ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ୍ ବାଜିଛି। ହେଲେ ୨୦୧୯ ଶେଷ ହେବା ପୂର୍ବରୁ ଦିଲ୍ଲୀରେ ତିନି ପ୍ରମୁଖ ଦଳ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିସାରିଛନ୍ତି। ଏହାରି ଭିତରେ ବିଧାନସଭା ନିର୍ବାଚନକୁ ନେଇ କଣ ରହିଛି ଦିଲ୍ଲୀ ଭୋଟରଙ୍କ ବିଚାର ? ଏ ବାବଦରେ ସର୍ଭେ କରିଛି ଜାତୀୟ ହିନ୍ଦୀ ଟିଭି ଚ୍ୟାନେଲ ଏବିପି ନ୍ୟୁଜ୍।
ସର୍ଭେ ରିପୋର୍ଟ ଅନୁଯାୟୀ ଶାସକ ଦଳ ଆମ୍ ଆଦମୀ ପାର୍ଟି ୨୦୧୫ ନିର୍ବାଚନ ଫଳାଫଳର ପୁନରାବୃତି କରିବ। ୭୦ ବିଧାନସଭା ଆସନରୁ ସର୍ଭେ ରିପୋର୍ଟ ଅନୁଯାୟୀ ୫୯ଟି ଆସନରେ ଆପ୍ ଜିତିବ। ବିଜେପି ଏଠାରେ ଦୁଇ ଅଙ୍କ ଛୁଇଁବା କଷ୍ଟକର ହେବ। ହେଲେ ପୂର୍ବଥର ଅପେକ୍ଷା ଅଧିକ ଆସନ ଜିତିବ। ସେହିପରି ମୂଳପୋଛ ହୋଇଥିବା କଂଗ୍ରେସ ଏଥର ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିବ। ୩ରୁ କମ୍ ଆସନରେ କଂଗ୍ରେସ ଜିତିବ ବୋଲି ଏବିପି ଓପିନିଅନ ପୋଲର ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।
୨୦୧୫ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏଠି ଏକ ପ୍ରକାର କ୍ଲିନ୍ ସୁଇପ କରିଥିଲା। ୭୦ ଆସନରୁ ଆପ୍ ଏକାକୀ ୬୭ଟି ଆସନରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଥିଲା। କଂଗ୍ରେସ ମୂଳପୋଛ ହୋଇଥିଲା।
ତେବେ ସାଧାରଣ ନିର୍ବାଚନ ବେଳେ କିନ୍ତୁ ବିଜେପି ଦମ ଦେଖାଇଥିଲା। ମୋଟ୍ ୭ଟି ଲୋକସଭା ଆସନରୁ ବିଜେପି ସମସ୍ତ ଆସନରେ ଜିତିଥିବା ବେଳେ ଆପ୍ ଚିତପଟାଙ୍ଗ୍ ମାରିଥିଲା।
୨୦୧୪ରେ ମଧ୍ୟ ବିଜେପି ସମସ୍ତ ଲୋକସଭା ଆସନରେ ଜିତିଥିଲା। ହେଲେ ୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଦଳ ଆପକୁ ଲୋକମାନେ କ୍ଷମତାରେ ବସାଇଥିଲେ।
ମୁଖ୍ୟମନ୍ତ୍ରୀ ଭାବରେ କିଏ ପସନ୍ଦ?
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ କିଏ ପସନ୍ଦ? ଏ ନେଇ ଏବିପି କରିଥିବା ସର୍ଭେରେ କେଜ୍ରିଓ୍ୱାଲ ବହୁ ଆଗରେ ରହିଛନ୍ତି। ପାଖାପାଖି ୭୦ ପ୍ରତିଶତ ଲୋକ କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ପସନ୍ଦ କରୁଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।