ଚାଲିଥିଲା ଦରଦାମ୍ ବୃଦ୍ଧି ଆଲୋଚନା, ହଠାତ୍ ଦାମୀ ବ୍ୟାଗ୍ ଲୁଚାଇଲେ ଟିଏମ୍ସି ସାଂସଦ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଆରମ୍ଭରୁ ସଂସଦରେ ହଙ୍ଗାମା ଜାରି ରହିଛି । ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ହୋହଲ୍ଲା କରୁଛନ୍ତି। ଏପରିକି ଘଣ୍ଟା ଘଣ୍ଟା ଧରି ସଂସଦ ବାହାରେ ଧାରଣା ମଧ୍ୟ ଦେଉଛନ୍ତି। ଏହାରି ଭିତରେ ଲୋକସଭାରେ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଟିଏମ୍ସି ସାଂସଦ ମହୁଆ ମୋଇତ୍ରାଙ୍କ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବିଭିନ୍ନ ସମୟରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଏଥର କିନ୍ତୁ ସେ ନିଜ ବୟାନ ପାଇଁ ନୁହେଁ ନିଜ ଭ୍ୟାନିଟି ବ୍ୟାଗ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସୋମବାର ଲୋକସଭାରେ ଆଲୋଚନା ଚାଲିଥିବା ବେଳେ ଟିଏମ୍ସି ସାଂସଦ କାକୋଲି ଘୋଷ୍ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ କହିବା ପାଇଁ ଠିଆ ହୋଇଥିଲେ। ଏତିକି ବେଳେ ତାଙ୍କ ପାଖରେ ବସିଥିବା ମହୁଆ ମୋଇତ୍ରା ହଠାତ୍ ତରବରିଆ ଭାବେ ନିଜ ଦାମୀ ଭ୍ୟାନିଟି ବ୍ୟାଗ୍ ତଳେ ରଖି ଦେଇଥିଲେ। ଲୁଇ ବ୍ୟୁଟନ୍ ବ୍ରାଣ୍ଡର ଏହି ବ୍ୟାଗ୍ର ଦାମ୍ ୧.୫ ଲକ୍ଷ ଟଙ୍କା କୁହାଯାଉଛି। ଏହି ପୂରା ଘଟଣା କ୍ୟାମେରାରେ କଏଦ୍ ହୋଇଛି। ମହୁଆଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ ତାଙ୍କୁ ଜୋରଦାର ଟ୍ରୋଲ ମଧ୍ୟ କରାଯାଉଛି।
As the issue of "mehengai" is raised, somebody's Louis Vuitton bag quickly slides under the bench. pic.twitter.com/Rtra8qsBEt
— Ajit Datta (@ajitdatta) August 1, 2022
ସୋଶାଲ ମିଡିଆ ୟୁଜର୍ସମାନେ ଭିଡିଓ ଶେଆର କରି ପଚାରୁଛନ୍ତି, ଯଦି ଏତେ ଦରଦାମ୍ ବୃଦ୍ଧି ବଢ଼ିଛି, ତେବେ ମହୁଆ ମୋଇତ୍ରା ଏତେ ମହଙ୍ଗା ବ୍ୟାଗ ନେଇ ଗୃହକୁ କିପରି ଆସିଛନ୍ତି? ସେହିପରି ଆଉ କିଛି ୟୁଜର୍ସ ମଧ୍ୟ ତାଙ୍କର ଏଭଳି ବ୍ୟାଗ୍ ଲୁଚାଇବାକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମହୁଆ ମୋଇତ୍ରା ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ସାଂସଦ ଅଛନ୍ତି। ସେ ୨୦୧୯ରେ ପ୍ରଥମ ଥର ପାଇଁ ବିଜେପିର କଲ୍ୟାଣ ଚୌବେଙ୍କୁ ୬୩ ହଜାର ଭୋଟରେ ପରାସ୍ତ କରି ଲୋକସଭାରେ ପହଞ୍ଚିଥିଲେ। ଏହାପୂର୍ବରୁ ସେ ବିଧାୟକ ଭାବେ କାର୍ଯ୍ୟ କରୁ ଥିଲେ। ୨୦୧୬ରେ ସେ ଦଶନ୍ଧି ଧରି ବାମ ଦଳ ଦ୍ୱାରା କବ୍ଜା କରାଯାଇଥିବା କରିମପୁର ବିଧାନସଭା ଆସନରୁ ଜିତିଥିଲେ। ଟିଏମସିରେ ଯୋଗଦେବା ପୂର୍ବରୁ ସେ କଂଗ୍ରେସରେ ଥିଲେ। କିନ୍ତୁ କିଛି ଦିନ ମଧ୍ୟରେ ତାଙ୍କ କଂଗ୍ରେସ ମୋହ ଭଙ୍ଗ ହୋଇଯାଇଥିଲା। ଏହାପରେ ସେ ଟିଏମସିରେ ଯୋଗ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।