ଲକ୍ଷ୍ନୌ: ୟୁପିରେ ଚକିତ କଲା ଭଳି ରାଜନୈତିକ ଗୁଳି ଚଳାଇଛି କଂଗ୍ରେସ। ଯେଉଁ ଉନ୍ନାଉ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା ରାଜ୍ୟର ଯୋଗୀ ସରକାରଙ୍କ ପାଇଁ ଝଡ଼ ସୃଷ୍ଟି କରିଥିଲା ଏବେ ସେଇ ଖିଅକୁ ଆଗାମୀ ନିର୍ବାଚନ ପାଇଁ ମୁଖ୍ୟ ଅସ୍ତ୍ର କରିଛି କଂଗ୍ରେସ। ୟୁପିରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଉନ୍ନାଓ ପୀଡ଼ିତାଙ୍କ ମା’ଙ୍କୁ ଦଳ ପ୍ରାର୍ଥୀ କରିଛି। ଉନ୍ନାଉ ପୀଡ଼ିତାଙ୍କ ମା’ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ଏ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍ କରି ଜଣାଇଛନ୍ତି।
ସେ ଲେଖିଛନ୍ତି ଯେ, ଉନ୍ନାଉ କେସ୍ରେ ବିଜେପି ବଡ଼ ଭୁଲ କରିଥିଲା। ଏବେ ପୀଡ଼ିତାଙ୍କ ମା’ ନ୍ୟାୟର ଚେହେରା ଭାବେ ଉଭା ହେବେ। ୨୦୧୭ରେ ଉନ୍ନାଉ ଗଣଦୁଷ୍କର୍ମ ଘଟିଥିଲା। ଏହି ମାମଲାରେ ୨୦୧୯ରେ ବିଜେପି ବିଧାକୟ କୁଲଦୀପ ସିଂ ସେନଗାର ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ବିଜେପି କୁଲଦୀପଙ୍କୁ ଦଳରୁ ବିଦା କରିଥିଲା। ଦୁଷ୍କର୍ମରେ ଶିକାର ହେବା ପୁଲିସଠାରୁ ନ୍ୟାୟ ନପାଇ ପୀଡ଼ିତା ୟୁପି ମୁଖ୍ୟନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାଷଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ଘଟଣା ସାରା ଦେଶର ଗଣମାଧ୍ୟମରେ ମୁଖ୍ୟ ଶିରୋନାମା ପାଲିଟିଥିଲା। ଏମିତିକି ବିଧାୟକ କୁଲଦୀପଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ପୁଲିସ ଓଲଟି ପୀଡ଼ିତାଙ୍କ ବାପାଙ୍କୁ ଗିରଫ କରିଥିଲା। ଆର୍ମସ ଆକ୍ଟରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ପୁଲିସ ନିର୍ଯାତନାରେ ଅତିଷ୍ଟ ହୋଇ ତାଙ୍କର ହାଜତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ପଛର ଷଡ଼ଯନ୍ତ୍ର ଅଭିଯୋଗରେ୨୦୨୦ରେ କୁଲଦୀପ ସିଂଙ୍କୁ କୋର୍ଟ ପୁଣି ଦୋଷୀ ସାବ୍ୟସ୍ତ କରିବା ସହ ୧୦ ଲକ୍ଷ ଟଙ୍କା ଜୋରିମାନା କରିଥିଲେ।
ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ମାମଲାରେ କୋର୍ଟ କୁଲଦୀପଙ୍କୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୯ରେ ଉନ୍ନାଉ ପୀଡ଼ିତା ନିଜ ପରିବାର ସଦସ୍ୟ ସହ ଏକ କାରରେ ଓକିଲଙ୍କ ପାଖକୁ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ପୀଡ଼ିତାଙ୍କୁ ସଙ୍ଗଟାପନ୍ନ ଅବସ୍ଥାରେ ଲକ୍ଷ୍ନୌକୁ ଏୟାର ଲିଫ୍ଟିଂ କରାଯାଇଥଲା। ପରେ ପୀଡ଼ିତାଙ୍କୁ ଏମସ୍ ସ୍ଥାନାନ୍ତର କରାଯାଇଥିଲା।
ସିବିଆଇ ପକ୍ଷରୁ ବୟାନ ରେକର୍ଡ଼ ବେଳେ ଏହି ଦୁର୍ଘଟଣା ପାଇଁ ବିଜେପି ବିଧାୟକ କୁଲଦୀପଙ୍କୁ ଦାୟୀ କରିଥିଲେ ପୀଡ଼ିତା। ବିଧାୟକ ତାଙ୍କୁ ମାରିବା ପାଇଁ ଯୋଜନା କାରିଥିଲେ ବୋଲି କହିଥିଲେ। ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ପାଇଁ ୨୦୨୦ ମାର୍ଚ୍ଚରେ ବିଧାକୟ କୁଲଦୀପ ସିଂ ସେନଗାରଙ୍କୁ ୧୦ ବର୍ଷ ଜେଲ ଦଣ୍ଡିତ କରିଥିଲେ କୋର୍ଟ । କିନ୍ତୁ ଦିଲ୍ଲୀ କୋର୍ଟ କୁଲଦୀପଙ୍କୁ ଏହି ମାମଲାରେ ନିର୍ଦ୍ଦୋଶରେ ଖଲାସ କରିଥିଲେ। ତେବେ ସେ ଦୁଷ୍କର୍ମ ମାମଲାରେ ଆଜୀବନ ସଜା କାଟୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।