ଓ୍ୱାଶିଂଟନ: ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଉଭୟ ଦେଶ ପରସ୍ପରକୁ ଚେତାବନୀ ଦେଉଛନ୍ତି। ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ଷମତାକୁ ସୀମିତ କରିବା ପାଇଁ ଆମେରିକା କଂଗ୍ରେସ (ସଂସଦ)ର ନିମ୍ନ ସଦନ (ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ)ରେ ‘ଓ୍ୱାର ପାଓ୍ୱାର୍ସ’ ନାମକ ଏକ ପ୍ରସ୍ତାବ ଗୃହୀତ ହୋଇଛି।
ଏବେ ଏହି ପ୍ରସ୍ତାବକୁ ଆମେରିକା କଂଗ୍ରେସର ଉପର ସଦନ (ସିନେଟ)ରେ ଆଗତ କରାଯିବ। ସେଠାରେ ଯଦି ପ୍ରସ୍ତାବ ଗୃହୀତ ହୋଇଯିବ ତା’ହେଲେ ଆମେରିକା ରାଷ୍ଟ୍ରପତିଙ୍କ ବିନା ହସ୍ତାକ୍ଷରରେ ଏହା ଆଇନରେ ପରିଣତ ହୋଇଯିବ। ହେଲେ ଶାସକ ଦଳ ରିପବ୍ଲିକିଆନ ଦଳର ସାଂସଦଙ୍କ ସଂଖ୍ୟା ସିନେଟରେ ଅଧିକ ରହିଥିବାରୁ ଏହି ପ୍ରସ୍ତାବ ଗୃହୀତ ହେବା କଷ୍ଟକର।
ହାଉସ ଅଫ୍ ରିପ୍ରେଜେଣ୍ଟେଟିଭର ବାଚସ୍ପତି ଏବଂ ଡମୋକ୍ରାଟିକ ଦଳର ସାଂସଦ ନେଁସି ପେଲୋସିଙ୍କ ଅଧ୍ୟକ୍ଷତାରେ ଓ୍ୱାର ପାଓ୍ୱାର୍ସ ପ୍ରସ୍ତାବକୁ ନେଇ ଭୋଟିଂ ହୋଇଥିଲା। ଏହି ଭୋଟ ଗ୍ରହଣ ବେଳେ ମୋଟ୍ ୨୨୪ ଜଣ ଉପସ୍ଥିତ ଥିଲେ। ଭୋଟିଂ ବେଳେ ୧୯୪ଟି ଭୋଟ୍ ପ୍ରସ୍ତାବ ସପକ୍ଷରେ ପଡ଼ିଥିଲା।
ସୂଚନାଯୋଗ୍ୟ, ବୁଧବାର ଆମେରିକା ରାଷ୍ଟ୍ରପତି ସାରା ବିଶ୍ୱକୁ ସମ୍ୱୋଧନ କରିବାକୁ ଯାଇ କହିଥିଲେ, ଆମେରିକା ଇରାନ ସହ ଯୁଦ୍ଧ ଚାହୁଁ ନାହିଁ। ଶାନ୍ତି ପାଇଁ ସେ ଅପିଲ୍ କରୁଛନ୍ତି ବୋଲି କହିଥିଲେ। ଏମିତିକି ଟ୍ରମ୍ପ ଏଭଳି କହି ଦ୍ୱିତୀୟ ବିକଳ୍ପ ଜରିଆରେ ଇରାନ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ତେବେ ଟ୍ରମ୍ପ ଯୁଦ୍ଧ ବଦଳରେ ଶାନ୍ତି ପାଇଁ ଅପିଲ୍ କରିବା ଫଳରେ ମଧ୍ୟ ପ୍ରାଚ୍ୟରେ ଦେଖାଦେଇଥିବା ସ୍ଥିତି ଶାନ୍ତ ପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।