ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି, ଜରୁରିକାଳୀନ ସ୍ଥିତି, ବେକାରି, ଦାରିଦ୍ର୍ୟ, ଦୁର୍ନୀତି, ଆନ୍ଧ୍ର-ତେଲେଙ୍ଗାନା ବିଭାଜନ ଭଳି ସବୁ ଘଟଣା ଦେଶର ସର୍ବପୁରାତନ ଦଳ କଂଗ୍ରେସ ପାଇଁ ହିଁ ଘଟିଛି। ଯଦି କଂଗ୍ରେସ ନଥାଆନ୍ତା, ତା’ହେଲେ ଦେଶ ଏସବୁ ସମସ୍ୟା ଭୋଗି ନଥାଆନ୍ତା ବୋଲି ଆଜି ରାଜ୍ୟସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ‘ଅଗର କଂଗ୍ରେସ ନହିଁ ହୋତି’ ଡାଇଲଗ ବ୍ୟବହାର କରି ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ […]

Congress

Congress

Hemant Lenka
  • Published: Tuesday, 08 February 2022
  • Updated: 08 February 2022, 05:15 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି, ଜରୁରିକାଳୀନ ସ୍ଥିତି, ବେକାରି, ଦାରିଦ୍ର୍ୟ, ଦୁର୍ନୀତି, ଆନ୍ଧ୍ର-ତେଲେଙ୍ଗାନା ବିଭାଜନ ଭଳି ସବୁ ଘଟଣା ଦେଶର ସର୍ବପୁରାତନ ଦଳ କଂଗ୍ରେସ ପାଇଁ ହିଁ ଘଟିଛି। ଯଦି କଂଗ୍ରେସ ନଥାଆନ୍ତା, ତା’ହେଲେ ଦେଶ ଏସବୁ ସମସ୍ୟା ଭୋଗି ନଥାଆନ୍ତା ବୋଲି ଆଜି ରାଜ୍ୟସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ‘ଅଗର କଂଗ୍ରେସ ନହିଁ ହୋତି’ ଡାଇଲଗ ବ୍ୟବହାର କରି ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ନଥିଲେ ଆଜି ପରିବାର ବାଦ ନଥଆନ୍ତା। ଯେଉଁଠି ପରିବାରବାଦ ରହିଛି, ସେଠାରେ ଦକ୍ଷତାର ମୃତ୍ୟୁ ଘଟିଛି। ଭାରତର ଗଣତନ୍ତ୍ର କଂଗ୍ରେସର ଦୟାରେ ଚାଲୁନି ବୋଲି ମଧ୍ୟ ମୋଦି କହିଛନ୍ତି।

ସୋମବାର ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି କରୋନା ସଂକ୍ରମଣ ବୃଦ୍ଧି ପଛରେ କଂଗ୍ରେସ ଓ ଦିଲ୍ଲୀର କ୍ଷମତାସୀନ ଆପ୍‌କୁ ଦାୟୀ କରିଥିଲେ। ଆଜି ରାଜ୍ୟସଭାରେ ସେ ରାଷ୍ଟ୍ରପତିଙ୍କ ଉଦବୋଧନ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ଭାଗ ନେଇ ପ୍ରଥମେ ନିଜ ସରକାରର ସଫଳତା ବିଷୟରେ ବଖାଣିଥିଲେ।

ଏହାପରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କରୋନା ସଂକ୍ରମଣ ଓ ଟିକାକରଣ ବେଳେ ସରକାରଙ୍କ ଉପରେ ଉଠାଇଥିବା ପ୍ରଶ୍ନର ଜବାବ ଦେଇ ତୀବ୍ର ସମାଲୋଚନା କରିଥିଲେ। ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏହା କୁଆଡ଼େ ଦେଶର ଛବିକୁ ବିଶ୍ୱରେ ଖରାପ କରୁଥିଲା ବୋଲି ମୋଦି କହିଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ଆମେରିକାରେ ମୁଦ୍ରାସ୍ଫୀତି ୪୦ ବର୍ଷର ରେକର୍ଡ ଭାଙ୍ଗିଛି। ବ୍ରିଟେନ ୩୦ ବର୍ଷ ତଳର ସ୍ଥିତିକୁ ସମ୍ମୁଖୀନ ହେଉଛି। ୟୁରୋପର ଅଧିକାଂଶ ରାଷ୍ଟ୍ରର ସମାନ ସ୍ଥିତି। ହେଲେ ଭାରତରେ ଆମେ ମୁଦ୍ରାସ୍ଫୀତିକୁ ୪ରୁ ୫% ମଧ୍ୟରେ ସୀମିତ ରଖିଛୁ। ୟୁପିଏ ସରକାର ବେଳେ ମୁଦ୍ରାସ୍ଫୀତି ଦୁଇ ଅଙ୍କ ବିଶିଷ୍ଟ ଥିଲା। ଆମେ ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଅଭିବୃଦ୍ଧି ଭଲ ହୋଇଛି ଓ ମୁଦ୍ରାସ୍ଫୀତି କମ ରହିଛି।

ବିରୋଧୀ ଦଳଗୁଡ଼ିକ ଭାରତର ଛବିକୁ ମଳିନ କରିବା ପାଇଁ ସବୁବେଳେ ପ୍ରୟାସ କରୁଛନ୍ତି। ଏପରି କି ଜଣେ ସାଂସଦ ଟିକା ଉପରେ ହେଉଥିବା ଖର୍ଚ୍ଚକୁ ଅପଚୟ ବୋଲି କହିଥିଲେ। ଭାରତ କରୋନା ସମୟରେ ନିଜର ଫାର୍ମା ସେକ୍ଟରକୁ ମଜବୁତ କରିଛି। ମେଡ ଇନ ଇଣ୍ଡିଆ ଟିକା ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଭାରତର ପାରମ୍ପରିକ ଔଷଧ ବିଶ୍ୱ ଦରବାରରେ ଆଦୃତ ଲାଭ କରିଛି। କ’ଣ ଏହା ବିରୋଧୀଙ୍କୁ ଗର୍ବିତ କରୁନି?”

ସେ ଆହୁରି କହିଛନ୍ତି, “ବଂଶବାଦ ରାଜନୀତି ଭାରତ ପାଇଁ ସବୁଠାରୁ ବଡ଼ ବିପଦ। କଂଗ୍ରେସ ନିଜ ସଂଗଠନ ଭିତରେ ଗଣତାନ୍ତ୍ରିକ ଢାଞ୍ଚା ପ୍ରଚଳ କରିବାକୁ ମୁଁ ଅନୁରୋଧ କରୁଛି। ଲୋକମାନେ ଭାବୁଥିଲେ ଯଦି କଂଗ୍ରେସ ନ ଥାଆନ୍ତା, ତା’ହେଲେ କ’ଣ ହୋଇଥାଆନ୍ତା। ଲୋକମାନଙ୍କୁ ଇଣ୍ଡିଆ ଇଜ୍ ଇନ୍ଦିରା ଓ ଇନ୍ଦିରା ଇଜ୍ ଇଣ୍ଡିଆ ମାନସିକତା ମଧ୍ୟରେ ରଖାଯାଇଥିଲା। କଂଗ୍ରେସ ନଥିଲେ ଦେଶ ଜରୁରିକାଳୀନ ସ୍ଥିତି କିମ୍ବା ସିକ୍କିମ ନରସଂହାର ଭଳି ଘଟଣା ଦେଖି ନଥଆନ୍ତା। ‘ଅଗର କଂଗ୍ରେସ ନହିଁ ହୋତି ତୋ’ ଦେଶ ଏମର୍ଜେନ୍ସି, ଦୁର୍ନୀତି, ଶିଖ ନରସଂହାର, କଶ୍ମୀର ପଣ୍ଡିତଙ୍କ ପଳାୟନ ଆଦି ଘଟଣାର ସମ୍ମୁଖୀନ ହୋଇ ନଥଆନ୍ତା।

