୧୫ ଯାଏଁ ବନ୍ଦ, କଥା ନମାନି ରାଲି କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ନିର୍ବାଚନ କମିଶନର

ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଥିବା ବେଳେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଏଥର ଲୋକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେଣୁ ନିର୍ବାଚନ ପ୍ରଚାର ଉପରେ କଡ଼ା କଟକଣା ଲାଗୁ କରିଛନ୍ତି ନିର୍ବାଚନ କମିଶନ। ଏହି କଟକଣା ଅନୁଯାୟୀ, ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ରୋଡ୍‌ ଶୋ’ ଓ ରାଲି କରାଯାଇ ପାରିବ ନାହିଁ। ରାତି ୮ରୁ ସକାଳ […]

election

Tapas Behera
  • Published: Saturday, 08 January 2022
  • , Updated: 08 January 2022, 06:09 PM IST

ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଥିବା ବେଳେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଏଥର ଲୋକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେଣୁ ନିର୍ବାଚନ ପ୍ରଚାର ଉପରେ କଡ଼ା କଟକଣା ଲାଗୁ କରିଛନ୍ତି ନିର୍ବାଚନ କମିଶନ।

ଏହି କଟକଣା ଅନୁଯାୟୀ, ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ରୋଡ୍‌ ଶୋ’ ଓ ରାଲି କରାଯାଇ ପାରିବ ନାହିଁ। ରାତି ୮ରୁ ସକାଳ ୮ଟା ପର୍ଯ୍ୟନ୍ତ ପ୍ରଚାର ହୋଇପାରିବ ନାହିଁ। ରାସ୍ତା କିମ୍ବା ସର୍ବସାଧାରଣ ସ୍ଥାନରେ ଗହଳି କିମ୍ବା ସମାବେଶକୁ ବାରଣ କରାଯାଇଛି। ଘରକୁ ଘର ବୁଲି ସର୍ବାଧିକ ୫ ଜଣ ପ୍ରଚାରି କରିପାରିବେ। ଜାନୁଆରୀ ୧୫ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ତା’ସହିତ ଅନଲାଇନ୍‌ ପ୍ରଚାର ପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଭୋଟ୍‌ ଗଣତି ପରେ ବିଜୟ ଶୋଭାଯାତ୍ରା ବି ହୋଇ ପାରିବ ନାହିଁ ବୋଲି କୁହାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ ନେଇ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳମାନେ ଦାୟୀ ରହିବେ। ଯଦି କଟକଣାରେ ଖିଲାପ ହୁଏ, ତା’ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସୋଶଲ ମିଡିଆ ଉପରେ କଡ଼ାର ନଜର ରଖାଯିବ।  ଯଦି ରାଜନୈତିକ ଦଳମାନେ ନିୟମକୁ ଉଲ୍ଲଂଘନ କରନ୍ତି, ତା’ହେଲେ ସେମାନଙ୍କ ନିର୍ବାଚନୀ ରାଲି ରଦ୍ଦ କରାଯିବ ସହ ଆଉ ଅନୁମତି ଦିଆଯିବ ନାହିଁ ।

ନିର୍ବାଚନୀ ରାଲି ଓ ରୋଡ୍‌ ଶୋ’ ଭଳି କାର୍ଯ୍ୟକ୍ରମରେ ବିଶାଳ ଜନସମାଗମ ହେଉଥିବା ବେଳେ ଏଗୁଡ଼ିକ ଉପରେ ରୋକ ଲଗାଇବାକୁ ନିକଟରେ ନୀତି ଆୟୋଗ ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ଭିକେ ପଲ୍ କହିଥିଲେ। ସେ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଅବଗତ କରାଇଥିଲେ। ବର୍ତ୍ତମାନ ସ୍ଥିତିରେ ରାଲି ଓ ରୋଡ ଶୋ’ ପାଇଁ ଅନୁମତି ଦେବା ଠିକ ହେବନି ବୋଲି ସେ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଥିଲେ।

ଗତ ବର୍ଷ ଏପ୍ରିଲ ମାସରେ କରୋନାର ଦ୍ୱିତୀୟ ଲହରରେ ଦେଶବାସୀ ଛଟପଟ ହୋଇଥିଲେ। ଆଉ ସେହି ସମୟରେ ବେଙ୍ଗଲ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରାଯାଇଥିଲା। ଗୋଟିଏ ରାଲି ସର୍ବାଧିକ ୫୦୦ ଲୋକ ଯୋଗ ଦେଇପାରିବେ ବୋଲି କମିଶନ ସର୍ତ୍ତ ରଖିଥିଲେ। ହେଲେ ବିଭିନ୍ନ ରାଜନୀତିକ ଦଳର ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା। ତେଣୁ ଗତଥର ପରିସ୍ଥିତିକୁ ଦେଖି ଏଥର ପ୍ରଚାର ଉପରେ କଡ଼ା କଟକଣା ଲାଗୁ କରାଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୦ରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ। ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ମଣିପୁରରେ ୨ଟି, ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଘୋଷଣା କରାଯିବ।

Related story