ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେଉଥିବା ବେଳେ ଏବେ ଶାସକ ଦଳର ସଦସ୍ୟମାନେ ଏହାର ପଞ୍ଝାରେ ପଡ଼ିଛନ୍ତି। ପୂର୍ବରୁ କରୋନା ଟେଷ୍ଟ କରି ନେଗେଟିଭ ରିପୋର୍ଟ ପାଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ଏବେ ପଜିଟିଭ ଆସିଛି।
ଅର୍ଥାତ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଜ୍ୱର ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ତେବେ ପ୍ରଥମେ ଏହା ନେଗେଟିଭ ଆସିଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଏହା ପଜିଟିଭ ଆସିଛି। ତେଣୁ ପୂର୍ବଭଳି ଶ୍ରୀ ଜୈନ ହସ୍ପିଟାଲରେ ହିଁ ଚିକିତ୍ସିତ ହେବେ।
ଶ୍ରୀ ଜୈନଙ୍କ ବ୍ୟତୀତ ଆପ ବିଧାୟକ ଆତିଶୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର କାଲକାଜାଇର ବିଧାୟକ ଆତିଶୀ ସାମାନ୍ୟ ଜ୍ୱର ଓ କଫରେ ପୀଡ଼ିତ ଥିବା ସମସ୍ତଙ୍କୁ ଅବତ କରାଇଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିଥିଲେ ହେଁ ସେ ପୂର୍ବଭଳି ହୋମ କ୍ୱାରେଣ୍ଟାଇନରେ ରହିବେ। ସେହିଠାରେ ତାଙ୍କର ଚିକିତ୍ସା କରାଯିବ।
ଆତିଶୀଙ୍କ ପୂର୍ବରୁ ଆପର କାର୍ଲୋବାଗ ବିଧାୟକ ବିଶେଷ ରବି ଓ ପଟେଲ ନଗର ବିଧାୟକ ରାଜକୁମାର ଆନନ୍ଦ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆତିଶୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଟ୍ୱିଟ କରିଛନ୍ତି।
ସେ ଲେଖିଛନ୍ତି, “ଆତିଶୀଜୀ କରୋନା ବିରୋଧୀ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମୋର ଆଶା ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ।” ସେହିପରି ଆପର ଆଉ ଜଣେ ସଦସ୍ୟ ଅକ୍ଷୟ ମାରାଠେ ବି କରୋନାରେ ସଂକ୍ରମିତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।