ହାଇଦ୍ରାବାଦ: ହିଜାବ ବନାମ ବୁର୍ଖା। କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଶାନ୍ତ ପଡିବାର ନାଁ ଧରୁନାହିଁ। ଏହାକୁ ନେଇ ଏବେ ଅଧିକାଂଶ ରାଜ୍ୟରେ ବିବାଦ ଉଗ୍ର ହେବାରେ ଲାଗିଛି। ଏହାରି ଭିତରେ ତେଲେଙ୍ଗାନାରେ ମୁଣ୍ଡ ଟେକିଛି 'ବୁର୍ଖା ବିବାଦ'। ସିକେନ୍ଦ୍ରାବାଦର ଏକ ଅନୁଷ୍ଠାନରେ ମହିଳାମାନଙ୍କୁ ବୁର୍ଖା ପିନ୍ଧିବାକୁ ବାରଣ କରାଯାଇଥିବା ନେଇ ଅଭିଯୋଗ ଉଠିଛି।
ଫାତିମା ନାମକ ଜଣେ ମହିଳା ଟ୍ୱିଟରରେ ଲେଖିଛନ୍ତି, 'ଫେବୃଆରୀ ୫ରେ ଆମକୁ ମୌଖିକ ରୂପେ କୁହାଯାଇଥିଲା ଯେ ଅନୁଷ୍ଠାନ ପରିସରରେ ବୁର୍ଖା ଏବଂ ହିଜାବ ପିନ୍ଧିବାକୁ ଆଉ ଅନୁମତି ଦିଆଯିବ ନାହିଁ। ଏହା ବଦଳରେ ସମସ୍ତ ମହିଳା ଶିକ୍ଷାର୍ଥୀମାନେ ଶାଢ଼ୀ ପିନ୍ଧି ଆସିବାକୁ ପଡିବ।'
ଫାତିମା ଆହୁରି ଲେଖିଛନ୍ତି, 'ଅନୁଷ୍ଠାନରେ ଆଡମିଶନ ପୂର୍ବରୁ ମଧ୍ୟ ଫର୍ମରେ ୟୁନିଫର୍ମ ସ୍ତମ୍ଭ ଭରିବା ପାଇଁ ଆମକୁ ବାଧ୍ୟ କରାଯାଇଥିଲା। ଏଥିରେ କିନ୍ତୁ କୌଣସି ସ୍ଥାନରେ ଲେଖା ହୋଇନଥିଲା ଯେ ବୁର୍ଖା ହଟାଇବାକୁ ପଡିବ। କିନ୍ତୁ ବର୍ତ୍ତମାନ ଏହି ନୂଆ ନିୟମ ଆସିବା ପରେ ଆମକୁ କେହି ସମର୍ଥନ କରୁନାହାଁନ୍ତି।'
କୁହାଯାଉଛି ଯେ, ଏହି ଅନୁଷ୍ଠାନ ଭିନ୍ନକ୍ଷମମାନଙ୍କୁ ତାମିଲ ଦେଇଥାଏ। ଫାତିମା ମୁସଲିମ ସଂଗଠନ 'ମଜଲିସ୍ ବାଚାଓ ତେହେରିକ୍'ର ମୁଖପାତ୍ର ଅମଜାଦ ଉଲ୍ଲା ଖାନଙ୍କୁ ମଧ୍ୟ ଏନେଇ ନିବେଦନ କରିଛନ୍ତି।
ଏହି ଅନୁଷ୍ଠାନର ଜଣେ ଜୁନିଅର ପ୍ରଶିକ୍ଷାର୍ଥୀଙ୍କୁ ଠାରୁ ଫେବ୍ରୁଆରୀ ୮ ତାରିଖରେ ସେ ପିନ୍ଧିଥିବା ବୁର୍ଖାକୁ କାଢ଼ି ନିଆଯାଇଥିଲା। ସେବେଠାରୁ ଅନ୍ୟ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ସେମାନେ ଅନୁଷ୍ଠାନକୁ ଯିବା ବନ୍ଦ କରି ଦେଇଛନ୍ତି। ଏହି ନିୟମ ଯୋଗୁଁ ଅନେକ ଝିଅ ଗତ କିଛି ଦିନ ଧରି ଅନୁଷ୍ଠାନକୁ ଯାଉନଥିବା ଫାତିମା ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ ଯେ ଡିସେମ୍ବରର ଦ୍ୱିତୀୟ ସପ୍ତାହରେ କର୍ଣ୍ଣାଟକର ଉଡୁପି ଠାରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ସେଠାରେ କିଛି ମୁସଲମାନ ଝିଅ ଦାବି କରୁଛନ୍ତି ଯେ ସେମାନଙ୍କୁ ଶିକ୍ଷାନୁଷ୍ଠାନର ୟୁନିଫର୍ମ ସହିତ ହିଜାବ ପିନ୍ଧିବାକୁ ଦିଆଯାଉ। ଏହି ଦାବିକୁ ଗ୍ରହଣ ନକରିବାରୁ ସେମାନେ ବିରୋଧ ଜାରି ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।