ଚାଷୀ ଆନ୍ଦୋଳନରେ ପୂର୍ଣ୍ଣଛେଦ ପକାଇବ ଏହି ୫ ପ୍ରସ୍ତାବ!

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି କୃଷି ଆଇନକୁ ନେଇ ଏବେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (SBI)ର ରିସର୍ଚ୍ଚ ଟିମ୍ ତା’ର Ecowrapରେ ଦର୍ଶାଇଛି ଯେ ଏହି ଆନ୍ଦୋଳନକୁ ଆର୍ଥିକ ବଦଳରେ ଅଧିକ ରାଜନୀତକରଣ କରାଯାଉଛି। ଏହାବ୍ୟତୀତ ଏହି ଟିମ୍ କିଛି ପ୍ରସ୍ତାବ ମଧ୍ୟ ଦେଇଛି, ଯାହାଦ୍ୱାରା କୃଷି ଆଇନକୁ ନେଇ ଜାରି ରହିଥିବା ଆନ୍ଦୋଳନରେ ବ୍ରେକ୍ ଲାଗିପାରିବ। ଏଥିରେ ଏମଏସପିକୁ ନେଇ ଏଗ୍ରୀକଲଚର୍ ପ୍ରଡକ୍ଟ ମାର୍କେଟ୍ କମିଟି (APMC)କୁ ନେଇ ରଣନୀତିକ ପ୍ରସ୍ତାବ ସାମିଲ୍ ଅଛି।

ଏସବିଆଇ Ecowrap ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏମଏସପିର ସର୍ବାଧିକ ୫୫ ପ୍ରତିଶତ ସରକାରୀ ଖରୀଫ ଫସଲ ପଞ୍ଜାବରୁ କ୍ରୟ କରାଯାଇଥିବା ବେଳେ ଧାନ ଉତ୍ପାଦନରେ ଏହା ଦେଶରେ ତୃତୀୟ ସ୍ଥାନରେ ରହିଛି। ଯଦି ଆମେ କ୍ରୟ ବିଷୟରେ ଆଲୋଚନା କରିବା, ତାହେଲେ ଡିସେମ୍ବର ୧୧ ତାରିଖ ସୁଦ୍ଧା ଚାଉଳର ସବୁଠାରୁ ବଡ଼ ଉତ୍ପାଦନ ରାଜ୍ୟ କୁହାଯାଉଥିବା ପଶ୍ଚିମବଙ୍ଗରେ କ୍ରୟ ହୋଇନାହିଁ। ସେହିପରି ଦେଶର ୨ୟ ସବୁଠାରୁ ବଡ଼ ଉତ୍ପାଦକ ରାଜ୍ୟ ଉତ୍ତର ପ୍ରଦେଶରେ ୮ ପ୍ରତିଶତ ଓ ଆନ୍ଧ୍ର ପ୍ରଦେଶରେ ମାତ୍ର ୧ ପ୍ରତିଶତ କ୍ରୟ ହୋଇଛି। ଉଭୟ ପଞ୍ଜାବ ଓ ହରିୟାଣା ରାଜ୍ୟରେ ୭୦ ପ୍ରତିଶତ କ୍ରୟ ହୋଇଛି। ତେଣୁ ପଶ୍ଚିମବଙ୍ଗରେ ଯେଉଁଠି କୌଣସି କ୍ରୟ ହୋଇନାହିଁ ଏବଂ ଦିଲ୍ଲୀ ଯେଉଁଠାରେ ଚାଉଳ ଉତ୍ପାଦନ ନାହିଁ, ସେଠାରେ ମଧ୍ୟ କୃଷି ଆଇନକୁ ବିରୋଧ କରାଯାଉଛି। ଏଭଳି ସ୍ଥିତିରେ ଆନ୍ଦୋଳନ ରାଜନୀତିକ ଗନ୍ଧ ସ୍ପଷ୍ଟ ବାରି ହେଉଛି।

ଆସନ୍ତୁ ଜାଣିବା ଏସବିଆଇ ପକ୍ଷରୁ ଦିଆଯାଇଥିବା ୫ ପ୍ରସ୍ତାବ ସମ୍ବନ୍ଧରେ

  • ଚାଷୀଙ୍କ ଚାହିଦା ମୁତାବକ, ସେମାନଙ୍କୁ ଏମଏସପିର ଗ୍ୟାରେଣ୍ଟି ଦେବା ପରିବର୍ତ୍ତେ ସରକାର ୫ ବର୍ଷ ପର୍ଯ୍ୟନ୍ତ ଆଇନରେ ସ୍ୱଚ୍ଚତା ଗ୍ୟାରେଣ୍ଟି କ୍ଲଜ୍ ବା ଧାରା ଯୋଡ଼ିବା ଦରକାର। ଏହାଦ୍ୱାରା ଉତ୍ପାଦନ ତୁଳନାରେ ପ୍ରୋକ୍ୟୋରମେଣ୍ଟର ପ୍ରତିଶତ ଅତିକମରେ ପୂର୍ବବର୍ଷ ସହ ସମାନ ହେବା ଉଚିତ୍। ତେବେ ଏଥିରେ ବନ୍ୟା କିମ୍ବା ମରୁଡ଼ି ଭଳି ପାକୃତିକ ବ୍ୟତିକ୍ରମକୁ ବିଚାରକୁ ନିଆଯିବ। ଏସବିଆଇର ରିସର୍ଚ୍ଚ ଟିମ୍ ତା’ର ତଦନ୍ତରେ ଜାଣିବାକୁ ପାଇଛି ଯେ ଏପର୍ଯ୍ୟନ୍ତ ଗହମ ଉତ୍ପାଦନର ମାତ୍ର ୨୫-୩୫ ପ୍ରତିଶତ କ୍ରୟ କରାଯାଇଛି, ଯେଉଁଥିରେ ପଞ୍ଜାବ ଓ ହରିୟାଣାର ସର୍ବାଧିକ ଅଂଶ ରହିଛି। ଏହାବ୍ୟତୀତ ଅଧିକାଂଶ କ୍ରୟ ତେଲେଙ୍ଗାନା ଓ କେରଳରେ ମଧ୍ୟ ହୋଇଛି। ଏହା ଚାଷୀଙ୍କ ଚିନ୍ତାକୁ ବହୁ ମାତ୍ରାରେ କମ୍ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
  • ଏମଏପିକୁ ଜାତୀୟ କୃଷି ବଜାର (eNAM) ଫ୍ଲୋର୍ ପ୍ରାଇସ୍ ଅଫ୍ ଅକ୍ସନରେ ପରିବର୍ତ୍ତିତ କରାଯିବା ଦରକାର। ତଥାପି ଏହା ଚାଷୀଙ୍କ ସମସ୍ୟାର ପୂରା ସମାଧାନ କରିପାରିବ ନାହିଁ, କାରଣ eNAM ମଣ୍ଡିରେ ଡାଲିକୁ ଛାଡ଼ି ଅନ୍ୟ ସମସ୍ତ ଦ୍ରବ୍ୟର ହାରାହାରି ମଡେଲ୍ ଦର ଏମଏସପିଠାରୁ କମ୍ ଅଟେ।
  • ଏମଏସପି ମାର୍କେଟର ଭିତ୍ତିଭୂମିକୁ ମଜଭୁତ୍ କରିବା ପାଇଁ ପଦକ୍ଷେପ ନେବା ଦରକାର। ଏକ ସରକାରୀ ରିପୋର୍ଟ ମୁତାବକ, ଯଦି ଆପଣ ଶସ୍ୟ ବୁଣିବା ଏବଂ ଏହା ପରେ କ୍ଷତିର ମୂଲ୍ୟାୟନର ଆକଳନ କରିବେ, ତାହେଲେ ଏହା ପାଖାପାଖି ୨୭ହଜାର କୋଟି ଟଙ୍କା ହେବ। କେବଳ ତୈଳ ବିହନ ପାଇଁ ୧୦ହଜାର କୋଟି ଓ ଡାଲି ପାଇଁ ୫ହଜାର କୋଟି ମୂଲ୍ୟାୟନ କରାଯାଇଛି। ଅର୍ଥାତ୍ ଏତେ ସଂଖ୍ୟକ ମୂଲ୍ୟର ଶସ୍ୟ, ତୈଳ ବିହନ ଓ ଡାଲିର କ୍ଷତି ହୋଇଛି।
  • ଏସବିଆଇର ରିସର୍ଚ୍ଚ ଟିମ୍ ପରାମର୍ଶ ଦେଇଛି ଯେ ଭାରତରେ ଏକ କଣ୍ଟ୍ରାକ୍ଟ ଫାର୍ମିଂ ଇଷ୍ଟିଚ୍ୟୁସନର ସ୍ଥାପନା କରାଯିବା ଦରକାର। ଏହି ଇନଷ୍ଟିଚ୍ୟୁଟ୍ ପାଖରେ କଣ୍ଟ୍ରାକ୍ଟ ଫାର୍ମିଂ ପାଇଁ ନିର୍ଦ୍ଧାରିତ ଦରର ନୀରିକ୍ଷଣ କରିବାର ଅଧିକାର ରହିବ। କଣ୍ଟ୍ରାକ୍ଟ ଫାର୍ମିଂ ଦୁନିଆର ଅନେକ ଦେଶର ଉତ୍ପାଦନ (ଚାଷୀ)କୁ ମାର୍କେଟ୍ ଓ ପ୍ରାଇସ୍ ଷ୍ଟାବିଲିଟୀ ସହ ସପ୍ଲାଇ ଚେନ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ସୁନିଶ୍ଚିତ କରିଛି ଏବଂ ଟେକ୍ନିକାଲ୍ ଆସିଷ୍ଟାଣ୍ଟ ମଧ୍ୟ ଉପଲବ୍ଧ କରାଇଛି। ଉଦାହରଣ ସ୍ୱରୂପ ଥାଇଲ୍ୟାଣ୍ଡରେ ମୁଖ୍ୟତ ୫୨ ପ୍ରତିଶତ ମାର୍କେଟ୍ ଷ୍ଟାବିଲିଟୀ ଓ ୪୬ ପ୍ରତିଶତ ପ୍ରାଇସ୍ ଷ୍ଟାବିଲିଟୀ କାରଣରୁ ସେଠାକାର ଚାଷୀମାନେ ଚୁକ୍ତିଭିତ୍ତିକ ଚାଷରେ ଅଂଶୀଦାର ହୋଇଥିଲେ।
  • କେସିସି ନିୟମକୁ ସଂଶୋଧନ କରିବା ଦରକାର, ଯାହା ବ୍ୟାଙ୍କର ଏଗ୍ରୀ ପୋର୍ଟଫୋଲିଓ କ୍ଷମତା କମ୍ କରିଥାଏ। ଉଦାହରଣସ୍ୱରୂପ ଏସବିଆଇର ରିସର୍ଚ୍ଚ ଟିମ୍ ତା’ର ମଡେଲର କାଲକୁଲେସନରେ ଜାଣିବାକୁ ପାଇଛି ଯେ ଯଦି କେସିସି ନିୟମକୁ ସଂଶୋଧନ କରାଯାଏ, ତାହେଲେ ଚାଷୀଙ୍କ ମାସିକ ଆୟ ୩୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।