ଓ୍ୱାଶିଂଟନ: ଚଳିତ ବର୍ଷ ଆମେରିକାର ରାଷ୍ଚ୍ରପତି ନିର୍ବାଚନ ରହିଛି। ନିର୍ବାଚନୀ ପ୍ରଚାର ବେଳେ ନିଜକୁ ନୋବେଲ ପୁରସ୍କାରର ହକଦାର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ମାରିବା ପାଇଁ ସେ ଡ୍ରୋନ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି କରି ସେ ଆମେରିକାବାସୀଙ୍କୁ ନ୍ୟାୟ ଦେଇଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।
ଡେମୋକ୍ରାଟିକ ଦଳର ନେତାମାନେ କିନ୍ତୁ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ବିନା କୌଣସି ବିଚାରରେ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଡେମୋକ୍ରାଟିକ ଦଳର ନେତା କହିଛନ୍ତି। ବିରୋଧୀ ମଧ୍ୟ ସଂସଦରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଆଗାମୀ ଦିନରେ ଟ୍ରମ୍ପ ଇରାନ ବିରୋଧରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କଂଗ୍ରେସ ପାଖରୁ ପରାମର୍ଶ ନେବାର ଆବଶ୍ୟକତା ରହିଛି ବୋଲି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି।
ଟ୍ରମ୍ପ କହିଛନ୍ତି, ୨୦୧୯ ନୋବେଲ ପୁରସ୍କାର ବିଜେତା ଇଥୋପିଆର ପ୍ରଧାନମନ୍ତ୍ରୀ ଅବୀ ଅହମଦ ଶାନ୍ତି ପାଇଁ ପ୍ରଚେଷ୍ଟା କରି ନୋବେଲ ବିଜୟୀ ହୋଇଥିଲେ। ଏବେ ସେ ମଧ୍ୟ ସମାନ କାମ କରିଛନ୍ତି ବୋଲି ପରୋକ୍ଷରେ କହିଛନ୍ତି ଆମେରିକା ରାଷ୍ଟ୍ରପତି। 'ମୁଁ ଗୋଟିଏ ଦେଶକୁ ରକ୍ଷା କରିଛି, ଏବଂ ମୁଁ ଶୁଣିଛି ଦେଶର ପ୍ରମୁଖ ଏବଂ ଦେଶକୁ ରକ୍ଷା କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳେ'।
ଇରାନର ମେଜର ଜେନେରାଲଙ୍କୁ ହତ୍ୟା କରିବା ପରେ ଟ୍ରମ୍ପ ଏକ ପ୍ରକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋର୍ଚ୍ଚା ଖୋଲିଥିବା ଦେଖିବାକୁ ମିଳିଛି। ଆମେରିକାର ଉପରାଷ୍ଟ୍ରପତି ମାଇକ ପେଁସ ମଧ୍ୟ କହିଛନ୍ତି, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଆତଙ୍କବାଦୀକୁ ହତ୍ୟା କରାଯାଇଛି। ଆମେରିକା ପ୍ରତି ସୁଲେମାନୀର ବିପଦ ଥିବାବେଳେ ଟ୍ରମ୍ପ ସରକାର ସେହି ଆତଙ୍କବାଦୀକୁ ମାରିବାରେ ସଫଳ ହୋଇଛନ୍ତି।
ସୂଚନାଯୋଗ୍ୟ, ଜାନୁଆରୀ ପ୍ରଥମ ସପ୍ତାହରେ ଇରାକର ବାଗଦାଦ ଅନ୍ତର୍ଜୀୟ ବିମାନ ବନ୍ଦରକୁ ଯାଉଥିଲେ ଇରାନର ମେଜର ଜେନେରାଲ ସୁଲେମାନୀ। ଏହି ସମୟରେ ଆମେରିକା ଏୟାର ଷ୍ଟ୍ରାଇକ ଯୋଗେ ସୁଲେମାନୀଙ୍କୁ ମାରିବାରେ ସଫଳ ହୋଇଛି। ଏବେ ଏହାକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ବିବାଦ ତେଜିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।