ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଥମିବାର ନାଁ ଧରୁନି। ଦିନକୁ ଦିନ ଏହା ଦ୍ରୁତଗତିରେ ମାଡ଼ିବାରେ ଲାଗିଛି। ବିଶ୍ୱର କ୍ଷତିଗ୍ରସ୍ତ ଦେଶଗୁଡ଼ିକର ତାଲିକାର ୪ନଂରେ ଥିବା ଭାରତରେ ପୁଣିଥରେ ଗୋଟିଏ ଦିନରେ ୧୧,୫୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସେହିପରି କରୋନା ୩୨୫ ଜଣଙ୍କ ମୁଣ୍ଡ ନେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧,୧୫,୫୧୯ ନମୁନା ପରୀକ୍ଷା କରାଯାଇଛି। ଏହା ମଧ୍ୟରୁ ୧୧, ୫୦୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ନୂଆ କରୋନା ପଜିଟିକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୪୨୪କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୩୨୫ ଜଣଙ୍କ ମୃତ୍ୟୁ ହେବାରୁ କରୋନା ଜନିତ ମୃତ୍ୟୁସଂଖ୍ୟା ୯,୫୨୦କୁ ବୃଦ୍ଧି ପାଇଛି।
ବର୍ତ୍ତମାନ ସୁଦ୍ଧା ୧,୬୯,୭୯୮ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୧,୫୩,୧୦୬ ଜଣ ଚିକିତ୍ସିତ ହେଉଛନ୍ତି। ଏହାର ଅର୍ଥ ଭାରତରେ କରୋନା ଆରୋଗ୍ୟ ହାର ୫୧.୦୭%କୁ ବୃଦ୍ଧି କରିଛନ୍ତି।
କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପୁଣିଥରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩ ହଜାରରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସିଛି। ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୮୫୮ରେ ପହଞ୍ଚି ଯାଇଛି। ସେହିପରି କରୋନା ଯୋଗୁ ୩୯୫୦ ଜଣଙ୍କ ମୃତ୍ୟୁ ଘଟିଛି।
ସବୁଠାରୁ ବଡ଼ କଥା ହେଲା, ମହାରାଷ୍ଟ୍ରରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ଆଜି ସୁଦ୍ଧା ୫୦,୯୭୮ ଜଣଙ୍କ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୫୩,୦୩୦ ଜଣ ଚିକିତ୍ସିତ ହେଉଛନ୍ତି।
ପ୍ରଭାବିତ ତାଲିକାର ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ଓ ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି। ତାମିଲନାଡୁରେ ୪୪,୬୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ୪୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪,୫୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ଗୋଟିଏ ଦିନରେ ରେକର୍ଡ ୨୨ଶହରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସିଛି। ଫଳରେ ଜାତୀୟ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧,୧୮୨କୁ ବୃଦ୍ଧି ପାଇଥିବା ବେଳେ ୧୩୨୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ୧୫,୮୨୩ ଜଣ ସୁସ୍ଥ ହୋଇଥିବା ବେଳେ ୨୪,୦୩୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏହାବାଦ ଗୁଜରାଟରେ ୧୪୭୭, ଆନ୍ଧ୍ର ପ୍ରଦେଶରେ ୮୪, ଆସାମରେ ୮, ବିହାରରେ ୩୯, ଚଣ୍ଡିଗଡ଼ରେ ୫, ଛତିଶଗଡ଼ରେ ୮, ହରିଆଣାରେ ୮୮, ହିମାଚଳପ୍ରଦେଶରେ ୭, ଜମ୍ମୁ-କଶ୍ମୀରରେ ୫୯, ଝାରଖଣ୍ଡରେ ୮, କର୍ଣ୍ଣାଟକାରେ ୮୬, କେରଳରେ ୧୯, ଲଦାଖରେ ୧, ମଧ୍ୟପ୍ରଦେଶରେ ୩୫୯, ମେଘାଳୟରେ ୧, ଓଡ଼ିଶାରେ ୧୧, ପୁଡୁଚେରୀରେ ୫, ପଞ୍ଜାବରେ ୬୭, ରାଜସ୍ଥାନରେ ୨୯୨, ତେଲେଙ୍ଗାନାରେ ୧୮୫, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୨୪, ଉତ୍ତର ପ୍ରଦେଶରେ ୩୯୯ ଓ ପଶ୍ଚିମବଙ୍ଗରେ ୪୭୫ ଜଣଙ୍କ ମୁଣ୍ଡ ନେଇଛି କରୋନା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।