲାର ଚନ୍ଦନନଗର ସବଡିଭିଜନରେ ଡେପୁଟି ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରୁଥିଲେ। ସେ ହୁଗୁଳିକୁ ବିଭିନ୍ନ ରାଜ୍ୟରୁ ଆସୁଥିବା ଟ୍ରେନ୍ଗୁଡ଼ିକର ତଦାରଖ ଦାୟିତ୍ୱରେ ଥିଲେ। ଟ୍ରେନରେ ଆସୁଥିବା ଶ୍ରମିକମାନଙ୍କୁ କ୍ୟାମ୍ପରେ ରଖିବା ଓ ସେମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବାର ଗୁରୁ ଦାୟିତ୍ୱ ଶ୍ରୀମତୀ ରୟ ହିଁ କରୁଥିଲେ।
ଏଥିପାଇଁ ସେ ପ୍ରବାସୀ ଶ୍ରମିକଙ୍କ ପାଇଁ ନିର୍ମାଣ ହୋଇଥିବା କ୍ୟାମ୍ପକୁ ବି ଯାଉଥିଲେ। ଏହି ସମୟରେ ସେ ସଂକ୍ରମିତ ହୋଇଥିଲେ। ଚଳିତ ମାସ ଆରମ୍ଭରୁ ତାଙ୍କ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯାଇଥିଲା। ଏଥିପାଇଁ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ।
ହେଲେ ରବିବାର ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥିଲା। ତାଙ୍କୁ ତୁରନ୍ତ ଶ୍ରମଜୀବୀ ହସ୍ପିଟାଲକୁ ନିଆଯାଇଥିଲା। ହେଲେ କରୋନା ତାଙ୍କ ଶରୀରରେ ଏତେ ମାତ୍ରାରେ କ୍ଷତି କରିଥିଲା ଯେ ସୋମବାର ସେ ଶେଷରେ ଆଖିବୁଜି ଦେଇଛନ୍ତି।
୨୦୧୦ ୱେଷ୍ଟ ବେଙ୍ଗଲ ସିଭିଲ ସର୍ଭିସ ବ୍ୟାଚ୍ର ଅଫିସର ଦେବଦତ୍ତ ରୟ ପ୍ରଥମେ ବିଡିଓ ଭାବେ ପୁରୁଲିଆରେ କାମ କରୁଥିଲେ। ହେଲେ କରୋନା ପାଇଁ ତାଙ୍କୁ ହୁଗୁଳି ଜିଲ୍ଲାର ଚନ୍ଦନନଗରକୁ ବଦଳି କରାଯାଇଥିଲା।
ସେ ଏତେ ଉଦାର ଥିଲେ ଯେ ତାଙ୍କ ଠାରୁ କନିଷ୍ଠ ଅଫିସରଙ୍କୁ ବି ଚା’ ତିଆରି କରିଦେବାକୁ ମଧ୍ୟ ପଛାଉ ନଥିଲା। ତାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।