ସିମଲା: ନଭେମ୍ବର ୯ ତାରିଖରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହାତରେ ମାତ୍ର ୪ଦିନ ବାକି। ଏଥିପାଇଁ ବିଜେପି ଜୋରଦାର ପ୍ରଚାର ଚଳାଇଛି। ଅନ୍ୟପକ୍ଷରେ ଶାସକ କଂଗ୍ରେସ୍ କ୍ୟାମ୍ପ ସତେ ଯେମିତି ଶାନ୍ତ ପଡିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନ ଗେରୁଆ ପୋଷ୍ଟର ଓ ବ୍ୟାନରେ ଛାଇ ହୋଇଯାଇଛି। ହେଲେ କାଁ ଭାଁ କଂଗ୍ରେସ ବ୍ୟାନର, ପୋଷ୍ଟର ଦେଖିବାକୁ ମିଳୁଛି। ସେହିପରି ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତା ଜୋରଦାର ପ୍ରଚାର ଚଲାଇଛନ୍ତି। ହେଲେ କଂଗ୍ରେସ୍ କ୍ୟାମ୍ପରେ ହାତଗଣତି କର୍ମୀ ଓ ନେତାଙ୍କୁ ଦେଖିବାକୁ ମିଳୁଛି।
ଗଣମାଧ୍ୟମରେ ବିଜେପି ରାଜ
ବିଭିନ୍ନ ଗଣମାଧ୍ୟମରେ ବିଜେପିର ପ୍ରଚାର ବିଜ୍ଞାପନ ଦେଖିବାକୁ ମିଳୁଛି। ସେ ଖବରକାଗଜ ହେଉ କି ବୈଦ୍ୟୁତିକ ଗଣମାମଧ୍ୟ, ବିଜେପି ବିଜ୍ଞାପନ ଭର୍ତ୍ତି ହୋଇ ରହୁଛି। ୬୮ଟି ପ୍ରଚାର ଗାଡି ସାରା ରାଜ୍ୟରେ ବୁଲି ବୁଲି ପ୍ରଚାର କରୁଛନ୍ତି। ଏହାସହ ନାଟକ ଜରିଆରେ ମଧ୍ୟ ଗାଁ, ଗହଳିରେ ପ୍ରଚାର କରାଯାଉଛି।
କଂଗ୍ରେସ୍ କ୍ୟାମ୍ପ ଯେମିତି ଶୋଇଯାଇଛି। ଗଣମାଧ୍ୟମ ପ୍ରଚାର ବିଜ୍ଞାପନ କଥା ଛାଡନ୍ତୁ, ରାସ୍ତା ଘାଟରେ ମଧ୍ୟ ବ୍ୟାନର ପୋଷ୍ଟ କମ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ବୀରଭନ୍ଦ୍ର ସିଂହଙ୍କ ସହଯୋଗୀ କହୁଛନ୍ତି, ପ୍ରଚାର ପାଇଁ ଆମ ପକ୍ଷେ ହେଲିକପ୍ଟର ଯୋଗାଡ କରିବା ସମ୍ଭବ ନୁହେଁ। ତେଣୁ ୮୩ ବର୍ଷରେ ବି ମୁଖ୍ୟମନ୍ତ୍ରୀ ସଡ଼କପଥରେ ପ୍ରଚାର ପାଇଁ ଯାଉଛନ୍ତି।
‘ପରାଜୟ ମାନି ନେଇଛି କଂଗ୍ରେସ’
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ହିମାଚଳ ପ୍ରଦେଶରେ ନିର୍ବାଚନ ପୂର୍ବରୁ କଂଗ୍ରେସ ପରାଜୟ ସ୍ୱୀକାର କରିନେଇଛି। ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରହୁଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଭାଗ୍ୟ ପରେ ଛାଡି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।