ନର୍ସିଂ ବହିରେ ଯୌତୁକ ପାଠ: ଟଙ୍କା ଦେଲେ ବାହା ହୋଇପାରୁଛନ୍ତି ଅସୁନ୍ଦରୀ
ନୂଆଦିଲ୍ଲୀ: ଯୌତୁକ ଦେଲେ ବାହା ହୋଇପାରୁଛନ୍ତି ଅସୁନ୍ଦରୀ। ଭଲ ଯୌତୁକ ଦେଲେ ଅସୁନ୍ଦର ଯୁବତୀଙ୍କୁ ପୁଅ ମିଳିପାରୁଛି। ଭାରତରେ ଯୌତୁକ ପ୍ରଥାକୁ ଅପରାଧ ବୋଲି କୁହାଯାଉଥିବା ବେଳେ ବିଏସ୍ସି ନର୍ସିଂ ପାଠ୍ୟ ପୁସ୍ତକରେ କିନ୍ତୁ ଏହାର ଉପକାରିତା ବିଷୟରେ ପିଲାଙ୍କୁ ପଢ଼ାଯାଉଛି। ଏବେ ଏହାକୁ ନେଇ ଦେଖାଦେଇଛି ବିବାଦ।
ଏହି ବହିର ନାଁ ‘ଟେକ୍ଟ ବୁକ୍ ଅଫ୍ ସୋସିଓଲଜି ଫର୍ ନର୍ସିଂ’ ରହିଛି। ଏହା ଆଇଏନସି (ଭାରତୀୟ ନର୍ସିଂ କାଉନସିଲ୍) ପାଠ୍ୟକ୍ରମରେ ସାମିଲ ହୋଇଛି। ଆଉ ଏହାକୁ ଖୋଦ ଜଣେ ମହିଳା ଟି.କେ ଇନ୍ଦ୍ରାଣୀ ଲେଖିଥିବା ଜଣାପଡିଛି।
ବିଏସ୍ସି ନର୍ସିଂ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ପଢୁଥିବା ଏହି ବହିରେ ଯୌତୁକର ଉପକାରିତା ବିଷୟରେ ଉଲ୍ଲେଖ ରହିଛି। ଏଥିରେ ଲେଖାଅଛି, ଯୌତୁକ ଯୋଗୁଁ ଘରକୁ ନୂଆ ଆସବାବପତ୍ର, ଟିଭି, ଫ୍ରିଜ୍, ଗାଡି ଆଦି ଆସିଥାଏ। ଯୌତୁକ ଯୋଗୁ ଝିଅ ପୈତୃକ ସମ୍ପତ୍ତିରୁ ବି ଭାଗ ପାଇଥାଏ। ଏହା ଝିଅ ମାନଙ୍କର ଶିକ୍ଷାଗ୍ରହଣ କରିବାରେ ସହାୟକ ହୋଇଥାଏ, କାରଣ ଯୌତୁକ ବୋଝ ନ ମୁଣ୍ଡେଇବା ପାଇଁ ଅଭିଭାବକ ସେମାନଙ୍କ ଝିଅକୁ ପାଠ ପଢାଇଥାନ୍ତି। ଶିକ୍ଷିତ ଓ ଚାକିରିଆ ଝିଅଙ୍କୁ କମ୍ ଯୌତୁକ ଦେବାକୁ ପଡିଥାଏ, ବାପା-ମା’ମାନେ ଝିଅମାନଙ୍କୁ ପାଠ ପଢାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।
ବହିରେ ଯୌତୁକର ଉପଯୋଗିତା ବିଷୟରେ ଉଲ୍ଲେଖ ରହିଥିବା ପୃଷ୍ଠାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏହାକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଯୌତୁକ ଭଳି ସାମାଜିକ ବ୍ୟାଧିକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଇଥିବାରୁ ଉଦବେଗ୍ ପ୍ରକାଶ କରିଛନ୍ତି। ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ଚିଠି ଲେଖି ତୁରନ୍ତ ଏହାକୁ ପାଠ୍ୟକ୍ରମରୁ ବାଦ୍ ଦେବାକୁ ଅପିଲ କରିଛନ୍ତି।
ସେପଟେ ଏହି ମମଲାକୁ ନେଇ ସ୍ପଷ୍ଟିକରଣ ରଖି ଏକ ନୋଟିଫିକେସନ୍ ଜାରି କରିଛି ଭାରତୀୟ ନର୍ସିଂ କାଉନସିଲ୍। ଦେଶର ନିୟମ ଉଲ୍ଲଙ୍ଘନ କରୁଥିବା ଏଭଳି ଅପମାନଜନକ କଣ୍ଟେଣ୍ଟକୁ ଆଇଏନ୍ସି ମଧ୍ୟ ତୀବ୍ର ବିରୋଧ କରେ। ଆଇଏନ୍ସି ୱେବସାଇଟ୍ରେ ଯେଉଁ ସିଲାବସ ଉପଲବ୍ଧ ଅଛି ସେହି ଅନୁଯାୟୀ ପିଲାଙ୍କୁ ପାଠ ପଢ଼ାଯାଏ ବୋଲି ଭାରତୀୟ ନର୍ସିଂ କାଉନସିଲ୍ ପକ୍ଷରୁ କୁହାଯାଇଛି।
Indian Nursing Council has issued a notification on the viral image of a page from the Textbook of Sociology for Nurses by TK Indrani (Pic-2), listing the "merits and advantages" of the dowry system. pic.twitter.com/cS7YmG5sW9
— ANI (@ANI) April 5, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।