ଲକ୍ଷ୍ନୌ: ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜେଲ୍ ଯାଇଥିବା ଉତ୍ତର ପ୍ରଦେଶର ବିଜେପି ନେତା ଚିନ୍ମୟାନନ୍ଦ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏବେ ସେ ଲକ୍ଷ୍ମୌ ସ୍ଥିତ ସଞ୍ଜୟ ଗାନ୍ଧି ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଶାହାଜାହାନପୁରରୁ ସ୍ଥାନାନ୍ତର କରାଯାଇଛି। ଏବେ ସେ କାର୍ଡିଓଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତାଙ୍କ ଛାତିରେ ଏକ ବ୍ଲକେଜ ରହିଛି। ଏଥିସହ ମଧୁମେହ ରୋଗରେ ଚିନ୍ମୟାନନ୍ଦ ପୀଡ଼ିତ। ଜେଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଏହି ରୋଗ ବାବଦରେ ଜଣାପଡ଼ିଥିଲା।
ଅନ୍ୟପଟେ ଯୌନ ନିର୍ଯାତନା ମାମଲାରେ ତଦନ୍ତ କରୁଥିବା ଏସଆଇଟି ଟିମ୍ ଆହ୍ଲାବାଦ୍ ହାଇକୋର୍ଟରେ ଚିନ୍ମୟାନନ୍ଦଙ୍କ ବାବଦରେ ଏକ ସତ୍ୟପାଠ ଦାଖଲ କରିଛି। ଏକ ବନ୍ଦ ଏନଭେଲପରେ ତଦନ୍ତ ବାବଦରେ ଉଲ୍ଲେଖ କରିବା ସହିତ ତଦନ୍ତ ବେଳେ ପୀଡ଼ିତା ଦେଇଥିବା ପେନ୍ ଡ୍ରାଇଭକୁ ମଧ୍ୟ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ନିକଟରେ ଏସଆଇଟି ଦାଖଲ କରିଛି।
ଚିନ୍ମୟାନନ୍ଦ ଗିରଫ ହେବା ପରେ ତିନି ଯୁବକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି। ଏହି ତିନି ଯୁବକ ପୀଡ଼ିତାଙ୍କ ବନ୍ଧୁ ଏବଂ ଦୁଇ ଭାଇ ବୋଲି ସୂଚନା ରହିଛି। ଏବେ ପୀଡ଼ିତାଙ୍କୁ ଗିରଫ କରିବା ପାଇଁ ଏସଆଇଟି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। କାରଣ ପୀଡ଼ିତା ସମେତ ତିନି ଯୁବକ ଚିନ୍ମୟାନନ୍ଦଙ୍କୁ ଧମକ ଚମକ ଦେଇ ଟଙ୍କା ମାଗୁଥିବାର ଏସଆଇଟି ଟିମ୍ ଜାଣିବାକୁ ପାଇଛି।
ସୂଚନାଯୋଗ୍ୟ, ଚିନ୍ମୟାନନ୍ଦ ଲ’ କଲେଜରେ ଆଇନରେ ପିଜି କରୁଛନ୍ତି ପୀଡ଼ିତା। ପାଠ ପଢ଼ିବା ବେଳେ କଲେଜର ମାଲିକ ଚିନ୍ମୟାନନ୍ଦ ତାଙ୍କୁ ଯୌନ ନିର୍ଯାତନା ବର୍ଷେ ହେବ ଦେଉଥିଲେ ବୋଲି ଅଭିଯୋଗ କରିଥିଲେ। ଏହାପରେ ଚିନ୍ମୟାନନ୍ଦ ଜେଲ ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।