ନୂଆଦିଲ୍ଲୀ: ପଞ୍ଜାବାର ଲୋକପ୍ରିୟ ଗାୟକ-ରାଜନେତା ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ। ତାଙ୍କ ରିମାଣ୍ଡ ଅବଧି ଜୁନ୍ ୨୨କୁ ବୃଦ୍ଧି ହୋଇଛି। ରିମାଣ୍ଡରେ ନେବା ଲାଗି ଆଜି ପଞ୍ଜାବର ମାନସା ଜିଲ୍ଲାସ୍ଥିତ ଏକ ଅଦାଲତ ପୁଲିସକୁ ଅନୁମତି ଦେଇଛନ୍ତି। ବିଷ୍ଣୋଇ ହେଉଛନ୍ତି ସିଦ୍ଧୁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ। କଡ଼ା ସୁରକ୍ଷା ମଧ୍ୟରେ ବିଷ୍ଣୋଇଙ୍କୁ ବୁଧବାର ଭୋରୁ ପ୍ରାୟ ପ୍ରାୟ ୪ଟା ବେଳେ ଡିୟୁଟି ମାଜିଷ୍ଟ୍ରେଟ୍ଙ୍କ ଆଗରେ ହାଜର କରାଯାଇଥିଲା। ରିମାଣ୍ଡ୍ ଆଦେଶ ପାଇବା ପରେ ପଞ୍ଜାବ ପୁଲିସ ବିଷ୍ଣୋଇଙ୍କୁ ଖରାରର ସିଆଇଏ ଷ୍ଟାଫ ଅଫିସକୁ ନେଇଛି।
ସେଠାରେ ତାଙ୍କୁ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଧିକ ପଚରାଉଚରା କରିବ। ଲରେନ୍ସକୁ ଉଭୟ ଏସଆଇଟି ଏବଂ ଏଜିଟିଏଫ ଜେରା କରିପାରେ। ପୂର୍ବରୁ ସୁରକ୍ଷାକୁ ନେଇ ତାଙ୍କ ଓକିଲ ଆପତ୍ତି ଉଠାଇଥିଲେ। ହେଲେ ଲରେନ୍ସଙ୍କ ସୁରକ୍ଷା ବ୍ୟବସ୍ଥାରା କୌଣସି ହେଳା କରାଯାଇ ନାହିଁ ପୁଲିସ କୋର୍ଟକୁ କହିଥିଲା। ସୂଚନାଯୋଗ୍ୟ, ଗ୍ୟାଙ୍ଗ୍ଷ୍ଟର୍ ବିଷ୍ଣୋଇଙ୍କୁ ଜେରା ପାଇଁ ରାଜ୍ୟକୁ ନେବା ପାଇଁ ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ପଞ୍ଜାବ ପୁଲିସକୁ ଅନୁମତି ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ମେ’ ୨୯ରେ ସିଦ୍ଧୁ ମୁସେୱାଲାଙ୍କୁ ପଞ୍ଜାବର ମାନସାରେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ପରେ କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା। ବ୍ରାର ତିହାର ଜେଲରେ ଥିବା ଲରେନ୍ସଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ମୁସେୱାଲାଙ୍କ ହତ୍ୟା ପଛରେ ତାଙ୍କର ମଧ୍ୟ ହାତ ଥିବା ପଞ୍ଜାବ ପୁଲିସ୍ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।