ଥିରୁବନ୍ତପୁରମ୍: ରାଲିରେ ଘୃଣ୍ୟ ନାରା ଦେଇ ଫସିଲେ ନାବାଳକ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଜୁ ହେଲା ମାମଲା। କେରଳରେ ଗତ ସପ୍ତାହରେ ଏକ ରାଜନୈତିକ ରାଲି ବେଳେ ଜଣେ ନାବାଳକ କାନ୍ଧ ଉପରେ ବସି ଘୃଣ୍ୟ ନାରା ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏବେ ଏହି ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖିଛି।
କେରଳ ହାଇକୋର୍ଟ ରାଜନୈତିକ ଓ ଧାର୍ମିକ ରାଲିରେ ପିଲାଙ୍କ ବ୍ୟବହାର କରିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଜଷ୍ଟିସ ଗୋପୀନାଥ କହିଛନ୍ତି, 'ନୂଆ ପିଢ଼ିଙ୍କୁ ଘୃଣାଭାଗ ବିସ୍ତାର କରିବା ପାଇଁ ଏହା ପ୍ରୋତ୍ସାହିତ କରିବ। ପିଲାଙ୍କ ମସ୍ତିସ୍କ ଓ ଚିନ୍ତାଧାରା ଉପରେ ଏହା କୁପ୍ରଭାବ ପକାଇବ। ଯେତେବେଳେ ଏହି ପିଲାମାନେ ବଡ଼ ହେବେ ସେତେବେଳେ ସେମାନେ ଏଥିପ୍ରତି ଅଭ୍ୟାସଗତ ହୋଇସାରିଥିବେ। ଏଭଳି ଅପରାଧିକ ମାମଲା ଉପରେ ଦୃଷ୍ଟି ଦେବା ଉଚିତ।'
ସେପଟେ ଏହି ମାମଲାରେ ପୁଲିସ ଯେଉଁ ବ୍ୟକ୍ତିଙ୍କୁ ଅଟକ ରଖିଛି ସେ କୋଟ୍ଟାୟମର ଏରାଟ୍ଟୁପେଟା ବାସିନ୍ଦା ବୋଲି ଜଣାପଡିଛି। ଏହି ବ୍ୟକ୍ତି ଜଣକ ହିଁ ଉକ୍ତ ନାବାଳକକୁ ରାଲିକୁ ଆଣିଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ପୁଲିସ ଫିଏଫ୍ଆଇ ଅଲାପ୍ପୁଝା ଜିଲ୍ଲା ଅଧ୍ୟକ୍ଷ ନୱାସ ବନ୍ଦନମ ଏବଂ ଜିଲ୍ଲା ସଚିବ ମୁଜିବଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି।
ପିଏଫ୍ଆଇର ଅଧିକାରୀଙ୍କ କହିବା ମୁତାବକ, ଶନିବାର ଅଲ୍ଲାପ୍ପୁଝାରେ ଏକ ରାଲି ବେଳେ ତାଙ୍କ ପାଖରେ ତାଙ୍କ ଅଫିସିଆଲ ନାରାବାଜି ଥିଲା। ବିଭିନ୍ନ ସ୍ଥାନରୁ ଅନେକ ଗୁଡିଏ କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ। ତେବେ ରାଲିରେ ଯେଉଁ ଘୃଣା ସ୍ଲୋଗାନ ଦିଆଯାଇଥିଲା ତାକୁ ସେମାନେ ବ୍ୟବହାର କରିନଥିଲେ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି।
ସେପଟେ ଏହି ଘଟଣାକୁ ନିନ୍ଦା କରି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଟ୍ୱିଟ୍ କରି ନିନ୍ଦା କରିଛନ୍ତି। ସେ କହିଛନ୍ତି, 'ଏହି ଭିଡିଓ କେରଳକୁ ଦୋହଲାଇ ଦେଇଛି। ଅଭଦ୍ର ଭାଷା ଓ ହେଟ୍ ସ୍ଲୋଗାନ ବେଶ୍ ନିନ୍ଦନୀୟ।' ବିଜେପି ମଧ୍ୟ ଏହି ଘୃଣା ନାରାବାଜିକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ଏହି ଭିଡିଓ ବେଶ୍ ଚକିତ କଲା ଭଳି ବୋଲି କହିଛି।
ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ଅଲ୍ପ୍ପୁଝାରେ ଥିବା ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ(ପିଏଫ୍ଆଇ) ଦ୍ୱାରା ହେଉଥିବା ଏକ ରାଲିରେ ନାବାଳକ ଜଣକ ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ସଂପ୍ରଦାୟ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। ସେହି ସମୟର ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ବିବାଦ ଘନେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।