ନୂଆଦିଲ୍ଲୀ: ଏପ୍ରିଲ ୧୫ ପରେ ସାରା ଭାରତରେ ଲାଗୁ ହୋଇଥିବା ଲକ୍ଡାଉନ୍ ହଟିବାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିରେ ପ୍ରକାଶିତ ଖବର ଅନୁଯାୟୀ, କୋଭିଡ୍-୧୯ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଏହାର ଅବଧି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ପୂର୍ବରୁ କେନ୍ଦ୍ର ସରକାର ଏହି ପ୍ରଶ୍ନର ଉତ୍ତରରେ କହିଥିଲେ, ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏବଂ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ। କରୋନାକୁ ନେଇ ବିଭିନ୍ନ ସ୍ଥିତି ଏବଂ ଦିଗ ଏହି ପ୍ରସଙ୍ଗକୁ ଘେରି ରହିଛି।
ବିଭିନ୍ନ ରାଜ୍ୟଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅୱନୀଶ ଅବସ୍ତି କହିବା ଅନୁଯାୟୀ, “ଆମେ ଯେତେବେଳେ ଅନୁଭବ କରିବୁ ଆମ ରାଜ୍ୟ ସମ୍ପୂର୍ଣ୍ଣ କରୋନାମୁକ୍ତ, ସେତେବେଳେ ଯାଇ ଲକ୍ଡାଉନ୍ ହାଟାଇବୁ। ଯଦି ବି ଜଣେ କରୋନା ପଜିଟିଭ୍ ଥିବେ ଲକ୍ଡାଉନ୍ ହଟାଇବା କଷ୍ଟକର ହେବ। ଏଥିପାଇଁ ସମୟ ଲାଗିବ।”
ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, “ଆମେ ପ୍ରତି ମିନିଟ୍ରେ ବିଶ୍ୱର ସ୍ଥିତି ପରଖୁଛୁ। ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏକ ନିଷ୍ପତ୍ତି ନିଆଯିବ। ଏ ବାବଦରେ ଏକ ନିଷ୍ପତ୍ତି ଠିକ ସମୟରେ ନିଆଯିବ।” ସେ ଆହୁରି ମଧ୍ୟ କହିଥିଲେ, “ଏକ ସଶକ୍ତ ଅଧିକାରୀ ଟିମ୍ ସ୍ଥିତି ଉପରେ ନଜର ରଖିଛନ୍ତି।”
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଘୋଷଣା କରିଛନ୍ତି। ଏହି ଅବସରରେ କେବଳ ଜରୁରୀକାଳୀନ ସାମଗ୍ରୀ ଦୋକାନ ଖୋଲା ରହିଛି। ଲୋକଙ୍କ ଚଳ ପ୍ରଚଳ ଉପରେ କଟକଣା ଜାରି ରହିଛି। ଏଭଳି ଘୋଷଣାର ବେଶ କିଛି ଦିନ ପରେ ଲକ୍ଡାଉନ୍ ପରର ପଦକ୍ଷେପ ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ଏଥିପାଇଁ ସେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମିଳିମିଶି ଷ୍ଟ୍ରାଟେଜୀ ସ୍ଥିର କରିବାକୁ କହିଥିଲେ। ଏହାପରେ ଲୋକେ କିଭଳି ସାମାଜିକ ଦୂରତା ଅବଲମ୍ବନ କରିବେ ଏବଂ କିଭଳି କମ୍ ସଂଖ୍ୟାରେ ବାହାରକୁ ଆସିବେ ଆଦି ବିଷୟରେ ବର୍ତ୍ତମାନ ବିଭିନ୍ନ ମହଲରେ ଚିନ୍ତନ ଆରମ୍ଭ ହୋଇଛି। ଗତ ସପ୍ତାହରେ ଭିଡିଓ କନ୍ଫରେନ୍ସରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ସମ୍ବୋଧନ କରିବା ଅବସରରେ ମୋଦି ଏହି ପ୍ରସଙ୍ଗ ଉଠାଇଥିଲେ।
ଅଧିକାଂଶ ଲୋକ ଭାବୁଛନ୍ତି ସରକାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଲକ୍ଡାଉନ୍ ବଳବତ୍ତର ରହିବ। କିନ୍ତୁ ଅର୍ଥନୀତିକ ସ୍ଥିତି କଥା ବିଚାର କଲେ ଏହା ଏତେ ସହଜ ମନେ ହେଉନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।