ତ୍ରିଭେନ୍ଦ୍ରମ: ନାଗରିକତା ସଂଶୋଧନ ଆଇନକୁ ନେଇ କେରଳର ବାମପନ୍ଥୀ ସରକାର ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି। ଏହାକୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଆପତ୍ତି ଉଠାଇଛନ୍ତି। ବିଜ୍ଞାପନରେ ଉଲ୍ଲେଖ ରହିଛି, ରାଜ୍ୟ ସରକାର ସାମ୍ୱିଧାନିକ ମୂଲ୍ୟକୁ ରକ୍ଷା କରିବା ପାଇଁ ତତ୍ପର। ତେଣୁ ରାଜ୍ୟରେ ଏହି ନାଗରିକତା ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ। ଏଥିପାଇଁ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି।
ବିଜ୍ଞାପନରେ କେନ୍ଦ୍ରର ଏହି ଆଇନକୁ ବିରୋଧ କରିଛନ୍ତି କେରଳ ସରକାର। ନିଜର ରାଜନୀତିକ ଉଦ୍ଦେଶ୍ୟକୁ ଆଗରେ ରଖି ଲୋକଙ୍କ ପଇସାରେ କେରଳ ସରକାର ବିଜ୍ଞାପନ ଦେଉଛନ୍ତି କହି ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଆପତ୍ତି ଉଠାଇଛନ୍ତି।
ଦିଲ୍ଲୀରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି, ଏହି ବିଜ୍ଞାପନ ଯଦି କୌଣସି ରାଜନୀତିକ ଦଳ ଦ୍ୱାରା ଦିଆଯାଇଥାନ୍ତା ତା’ହେଲେ କୌଣସି ଅସୁବିଧା ନଥାନ୍ତା। ହେଲେ କେରଳ ସରକାର ତିନୋଟି ଜାତୀୟ ଗଣମାଧ୍ୟମକୁ ସରକାରୀ ଖର୍ଚ୍ଚରେ ଏଭଳି ବିଜ୍ଞାପନ ଦେବା ଠିକ୍ ନୁହେଁ।
ଆଜିଠୁ ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍ ଲାଗୁ ହୋଇଛି। ଏ ନେଇ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସିଏଏ ଗୃହୀତ ହେବା ପରେ କେରଳର ପିନରାଇ ବିଜୟନ ସରକାର ଏହାକୁ ବିରୋଧ କରୁଛନ୍ତି। ସିଏଏ ସହିତ ଆଗାମୀ ଦିନରେ ଏନପିଆର ଓ ଏନଆରସିକୁ କେରଳରେ ଲାଗୁ କରାଇବେନି ବୋଲି ବିଜୟନ ସରକାର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।