ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ସୁପ୍ରିମକୋର୍ଟରୁ ପୁଣି ନିରାଶ ହେବାକୁ ପଡ଼ିଛି। ଆଜି ଏହି ଦୁର୍ନୀତି ମାମଲାରେ ହୋଇଥିବା ଆର୍ଥିକ ନେଣଦେଣକୁ ନେଇ ଜାମିନ୍ ନଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଇଡି। ଜାମିନ୍ ପ୍ରଦାନ କଲେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି କୋର୍ଟରେ ଇଡି ଦର୍ଶାଇଥିଲା। ଏହାପରେ ସମସ୍ତ ପକ୍ଷଙ୍କୁ ଶୁଣି ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ଦେବାକୁ ମନା କରିଦେଇଥିଲେ ସୁପ୍ରିମକୋର୍ଟ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଣି କରି କହିଥିଲେ ଚିଦାମ୍ୱରମ ସେପ୍ଟେମ୍ୱର ୫ଯାଏ ସିବିଆଇ ହେପାଜତରେ ରହିବେ, ସେତେଦିନ ଯାଏ ତିହାର ଜେଲ୍ ଯାଇ ପାରିବେ ନାହିଁ।
ଆଜି ସୁପ୍ରିମକୋର୍ଟ ଇଡି ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣି କରି କହିଛନ୍ତି ଚିଦାମ୍ୱରମଙ୍କୁ ଜାମିନ୍ ଦେବା ଠିକ୍ ହେବନି। ଆର୍ଥିକ ଅପରାଧ ବିଭିନ୍ନ ସ୍ତରରେ ଚିଦାମ୍ୱରମଙ୍କ ନାଁରେ ରହିଛି। ଯଦି ଜାମିନ୍ ଦିଆଯିବ ତାହେଲେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଚିଦାମ୍ୱରମ୍ ଅଗ୍ରୀମ ଜାମିନ୍ ବଦଳରେ ରେଗୁଲାର ଜାମିନ୍ ପାଇଁ ଆବେଦନ କରିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ତଦନ୍ତକାରୀ ସଂସ୍ଥାମାନେ ଚିଦାମ୍ୱରମଙ୍କ ବିରୋଧରେ ଅଦାଲତରେ କେସ୍ ଡାଏରୀ ଦାଖଲ କରିପାରିବେ।
ସୁପ୍ରିମକୋର୍ଟରେ ଏହି ଶୁଣାଣି ବେଳେ କୋର୍ଟରେ ଚିଦାମ୍ୱରମଙ୍କ ସ୍ତ୍ରୀ ନଳିନୀ ଚିଦାମ୍ୱରମ, ପୁଅ କାର୍ତ୍ତୀ ଚିଦାମ୍ୱରମ୍, ଓକିଲ ଅଭିଷେକ ମନୁ ସିଂହବି ଏବଂ କପିଲ୍ ସିବଲ୍ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।