ନୂଆଦିଲ୍ଲୀ: ଆସନ୍ତା ବର୍ଷ ଡିସେମ୍ବର ଯାଏଁ ଦେଶର ୮୧ କୋଟିରୁ ଅଧିକ ରାଶନକାର୍ଡ ଥିବା ହିତାଧିକାରୀଙ୍କୁ ମାଗଣାରେ ମିଳିବ ରାସନ୍। କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ବର୍ଷେ ଯାଏଁ ମାଗଣାରେ ରାସନ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏନେଇ ଆଜି କେନ୍ଦ୍ରୀୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।
ପୂର୍ବରୁ ଚାଉଳ କିଲୋ ପ୍ରତି ୩ ଟଙ୍କା, ଗହମ କିଲୋପ୍ରତି ୨ଟଙ୍କା ଦରରେ ଯୋଗାଇ ଦିଆଯାଉଥିଲା। ତେବେ ଆସନ୍ତା ୨୦୨୩ ଡିସେମ୍ବର ଯାଏଁ କିନ୍ତୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ରାସନ୍। ଫଳରେ ଦେଶର ୮୧ କୋଟିରୁ ଅଧିକ ହିତାଧୀକାରୀ ଏହାର ଫାଇଦା ପାଇବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ଏନେଇ ମଞ୍ଜୁରୀ ଦେଇଛି।
ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବୋଝ ପଡ଼ିବ ବୋଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ।
ସୂଚନା ଥାଉକି, ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୩ ଲକ୍ଷ ୩ ହଜାର ୪୧୦ ପରିବାରଙ୍କୁ ରାସନ କାର୍ଡ ଦିଆଯାଇଛି। ଏହି ପରିବାରର ୩ କୋଟି ୨୫ ଲକ୍ଷ ୭୭ ହଜାର ୯୧୭ ଜଣ ହିତାଧିକାରୀ ରିହାତି ଦରରେ ଚାଉଳ କିମ୍ବା ଗହମ ପାଉଛନ୍ତି। ଯେତେବେଳେ କି ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟା ସୁରକ୍ଷା ଯୋଜନାରେ ୩ ଲକ୍ଷ ୨୪ ହଜାର ୩୮୮ ପରିବାରଙ୍କୁ ରାସନ କାର୍ଡ ଯୋଗାଇ ଦିଆଯାଇଛି। ଏହି ପରିବାରର ୧୦ ଲକ୍ଷ ୨୩ ହଜାର ୧୨୨ ଜଣ ହିତାଧିକାରୀଙ୍କୁ ଚାଉଳ, ଗହମ ପ୍ରଭୃତି ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।