ରାଞ୍ଚି: ଉଦ୍ଦେଶ୍ୟମୂଳକ ଭାବେ ବିଚାରପତିଙ୍କୁ କରାଯାଇଛି ହତ୍ୟା। ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଦୁଇ ଜଣ ଅଟୋ ଡ୍ରାଇଭର ଜାଣିଶୁଣି ଅଟୋରେ ଧକ୍କା ଦେଇ ହତ୍ୟା କରିଛନ୍ତି। ଝାଡଖଣ୍ଡ ରାଞ୍ଚରେ ଜୁଲାଇ ୨୮ ତାରିଖରେ ମର୍ଣ୍ଣିଂ ୱାକ୍ରେ ଯାଇଥଇବା ଜିଲ୍ଲା ଜଜ୍ଙ୍କ ମୃତ୍ୟୁକୁ ନେଇ ଆଜି ଏଭଳି କିଛି ଝାଡଖଣ୍ଡ ହାଇକୋର୍ଟଙ୍କୁ କହିଛି ସିବିଆଇ।
ଆଜି ଏନେଇ ସିବିଆଇ ଝାଡ଼ଖଣ୍ଡ ହାଇକୋର୍ଟରେ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଛି। କ୍ରାଇମ ସିନ୍ ରିକ୍ରିଏଟ, ଘଟଣାର ତର୍ଜମା, ସିସିଟିଭି ଭିଜୁଆଲ୍ ଏବଂ ଫୋରେନସିକ ପ୍ରମାଣରୁ ଜଣାପଡ଼ିଛି ଯେ, ୪୯ ବର୍ଷୀୟ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ନିର୍ଦ୍ଦିଷ୍ଟ ଭାବେ ଉଦ୍ଦେଶ୍ୟ ରଖି ଅଟୋ ଧକ୍କା ଦେଇ ହତ୍ୟା କରାଯାଇଥିଲା ବୋଲି ସିବିଆଇ ତା' ରିପୋର୍ଟରେ କହିଛି।
ତେବେ ସିବିଆଇ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ଜଣାଇଛି। ଏବେ ସମସ୍ତ ରିପୋର୍ଟକୁ ନିରୀକ୍ଷଣ କରାଯାଉଛି। ଏଣୁ ପରବର୍ତ୍ତୀ ମୁହୂର୍ତ୍ତରେ ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ସିବିଆଇ କହିଛି। ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଟୋ ଡ୍ରାଇଭର ଲଖନ ବର୍ମା ଓ ହେଲ୍ପର ରାହୁଲ ବର୍ମା। ଏହି ଦୁଇ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଏବଂ ନାର୍କୋ ଟେଷ୍ଟ ଏବଂ ବ୍ରେନ ମ୍ୟାପିଂ ମଧ୍ୟ କରିଛି ସିବିଆଇ।
ସୂଚନା ମୁତାବକ, ଜୁଲାଇ ୨୮ରେ ଆଡିସନାଲ ସେସନ୍ସ ଜଜ୍ ଉତ୍ତମ ଆନନ୍ଦ ନିଜ ଘର ଠାରୁ ମାତ୍ର କିଛି ଦୂରରେ ଥିବା ରାସ୍ତାରେ ରନିଂ କରୁଥିବା ବେଳେ ହଠାତ୍ ଗୋଟିଏ ଅଟୋ ପଛପଟୁ ଆସି ତାଙ୍କୁ ଜାଣିଶୁଣି ଧକ୍କା ଦେଇଥିଲା। ଗାଡ଼ି ଧକ୍କା ପରେ ସେ ରାସ୍ତା କଡ଼ରେ ଟଳି ପଡ଼ିଥିଲେ।
କିଛି ସମୟ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ଏହାକୁ ହିଟ୍ ଆଣ୍ଡ ରନ୍ କେସ୍ ବୋଲି ବିଚାର କରାଯାଉଥିଲା। କିନ୍ତୁ ସ୍ଥାନୀୟ ଅଞ୍ଚଳର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ଉତ୍ତମ ଆନନ୍ଦ ଧନବାଦରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରୁଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବ ସହ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।