ଆମ ଝିଅମାନେ ସୁରକ୍ଷିତ ଓ ମୁକ୍ତ ଭାବେ ଜୀବନ କାଟି ଥାଆନ୍ତେ। ଲୋକମାନଙ୍କୁ ମୌଳିକ ସୁବିଧା ସୁଯୋଗ ମିଳି ପାରିଥାଆନ୍ତା। କଂଗ୍ରେସ ଏତେ ଅହଂକାରୀ ଥିଲା ଯେ ମୁଖ୍ୟମନ୍ତ୍ରୀମାନଙ୍କୁ ହଇରାଣ କରୁଥିଲା ଓ ଛୋଟିଆ ଛୋଟିଆ କାରଣ ପାଇଁ ସେମାନଙ୍କୁ ପଦରୁ ବିଦା କରି ଦେଉଥିଲା।

କଂଗ୍ରେସର ଆଚରଣକୁ ମହାତ୍ମା ଗାନ୍ଧି ମଧ୍ୟ ପସନ୍ଦ କରୁ ନଥିଲେ। ମହାତ୍ମା ଗାନ୍ଧି ମଧ୍ୟ କଂଗ୍ରେସକୁ ଚାହୁଁ ନଥିଲେ। ଗାନ୍ଧିଜୀ ଭଲ ଭାବେ ଜାଣିଥିଲେ ଯେ କଂଗ୍ରେସ ରହିଲେ କ’ଣ ହେବ। ତେଣୁ ସେ ଏହାକୁ ଶେଷ କରି ଦେବାକୁ ଚାହୁଁଥିଲେ। କ୍ଷମତା ନିଶାରେ ଅନ୍ଧ ହୋଇ କଂଗ୍ରେସ ଆନ୍ଧ୍ର ଓ ତେଲେଙ୍ଗାନା ମଧ୍ୟରେ ବିବାଦ ସୃଷ୍ଟି କରିଥିଲା। ଆମେ ଇତିହାସକୁ ବଦଳାଇକୁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରୁଛି। ହେଲେ କଂଗ୍ରେସର ବିଚାରଧାରାକୁ ଅର୍ବାନ ନକ୍ସଲ ହାଇଜ୍ୟାକ କରି ନେଇଛନ୍ତି। କଂଗ୍ରେସର ସ୍ମରଣଶକ୍ତି ପୁନର୍ଜିବୀତ କରିବାକୁ ପଡ଼ିବ।”

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁଙ୍କୁ ମଧ୍ୟ ରାଜ୍ୟସଭାରେ ମୋଦି ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, “ନେହରୁ ବିଶ୍ୱସ୍ତରରେ ନିଜର ଛବିକୁ ସୁରକ୍ଷିତ ରଖିବା ପାଇଁ ଗୋଆକୁ ନିଜ କଥା ନିଜେ ବୁଝିବା ପାଇଁ ଛାଡ଼ି ଦେଇଥିଲେ। ୧୯୯୫ରେ ନେହରୁ ଗୋଆରେ ସତ୍ୟାଗ୍ରହୀଙ୍କୁ ମରିବା ପାଇଁ ଛାଡ଼ି ଦେଇଥିଲେ। ଦିବଙ୍ଗତ ଲତା ମଙ୍ଗେଶକରଙ୍କ ପରିବାର ଗୋଆର ବାସିନ୍ଦା। ତାଙ୍କ ଭାଇ ହୃଦୟନାଥ ମଙ୍ଗେଶକର ବୀର ସବରକରଙ୍କ କବିତା ଉପରେ ଗୋଟିଏ କାର୍ଯ୍ୟକ୍ରମ କରୁଥିଲେ। ହେଲେ କଂଗ୍ରେସ ତାଙ୍କୁ ଅଲ ଇଣ୍ଡିଆ ରେଡିଓରୁ ବିଦା କରି ଦେଇଥିଲା। ଏମର୍ଜେନ୍ସିକୁ କିଶୋ କୁମାର ସମର୍ଥନ କରି ନଥିଲେ ବୋଲି ତାଙ୍କୁ ବୟକଟ କରାଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos