ବେଙ୍ଗାଳୁରୁ: ତେଜୁଛି ହିଜାବ ଆନ୍ଦୋଳନ। କର୍ଣ୍ଣାଟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିଜାବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଏହି ବିବାଦ ବଢ଼ୁଥିବା ଦେଖି ବେଙ୍ଗାଳୁରୁ ପୁଲିସ ଶିକ୍ଷାନୁଷ୍ଠାନ ନିକଟରେ ୨ ସପ୍ତାହ ଯାଏଁ କୌଣସି ପ୍ରକାରର ଭିଡ କିମ୍ବା ବିରୋଧ ପ୍ରଦର୍ଶନ କରିବା ଉପରେ ପ୍ରତିବନ୍ଧକ ଲାଗଇଛନ୍ତି।
ଆସନ୍ତା ୨ ସପ୍ତାହ ଯାଏଁ କୌଣସି ସ୍କୁଲ କିମ୍ବା କଲେଜ ନିକଟରେ ଭିଡ ଜମାଇବାକୁ ବାରଣ କରାଯାଇଛି। ଏଥିସହ ବିରୋଧ ପ୍ରଶର୍ଦନ ଉପରେ ମଧ୍ୟ କଡା କଟକଣା ଲାଗୁ କରିଛି ବେଙ୍ଗାଳୁରୁ ପୁଲିସ।
ସୂଚନା ମୁତାବକ, ମଙ୍ଗଳବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ଏସ ବୋମାଇ ରାଜ୍ୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଫେରାଇ ଆଣିବା ପାଇଁ ସମସ୍ତ ହାଇସ୍କୁଲ ଏବଂ କଲେଜକୁ ତିନି ଦିନ ଯାଏଁ ବନ୍ଦ କରିବାକୁ ଘୋଷଣା କରିଥିଲେ। ହିଜାବ ଉପରେ ଲଗାଯାଇଥିବା ରୋକ୍ ଉପରେ ପ୍ରଶ୍ନ ଉଠାଇ ଉଡୁପି ସରକାରୀ ମହାବିଦ୍ୟାଳୟର ପାଞ୍ଚଜଣ ମହିଳା ପକ୍ଷରୁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।
ବୁଧବାର କର୍ଣ୍ଣାଟକ ହାଇକୋର୍ଟରେ ଏହି ଆବେଦନର ଶୁଣାଣି ମଧ୍ୟ ହୋଇଥିଲା। ତେବେ ଏକ ବୃହତ୍ତ ବେଞ୍ଚରେ ଏହି ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଦୀକ୍ଷିତ ବେଞ୍ଚ ଏହି ସୁପାରିଶ କରିଛନ୍ତି। କୋର୍ଟ ଏହି ମାମଲା ସହ ସମ୍ବନ୍ଧିତ ପକ୍ଷମାନଙ୍କୁ ମଙ୍ଗଳବାର ଦିନ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକର ଅନେକ ଜିଲ୍ଲା ଗତ କିଛି ଦିନ ହେବ ହିଜାବକୁ ସମର୍ଥନ ଏବଂ ବିରୋଧକୁ ନେଇ ଆନ୍ଦୋଳନ ଜାରି ରହିଛି। କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା ହିଜାବ ବିବାଦ ଏବେ ପଡ଼ୋଶୀ ପୁଡୁଚେରୀକୁ ମଧ୍ୟ ବ୍ୟାପିଛି। କେବଳ ପୁଡୁଚେରୀ ନୁହେଁ, ମଧ୍ୟପ୍ରଦେଶରେ ମଧ୍ୟ କର୍ଣ୍ଣାଟକାର ପଦଧ୍ୱନୀ ଶୁଣିବାକୁ ମିଳିଛି। ଏଠାକାର ବିଭିନ୍ନ କଲେଜ ଓ ସ୍କୁଲରେ ହିଜାବକୁ ବିରୋଧ କରିବା ପାଇଁ ଗୁପ୍ତ ଭାବେ ଯୋଜନା ଆରମ୍ଭ ହୋଇଛି।
ଗତ ମାସରେ ପ୍ରଥମେ କର୍ଣ୍ଣାଟକାର ଉଡୁପି ସ୍ଥିତ ଗାର୍ଲ୍ସ ପିୟୁ କଲେଜରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା। ଏଠାରେ ପଢ଼ୁଥିବା ୬ ଜଣ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ସେମାନଙ୍କୁ କ୍ଲାସ କରିବାକୁ ଅନୁମତି ମିଳୁ ନଥିବା ଅଭିଯୋଗ କରିଥିଲେ। ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧୁଥିବାରୁ ଏହାକୁ ଦକ୍ଷିଣପନ୍ଥୀ ଶିକ୍ଷାର୍ଥୀମାନେ ଜୋରଦାର ବିରୋଧ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।