ବିଜେପି ପାଇଁ ଦିଲ୍ଲୀ ଆଉ କେତେ ଦୂର?

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଶାସକ ଦଳ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ। ଏହି ତ୍ରିକୋଣୀୟ ମୁକାବିଲାରେ କଂଗ୍ରେସ ନିଜର ପୁରୁଣା ଗଡ଼କୁ ଫେରିବ ବୋଲି ସ୍ୱପ୍ନ ଦେଖୁନଥିଲେ ମଧ୍ୟ ଚଳିତଥର ଖାତା ଖୋଲିବ ବୋଲି ଆକଳନ କରୁଛି। ସେହିପରି ବିଜେପି ୨୦୧୯ ସାଧାରଣ ନିର୍ବାଚନ ବେଳେ ଲୋକସଭା ଫଳାଫଳକୁ ବିଧାନସଭା ନିର୍ବାଚନ ବେଳେ ଦୋହରାଇ କେଜ୍ରିଓ୍ୱାଲ ସରକାରକୁ କ୍ଷମତାଚ୍ୟୁତ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି। ଆପ୍ କିନ୍ତୁ ୨୦୧୫ […]

DELHI PARTY

DELHI PARTY

Subhransu Sekhar
  • Published: Monday, 06 January 2020
  • Updated: 06 January 2020, 06:48 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଶାସକ ଦଳ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ। ଏହି ତ୍ରିକୋଣୀୟ ମୁକାବିଲାରେ କଂଗ୍ରେସ ନିଜର ପୁରୁଣା ଗଡ଼କୁ ଫେରିବ ବୋଲି ସ୍ୱପ୍ନ ଦେଖୁନଥିଲେ ମଧ୍ୟ ଚଳିତଥର ଖାତା ଖୋଲିବ ବୋଲି ଆକଳନ କରୁଛି। ସେହିପରି ବିଜେପି ୨୦୧୯ ସାଧାରଣ ନିର୍ବାଚନ ବେଳେ ଲୋକସଭା ଫଳାଫଳକୁ ବିଧାନସଭା ନିର୍ବାଚନ ବେଳେ ଦୋହରାଇ କେଜ୍ରିଓ୍ୱାଲ ସରକାରକୁ କ୍ଷମତାଚ୍ୟୁତ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି। ଆପ୍ କିନ୍ତୁ ୨୦୧୫ ଫଳାଫଳର ପୁନରାବୃତ୍ତି କରିବ ବୋଲି କହିଛି। ୨୦୧୪ରେ ସାଧାରଣ ନିର୍ବାଚନ ହୋଇଥିଲା। ବିଜେପି ସମସ୍ତ ଆସନରେ ବିଜୟୀ ହୋଇଥିଲା। ହେଲେ ୨୦୧୫ରେ ବିଧାନସଭା ନିର୍ବାଚନ ବେଳେ ଆପକୁ କିନ୍ତୁ ଦିଲ୍ଲୀବାସୀ କ୍ଷମତାରେ ବସାଇଥିଲେ।

୨୦୧୫ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏଠି ଏକ ପ୍ରକାର କ୍ଲିନ୍ ସୁଇପ କରିଥିଲା। ୭୦ ଆସନରୁ ଆପ୍ ଏକାକୀ ୬୭ଟି ଆସନରେ ଜିତିଥିବା ବେଳେ ବିଜେପି ୩ଟି ଆସନ ଜିତିଥିଲା। କଂଗ୍ରେସ ମୂଳପୋଛ ହୋଇଯାଇଥିଲା।

ତେବେ ସାଧାରଣ ନିର୍ବାଚନ ବେଳେ କିନ୍ତୁ ବିଜେପି ଦମ ଦେଖାଇଥିଲା। ମୋଟ୍ ୭ଟି ଲୋକସଭା ଆସନରୁ ବିଜେପି ସମସ୍ତ ଆସନରେ ଜିତିଥିବା ବେଳେ ଆପ୍ ଚିତପଟାଙ୍ଗ୍ ମାରିଥିଲା। ଏବେ ଏହି ଆଧାରରେ ବିଜେପି ସରକାର ଗଢ଼ିବ ବୋଲି ହୁଙ୍କାର ଦେଇଛି।

୨୦୧୪ରେ ମଧ୍ୟ ବିଜେପି ସମସ୍ତ ଲୋକସଭା ଆସନରେ ଜିତିଥିଲା। ହେଲେ ୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଦଳ ଆପକୁ ଲୋକମାନେ କ୍ଷମତାରେ ବସାଇଥିଲେ।

ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ଆମ ସରକାର ଯଦି ଦିଲ୍ଲୀବାସୀଙ୍କ ପାଇଁ କାମ କରିଥିବ, ତା’ହେଲେ ଦିଲ୍ଲୀବାସୀ ଭୋଟ୍ ଦେବେ। ଆମେ ବିଜେପି-କଂଗ୍ରେସ ସମର୍ଥକଙ୍କୁ ମଧ୍ୟ ଭୋଟ୍ ମାଗିବୁ। ଆମ କାମ ଆଧାରରେ ଭୋଟ୍ ମାଗିବୁ। ଗାଳି ଗୁଲଜ କରିବୁ ନାହିଁ। ଦିଲ୍ଲୀରେ ଏଭଳି ନିର୍ବାଚନ ପ୍ରଥମ ଥର ପାଇଁ ହେବ ବୋଲି ସେ କହିଛନ୍ତି।

ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ପରେ ୨୦୧୨ ନଭେମ୍ବର ୨୬ରେ ଜନ୍ମ ନେଇଥିବା ଆମ୍ ଆଦମୀ ପାର୍ଟି ଦୁଇ ଦୁଇଥର କ୍ଷମତାକୁ ଆସିଛି ଏବେ ତୃତୀୟ ଥର ପାଇଁ ଜୋରଦାର ପ୍ରଚାର ଚଳାଇଛି।

ସେହିପରି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଦିଲ୍ଲୀବାସୀ ଏଥର ବିଜେପିକୁ ଭୋଟ୍ ଦେବେ ବୋଲି ସ୍ଥିର କରିସାରିଛନ୍ତି। କେଜ୍ରିଓ୍ୱାଲ ସରକାରଙ୍କ ପାଇଁ କେନ୍ଦ୍ରର ଅନେକ ଯୋଜନା ଏଠାରେ କାର୍ଯ୍ୟକାରୀ ହୋଇପାରିନି। ଯଦି ଆପ୍ କୌଣସି ଡ୍ରାମା ନକରିବ ତା’ହେଲେ ବିଜେପି ଏଠାରେ ଜିତିବ। କେଜ୍ରିଓ୍ୱାଲ କାମ ଆଧାରରେ ଭୋଟ୍ ମାଗିଲେ ବିଜେପି ପାଇଁ ମଙ୍ଗଳ ହେବ ବୋଲି ସେ କହିଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ପ୍ରଶ୍ନରେ ପ୍ରକାଶ ଜାଭଡେକର କହିଛନ୍ତି, ଦିଲ୍ଲୀବାସୀ ହେଉଛନ୍ତି ବିଜେପିର ଚେହେରା।

ତେବେ ଦିଲ୍ଲୀରେ ସର୍ବାଧିକ ଦିନ କ୍ଷମତାରେ ଥିବା ଦଳ କଂଗ୍ରେସ ଚଳିତଥର ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିନି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇନଥିଲା। ଏମିତିକି ଗତ ଦୁଇଟି ଲୋକସଭା ନିର୍ବାଚନରେ କଂଗ୍ରେସ ମୂଳପୋଛ ହୋଇଯାଇଛି। ଅନ୍ୟପଟେ ଦିଲ୍ଲୀ କଂଗ୍ରେସର ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଦେହାନ୍ତ ହୋଇଛି। ତେଣୁ ଏବେ ଦିଲ୍ଲୀ କଂଗ୍ରେସ କାହାକୁ ଚେହେରା କରି ଭୋଟ୍ ମାଗିବ ତାହା ଏବେ ପ୍ରଶ୍ନ ଘେରରେ।

ଆଜି ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆପ୍, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି। ଡିସେମ୍ବର ୨୦ରେ ନିଜ ସରକାରର ରିପୋର୍ଟ କାର୍ଡ ଜାରି କରି ଅଛେ ବିତେ ପାଞ୍ଚ ସାଲ୍, ଲଗେ ରହୋ କେଜରିଓ୍ୱାଲ ନାରା ଦେଇଛି ଆପ୍ । ସରକାରୀ ସ୍କୁଲର ନବୀକରଣ, ମୋହଲ୍ଲା କ୍ଲିନିକ ମାଧ୍ୟମରେ ଦିଲ୍ଲୀବାସୀଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା, ବିଜୁଳି ଦର ହ୍ରାସ, ପାଣି ବିଲ୍ କମାଇବା ସହ ସରକାରୀ ବସ୍ ଓ ମେଟ୍ରୋରେ ମହିଳାଙ୍କୁ ସୁବିଧା ଯୋଗାଇ ଦେବାକୁ ଆପ୍ ନିର୍ବାଚନୀ ପ୍ରସଙ୍ଗ କରିଛି। ଏହା ସହ ସହରର ୧୧ ହଜାରଟି ସ୍ଥାନରେ ଓ୍ୱାଇ-ଫାଇ ହଟସ୍ପଟ ଉପଲବ୍ଧ କରାଇବାକୁ ଦିଳ ନିଜର ସଫଳତା ଭାବେ ଦର୍ଶାଇଛି।

ଦିଲ୍ଲୀରେ ବାୟୁ ପ୍ରଦୂଷଣ, ନାଗରିକତା ସଂଶୋଧନ ଆଇନ୍, ଏନଆରସି, ଏନପିଆର, ଜେଏନୟୁରେ ହିଂସା, ପୂର୍ଣ୍ଣ ରାଜ୍ୟ ଦାବି ଆଦି ପ୍ରସଙ୍ଗକୁ ନେଇ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos