କୋଲକାତା: ଆଜି ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ।
ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୫୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ ତଥା ପଶ୍ଚିମବଙ୍ଗର ବଡ଼ ବଡ଼ ଡାକ୍ତରାମାନେ ମଧ୍ୟ ସାମିଲ ହୋଇଛନ୍ତି। ଏଭଳି ସ୍ଥିତିରେ ଦାବି ପୂରଣ ଲାଗି ଏମ୍ସ ରେସିଡେଣ୍ଟ ଡାକ୍ତର ସଂଘ ପଶ୍ଚିମବଙ୍ଗ ସରକାରକୁ ୪୮ ଘଣ୍ଟାର ଚରମପତ୍ର ଦେଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ କହିଛି ଡାକ୍ତର ସଂଘ। ଏହି ସମୟ ମଧ୍ୟରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ଚେତାବନୀ ଦେଇଛି।
ଅନ୍ୟପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ଏବଂ ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଧମକକୁ ନିନ୍ଦା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏଭଳି ସମୟରେ ଏହାକୁ ‘ସମ୍ମାନର ପ୍ରସଙ୍ଗ’ ନ କରିବାକୁ ମମତାଙ୍କୁ ଆହ୍ୱାନ କରିଛନ୍ତି ହର୍ଷବର୍ଦ୍ଧନ।
ଚଳିତ ସପ୍ତାହର ସୋମବାର ଦିନ କୋଲକାତା ସ୍ଥିତ ଏନଆରଏସ ମେଡିକାଲ କଲେଜରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସାରେ ନିୟୋଜିତ ଥିବା ଦୁଇ ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏବେ ଗୁରୁତର ଅବସ୍ଥାରେ ଦୁଇ ଜୁନିୟର ଡାକ୍ତର ଚିକିତ୍ସାଧୀନ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।