ଗୌହାଟୀ: ମହାମାରୀ କରୋନା ପ୍ରତି ଆମ ସରକାରୀ ହସ୍ପିଟାଲ ଗୁଡ଼ିକ ଆଦୌ ସତର୍କ ନାହାନ୍ତି। ରୋଗୀ ସେବାଠାରୁ ମୃତଦେକୁ ପୂର୍ବରୁ ସରକାରୀ ହସ୍ପିଟାଲରେ କେମିତି ଦୟନୀୟ ବ୍ୟବହାର କରାଯାଉଥିଲା, ତା’ର ଦୃଶ୍ୟ ସମସ୍ତେ ଦେଖିଛନ୍ତି। ହେଲେ ଏବେ ଆଉ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି।
ଆସାମର ଡାରାଙ୍ଗ ଜିଲ୍ଲାରେ ଥିବା ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ ଜଣ କରୋନା ପଜିଟିଭ ବ୍ୟକ୍ତିଙ୍କୁ ସୁସ୍ଥ ବୋଲି ଘୋଷଣା କରି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦେଇଛନ୍ତି। କିନ୍ତୁ ପ୍ରକୃତରେ ଯେଉଁ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିଲେ, ତାଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ମଙ୍ଗଲଦାଇ ସିଭିଲ ହସ୍ପିଟାଲରେ ଏଭଳି ଅଘଟଣା ଘଟିବା ପରେ ସରକାରଙ୍କ ପକ୍ଷରୁ ଏହାର ମାଜିଷ୍ଟର ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ମଙ୍ଗଲଦାଇ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇଥିବା ତାଲିକା ପ୍ରକାଶ ପାଇଥିଲା। ଏମାନଙ୍କୁ ଡିସଚାର୍ଜ କରିବା ପାଇଁ ସରକାର ଅନୁମତି ମଧ୍ୟ ଦେଇଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାଁ ସମାନ ରହିଥିଲା।
ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ସୁସ୍ଥ ରୋଗୀଙ୍କ ବଦଳରେ ଜଣେ କରୋନା ପଜିଟିଭଙ୍କୁ ଛାଡ଼ି ଦେଇଛନ୍ତି। ସେହିପରି ସରକାର ୧୪ ଜଣଙ୍କୁ ଛାଡ଼ିବାକୁ ଅନୁମତି ଦେଇଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷ କେବଳ ୬ ଜଣଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।
ଡାଲଗାଓଁ ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କ ନାଁ ସମାନ ହୋଇଥିବା ବେଳେ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଜଣେ ଜୁନ୍ ୫ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଉ ଜଣେ ୩ ତାରିଖରୁ ଚିକିତ୍ସିତ ହେଉଥିଲେ। ବୁଧବାର ଦିନ ହସ୍ପିଟାଲ କର୍ତ୍ତୃପକ୍ଷ ୫ ଜଣଙ୍କୁ ଛାଡ଼ିଥିଲେ। ଏହି ସମୟରେ ହିଁ ୫ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ଭୁଲବଶତଃ ଡିସଚାର୍ଜ କରାଯାଇଥିଲା।
ବୁଧବାର ଦିନ ସନ୍ଧ୍ୟା ବେଳେ ଉକ୍ତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ଗାଁକୁ ନିଆଯାଇଥିଲା। ହେଲେ ଭୁଲ ଜଣାପଡ଼ିବା ପରେ ପୁଣିଥରେ ଗୁରୁବାର ତାଙ୍କୁ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଛି। ଏହି ଘଟଣାରେ ଡରାଙ୍ଗ ଜିଲ୍ଲାର ଡେପୁଟି କମିଶନର ଘଟଣାର ମାଜିଷ୍ଟର ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।