ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ସରକାର ଗଠନର ୬ ଦିନ ପରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ଶପଥ ସମାରୋହ ସରିବା ପରେ ବିଭାଗ ବଣ୍ଟନ ମଧ୍ୟ କରାଯାଇଛି। ତେବେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ମିଳିନି ଗୃହ ବିଭାଗ। ଆର୍ଜେଡିରେ ମନ୍ତ୍ରୀ ସଂଖ୍ୟା ଅଧିକ ଥିଲେ ମଧ୍ୟ ତେଜସ୍ୱୀଙ୍କୁ ଗୃହ ବିଭାଗ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।
ପୂର୍ବରୁ ତେଜସ୍ୱୀ ଯାଦବ ଗୃହ ବିଭାଗ ମିଳିବ ବୋଲି ଆଶା କରିଥିଲେ। ହେଲେ ତାଙ୍କୁ ବିଭାଗ ବଣ୍ଟନରେ ସ୍ୱାସ୍ଥ୍ୟ ବିଭାଗରେ ସନ୍ତୁଷ୍ଟ ହେବାକୁ ପଡିଛି। ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ସମେତ ସଡ଼କ ନିର୍ମାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମିଳିଛି।
ଗୃହ ବିଭାଗକୁ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହାବ୍ୟତୀତ ସେ ସାଧାରଣ ପ୍ରଶାସନ, ନିର୍ବାଚନ ଏବଂ ବଣ୍ଟନ ହୋଇନଥିବା ଅନ୍ୟ ସମସ୍ତ ବିଭାଗ ନିଜ ପାଖରେ ରଖିଛନ୍ତି। ଅନ୍ୟପଟେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ପରିବେଶ, ଜଙ୍ଗଳ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଆଜି ରାଜଭବନରେ ଶପଥ ନେଇଥିଲେ। ଏକାଥରକେ ୫ ଜଣ ଲେଖାଏଁ ମନ୍ତ୍ରୀ ଶପଥ ନେଇଥିଲେ।
ମନ୍ତ୍ରିମଣ୍ଡଳରେ ଆର୍ଜେଡିର ପଲ୍ଲା ଭାରି ରହିଛି। ନୀତୀଶ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ତେଜସ୍ୱୀ ଯାଦବଙ୍କ ଆର୍ଜେଡି ପାଖରେ ରହିଛି ଅଧିକ ମନ୍ତ୍ରୀ ପଦ। ଆର୍ଜେଡିରୁ ୧୬ ଜଣ ମନ୍ତ୍ରୀ ପଦ ପାଇଥିବା ବେଳେ ଜେଡିୟୁର ୧୧ ଜଣ ମନ୍ତ୍ରୀ ରହିଛନ୍ତି। ସେହିପରି କଂଗ୍ରେସର ୨ ଓ ହାମ୍ ଦଳର ଜଣେ ଏବଂ ସ୍ୱାଧୀନ ପାର୍ଟିର ଜଣେ ମନ୍ତ୍ରୀ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।